Unknown

 

 

 

 

 

 

 

 

 

 

 

ମାୟା ମମତାର ବନ୍ଧନ

ଶ୍ରୀ ବ୍ରଜସୁନ୍ଦର ମହାପାତ୍ର

 

ପଦେ ଅଧେ

 

ଚଷାପଡ଼ା ଗାଁ ଏବଂ ସମସ୍ତ ଚରିତ୍ର କାଳ୍ପନିକ । ‘‘ପ୍ରସିଦ୍ଧ ଦାମିଆ କାଣ୍ଡି’’ ଗଛ ତଳେ ଯେଉଁମାନେ ପଢ଼ି ଖେଳି ଦେଶର ବିଭିନ୍ନ କ୍ଷେତ୍ରରେ ଆଜି ନିଜକୁ ନିୟୋଜିତ କରିଛନ୍ତି ସେ ସମସ୍ତଙ୍କ ହାତରେ ଏହି ବହିଟି ତୋଳି ଦେଲି ।

 

ବହିରେ ଥିବା ବିଭିନ୍ନ ଚରିତ୍ର, ଭାଷା, ଭାବ ତଥା ଭାରତର ବିଭିନ୍ନ ସ୍ଥାନ ବର୍ଣ୍ଣନରେ କିଛି ଦୋଷ ତ୍ରୁଟି ଥାଇପାରେ । ଭବିଷ୍ୟତରେ ମୋ ଦୃଷ୍ଟିକୁ ଆସିଲେ ସଂଶୋଧନ କରିବାକୁ ଚେଷ୍ଟା କରିବି ।

 

ମଧୁପାଟଣା ପ୍ରେସ୍ କ୍ୱାଟର୍ସ

ବ୍ରଜସୁନ୍ଦର ମହାପାତ୍ର

ତା ୧ । ୧୧ । ୧୯୭୨

 

Image

 

ମାୟା ମମତାର ବନ୍ଧନ

 

ଗହଳିଆ ଗଛପତର । ଆମ୍ବ, ନଡ଼ିଆ, ପୁଲାଙ୍ଗର ତୋଟା । ତାରି ଭିତରେ ଗୁଞ୍ଜି ଗୁଞ୍ଜି ହୋଇ ଛୋଟ ଛୋଟ ଚାଳଘରର ଦୁଇଟି ଧାଡ଼ି। ଭାର୍ଗବୀ ନଈ ମୋଡ଼ ବୁଲିଛି ଏଇଠି ପଶ୍ଚିମରୁ ଦକ୍ଷିଣକୁ । ଠିକ୍ ବନ୍ଧ ତଳୁ ଗଡ଼ି ଯାଇଛି ଚାଳଘରର ଧାଡ଼ି ଦୁଇଟି ପୂର୍ବ ପଶ୍ଚିମ ହୋଇ । ଗାଁ ଯେଉଁଠି ସରିଛି ସେଇଠୁଁ ଆରମ୍ଭ ହୋଇଛି ଶସ୍ୟଶାମଳା ସବୁଜ ଧାନର କ୍ଷେତ......ଚାଷୀକୂଳର ଜୀବ-ସଙ୍ଖାଳି । ଏହି ଗାଁଟି ହେଉଛି ବୀର ନରସିଂହପୁର ଶାସନ ଗ୍ରାମର ଏକ କ୍ଷୁଦ୍ର ପଡ଼ା ଗାଁ......ଚଷାପଡ଼ା......ଭୂଗୋଳ ପୋଥି ତ ଦୂରର କଥା ଖବରକାଗଜରେ ଯେଉଁ ଗାଁର ନାଁ ଦିନେ ବି ଛପା ହେବାର ସମ୍ଭାବନା ନାହିଁ......

 

ସେଇ ଗାଁରେ ଗୋଟିଏ ବୋଲି ଧୋବଲା ଘର ନିଧି ରାଉତରାୟଙ୍କର । ସେଇ ଗାଁର ଏକମାତ୍ର ତଥାକଥିତ ଥିଲାବାଲା ହେଉଛନ୍ତି ରାଉତରାୟ ବଂଶ । ମାତ୍ର ତିନି ପୁରୁଷ ହେଲା ଚଷାପଡ଼ା ଗାଁରେ ତାଙ୍କର ବସବାସ । ଏହାପୂର୍ବରୁ ତାଙ୍କର ଘର ଥିଲା ଖୋର୍ଦ୍ଧା ଅଞ୍ଚଳରେ । ଖୋର୍ଦ୍ଧା ରଜାଙ୍କର ବଚ୍ଛା ପାଇକବଂଶର ବଂଶଧର ସେ । ଶତାବ୍ଦୀ ପୂର୍ବେ ହୁଏତ ତାଙ୍କ ଗୋଁସାଁପାଙ୍କର ବାପ ଅଜା ବୀର ପାଇକ ବେଶରେ ଖଣ୍ଡା ତଲୁଆର ଧରି ଯୁଦ୍ଧଭୂଇଁରେ ଜୀବନ କଟାଇ ଦେଇଥିବେ । ହୁଏତ ତାଙ୍କ ବଂଶର କେହି ବୀର ତା’ର ପ୍ରିୟଜନ......ଜନନୀ ଓ ଜାୟାଠାରୁ ବିଦାୟ ନେଇ ଚିରଦିନ ପାଇଁ ଇଂରେଜ ବିରୁଦ୍ଧରେ ବିଦ୍ରୋହ କରି ନିଜର ପ୍ରତି ରକ୍ତବିନ୍ଦୁ ଏଇ ଜନ୍ମଭୂମିର ସ୍ୱାଧୀନତା ପାଇଁ ଢାଳି ଦେଇଥିବ । ହୁଏତ ଏଇ ବଂଶର ଆହୁରି କେହି ପ୍ରାଚୀନ ବଂଶଧର ବିଭିନ୍ନ ଯବନସମ୍ରାଟ ବିରୁଦ୍ଧରେ ପ୍ରିୟ ଉତ୍କଳ ଭୂମିର ଧର୍ମ ରକ୍ଷା ପାଇଁ ଖଡ଼୍‌ଗ ଧାରଣ କରି ନିଜର ପ୍ରାଣପାତ କରିଥିବ । ହୁଏତ ତାଙ୍କଠାରୁ ଆହୁରି ପ୍ରାଚୀନ କେହି ବୀର ନିଷ୍ଠୁର ମଗଧସମ୍ରାଟ ଚଣ୍ଡାଶୋକ ବିରୁଦ୍ଧରେ କଳିଙ୍ଗର ସ୍ୱାଧୀନତା ବଜାୟ ରଖିବା ପାଇଁ ନିଜର ଲହୁ ଢାଳି ଦୟାନଦୀର ଧାରକୁ ରକ୍ତରଞ୍ଜିତ କରି ଦେଇଥିବ ଏବଂ ହୁଏତ ସେହି ନିଷ୍ଠୁର ଚଣ୍ଡାଶୋକକୁ ଶୋକାଭିଭୂତ କରି ଧର୍ମାଶୋକରେ ପରିଣତ କରିଥିବ ତା’ର ସେହି ଲାଲ ଲହୁର ସ୍ରୋତ ଏବଂ ଏହିପରି ଭାବିବସିଲେ ସେହିପରି ହୁଏତ ଏହି ବଂଶର କେଉଁ ଅଜ୍ଞାତ ବଂଶଧରଗଣ ଏହି ବୀର କଳିଙ୍ଗ-ଉତ୍କଳ ଭୂଇଁର ସ୍ୱନାମଧନ୍ୟ ଭାରତଖ୍ୟାତ ସମ୍ରାଟ ଖାରବେଳ, କପିଳେନ୍ଦ୍ର, ପୁରୁଷୋତ୍ତମ ପ୍ରଭୃତିଙ୍କର ବୀର ପାଇକ ଥାଇ ଦେଶବିଦେଶରେ ଘୁରି ଘୁରି ଦିଗ୍‌ବିଜୟବାନା ଉଡ଼ାଇଥିବ । ସେ ସବୁର ଇତିହାସ ଆଜି ଆଉ ନିଧି ରାଉତରାୟଙ୍କ ପାଖରେ ନାହିଁ । ସେ କେବଳ ଜାଣନ୍ତି ସେ, ଏଇ ବୀର-ଭୂଇଁର ଶ୍ରେଷ୍ଠ ପାଇକବଂଶର ସନ୍ତାନ । ଦିନେ ତାଙ୍କ ପୂର୍ବପୁରୁଷଗଣ ଏଇ ଜନ୍ମଭୂମିର ଗୌରବ ପାଇଁ ଏବଂ ସ୍ୱାଧୀନତା ପାଇଁ ଯୁଦ୍ଧଭୂଇଁରେ ନିଜର ରକ୍ତ ଢାଳିଛନ୍ତି......ପ୍ରାଣ ଦେଇଛନ୍ତି । ନିଜ ପରବତ୍ତୀ ବଂଶଧରଙ୍କ ପାଇଁ ଗୌରବ ରଖିଦେଇ ଯାଇଛନ୍ତି ପ୍ରେରଣା ଦେଇଯାଇଛନ୍ତି । ହୁଏତ ଦେଶପାଇଁ ଏଇ ବଂଶର କେଉଁ ବୀର ନିଜ ତରୁଣୀ ପତ୍ନୀକୁ ବିଧବା କରିଯାଇଚନ୍ତି......ନିଜର ବୃଦ୍ଧ ପିତାମାତାଙ୍କୁ ଶୋକସାଗରରେ ଭସାଇ ଦେଇଯାଇଛନ୍ତି, ତଥାପି ନିଜର ଶିଶୁ ସନ୍ତାନକୁ ଶିଖାଇ ଦେଇଯାଇଛନ୍ତି ତାଙ୍କ ପରେ ପରେ ଏଇ ବଂଶର ଗୌରବ......ଖଣ୍ଡା ତଲୁଆରକୁ ଭୂମି ସ୍ପର୍ଶ କରି ନ ଦେବାକୁ । ଏହିପରି ଶତାବ୍ଦୀ ପରେ ଶତାବ୍ଦୀ କେତେ ଶତାବ୍ଦୀ ବିତି ଯାଇଛି । କିନ୍ତୁ ଆଜି ନିଧି ରାଉତରାୟ ଖଡ୍‌ଗହିନ । ସେ ଆଜି ଚାଷି । ତାଙ୍କର ଯୁଦ୍ଧଭୂଇଁ ହେଉଛି ତାଙ୍କର ଧାନକ୍ଷେତ......ନଡିଆ-ଆମ୍ବ-ପୁଲାଙ୍ଗର ବଗିଚା ।

 

ଆଶ୍ୱିନ ଶୁକ୍ଳ ସପ୍ତମୀ ଦିନ ସେ ଯେତେବେଳେ ନିଜ ଦେବୀ ଘରେ ସାଇତା ହୋଇଥିବା କଳଙ୍କିତ ଖଣ୍ତାକୁ ସଫାକରି ତିନିପୂଜାରେ ବସାନ୍ତି ଏବଂ ଯେତେବେଳେ ଦଶହରା ଦିନ ଅନୁକୂଳ କରିବା ନାଁରେ ଖଣ୍ଡାକୁ ଦେବୀଙ୍କ ପାଦତଳୁ ଉଠା ହାତରେ ଧରନ୍ତି ସେତେବେଳେ ତାଙ୍କର ଆଖି ବୁଜି ହୋଇଯାଏ......ହାତମୁଠା ଥରିଉଠେ......ବୁଜିଲା ଆଖି ତଳେ ନାଚିଉଠେ ଖାରବେଳ, କପିଳେନ୍ଦ୍ର, ପୁରୁଷୋତ୍ତମ, ମୁକୁନ୍ଦଦେବ ପ୍ରଭୃତି ବୀରଓଡ଼ିଆଙ୍କର କୀର୍ତ୍ତି ଏବଂ ସେମାନଙ୍କର ସୁଠାମ ଛବି......ନାଚିଉଠେ......କାଞ୍ଚି, ତ୍ରିବେଣୀ, ଧଉଳି, ବରୁଣାଇ, ବାରବାଟୀ ପ୍ରଭୁତି ପ୍ରତି ଉତ୍କଳୀୟର ପରିଚିତ ଯୁଦ୍ଧ-ଭୂଇଁର ଭୀମକାନ୍ତ ଛବି......ଯେଉଁମାନଙ୍କ ସାଥିରେ ଯେଉଁ ଯେଉଁ କ୍ଷେତ୍ରରେ ତାଙ୍କରି ପୂର୍ବପୁରୁଷଗଣ ନିଜ ନିଜର ରକ୍ତ ଢାଳି ଉତ୍କଳର ଗୌରବ ଚିରଦିନ ପାଇଁ ରକ୍ଷାକରି ଆସିଥିଲେ....-! କିନ୍ତୁ ଆଖି ଫିଟାଇ ସେ ଦେଖନ୍ତି ଖାଲି ରୁକ୍ଷ କଳଙ୍କିତ ସେଇ ପୁରୁଣା ଧାରାହୀନ ଖଣ୍ଡାଟି ତାଙ୍କ ହାତରେ । ଆଉ ଝରକା ଡେଇଁ ଆଖି ପଡ଼େ ସବୁଜ କ୍ଷେତ ଆଡ଼େ । ସେଇ ତାଙ୍କର କାଞ୍ଚି-ଧଉଳି-ବରୁଣାଈର ଯୁଦ୍ଧ ଭୂଇଁ.....ଆଉ ତାଙ୍କର ଅଶ୍ୱବାହିନୀ ହେଉଛନ୍ତି କାଳିଆ-କସରା ବଳଦ ହଳକ......ଖଣ୍ଡା ତଲୁଆର ହେଉଛି କୋଦାଳ-କୁରାଢ଼ି-ହଳଲଙ୍ଗଳ ! ହାୟ କେଉଁ ବଂଶର ଆଜି କି ଗତି.... ! କିଏ ଆଜି ତାଙ୍କୁ ଏପରି ପଙ୍ଗୁକରି ପକାଇଛି ! ଭାଗ୍ୟବାଦୀ ରାଉତରାୟ ନିଜର ଓ ନିଜ ବଂଶର ଭାଗ୍ୟକୁ ଦୋଷ ଦେଇ ନୀରବ ରହିନ୍ତି......ଦେବୀଘରୁ ଉଠି ଆସନ୍ତି ଅନ୍ୟ କାମ ନେଇ ।

 

ସେଇ ନିଧି ରାଉତରାୟଙ୍କର ସ୍ତ୍ରୀ ସ୍ୱର୍ଗବାସିନୀ । ଘରେ ସନ୍ତାନ......ପନ୍ଦର ବର୍ଷର ଝିଅ ଚପଳା ଏବଂ ଦଶ ବର୍ଷର ପୁଅ ଚନ୍ଦନ ଆଉ ନିଜର ବିଧବା ଭଉଣୀ......ତାଙ୍କଠାରୁ ଦୁଇବର୍ଷ ମାତ୍ର ସାନ ବିମଳେ । ସେଇ ବିଧବା, ଭଉଣୀ ହିଁ ଜାଣ ଚପଳା ଚନ୍ଦନଙ୍କର ମାଆ । ଚନ୍ଦନକୁ ଦୁଇବର୍ଷ ଦିନରୁ ତା’ର ବୋଉ ଯାଇଛି ଏବଂ ଏଇ ପିଇସୀ ହିଁ ହୋଇଛନ୍ତି ତା’ର ବୋଉ । ବାହାର କାମ ଦାମ ତଥା ଚାଷବାସରେ ନିଧି ରାଉତରାୟଙ୍କୁ ସାହାଯ୍ୟ କରିବାକୁ ପୁରୁଣା ଚାକର ବାମା ଏବଂ ଦୁର୍ଗାବତୀ (ରାଉତରାୟଙ୍କ ସ୍ତ୍ରୀ)ଙ୍କର ମୃତ୍ୟୁ ପରଠାରୁ ରହିଥିବା ଚାକର ଗଜି । ବାମା ବୟସରେ ବୃଦ୍ଧ, ବୁଦ୍ଧିମାନ୍, ଏ ଘରର ମୁରବି ସଦୃଶ । ରାଉତରାୟଙ୍କଠାରୁ ପ୍ରାୟ ଦୁଇ ତିନି ବର୍ଷ ବଡ଼ । ପିଲାଦିନୁ ତାଙ୍କ ଘରେ ରହି ଆସିଛି ସେ । ତେଣୁ ରାଉତରାୟ ବାମାକୁ ଯେତେଟା ଚାକର ପରି ନ ଦେଖନ୍ତି, ଦେଖନ୍ତି ପରାମର୍ଶଦାତା କର୍ମଚାରୀ ରୂପେ । ଗଜି ଯୁବକ, ବୟସ କୋଡିଏ ପାଖାପାଖି । ଏଇ ହେଲା ରାଉତରାୟଙ୍କ ପରିବାର । ସମସ୍ତେ ସ୍ୱଭାବତଃ ଶାନ୍ତ, ଭଦ୍ର ଓ ଶିଷ୍ଠ । ତାର କାରଣ ସ୍ୱୟଂ ନିଧି ରାଉତରାୟ । ବିଦ୍ୟାଦିଗରୁ ମାତ୍ର ନିମ୍ନ ପ୍ରାଥମିକ ଶେଷ କରିଛନ୍ତି । କିନ୍ତୁ ଜ୍ଞାନ ଦୃଷ୍ଟିରୁ ସେ ଯଥେଷ୍ଟ ଶିକ୍ଷିତ ଓ ମାର୍ଜ୍ଜିତ । ଚାଷୀ ହେଲେ ବି ଯୁଗର ପରିବର୍ତ୍ତନକୁ ମାନିନେଇ ସେ ତା’ସହ ଯଥାସମ୍ଭବ ଏବଂ ଯଥାଗ୍ରହଣୀୟ ସମ୍ପର୍କ ରକ୍ଷା କରିଥାନ୍ତି । ଗ୍ରାମର ତଥା ଦୂର-ନିକଟର ପ୍ରତ୍ୟେକ ବ୍ୟକ୍ତିଙ୍କ ସହ ତାଙ୍କର ବ୍ୟବହାର ଅତି ଆପଣାର ପରି । ତେଣୁ ସେ ଘରେ ବାହାରେ ପ୍ରାୟତଃ ସମ୍ମାନିତ ଓ ପ୍ରିୟତମ ବ୍ୟକ୍ତି । କେହି ତାଙ୍କର ଶତ୍ରୁ ହୋଇପାରନ୍ତି ନାହିଁ କି ହୋଇ ପାରିବେ ନହିଁ । ଏହି ସବୁ କାରଣରୁ ତାଙ୍କ ସନ୍ତାନଠାରୁ ଆରମ୍ଭ କରି ଚାକର ପର୍ଯ୍ୟନ୍ତ ସମସ୍ତେ ଶାନ୍ତ, ଭଦ୍ର ଏବଂ ନମ୍ର । ଏ ଅଞ୍ଚଳର ପ୍ରତ୍ୟେକଙ୍କର ସେମାନେ ପ୍ରିୟଜନ ।

 

ଦିନ ଥିଲା ଚଷାପଡ଼ାରେ ଅଳ୍ପଦିନର ପ୍ରତିଷ୍ଠିତ ଏହି ରାଉତରାୟ ବଂଶର ନାମ ଶୁଣିଲେ ପାଖପଡ଼ୋଶୀ......ପ୍ରତ୍ୟେକ ଚାଷୀର ଛାତି ଥରି ଉଠୁଥିଲା । ଚଷାପଡ଼ା ବ୍ରାହ୍ମଣଶାସନର ଏକ ପଡ଼ା ଗାଁ ହେଲେ ବି ରାଉତରାୟ ବଂଶର ଆବିର୍ଭାବ ଦିନରୁ ଏହା ଏକ କଚେରୀ-ପଡ଼ା ହୋଇ ଯାଇଥିଲା । ପୁରୀର କେଉଁ ଏକ ମଠର ଚାଷଜମି ସବୁ ତଦାରଖ କରିବା ପାଇଁ ଜଗବନ୍ଧୁ ରାଉତରାୟ ପ୍ରଥମେ ଏଠି ମଠର ଚଷାପଡ଼ା-ଅଞ୍ଚଳ ଅଧିକାରୀ ଭାବେ ନିଯୁକ୍ତି ପାଇ ଆସି ଏଠି ଘର ଗଢ଼ିଲେ । ଯେଉଁ ଦିନ ପଥରର ମୂଳଦୁଆ ପକାହେଲା ସେଦିନ ଅନ୍ୟୂନ ଶହେ ଲୋକ ସ୍ୱେଚ୍ଛା-କୃତ ଭାବେ ବେଠି ଖଟିଲେ ଏବଂ ପିଲା ବୁଢ଼ା ହୋଇ ଅନ୍ୟୂନ ପାଁଶହ ଲୋକ ଦେଖଣାହାରୀ ଭାବେ ଚଷାପଡ଼ା ଗାଁରେ ରୁଣ୍ଡ ହୋଇଥିଲେ । ଜଗବନ୍ଧୁ ରାଉତରାୟ କାମ ତଦାରଖ ତଥା ପରିଦର୍ଶନ କରିବାକୁ ଆସି ସେମାନଙ୍କୁ ସେହିଦିନ ହସି ପଦେ ପଦେ କଥା କହିଥିଲେ । ତା’ପରେ ତାଙ୍କ ପଥର ଘର ପିଣ୍ଡା ଉପରେ ବସି ସେ ତାଙ୍କ କାମ ଆରମ୍ଭ କଲେ ଯେଉଁଦିନ, ସେଦିନଠାରୁ ତାଙ୍କ ମୁହଁରେ ଆଉ ହସ କିଏ ଦେଖି ନାହାନ୍ତି । ବନ୍ଧୁ ରାଉତରାୟ ଏତେ ନିଷ୍ଠୁର ଆଉ କଠୋର ହେବେ ବୋଲି ଲୋକେ ବିଶ୍ୱାସ କରି ନ ଥିଲେ । ଶୁଣାଯାଏ ତାଙ୍କ ଆଗମନ ପରେ ସେହି ମଠର ଆୟ ଅସମ୍ଭବ ଭାବେ ବଢ଼ି ପାରିଥିଲା ଏବଂ ତା’ ସଙ୍ଗେ ସଙ୍ଗେ ସ୍ୱୟଂ ବଂଧୁ ରାଉତରାୟଙ୍କର ଦେହରେ ରୁମ ଯେତେ ହୁଏତ ସେ ତାଙ୍କ ଜୀବନରେ ପ୍ରାୟ ସେତିକି ମୋକଦ୍ଦମା ପ୍ରଜା ଏବଂ ମଠର ଅନ୍ୟ ବିବାଦୀମାନଙ୍କ ସହ ଲଢ଼ିଥିବେ । ଆଉରି ମଧ୍ୟ ସେ ତାଙ୍କ ଜୀବନରେ ଯେତେ ମୋକଦ୍ଦମା ଲଢ଼ିଥିଲେ କେବଳ ଗୋଟିଏ ବିବଦମାନ ଜମି ନେଇ ବ୍ରାହ୍ମଣଶାସନର ମହାଜନଙ୍କ ସଙ୍ଗେ ଦଙ୍ଗା-ହାଙ୍ଗାମା ତଥା ମୋକଦ୍ଦମା ଉଭୟରେ ହାରିବା ବ୍ୟତୀତ ଆଉ କୌଣସି ଠାରେ ସେ କେବେ ହାରି ନାହାନ୍ତି । ତେଣୁ ଯେତେବେଳେ ଶେଷ ବୟସରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିବାଦରେ ସେ ହାରିଗଲେ ସେତେବେଳେ ସେ ଆଉ ଜମିବାଡ଼ିର ଦାୟିତ୍ୱ ନେବେ ନାହିଁ ବୋଲି ପ୍ରତିଜ୍ଞା କରି ଶାସନଭାର ବଢ଼ାଇ ଦାଇଥିଲେ ତାଙ୍କର ଚାଳିଶ ବର୍ଷ ବୟସ ପୁତ୍ର ଜୀବନବନ୍ଧୁ ରାଉତରାୟଙ୍କୁ । ତା’ର ମାତ୍ର ପାଞ୍ଚବର୍ଷ ପରେ ପଞ୍ଚଷଠୀ ବୟସରେ ସେ ମୃତ୍ୟୁବରଣ କରିଥିଲେ ।

 

ଜୀବନବନ୍ଧୁ ରାଉତରାୟ ହେଉଛନ୍ତି ଦୁଇ ଭାଇ । ତାଙ୍କର ସାନଭାଇ ପ୍ରାଣବନ୍ଧୁ ଇଂରେଜ ସରକାରଙ୍କର ଜଣେ ଉଚ୍ଚ ବେତନଭୋଗୀ କର୍ମଚାରୀ ଭାବେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଭିନ୍ନ ସମୟରେ ରହିଛନ୍ତି । ହେଲେ ସେ ଗ୍ରାମକୁ ପ୍ରାୟ ଆସନ୍ତି ନାହିଁ । ପରବର୍ତ୍ତୀ ବୟସରେ ମଧ୍ୟ ଦୂର ସମ୍ବଲପୁରଠାରେ ନିଃସନ୍ତାନ ଭାବେ ସେ ପ୍ରାଣ ହରାଇଲେ । ତାଙ୍କର ବିଧବାପତ୍ନୀ ତାଙ୍କ ମୃତ୍ୟୁପରେ ଜୀବନବନ୍ଧୁଙ୍କ ନିକଟକୁ ଫେରି ଆସି-ଥିଲେ । ଜୀବନବନ୍ଧୁ ମଧ୍ୟ ବିଧବା ଭ୍ରାତୃବଧୂଙ୍କୁ ଯଥାସମ୍ଭବ ସୁବିଧା କରାଇ ଆଶ୍ରୟ ଦେଲେ ଏବଂ ତାଙ୍କୁ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ ଜୀବନବନ୍ଧୁଙ୍କର ଏକମାତ୍ର ପୁତ୍ର ଦୟାନିଧିଙ୍କୁ ହିଁ ନିଜର ପୁତ୍ରଠାରୁ ଅଧିକ ମଣି ନିଜର ଅବଶିଷ୍ଟ ଜୀବନ ସେହିଠାରେ କାଟିଦେଲେ । ଜୀବନବନ୍ଧୁଙ୍କର ଦୁଇ କନ୍ୟା ମଧ୍ୟରୁ ପ୍ରଥମ କନ୍ୟା ଦୟାନିଧିଙ୍କ ଠାରୁ ବଡ଼ ଏବଂ ସେ ଖୋର୍ଦ୍ଧାର ଏକ ପଲ୍ଲୀରେ ବିବାହ କରିଛନ୍ତି । ଦୟାନିଧିଙ୍କଠାରୁ ସାନ ବିମଳା ବାଲ୍ୟବିଧବା ହେତୁ ଘରେ ଥାନ୍ତି । ଜୀବନବନ୍ଧୁଙ୍କର ଆଉ ସନ୍ତାନ ନଥିଲେ ।

 

ଜୀବନବନ୍ଧୁ ଜଗବନ୍ଧୁ ପରି ଉଦ୍ଧତ ଓ ନିଷ୍ଠୁର ନ ହେଲେ ବି ପ୍ରତାପୀ ଥିଲେ । ପ୍ରଜାମାନଙ୍କୁ ସେ ଯେପରି ସମୟ ସମୟରେ ଭଲ ପାଉଥିଲେ, ସେହିପରି ବେଳେ ବେଳେ ଭୀଷଣଭାବେ ସେମାନଙ୍କ ଉପରେ ଚିଡ଼ି ଉଠୁଥିଲେ । ମୋଟ ଉପରେ ସେ ମିଷ୍ଟସ୍ୱଭାବୀ ହେଲେ ହେଁ ଐଶ୍ୱର୍ଯ୍ୟ ମଧ୍ୟରେ ବଢ଼ିଥିବାରୁ କ୍ଷଣକୋପୀ ଏବଂ ଏକଜିଦିଆ ଥିଲେ । ହେଲେ ପ୍ରଜାମାନେ ଜାଣନ୍ତି ଯେ ସେ କେବେ ହେଲେ କୌଣସି ପ୍ରକାର ଗୁରୁତର କ୍ଷତି କରନ୍ତି ନାହିଁ । ତଥାପି ସେ ତାଙ୍କ ଜୀବନରେ ଅନେକ ଅବାଧ୍ୟ ପ୍ରଜାଙ୍କୁ କୋର୍ଟ କଚେରୀରେ ଦଣ୍ଡିତ କରାଇଛନ୍ତି ।

 

ଶେଷକୁ ସେହି ଜୀବନ ରାଉତରାୟଙ୍କ ଅମଳରେ ମଠର ସ୍ୱତ୍ୱ ପ୍ରଜାମାନଙ୍କର ଜମି ଉପରୁ ପ୍ରାୟ ଉଠିଗଲା ଏବଂ ମଠର ସମ୍ପତ୍ତିବାଡ଼ି ସଙ୍କୁଚିତ ହୋଇଗଲା । ମଠ ମଧ୍ୟ ଟ୍ରଷ୍ଟି ଅଧୀନରେ ପରିଚାଳିତ ହେବାରୁ କିଛିଦିନ ପରେ ରାଉତରାୟ ବଂଶର ମଠ ସମ୍ପତ୍ତି ପରିଚାଳନା ଅଧିକାର ଉଠିଗଲା । ଯୋଗକୁ ଜଗବନ୍ଧୁ ରାଉତରାୟ କୂଟନୀତି ଓ କୌଶଳରୁ ରାଉତରାୟବଂଶ ଜୀବନ ରାଉତରାୟ ପରିଚାଳନା ଦାୟିତ୍ୱ ନେଲା- ବେଳକୁ ପ୍ରଭୂତ ସମ୍ପତ୍ତିର ଅଧିକାରୀ ହୋଇ ସାରିଥିଲେ । ତେଣୁ ପରିଚାଳନା ଅଧିକାର ଚାଲିଯିବା ପରେ ଜୀବନବନ୍ଧୁଙ୍କୁ କୌଣସି ପ୍ରକାର ହଇରାଣ ହେବାକୁ ପଡ଼ିନି । ବଂର ନିଜ ଘରପଛଠାରୁ ଆରମ୍ଭ ହୋଇଛି ତାଙ୍କର ଏକର ଏକର ଧାନଜମି ଏବଂ ଆମ୍ୱ ନଡ଼ିଆ ପୁଲାଙ୍ଗର ବଗିଚା । ହେଲେ ‘ପରିଚାଳନା’ର ଯେଉଁ ପ୍ରଭୂତ ସେ ଚାଷୀକୁଳ ଉପରେ ଜାରି କରିପାରୁଥିଲେ ସେତକ ଆଉ ତାଙ୍କର ରହିଲା ନାହିଁ । ସେ ଏକ-ପ୍ରକାର ଶେଷଜୀବନରେ ରାଜ୍ୟହୀନ ରାଜା ପରି ଏବଂ ଶକ୍ତିହୀନ ସିଂହ ପରି ଇହଲୀଳା ସମ୍ଭରଣ କଲେ। ତାଙ୍କପରେ ବର୍ତ୍ତମାନର ଦୟାନିଧି ରାଉତରାୟ ତାଙ୍କର ଏକମାତ୍ର ଉତ୍ତରାଧିକାରୀ ରୂପେ ସମ୍ପତ୍ତିର ମାଲିକ ହେଲେ । ସେ ଆଉ ମାଲିକାନା ବା ଶାସକର ପ୍ରଭାବରେ ପ୍ରଭାବିତ ହୋଇ ନାହାନ୍ତି । ଜନ୍ମବେଳୁ ଏକ ଭିନ୍ନ ରକ୍ତରେ ସେ ଗଢ଼ି ଉଠିଛନ୍ତି । ହୁଏତ ଅନେକ କହନ୍ତି ଶାନ୍ତିମୟୀ ମାତୃଦେବୀଙ୍କର ତଥା ଖୁଡ଼ୀଙ୍କର ସୁସ୍ୱଭାବର ପ୍ରଭାବ ତାଙ୍କ ଉପରେ ବିଶେଷଭାବେ ପଡ଼ିଛି । ତେଣୁ ସେ ଅତିମାତ୍ରରେ ଶାନ୍ତ ସ୍ୱଭାବର ହୋଇ ପାରିଛନ୍ତି । ସେ ଯେପରି ଶାନ୍ତଶିଷ୍ଟ ସେପରି ବୁଦ୍ଧିମାନ୍ ଓ ଜ୍ଞାନୀ ତଥା ବିଚାରଶୀଳ । ସେ ମଧ୍ୟ ଧନର ବଡ଼ିମା ଛାଡ଼ି ନିଜେ ଚାଷୀ ସଙ୍ଗେ ଚାଷୀ ହୋଇ ଧାନଜମିରେ ପାଦ ଦେଇଛନ୍ତି । ମୂଲିଆ ସାଙ୍ଗେ ମୂଲିଆ ପରି ଆଣ୍ଠୁ ପକାଇ ବିଲରେ ଖଟିଛନ୍ତି, ବଗିଚାରେ ମାଟି ତାଡ଼ିଛନ୍ତି । ଧନୀଠାରୁ ଗରିବ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟକ୍ତିକୁ ଶ୍ରେଣୀ-ନିର୍ବିଶେଷରେ ସେ ମଧ୍ୟ ସମାନ ବ୍ୟବହାର ଦିଅନ୍ତି । ଏହିସବୁ କାରଣରୁ ସେ ଏ ଅଞ୍ଚଳରେ ଏକ ଦେବପ୍ରତିମ ବ୍ୟକ୍ତି ରୂପେ ସମ୍ମାନିତ ହୋଇଥାନ୍ତି ।

 

ନିଧି ରାଉତରାୟଙ୍କୁ ପ୍ରାୟ ୩୨ । ୩୩ ବୟସରେ ତାଙ୍କର ପିତାଙ୍କର ମୃତ୍ୟୁ ଘଟେ । ସେତେବେଳକୁ ସେ ବିଷୟବାଡ଼ି ସହିତ ସମ୍ପୂର୍ଣ୍ଣ ପରିଚିତ ହୋଇ ସାରିଥିଲେ । ବିବାହ ମଧ୍ୟ କେଉଁଦିନୁ ହୋଇ ସାରିଥିଲା । ହେଲେ ସେ ପର୍ଯ୍ୟନ୍ତ ସେ ନିଃସନ୍ତାନ ଥିଲେ । ମୃତ୍ୟୁ ସମୟରେ ନାତି ନାତୁଣୀର ମୁଖ ଦେଖି ପାରିଲେ ନାହିଁ ବୋଲି ବହୁ ଅବଶୋଷରେ ଜୀବନବନ୍ଧୁ ପ୍ରାଣତ୍ୟାଗ କରିଥିଲେ । କିନ୍ତୁ ନିଧି ରାଉତରାୟ ତା’ର ଦୁଇ ତିନି ବର୍ଷ ପରେ ପାଇଲେ ତାଙ୍କର ପ୍ରଥମ ସନ୍ତାନ ଚପଳାକୁ ଏବଂ ତା’ର ଚାରି ବର୍ଷପରେ ଚନ୍ଦନକୁ । ହେଲେ ସୁଖ ତାଙ୍କର ବେଶୀଦିନ ରହିପାରିଲା ନାହିଁ । ସ୍ତ୍ରୀ ତାଙ୍କର ଦୁଇ ବର୍ଷ ପରେ ସ୍ୱର୍ଗାରୋହଣ କଲେ ବସନ୍ତ ରୋଗରେ । ବର୍ତ୍ତମାନ ଚପଳା ଭାର୍ଗବୀ ହାଇସ୍କୁଲର ଦଶମ ଶ୍ରେଣୀରେ ଏବଂ ଚନ୍ଦନ ବୀରନରସିଂହପୁର ମୌଳିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଏହି ହେଲା କ୍ଷୁଦ୍ର ଚଷାପଡ଼ା ଗାଁର ମୁକୁଟମଣି ରାଉତରାୟ ବଂଶର ଇତିକଥା ।

 

ସୁପ୍ରସିଦ୍ଧ ଦାମିଆକାଣ୍ଡି ବରଗଛ ତା’ର ବିରାଟ ସଂସାର ମେଲିଛି ଯେଉଁଠି, ଠିକ୍ ସେଇଠି, ସେଇ ଗଛତଳେ ଭାର୍ଗବୀ ନଈର ବନ୍ଧ ତଳକୁ ମୁଣ୍ଡ ଟେକିଛି ଭାର୍ଗବୀ ଉଚ୍ଚ ବିଦ୍ୟାଳୟ । ୧୯୪୨ ମସିହାରେ ଏହାର ଜନ୍ମ । ମାତ୍ର ଏଇ ତା’ର କ୍ଷୁଦ୍ର ଜୀବନକାଳ ମଧ୍ୟରେ ତାହାର ଅଗ୍ରଗତି କିଛି କମ୍ ନୁହେଁ । ଏଇ ବିଦ୍ୟାଳୟରୁ ଶହ ଶହ ଛାତ୍ର ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କର୍ମକ୍ଷେତ୍ରରେ ନିଜ ନିଜକୁ ଜଡ଼ାଇ ଦେଇଛନ୍ତି ଏବଂ ନାନା ଭଲ ମନ୍ଦ କାମ କରି ଏଇ ଅଞ୍ଚଳର ସୁନାମ ଆଣି ପାରିଛନ୍ତି-। ଏଇ ବିଦ୍ୟାଳୟରୁ ନାଁ ନେଇ ପାଠ ଶେଷକରି ଅବଶେଷରେ ପରବର୍ତ୍ତୀ ଛାତ୍ରଜୀବନରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ବିଜ୍ଞାନ ଗବେଷଣା ପୀଠ ପ୍ରଭୃତିରେ ଯଥେଷ୍ଟ କୃତିତ୍ୱ ବଜାୟ ରଖି ଦେଖାଇ ଦେଇଛନ୍ତି ଏହି କ୍ଷୁଦ୍ର ଶିକ୍ଷାୟତନର ମୂଲ୍ୟ । ତଥାପି ଏ ବିଦ୍ୟାଳୟ ନାଁ ଉତ୍କଳରେ ସେତେ ପରିଚିତ ହୋଇ ପାରିନି । କାରଣ ନୀରବ କର୍ମୀ ଯେପରି ତା’ର କାମ କରିଯାଏ, ସେ ଫଳାଫଳ ବା ନିନ୍ଦା ପ୍ରଶଂସାକୁ ଲକ୍ଷ୍ୟ ରଖେନି, ଏହି ବିଦ୍ୟାଳୟ ସେହିପରି ନୀରବରେ ସୃଷ୍ଟି କରିଯାଉଛି ଉତ୍କଳର କେତେ ଗୁଡ଼ିଏ ଯୋଗ୍ୟ ସନ୍ତାନ... ।

 

ହୁଏତ କେଉଁ ଏକ ଦିନ ସେ । ଲୋକେ କହନ୍ତି......ଦାମିଆ ବୋଲି କେହି ଜଣେ ଏହି ଗଛ ମୂଳରେ ଦୁର୍ଭିକ୍ଷର ଦାଉ ସମ୍ଭାଳି ନ ପାରି ଟଳି ପଡ଼ିଥିଲା......ଆଉ ସେଇ ଦିନୁ ସେଇ ବରଗଛଟିର ନାଁ ରହିଯାଇଛି ‘‘ଦାମିଆ କାଣ୍ଡି’’ । ତା’ର କାହାଣୀ ଏବେ ହୁଏତ ରୂପକଥା ପରି ବିଭିନ୍ନ ଲୋକମୁଖରେ ବିଭିନ୍ନଭାବେ ପ୍ରକାଶ ପାଉଛି, କିନ୍ତୁ ଆଜି ସେଇ ଗଛ ନିଜର ବିରାଟ ମୁଣ୍ଡ ଟେକି ଗର୍ବରେ ଠିଆ ହୋଇଛି ବୃଦ୍ଧ ବେଶରେ । ତା’ ଉପରକୁ ଉଠିଲେ ଅକେଶରେ ଜଗନ୍ନାଥଙ୍କର ଧ୍ୱଜା ଦେଖାଯାଏ । ପୁରୀ ସହରର ଦୃଶ୍ୟ ସହିତ ଦେଖାଯାଏ ନୀଳାଭ ମହୋଦଧିର ଦିଗନ୍ତ-ବିସ୍ତାରୀ ଜଳରାଶି । ଏପାଖେ ସାକ୍ଷୀଗୋପାଳ ମନ୍ଦିର ମଧ୍ୟ ଦାମିଆ କାଣ୍ଡିରୁ ସ୍ପଷ୍ଟଭାବେ ବାରି ହୋଇପଡ଼େ ।

 

ଆଜି ସେଇ ଦାମିଆକାଣ୍ଡିର ପ୍ରଶସ୍ତ କୋଳ ବେଶ କୋଳାହଳରେ ଭରିଉଠେ । ଆଜି ସେଇ ସରୁ ଚଲାପଥ ଉପରେ ଲମ୍ବି ଯାଇଛି ସୁଦୀର୍ଘ ନଦୀବନ୍ଧ । ବନ୍ଧର ଏକଡ଼େ ଭାର୍ଗବୀ ବିଦ୍ୟାଳୟ । ସକଡ଼େ ଭାର୍ଗବୀ ନଈର ଧାର । ଆଜି ଯେଉଁଠି ବିଦ୍ୟାଳୟ ଗଢ଼ିଉଠିଛି ପ୍ରାୟ ଚାଳିଶ ବର୍ଷ ତଳେ ତାହା ଥିଲା ଏକ ମଶାଣି ଏବଂ କଣ୍ଟାଝଟାଭରା ଜଙ୍ଗଲ । କେତେକ ଉତ୍ସାହୀ ବ୍ୟକ୍ତିଙ୍କର ଭବିଷ୍ୟତ ବିଚାରଶକ୍ତି ଓ ସ୍ଥାନ-ନିର୍ବାଚନର ବିଜ୍ଞତା ସେଇ ମଶାଣି ଭୂଇଁକୁ ପରିଣତ କଲା ଶିକ୍ଷାୟତନର ଉପଯୁକ୍ତ ପୀଠ ରୂପେ । ସେଇଠି ଗଢ଼ିଉଠିଲା ବିଶ୍ୱନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ଯେଉଁ ବିଦ୍ୟାଳୟ କି ଦିନେ ସାରା ଉତ୍କଳରେ ସୁପରିଚିତ ଥଲା ଏବଂ ଯେଉଁ ବିଦ୍ୟାଳୟ କୃତୀ ସନ୍ତାନଗଣ ଆଜି ଉତ୍କଳର ବିଭିନ୍ନ କର୍ମକ୍ଷେତ୍ରରେ ସୁପ୍ରତିଷ୍ଠିତ । ସେଇ ବିଶ୍ୱନାଥ ମଧ୍ୟ ଇଂରାଜୀ ବିଦ୍ୟାଳୟ ହିଁ ଆଜିର ଭାର୍ଗବୀ ଉଚ୍ଚ ବିଦ୍ୟାଳୟରେ ପରିଣତ ହୋଇଛି ।

 

ସେଇ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ମଧୁବାବୁ । ବୟସ୍କ ଏବଂ ବିଜ୍ଞ । ସରକାରୀ ବିଦ୍ୟାଳୟମାନଙ୍କର ଦୀର୍ଘ ବର୍ଷ ଶିକ୍ଷକତା କରିସାରିବା ପରେ ଅବସର ଗ୍ରହଣ ପରେ ଏଠି ସେ ଆସି ପହଞ୍ଚିଛନ୍ତି । ବୀର-ନରସିଂହପୁର ଗ୍ରାମରେ ଥିବା ତାଙ୍କର ଜଣେ ବଂଧୁଙ୍କ ଅନୁରୋଧରେ ଏଠାକୁ ଚାରି ପାଞ୍ଚ ବର୍ଷ ହେଲା ସେ ଆସିଛନ୍ତି । ପ୍ରଥମେ ସେ ରାଜି ନ ଥିଲେ ଏପରି ଏକ କ୍ଷୁଦ୍ର, ଅଖ୍ୟାତ ପଲ୍ଲୀ ବିଦ୍ୟାଳୟରେ ତାଙ୍କର ଉତ୍କଳଖ୍ୟାତ ପ୍ରତିଭାକୁ ଆବଦ୍ଧ କରି ରଖିବାକୁ । କିନ୍ତୁ ଚାକିରି ଗ୍ରହଣ କରିବାର କିଛିଦିନ ପୂର୍ବରୁ ସେ ଥରେ ସେଇ ବଂଧୁଙ୍କ ସହ ଏ ଅଞ୍ଚଳକୁ ଭ୍ରମଣ କରିବାକୁ ଆସି ଏହାର ପରିବେଶକୁ ଏତେ ଭଲ ପାଇଗଲେ ଯେ, ନିଜର ପୂର୍ବ ସିଦ୍ଧାନ୍ତକୁ ବଦଳାଇ ସେ ଆସି ଶେଷରେ ଏଇଠି ନିଜର ଶେଷ ଜୀବନ କଟାଇଦେବେ ବୋଲି ସ୍ଥିର କଲେ । ସେ ଏବେ ଏ ଅଞ୍ଚଳକୁ ନିଜର ଆପଣାର ଅଞ୍ଚଳ ବୋଲି ଭାବି ନେଲେଣି ଏବଂ ଏଠାରେ ନିଜର ସଂସାର ମେଲି ଦେଲେଣି । ତାଙ୍କର ସୁଗୁଣ, ସଚ୍ଚରିତ୍ର ଏବଂ ବିଦ୍ୟାଳୟ ପରିଚାଳନାରେ ଦକ୍ଷତା ଯୋଗୁଁ ସେ ଏଠାରେ ଏତେ ଲୋକପ୍ରିୟ ହୋଇ ଗଲେଣି ଯେ ରକ୍ଷଣଶୀଳ ବ୍ରାହ୍ମଣସମାଜରେ ସେ କରଣ ହୋଇ ମଧ୍ୟ ବିନା ଦ୍ୱିଧାରେ ଜଣେ ହୋଇ ମିଶିଯାଇଛନ୍ତି । ବୀରନରସିଂହପୁରରେ ତାଙ୍କର ନୂଆ ଘର କରି ସେ ଜମିବାଡ଼ି ବି କରି-ଗଲେଣି । ବୀରନରସିଂହପୁରରେ ସେ ଜଣେ ବାହାରର ଲୋକ ବୋଲି ଲୋକେ ଆଉ ବି ଭାବୁ ନାହାନ୍ତି ।

 

ମଧୁବାବୁଙ୍କର ପୂରା ନାମ ମଧୂସୁଦନ ମହାନ୍ତି । ତାଙ୍କର ନିଜର ହୋଇ ପ୍ରାୟ ନିର୍ଦ୍ଧିଷ୍ଟ କୌଣସି ଗ୍ରାମ ନାହିଁ । ସେ ଜାଣନ୍ତି ତାଙ୍କ ବାପାଙ୍କର ବାପା ଜଣେ ପ୍ରଜାପୀଡ଼କ ଗଡ଼ଜାତ ରାଜାଙ୍କ ବିରୁଦ୍ଧରେ ପ୍ରଜା-ଆନ୍ଦୋଳନ କରି ସେ ରାଜ୍ୟରୁ ତଡ଼ାଖାଇ ଚାଲି ଆସିଥିଲେ କଟକ । ସେଠି ବ୍ୟବସାୟ କରି ସେ ତାଙ୍କର ଅବଶିଷ୍ଟ ଜୀବନ କଟାଇଥିଲେ, କିନ୍ତୁ ବିଶେଷ କିଛି ଉନ୍ନତି କରି ପାରି ନ ଥିଲେ । ତାଙ୍କ ପରେ ମଧୁବାବୁଙ୍କର ବାପା ସାମାନ୍ୟ କିରାଣୀ ଚାକିରି କରିଥିଲେ ମଧ୍ୟ ନିଜ ଚେଷ୍ଟାରେ କଟକରେ ଖଣ୍ଡିଏ ନିଜର ଘର କରିପାରିଥିଲେ । ମଧୁବାବୁ ଚାରି ଭାଇ । ସେମାନଙ୍କୁ ତାଙ୍କ ବାପା ମଣିଷ କରିପାରିଥିଲେ । ପ୍ରତ୍ୟକ ସ୍ୱାବଲମ୍ୱୀ ହୋଇ ପାରିଥିଲେ ଏବଂ ବାପାଙ୍କ ଉପରେ ନିର୍ଭର କରି ନ ଥିଲେ । କେବଳ ସାନଭାଇ ଗୋବିନ୍ଦଚନ୍ଦ୍ର ଦୁର୍ଭାଗ୍ୟକୁ ଏକ ଦୁର୍ଘଟଣାରେ ପଙ୍ଗୁ ହୋଇଯାଇ କର୍ମହୀନ ହୋଇପଡ଼ିଥିଲେ । ତେଣୁ କଟକ ଘରେ ରହି ସେ ଏକ କ୍ଷୁଦ୍ର ବହି ଦୋକାନ କରି ଚଳନ୍ତି । ଅନ୍ୟ ତିନି ଭାଇ ନିଜନିଜର କର୍ମକ୍ଷେତ୍ରରେ ଜୀବନ କଟାଉଛନ୍ତି । କିଏ ବଲାଙ୍ଗୀରରେତ କିଏ ବାଲେଶ୍ୱରରେ ନିଜର ସଂସାର ପାତିଛନ୍ତି । ସରକାରୀ ଚାକିରିରୁ ଅନ୍ୟ ଦୁଇଜଣ ଏଯାଏଁ ଅବସର ପାଇ ନାହାନ୍ତି । ମଧୁବାବୁ ବଡ଼ ହେତୁ ଏବେ ଅବସର ନେଇ ଆସି ଏଠି ରହିଛନ୍ତି । ଦୀର୍ଘ ଚାକିରି ଜୀବନରେ ସେ ସର୍ବତ୍ର ପ୍ରାୟ ସରକାରୀ-ବସା କିମ୍ବା ଭଡ଼ାଘରେ କାଳ କାଟି ଆସିଥିଲେ । କିନ୍ତୁ ନିଜର ପ୍ରୋଭିଡ଼େଣ୍ଟ ଫଣ୍ଡ, ସେଭିଂସ୍‌ବ୍ୟାଙ୍କ, ଜୀବନବୀମା ପ୍ରଭୃତିରେ କିଛି କିଛି ଜମା କରି ଉଲ୍ଲେଖଯୋଗ୍ୟ ଭାବେ ବହୁଅର୍ଥ ଶେଷଜୀବନକୁ ରଖିପାରିଥିଲେ । ଏବେ ସେଇ ଅର୍ଥରେ ଏଠି ଘରବାଡ଼ି କରି ରହିଗଲେ । ଏଣିକି ଏହି ଗ୍ରାମ ହିଁ ତାଙ୍କର ସ୍ଥାୟୀ ବାସଭୂମି, ତାଙ୍କ ଭବିଷ୍ୟତ ବଂଶଧରଙ୍କର ଜନ୍ମଭୂମି ।

 

ମଧୁବାବୁଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ । ବଡ଼ପୁଅ ରାଜେନ୍ଦ୍ର କଟକ ରେଭେନ୍‌ସା କଲେଜରେ ଦୁଇବର୍ଷ ହେଲା ଅଧ୍ୟାପକ ଭାବେ ରହିଛି ଏବଂ ତା ତଳପୂଅ ଜ୍ଞାନେନ୍ଦ୍ର ସେଇ ରେଭେନ୍‌ସାରେ ବି.ଏସ୍‌ସି ପଢ଼ୁଛି । ସାନ ହେଉଛି ଝିଅ......ଛନ୍ଦା । ବାପା ମାଆଙ୍କ ପାଖରେ ଏଇଠି ରହେ । ଛନ୍ଦା ଚପଳାର ସମବୟସୀ ଏବଂ ପଢ଼େ ମଧ୍ୟ ସେଇ ଦଶମ ଶ୍ରେଣୀରେ । ଦୁହେଁ ପରସ୍ପରକୁ ଭଲ ପାଆନ୍ତି ଏବଂ ଇତିମଧ୍ୟରେ ଖୁବ୍ ଘନିଷ୍ଠ ହୋଇ ପଡ଼ିଛନ୍ତି । ଉଭୟ ପରିବାରରେ ଉଭୟେ ପରିଚିତ । ଛନ୍ଦାର ବୋଉ ସରସ୍ୱତୀ......କର୍ମନିପୁଣା ଓ ନିଷ୍ଠାପର ହିନ୍ଦୁ ରମଣୀ । ଆଧୁନିକ ଓ ଶିକ୍ଷିତ ସନ୍ତାନମାନଙ୍କର ମାଆ ତଥା ଜଣେ ଶିକ୍ଷିତ ଓ ଆଧୁନିକ-ରୁଚିଶୀଳ ବ୍ୟକ୍ତିଙ୍କର ସ୍ତ୍ରୀ ହୋଇ ମଧ୍ୟ ସେ ପୁରାତନପନ୍ଥୀ । ଏମାନଙ୍କର ଆଧୁନିକ-ପରିବର୍ତ୍ତିତ ରୁଚି ଓ ଢଙ୍ଗକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । କିନ୍ତୁ ସ୍ୱାମୀଙ୍କର ଅପରିବର୍ତ୍ତିତ ମନୋଭାବ ଯୋଗୁଁ ପ୍ରାୟତଃ ଏସବୁ ବିଷୟରେ ସେ ନୀରବ ରହନ୍ତି ଏବଂ ସର୍ବଦା ନିଜର ଘର କାମରେ ବ୍ୟସ୍ତ ରହନ୍ତି । ଛନ୍ଦା ଆଧୁନିକ ରୁଚିସମ୍ପନ୍ନ ଏକ ବାଳିକା ହେଲେ ମଧ୍ୟ ବୋଉର ଶାସନ ଓ ଶିକ୍ଷାକୁ ସେ ପୂରାପୂରି ବେଖାତିର କରେ ନାହିଁ । ସାଧାରଣ ହିନ୍ଦୁବାଳିକାର କର୍ତ୍ତବ୍ୟ ଯାହା ସେସବୁ ବୋଉ ଶିଖିବାକୁ କହିଲେ ବା ଶିଖାଇଲେ ସେ ବିନା ଦ୍ୱିଧାରେ ଗ୍ରହଣ କରେ । କିନ୍ତୁ ଛନ୍ଦାଠାରେ ସାମାନ୍ୟ ଦୁଷ୍ଟାମି ଓ ଉଦ୍ଧତପଣିଆ ବେଳେ ବେଳେ ଦେଖାଯାଏ । ଏଥିପାଇଁ ମଧୁବାବୁ ତଥା ସରସ୍ୱତୀ ଦେବୀ ଉଭୟେ ବେଳେ ବେଳେ ଚିନ୍ତିତ ହୋଇ ପଡ଼ନ୍ତି । କିନ୍ତୁ ମଧୁବାବୁଙ୍କର ଦୁଇ ପୁଅ ଅତ୍ୟନ୍ତ ମିଷ୍ଟ ଓ ଶାନ୍ତ ସ୍ୱଭାବରେ ଯୁବକ। ଦୁହେଁ ଅବିବାହିତ । ବଡ଼ପୁଅ ରାଜେନ୍ଦ୍ରର ବୟସ ବିବାହ ଉପଯୋଗୀ ହୋଇଥିଲେ ମଧ୍ୟ ସେ ଉଚ୍ଚ ଗବେଷଣାରତ ଥିବାରୁ ସେଥିରେ ସଫଳ କାମ ନ ହେଲାଯାଏଁ ବିବାହ କରିବ ନାହିଁ ବୋଲି ଦୃଢ଼ସଂକଳ୍ପ । ମଧୁବାବୁ ପୁଅର ସିଦ୍ଧାନ୍ତ ବିରୁଦ୍ଧରେ ଯିବାପାଇଁ ଇଚ୍ଛା କରି ନାହାନ୍ତି ।

 

ମଧୁବାବୁ ଜଣେ କର୍ମମୟ ବ୍ୟକ୍ତି । ସର୍ବଦା କିଛି ନା କିଛି ସେ କାମ କରୁଥାନ୍ତି । ଘରେ ପାୟତଃ କେତେବେଳେ ସେ ବସନ୍ତି ନାହିଁ । ବାହାର ଲୋକଙ୍କ ସହ ସେ ସାଧାରଣତଃ ସନ୍ଧ୍ୟା ସମୟରେ ଦେଖାସାକ୍ଷାତ କରନ୍ତି ବା ମିଳାମିଶା କରନ୍ତି । ନଚେତ୍ ସକାଳୁ ଘରପଛ ପାଖ ବଗିଚାରେ କାମ କରିବା, ପାଠ୍ୟପୁସ୍ତକ ଲେଖିବା, ଛନ୍ଦାକୁ ପଢ଼ାଇବା ଏବଂ ରାତ୍ରିରେ ଗ୍ରାମର କେତେକ ଗରିବ, ତଥା ସୁଛାତ୍ରଙ୍କୁ ବିନା ପାରିଶ୍ରମିକରେ ପଢ଼ାଇବାରେ ସାଧାରଣ ଦିନଗୁଡ଼ିକ କଟିଯାଏ । ଛୁଟିଦିନ ଓ ରବିବାର ଗୁଡ଼ିକ ସାପ୍ତାହିକ ବାକି କାମ, ଅଧିକ ଲେଖାଲେଖି ଏବଂ ବିଦ୍ୟାଳୟ ତଥା ଗ୍ରାମର ବିଭିନ୍ନ ଉନ୍ନତ କର୍ମଯୋଜନା ପ୍ରସ୍ତୁତ କରିବାରେ ତାଙ୍କର ସମୟ କଟେ । ଏହିପରି ସେ ତାଙ୍କର ଜଞ୍ଜାଳମୟ ଜୀବନ କଟାଇ ଦିଅନ୍ତି ।

 

ମଧୁବାବୁ ଗୁଣଗ୍ରାହି ଓ ବିଚାରଶୀଳ ବ୍ୟକ୍ତି ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଅଭିଭାବକମାନେ ପ୍ରାୟତଃ ବିଭିନ୍ନ ଅଭାବ ଅସୁବିଧା କିମ୍ବା ଆପତ୍ତି ଅଭିଯୋଗ ନେଇ ତାଙ୍କ ପାଖକୁ କି ସ୍କୁଲ କି ଘର ଯେଉଁଠାକୁ ପାରନ୍ତି ସେଠାକୁ ଆସନ୍ତି । ଘରକୁ ଯଦି ଅସମୟରେ କେହି କେବେ ଆସେ ତେବେ ତାଙ୍କୁ ସାମାନ୍ୟ କଥା କହି ସ୍କୁଲରେ ଦେଖାକରିବାକୁ ଅନୁରୋଧ କରି ବିଦାୟ ଦିଅନ୍ତି । ଯଦି ଅବସର ସମୟରେ କେହି ଆସନ୍ତି ତେବେ ଆଗ୍ରହରେ ସେମାନଙ୍କର କଥା ସେ ଶୁଣିଥାନ୍ତି ।

 

କିନ୍ତୁ ଚପଳାର ବାପା ନିଧି ରାଉତରାୟଙ୍କ ପାଇଁ ସେ ସବୁ ନିୟମ ଚଳେନା । ଛନ୍ଦା ସହ ଚପଳାର ସମ୍ପର୍କ ଦୁଇ ପରିବାର ମଧ୍ୟରେ ମଧ୍ୟ ବଂଧୁତ୍ୱ ଆଣି ଦେଇଥାଏ । ତେଣୁ ନିଧି ରାଉତରାୟଙ୍କର ଆଗମନକୁ ସର୍ବଦା ସ୍ୱାଗତ କରାଯାଇଥାଏ । ଏପରିକି ମଧୁବାବୁ ମଧ୍ୟ ସମୟେ ସମୟେ ବସି ଗପସପ ହୋଇ ଚା’ ପାନ ତଥା ଜଳଖିଆରେ ଆପ୍ୟାୟିତ ହୋଇ ଫେରନ୍ତି ।

 

ସେଦିନ ରବିବାର ସକାଳ । ମଧୁବାବୁ ଶୀତଦିନିଆ ପନିପରିବାର ମଞ୍ଜି ପୋତିବାରେ ବ୍ୟସ୍ତ ଥା’ନ୍ତି ବଗିଚାରେ । ହଠାତ୍ ନିଧି ରାଉତରାୟ ଆସି ପହଞ୍ଚିଲେ ସେଇ ବଗିଚାରେ ସିଧା ସିଧା-। ଏପରି ଅସମୟରେ ନିଧିବାବୁଙ୍କୁ ଦେଖି ମଧୁବାବୁ କିଞ୍ଚିତ୍ ଆଶ୍ଚର୍ଯ୍ୟ ହେଲେ । କିନ୍ତୁ ସେ ଭାବ ପ୍ରକାଶ ନକରି କହିଲେ, ‘‘ଖବର ସବୁ କ’ଣ ନିଧିବାବୁ ?’’

 

ନିଧି ରାଉତରାୟ ଟିକିଏ ବ୍ୟସ୍ତସ୍ୱରରେ କହିଲେ, ‘‘ମୁ୍ଁ ଏକ ଅଡ଼ୁଆରେ ପଡ଼ିଛି ମଧୁବାବୁ-। କ’ଣ ଯେ କରିବି କିଛି ଠିକ୍ କରି ପାରୁନି । ଦୁଇଟି ବିବାଦୀୟ ପକ୍ଷମଧ୍ୟରେ ଏକ ଆପୋଷ ରାଜିନାମା କରିବାପାଇଁ ଦୁଇଦିନ କାଳ ଚେଷ୍ଟାକରି ମୁଁ ବ୍ୟର୍ଥ ହେଲି । ତେଣୁ ଆସିଛି ଆପଣଙ୍କର ସାହାଯ୍ୟ ଲୋଡ଼ିବାକୁ । ’’

 

‘‘ଆପଣଙ୍କର କୋର୍ଟ କଚେରୀ ମାମଲାରେ ଯେ ମୋ ପରି ଜଣେ ଶିକ୍ଷକ କେବେ ମୁଣ୍ଡ ଖେଳାଏନି ଏକଥା ତ ଆପଣା ଜାଣିଥିବେ । ତେଣୁ ମୋ ପାଖକୁ ବା ଆସିଛନ୍ତି କାହିଁକି ?’’

 

‘‘ନା......ନା......ବାହାରର କଥା ହୋଇଥିଲେ କୌଣସି ପକ୍ଷ ସମର୍ଥନ କରି ହୁଅନ୍ତା, ଅନ୍ତତଃ ମୋ ବିଚାରରେ ଯେଉଁ ପକ୍ଷ ନ୍ୟାୟବାନ୍ ଜଣାଯାନ୍ତେ । କିନ୍ତୁ ଏ ଯେ ମୋ ନିଜ ଘରର କଥା ।’’

 

‘‘ମାନେ.... ?’’ ଆଶ୍ଚର୍ଯ୍ୟ ହୋଇ ମଧୁବାବୁ ପଚାରିଲେ ।

 

ନିଧି ରାଉତରାୟ ମଧୁବାବୁଙ୍କ ପାଖକୁ ଘୁଞ୍ଚିଆସି କହିଲେ......‘‘କଥା ହେଉଛି ପଅରଦିନ ରାତିରୁ ଚପଳା ଗୃହଯୋଗ୍ୟା ହୋଇ ଯାଇଛି । କାଲି ସ୍କୁଲ ଛୁଟି ଥିବାରୁ ଛନ୍ଦା କି ଆପଣ କେହି ଖବର ପାଇ ପାରି ନାହାନ୍ତି । ଏବେ ବିମଳା କହେ ଚପଳାର ପଢ଼ା ବନ୍ଦ କରିବାକୁ । କିନ୍ତୁ ଏକଥା ଶୁଣିଲାବେଳୁ ଚପଳା କାଲି ଖରାବେଳୁ କବାଟ କିଳି ଗୋଟିଏ ଘରେ ପଶି ରହିଛି ଯେ ଏ ଯାଏଁ ବି କବାଟ ଖୋଲିନି । ସେ କହେ, ‘ମୋତେ ପଢ଼ାଇବା ପାଇଁ ନୀଳକଣ୍ଠଙ୍କ ପ୍ରସାଦ ଛୁଇଁ ସତ୍ୟ ନକଲା ଯାଏଁ ମୁଁ କେବେ କବାଟ ଖୋଲିବି ନାହିଁ ।’ ଏଣେ ବିମଳାର ବି ଏକ ଯିଦ......‘ଚପଳା ଆଉ ପଢ଼ିବନି ।’ ମୁଁ ଅବଶ୍ୟ ଚପଳା ପଢ଼ିବାର ପକ୍ଷପାତୀ । କାରଣ ମୁଁ ଜାଣେ ସେ ଭଲ ପଢ଼ୁଛି । ତେଣୁ ତାକୁ ଏ ଅଳ୍ପ ବୟସରୁ ଘରେ ବସାଇ ଲାଭ କ’ଣ ? କିନ୍ତୁ ବିମଳା ଏପରି ଅବୁଝା ହେଉଛି ଯେ ମୁଁ କାହାରି ପଟକୁ ଢଳି କିଛି କହି ପାରୁନି । ତେଣୁ ବର୍ତ୍ତମାନ ଆପଣ ମୋ ସାଂଗେ ଯାଇ ବିମଳାକୁ ଏ ବିଷୟରେ ଟିକିଏ ବୁଝାସୁଝା ନ କଲେ ସେ ମୋ କଥା ଶୁଣିବ ନାହିଁ କି ଏଣେ ସେ ଝିଅଟା କବାଟ ନ ଖୋଲି ଉପାସ ଭୋକରେ କହିଯାଇ ଆଶାୟୀ ଭାବେ ନିଧିବାବୁ ମଧୁବାବୁଙ୍କ ମୁହଁକୁ ଚାହିଁ ରହିଲେ । ମଧୁବାବୁ ଆଉ କିଛି ନକହି ଯଥାଶୀଘ୍ର ନିତ୍ୟକର୍ମ ସାରିବାକୁ ଉଠିଗଲେ । କେବଳ ଏତିକି କହିଗଲେ, ‘‘ଆପଣ ଅପେକ୍ଷା କରନ୍ତୁ ମୁଁ କାମସାରି ଆସୁଛି ।’’

 

ଛନ୍ଦା କେତେବେଳେ ଏ ଦୁହିଁଙ୍କର କଥୋପକଥନ ଶୁଣି ଦେଇଛି । ନିଧି ରାଉତରାୟ ବାଟଘରେ ଚେୟାର ଉପରେ ବସିବାକୁ ଗଲାବେଳେ ଛନ୍ଦା ଦଉଡିଯାଉ ତାଙ୍କୁ ଓଗାଳି ପକାଇ କହିଲ, ‘‘ମଉସା, ଆପଣଙ୍କ ସଂଗେ ମୁଁ ଚପଳାକୁ ଦେଖିବାକୁ ଯିବି ।’’

 

ରାଉତରାୟ ସାମାନ୍ୟ ହସିଦେଇ କହିଲେ, ‘‘ଆରେ ତୁ ଯିବୁନି ତ ଆଉ ଯିବ କିଏ ? ତୋର ତ ଆଗ ଯିବାର କଥା । ମୁଁ ତ କାଲି ଯାହାକୁ ହେଲେ ପଠାଇଥାନ୍ତି ତୋତେ ନେଇ ଯିବାକୁ-। କିନ୍ତୁ ଏ ଗଣ୍ଡୋଗୋଳ ଲାଗି ସବୁ ବିଗିଡ଼ିଗଲା । ହଉ ତୁ ବାହାର ।’’

 

ଛନ୍ଦା ଯେମିତି ଦଉଡ଼ି ଆସିଥିଲା ସେମିତି ଚାଲିଗଲା ଶାଢ଼ୀ ପିନ୍ଧିବାକୁ । ଚପଳା ସହ ବୟସରେ ସମାନ ହେଲେ ବି ସେ ପ୍ରାୟ ବର୍ଷକ ଆଗରୁ ଗୃହଯୋଗ୍ୟା ହୋଇ ସାରିଛି । କିନ୍ତୁ ମଧୁବାବୁଙ୍କ ଘରେ ଛନ୍ଦାର ପଢ଼ା ବନ୍ଦ ହେବା ନ ହେବାର ପ୍ରଶ୍ନ ଆଦୌ ଉଠିନି । କାରଣ ଯେ ଅନ୍ୟକୁ ଆଦର୍ଶ ଶିଖାଉଛି, ଅନ୍ୟକୁ ପାଠର ମୂଲ୍ୟ ବୁଝାଉଛି, ତା’ଘରେ ଫେର ଆଦର୍ଶର ବିଚ୍ୟୁତି ଘଟିପାରେ । ସେ ଘରେ ଫେର ପାଠପଢ଼ାର ହତାଦର କରାଯାଇ ପାରେ । ଏ ବିଷୟରେ ପାଟି ଫିଟାଇବାକୁ ଦିନେ ହେଲେ ସରସ୍ୱତୀ ଦେବୀ ସାହସ କରିପାରି ନାହାନ୍ତି, ଯଦିଓ ତାଙ୍କର ଷୋଳଣା ଇଚ୍ଛାଥିଲା, ଛନ୍ଦା ଆଉ ପଢ଼ିବା ଉଚିତ ନୁହେଁ ।

 

ମଧୁବାବୁ କାମ ସାରି ଆସିଗଲେ । ଛନ୍ଦା ରାଉତରାୟଙ୍କ ପଛେରେ ଠିଆ ହୋଇଛି ଅନେକ ବେଳୁ କାଳେ ବାପା ମନା କରି ପାରନ୍ତି ବୋଲି । କିନ୍ତୁ ମଧୁବାବୁ ଭାବିଲେ ବରଂ ଛନ୍ଦାର ଯିବାରେ ଆବଶ୍ୟକତା ଅଛି ଯଥେଷ୍ଠ । ତେଣୁ ସେ ଓଲଟି ତାକୁ ସାଥିରେ ଯିବାକୁ ଆଗତୁରା କହିଲେ । ତିନିହେଁ ଚଷାପଡ଼ା ଅଭିମୁଖେ ବାହାରି ଗଲେ ।

 

ଚଷାପଡା ବେଶୀ ଦୂର ନୁହେଁ । ମାଇଲିଏ ବି ହେବ କି ନାହିଁ । ନିଧି ରାଉତରାୟଙ୍କ ଘରେ ପହଞ୍ଚିଲା ବେଳକୁ ବାମା ଆଗରୁ ମଷିଣା ପକାଇ ପାନ ଥାଳିଆ ଆଣି ମଷିଣା ଉପରେ ଥୋଇ ଦେଇଛି । ମଧୁବାବୁ ସର୍ବଦା ଆସିଲେ ଦେଖନ୍ତି ବାମା ତାଙ୍କୁ ଚର୍ଚ୍ଚା କରିବାକୁ ଅତି ତତ୍ପର । ସବୁଦିନ ପରି ସେ ଆଜି ବି କହିଲେ, ‘କିଓ ବାମା । କେବେ ଯଦି ତୁମ ଘରକୁ ଜୋଇଁ କୁଣିଆଁ ଆସିବେ ତାକୁ ବି ତ ଏତେ ତତ୍ପର ହୋଇ ତୁମେ ଚର୍ଚ୍ଚା କରିବ ବୋଲି ମୁଁ ଭାବୁନି ।’’

 

ବାମା ବିନୀତ ହୋଇ ହାତଯୋଡ଼ି କହିଲା, ‘‘ଆଜ୍ଞା ଆପଣ ଆଜି ଆସିଛନ୍ତି ପରା ଖାସ୍ ସେଇ ଜୋଇଁ ଆଣିବା ନ ଆଣିବା କଥା ତୁଟାଇବାକୁ । ତେଣୁ ଆପଣଙ୍କୁ ଟିକିଏ ଭଲକରି... ।’’

 

‘‘ଓଃ ! ଏମିତି କଥା ।’’ କହି ମଧୁବାବୁ ହସି ଦେଇ ବସିଲେ ।

 

କିଛି ସମୟ ପରେ ବିମଳା ଦେବୀ ଆସି କବାଟ ଉହାଡ଼ରେ ଠିଆ ହେଲେ । ରାଉତରାୟ ମଧୁବାବୁଙ୍କ ପାଖେ ବସି କହିଲେ, ‘‘କ’ଣ ତୁ ପଚାରିବୁ ବୋଲି କହୁଥିଲୁ ମଧୁବାବୁଙ୍କୁ ପଚାରୁନୁ ।’’ ବିମଳା କିନ୍ତୁ ସେହିପରି ନୀରବ ହୋଇ ଠିଆ ହୋଇଥାନ୍ତି । କେବଳ ମଧୁବାବୁଙ୍କର ଆଖି ଏଥର ତାଙ୍କ ଆଡ଼କୁ ଯିବା ଭୟରେ ସେ ନିଜକୁ ଆଉରି ଟିକିଏ ଲୁଗାକାନିରେ ଭଲ କରି ଘୋଡ଼ାଇ ନେଲେ ଯାହା ।

 

ବିମଳାଙ୍କଠାରୁ କିଛି ଶୁଣିବାକୁ ନ ପାଇ ମଧୁବାବୁ ନିଜଆଡ଼ୁ ଆରମ୍ଭ କଲେ,‘‘କ’ଣ ଆଉ ପଚାରନ୍ତେ ? ସାଧାରଣତଃ ଘରର ମୁରବି ଶ୍ରେଣୀୟ ମାଇପିମାନେ ଯାହା କହିଥାନ୍ତି ସେ ତାହାହିଁ କହୁଥିବେ । ଏଥିରେ ନୂଆ ଆଉ ରହିଲା କ’ଣ ? ଏଟା ତ ଆଗକାର ସାଧାରଣ ନିୟମ ଯେ ଝିଅ ଗୃହଯୋଗ୍ୟ ହେଲେ ଅସୂର୍ଯ୍ୟଂପଶ୍ୟା ହୋଇରହେ......ପାଠ ପଢ଼ି ଯିବା ତ ଦୂରର କଥା । ତେଣୁ ବିମଳାଦେବୀ ସେଇ ଆପତ୍ତି ଉଠାଇଥିବେ......ଆଉ କ’ଣ ?’’

 

ବିମଳା ଭାବିଲେ ମଧୁବାବୁ ନିଶ୍ଚୟ ତାଙ୍କ ମତ ପକ୍ଷପାତୀ । ତେଣୁ ସେ ଉତ୍ସାହିତ ହୋଇ କହିଲେ,‘‘ମୁଁ କ’ଣ ଅଘଟଣ କଥା କହୁଥିଲି କି ବାମା ? (ବାମା ଉପଲକ୍ଷ ମାତ୍ର) ଭାଇ ଯେତେବେଳେ ଏକଥା ଉଠାଇଲେ ମୁଁ କହିଲି କେମିତି ହେବ ? ଯିଏ ଘରୁ ବାହାରିବାର କଥା ନୁହେଁ ସେ ଫେର ଏତେ ବାଟଯାଇ ପୁଅପିଲାଙ୍କ ସାଙ୍ଗେ ସାଙ୍ଗସରିସା ହୋଇ ବହି ପାଠ ପଢ଼ିବ ? ଆମକୁ ଲୋକେ କହିବେ କ’ଣ ? ଆମ କୁଳର ମାନମହତ ରହିବ ଟି ? ଏଇ କଥା କହିଲାରୁ ସେ ଉପରମୁହାଁ ଟୋକିଟା ମୋ ସାଙ୍ଗେ ତ ମାର ନ ମାର ହୋଇ ମିଶିଲା । ସେଥିରୁ ଫେର ଭାଇକୁ ଦେଖ, ଟିକିଏ ହେଲେ ଉଁ କି ଚୁଁ କିଛି କହନ୍ତେ । ତାଙ୍କରି ମୁହଁ ପାଇ ସେ ଏମିତି ଅଣ୍ଡିରାଚଣ୍ଡୀ ହେଲାଣି ନା । ନ ହେଲେ......’’ ଆଉ ଅଧିକ କିଛି ନକହି ବିମଳା ମଧୁବାବୁଙ୍କ ଆଡ଼କୁ ଚାହିଁ ରହିଲେ ।

 

ମଧୁବାବୁ କ’ଣ କହି ନିଜ ପୂର୍ବ କଥାଟାକୁ ବୁଲାଇବେ ଚିନ୍ତା କରୁଥିଲେ । ତେଣୁ କିଛି ସମୟ ସମସ୍ତେ ନୀରବ ରହିଗଲେ । ଆରଘରୁ ଭୁଟଭାଟ କଥା ଶୁଣାଗଲା । ବୋଧହୁଏ ଚପଳା ଆଉ ଛନ୍ଦା ଏ ଘରର ଆଲୋଚନା ଶୁଣି ନିଜ ଭିତରେ ମତାମତ ପ୍ରକାଶ କରୁଛନ୍ତି । ଚପଳା ତା’ହେଲେ ଛନ୍ଦାଙ୍କୁ କବାଟ ଫିଟାଇଛି । ନିଶ୍ଚୟ......ଫିଟାଇବାର କଥା । କାରଣ ତାର ପ୍ରଧାନ ଯୁକ୍ତି ଥିଲା ଯେ ଛନ୍ଦା ତ ଫେର ପଢ଼ୁଛି......ସେ କାହିଁଙ୍କି ନ ପଢ଼ିବ । ତେଣୁ ଛନ୍ଦାର ପରାମର୍ଶ ତଥା ସାହାଯ୍ୟ ତା ପାଖରେ ଅତ୍ୟନ୍ତ ମୂଲ୍ୟବାନ । ସେ ନିଜେ ଯେତେଟା ଯୁକ୍ତି ପିଉସା କିମ୍ବା ବାପାଙ୍କ ସଙ୍ଗେ ନ କରି ପାରିବ ତା’ର ହୋଇ କରିପାରିବ ଛନ୍ଦା......

 

ହଠାତ୍ ମଧୁବାବୁ ପାଟି ଫିଟାଇଲେ, ‘‘ଯାହା ଆପଣ କହୁଛନ୍ତି, ନିଶ୍ଚୟ ସାଧାରଣ ସମାଜର ନୀତିନିୟମ କଥା କହୁଛନ୍ତି । ଆଉ ମଧ୍ୟ ଏକଥା ସତ୍ୟ ଆପଣ ଏ ଘରର ମଙ୍ଗଳ ପାଇଁ ତଥା ସ୍ୱୟଂ ଚପଳାର ଭଲ ପାଇଁ କହୁଛନ୍ତି । କିନ୍ତୁ ଆପଣଙ୍କର ଅଭିଯୋଗ ହେଉଛି କେହି ଆପଣଙ୍କ କଥା ଗ୍ରହଣ କରୁ ନାହାନ୍ତି । ହୋଇପାରେ କଥାଟା ମିଛ ନୁହେଁ । କିନ୍ତୁ ତା’ ଅର୍ଥ କ’ଣ ସେମାନେ ଆପଣଙ୍କୁ ବେଖାତିର କରି ମାନୁ ନାହାନ୍ତି ? ନା, ତା’ବି ନୁହେଁ । ଅସଲ କଥା ହେଲା ଆପଣଙ୍କ ଚିନ୍ତା ସେଇ ସବୁଦିନିଆ ଗତାନୁଗତିକ କଥାରେ ଆବଦ୍ଧ ରହିଥିଲା ବେଳେ ସେମାନଙ୍କର ମନର ଭାବ ଯଥେଷ୍ଟ ବଦଳି ଯାଇଛି । ତେଣୁ ଏପରି ଉଭୟଙ୍କର ଭାବନାର ମେଳ ହୋଇ ପାରୁନି-।’’

 

‘‘ତା’ହେଲେ ଆପଣ କହୁଛନ୍ତି ଦେଈ ଯାହା କହୁଛନ୍ତି ସେ ସବୁ ଭୁଲ ।’’ ବାମା କମଳାଙ୍କ ମତ ପକ୍ଷପାତା ।

 

‘‘ନା, ନା, ମୁଁ ସେକଥା ତ କହୁନି । ମୁଁ କହୁଛି ଦେଖିବାର କଥା ତାଙ୍କ ପିଲାବେଳେ ଯେଉଁ ରୀତି ନୀତି ସମାଜରେ ଚଳୁଥିଲା; ସେ ସବୁ ବର୍ତ୍ତମାନ ଅଛି ନା କିଛି କିଛି ବଦଳିଛି ! ପ୍ରଥମେ ଦେଖ......ସେ ନିଜେ ପାଠ ପଢ଼ି ନାହାନ୍ତି । ଆଉମଧ୍ୟ ସେ ବାଲ୍ୟବିବାହ କରି ବିଧବା ହୋଇଛନ୍ତି । ତାଙ୍କ ବଡ଼ଭଉଣୀ ମଧ୍ୟ ସେଇମିତି ଆଉରି ଛୋଟବେଳୁ ବିବାହ ହୋଇଥିଲେ । କିନ୍ତୁ ଆଜିକାଲି କ’ଣ ସେ କଥା ରହିଛି ? ତାଙ୍କୁ ପଚାର, ସେ ନିଜେ କ’ଣ ସେ ସବୁ ପସନ୍ଦ କରୁଛନ୍ତି ? ମୁଁ ଜୋର ଦେଇ କହିବି ତାଙ୍କ ମନ କହୁଥିବ ପ୍ରକୃତରେ ଝିଅମାନେ ବୟସ ବଢ଼ିଲେ ବିଭାହେବା ଭଲ । ଝିଅମାନେ କିଛି କିଛି ପାଠ ପଢ଼ି ଘର କରିବା ଉଚିତ । କାରଣ ସେ ନିଜେ ଜୀବନସାରା ଖଣ୍ଡେ ଚିଠି କି ଦି’ଧାଡ଼ି ପୁରାଣ ଶୁଣିବା ପାଇଁ ଅନ୍ୟକୁ କେତେ ନିକୁଟି ହେଉଥିବେ । ତେବେ ଏ ସବୁ ପରିବର୍ତ୍ତନ ଯଦି ସେ ଅତି ଆଗ୍ରହରେ ଗ୍ରହଣ କଲେ, ଏତକ କାହିଁ ମାନି ନ ନେବେ ? ତା’ପରେ ମୋ ଝିଅ ଛନ୍ଦା ତ ଫେର ପଢ଼ୁଛି ? କାହିଁ କିଏ ଆମ କୁଳର ମାନମହତ ନେଇଥିବା ତ ମୁଁ ଜାଣିନି । କିଏ ତ ଦିନେ ମୋତେ ଏଥିପାଇଁ ଖୁଣ୍ଟା ଦେଇଥିବା ମୁଁ ଶୁଣିନି । ଆଉ ଗୋଟେ କଥା ଚପଳାର ବୟସ ଏଇକ୍ଷଣି ମୋଟେ ପନ୍ଦର । ସେ ତ ଏଇକ୍ଷଣି ଆଉ ବାହା ହେଉନି । ହୁଏତ ଆଉ ଦୁଇ ତିନି ବର୍ଷ ଯାଏ । ତେବେ ସେତକ ଦିନ ସେ ବସି କ’ଣ କରିବ ? ତା’ପରେ ସେ ଭଲ ପଢ଼ୁଛି-। ଆଉରି ପଢ଼ିଲେ ଭଲ କରିବାର ଆଶା ଅଛି । ଏଗୁଡାକ ଆପଣଙ୍କର ଭାବିବାର କଥା ।’’ ଶେଷ ପଦକ ବିମଳାଙ୍କ ଆଡ଼କୁ ଲକ୍ଷ କରି କହି ମଧୁବାବୁ ତୁନି ହେଲେ ।

 

ବିମଳା ତଥାପି କହିଲେ,‘‘ତେବେ ଶାଶୁଘରର ଜଞ୍ଜାଳ ଶିଖିବ ଆଉ କେବେ? ପାଠ ପଢ଼ିଗଲେ ତ ବାବୁଆଣୀ ହେବେ, ପୁଣି ଶାଶୁଘରକୁ ଗଲେ କରିବେ କ’ଣ ?’’

 

‘‘ତା’ ଅବଶ୍ୟ ବିଚାର୍ଯ୍ୟ । କିନ୍ତୁ ସେ ସବୁ ଶିଖିବାକୁ ସକାଳ ଏବଂ ସନ୍ଧ୍ୟା ଅଛି । ଛୁଟି ଦିନ ଓ ଶନି ରବିବାର ବି ଅଛି । ସେ ସବୁ ଶିଖିବାକୁ ସକାଳ ଏବଂ ସନ୍ଧ୍ୟା ଅଛି । ଛୁଟି ଦିନ ଓ ଶନି ରବିବାର ବି ଅଛି । ସେ ସବୁ ସମୟ ତା’ପାଇଁ ଯଥେଷ୍ଟ । ଛନ୍ଦା ଆମର ସେମିତି ସବୁ ଶିଖି ଯାଇଛି-। ତାକୁ ଆପଣ ସେହିପରି ଶିଖାନ୍ତୁ । ତାକୁ ପାଠ ଠାରୁ ଶାଠ ପର୍ଯ୍ୟନ୍ତ ପ୍ରତି କଥାରେ ଯେତିକି ପାରଙ୍ଗମ କରିବେ ସେତିକି ଭଲ ପାତ୍ର ପାଇ ପାରିବେ । ବରଂ ଆଜିକାଲି ପିଲାଏ ସ୍ତ୍ରୀମାନଙ୍କର ରନ୍ଧାବଢ଼ା ସହ ପାଠପଢ଼ାଟାକୁ ବେଶୀ ଜୋର ଦେଉଛନ୍ତି । ଗୋଟାଏ ଆଡ଼ ଦେଖି ଅନ୍ୟ ଆଡ଼ ଛାଡ଼ିଦେଲେ ଆପଣ ମୋଟେ ଭଲ ଘରେ ଚପଳାକୁ ବାହା ଦେଇପାରିବେ ନାହିଁ......ଏକଥା ମୁଁ କହି ରଖୁଛି ।’’ ଶେଷ ପଦଟା ଖୁବ୍ ଜୋର ଦେଇ ମଧୁବାବୁ କହି ରାଉତରାୟଙ୍କ ଆଡ଼କୁ ଚାହିଁଲେ ।

 

ସଙ୍ଗେ ସଙ୍ଗେ ନିଧିବାବୁ ଉତ୍ତର ଦେଲେ,‘‘ସେ କଥା କ’ଣ ଆଉ ବିମଳା ମୁଣ୍ଡରେ ଢୁକୁଛି-। ହଉ, ମୁଁ କାହିଁଙ୍କି କ’ଣ କହିବି। ସେ ନିଜେ ଏବେ ବୁଝୁ......ମଧୁବାବୁ ଯାହା କହୁଛନ୍ତି ଭୁଲ କି ଠିକ୍-। ସୁଁ କହିଲେ କହିବ ଭାଇ କହିଲେ......’’

 

ବିମଳା ମଧୁବାବୁଙ୍କର ଶେଷ ଧମକ କଥା ଆଗରୁ ମୋଟେ ଚିନ୍ତା କରି ନଥିଲେ । ତେଣୁ ମଧୁବାବୁ ଚେତନାରେ ତାଙ୍କ ଆଖି ଖୋଲିଗଲା । ସେ ବୁଝିପାରିଲେ ପ୍ରକୃତରେ ଆଜି କାଲିକା ଟୋକାଏ ରନ୍ଧାବଢ଼ା ଅପେକ୍ଷା ବରଂ ପାଠପଢ଼ାକୁ ବେଶୀ ଦେଖୁଛନ୍ତି । ତେଣୁ ସେ ଆଉ ଅଧିକ ନ ବଢ଼ି କହିଲେ,‘‘ହଉ,ମଧୁବାବୁ ଏଡ଼େ ବଡ଼ ଲୋକ, ସେ ଯଦି କହୁଛନ୍ତି, ତାଙ୍କରି ଉପରେ ଚପଳାର ହାନିଲାଭ ଭାର ଦେଇ ମୁଁ ତୁନି ରହୁଛି । ଯଦି କେବେ କିଛି ଗୋଳ ଉଠେ ମୁଁ ଆଗେ ମଧୁବାବୁଙ୍କୁ ଦାୟୀ କରିବି ନିଧିଭାଇ ଜାଣିଥା ।’’ କହି କମଳା ଯିବାକୁ ବସିଲେ ।

 

ମଧୁବାବୁ ହସି ହସି କହିଲେ,‘‘ଆରେ......ସେ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ଚପଳା ଛନ୍ଦାର ସାଙ୍ଗ । ମୁଁ ଆଉ ତାକୁ ମୋ ପିଲାଠାରୁ ହୀନ କରି ଦେଖିବି ନା ? ତା’ପରେ ଚପଳା ତ ଖରାପ ପିଲା ନୁହେଁ ଯେ ଆମେ ଚିନ୍ତା କରିବା......ଆଚ୍ଛା ମୁଁ ଏଥର ଆସେ । ଛନ୍ଦାକୁ ଡାକ ବାମା......’’ ମଧୁବାବୁ ଉଠ ଉଠ ହେଲେ ।

 

ଏକା ସମୟରେ ନିଧିବାବୁ, ବିମଳା ଆଉ ବାମା ପ୍ରତିବାଦ କରି କହିଲେ, ଏ କି କଥା । ଆସି ବାରଟା ବାଜିଲାଣି ଆପଣ ଏଠୁ ଖାଲି ଖାଲି ଫେରିଲେ ସରସ୍ୱତୀ ଦେବୀ ଆମକୁ କହିବେ କ’ଣ ? ନା, ନା ତା’ ହେବନି......’ ଅଗତ୍ୟ ମଧୁବାବୁଙ୍କୁ ରହିବାକୁ ହେଲା । ବିମଳା ଓ ବାମା ବଢ଼ା ବଢ଼ିର ବନ୍ଦୋବସ୍ତ କରିବାକୁ ଚାଲିଗଲେ । ନିଧିବାବୁ ଓ ମଧୁବାବୁ ନୀରବରେ ବସି ରହିଲେ । ଆର ଘରେ ଛନ୍ଦାର ବାପା ହସ ସଙ୍ଗେ କଥା ଶୁଭିଲା,‘‘ଦେଖିଲୁ ମୁଁ କ’ଣ କହୁଥିଲି......ଆମ ବାପାଙ୍କୁ କେହି କେବେ ବଳେଇ ଯାଇ ନାହାନ୍ତି......ଆଉ ଏ ବିମଳା ମାଉସୀ......ହେଁ......’’ ତା’ପରେ ଦୂହିଁଙ୍କର କିଶୋରୀସୁଲଭ ଖିଲି ଖିଲି ହସ......

 

ବିଦ୍ୟାଳୟର ଛୁଟି ଘଣ୍ଟା ଅନେକ ବେଳୁ ବାଜିଗଲାଣି । ସବୁ ପିଲାଏ ଚାଲିଗଲେଣି । କାଁ ଭାଁ କିଏ କେମିତି ନଈବନ୍ଧ ଉପରେ ଯାଉଥିବା ଦେଖାଯାଉଛି । ଆଜି ଶନିବାର ଥିଲା । ସକାଳ ସ୍କୁଲ । ବର୍ତ୍ତମାନ ଏଗାରଟା ପାଖାପାଖି ହେବ । ଜଣେ ସୌମ୍ୟ ଯୁବକ ହାତରେ ଗୋଟେ ମଧ୍ୟମ ଧରଣର ଏଆରବ୍ୟାଗ୍ ଧରି ସ୍କୁଲ ହତା ଭିତରେ ପଶିଲେ । ନିର୍ଜ୍ଜନ ବିଦ୍ୟାଳୟର ବାରଣ୍ଡାରେ କିଛି ମୁହୂର୍ତ୍ତ ଏପାଖ ସେପାଖ ଘୂରି ଥଙ୍ଗ ଥଙ୍ଗ ହୋଇ ଆରପାଖକୁ ବାଟଥିବା ଗୋଟାଏ ରୁମ୍ ଭିତରେ ପଶିଗଲେ । ଆରପାଖ କବାଟ ପାରହେବାକୁ ଯାଉଥିବା ଅବସ୍ଥାରେ ହଠାତ୍ ସେପାଖୁ ପ୍ରାୟ ଦଉଡ଼ିଲା ପରି ଚାଲି ଆସୁଥିବା ଏକ ବାଳିକା ଦେହରେ ମୁଖାମୁଖି ଧକା ହୋଇଗଲେ । ଯୁବକ କିଛି ଦୂରରୁ ବାଳିକାକୁ ଦେଖିପାରି ପାଖେଇ ଯିବାକୁ ଯେତେ ଚେଷ୍ଟା କରିଥିଲେ ବି ପାରି ନ ଥିଲେ-। କାରଣ ବାଳିକାଟି ଖୁବ୍ ଜୋରରେ ଆସୁଥିଲା; ତେଣୁ ଧକ୍‌କା ହୋଇଯିବା ପରେ ସେ Sorry (ଦୁଃଖିତ) ବୋଲି ଉଚ୍ଚାରଣ କରି ଏକଦମ୍ ଗୋଟାଏ ପଟ କାନ୍ଥରେ ଲେସି ହୋଇଗଲେ......ସତେ ଯେପରି ଗୋଟାଏ ଚୋର......ଜଣେ ଅଭିଯୁକ୍ତ ଅପରାଧୀ । ଦେଖିଲେ ଜଣାଯାଉଛି ଯୁବକ ନିହାତି ଶିକ୍ଷିତ ଓ ଆଧୁନିକ ହେଲେ ହେଁ ହୁଏତ ଜୀବନରେ କେବେ ବାଳିକାମାନଙ୍କ ସହ ଖୋଲାଖୋଲି ମିଶି ନାହାନ୍ତି କିମ୍ୱା ହୁଏତ ଏପରି ଏକ ଅଶୋଭନୀୟ ଘଟଣା ତାଙ୍କ ଜୀବନରେ ଆଉ କେବେ ଘଟି ନ ଥିଲା......

 

ଧକ୍‌କା ହୋଇଯିବା ପରେ ପରେ ବାଳିକାଟି ମୁଁହଟେକି ଜଣେ ଅପରିଚିତ ଆଧୁନିକ ଯୁବକକୁ ଦେଖି ଏକବାର ଲଜ୍ଜାରେ ଝାଉଁଳି ପଡ଼ିଲା । ବିଦ୍ୟୁତ୍‌ବେଗରେ ଦୁଇ ହାତ ପଛକୁ ଘୁଞ୍ଚିଯାଇ ଏକବାର ନିଶ୍ଚଳ ହୋଇ ସେ କିଛି ସମୟ ଠିଆ ହୋଇଗଲା । କିନ୍ତୁ ଯୁବକଙ୍କର ଏପରି ଅସହାୟ ଅବସ୍ଥା ଦେଖି ଓ ‘Sorry’ ଉଚ୍ଚାରଣ ଶୁଣି ସେ ଫିକ୍ କରି ହସିଦେଲା । ବାଳିକାଟି ହେଉଛି ଚପଳା । ଅଫିସ୍‌ ଘରୁ ଆସି ଯାଉଥିଲା ବାହାରକୁ କୌଣସି କାର୍ଯ୍ୟରେ । ଫେରିଲେ ମଧୁବାବୁ, ଛନ୍ଦା ଓ ସେ ଘରକୁ ଯାଇଥାନ୍ତେ । ଅଫିସ ଘରେ ମଧୁବାବୁ, ଛନ୍ଦା ଓ କିରାଣୀ ହିମାଂଶୁବାବୁ ଏ ଯାଏଁ ଅଛନ୍ତି ।

 

ଯୁବକଙ୍କର ଅସହାୟ ଅବସ୍ଥା ଦେଖି ଚପଳାର କିଞ୍ଚିତ ସାହସ ଆସିଗଲା । ସେ ନମ୍ର ହୋଇ ପଚାରିଲା, ‘‘ଆପଣ କିଏ ? ଏଠି କାହା ପାଖକୁ ଆପଣ ଆସିଛନ୍ତି ?’’

 

ଯୁବକ କିନ୍ତୁ ହଠାତ୍ ଉତ୍ତର ଦେଇ ପାରିଲେ ନାହିଁ । ସେ ଚପଳାର ନରମ ମୁହଁରେ ଖେଳୁଥିବା ବିଦ୍ୟୁତ୍‌କାନ୍ତି ହସଖଣ୍ଡିକ ମନଭରି ଦେଖୁଥିଲେ । ଜୀବନରେ ଯେଉଁ ଯୁବକଙ୍କର ଜଣେ ବୟଃପ୍ରାପ୍ତ କିଶୋରୀ ସହ ସାମାନ୍ୟ ସ୍ପର୍ଶ ବି କେବେ ଘଟି ନଥିଲା, ସେ ଫେର ଆଜି ସେହିପରି ଏକ କିଶୋରୀ ସହ ଧକ୍‌କା ହୋଇଛନ୍ତି । ନିଜକୁ ନିତାନ୍ତ ଅସହାୟ ମନେକରି ସେ ନିର୍ବୋଧଭାବେ ଚାହିଁ ରହିଲେ କିଶୋରୀର ମୁହଁକୁ । ଚାହୁଁ ଚାହୁଁ କେତେବେଳେ ଯେ ନିଜ ଅଜଣାରେ ସେଇ ହସବୋଳା ମୁହଁଟିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ନିଜର ପରିସ୍ଥିତିକୁ ଭୁଲି ବି ଯାଇଛନ୍ତି ସେ ଜାଣିପାରି ନାହାନ୍ତି । ତେଣୁ ଚପଳାର ପ୍ରଶ୍ନଗୁଡ଼ିକ ହଠାତ୍ ତାଙ୍କ କାନରେ ପଶି ପାରିଲା ନାହିଁ । କିନ୍ତୁ ଯେତେବେଳେ ଜାଣିପାରିଲେ ବାଳିକାଟି ତାକୁ କିଛି ପଚାରୁଛି, ସେତେବେଳେ ସେ ଗଛରୁ ପଡ଼ିଲା ପରି କହିଲେ, ‘‘ଏଁ......କ’ଣ ପଚାରୁଥିଲେ......ହଁ......ମୁଁ ମଧୁବାବୁ......ମାନେ ଏଇ ପ୍ରଧାନ ଶିକ୍ଷକଙ୍କ ପାଖକୁ ହିଁ ଆସିଛି......ସେ କ’ଣ ଅଛନ୍ତି......ନା ଘରକୁ ଚାଲି ଗଲେଣି......?’’

 

ଚପଳା ଯୁବକଙ୍କର ଇତଃସ୍ତତତା ତଥା ଉତ୍ତର ଦେବାରେ ବିବ୍ରତ ଅବସ୍ଥା ଦେଖି ଆଉରି ପ୍ରଗଳ୍‌ଭା ହୋଇ ଉଠିଲା......ଟିକିଏ ଯୁବକଙ୍କର ପ୍ରତିକ୍ରିୟା ଲକ୍ଷ୍ୟ କରିବା ପାଇଁ କହିଲେ, ‘‘ଆପଣ ତ ଆଚ୍ଛା ଲୋକ । ଅପରିଚିତ......ଫେର ଯୁବକ । ସେଥିରେ ଫେର ସ୍କୁଲର କ୍ଲାସରୁମ୍ ଭିତରେ ଅନଧିକାର ପ୍ରବେଶ କରି ନିହାତି ଖାମ୍‌ଖିଆଲି ଭାବେ ମୋତେ ଧକ୍କା ଦେଲେ । କିନ୍ତୁ ଆହୁରି ଆଶ୍ଚର୍ଯ୍ୟ କଥା, ସେତିକିରେ ନିଜକୁ ସଞ୍ଜତ କରନ୍ତେ କ’ଣ, ଓଲଟି ନିହାତି ନିର୍ଲଜ୍ଜ ପରି ଜଣେ ଅଜ୍ଞାତ କିଶୋରୀର ମୁହଁକୁ ଚାହିଁ ରହିଛନ୍ତି ଯେ ଗୋଟାଏ ପ୍ରଶ୍ନ କଲେ ବି ତା’ର ଉତ୍ତର ଦେବାକୁ ଘଣ୍ଟାଏ ଡେରୀ ହୋଇ ଯାଉଛି.... । ଆପଣ ପ୍ରଧାନଶିକ୍ଷକଙ୍କର କ’ଣ ହୁଅନ୍ତି ?’’

 

ପୋଲିସ୍ ବି ଚୋରକୁ ଏପରି ଖୋଲାଖୋଲି ଭାବେ ଜେରା କରୁଥିବ କି ନାହିଁ ସନ୍ଦେହ......ଯୁବକ ଏକବାର ଡରିଗଲେ । ନିଜକୁ ଯେତେ ସଞ୍ଜତ ଆଉ ନମ୍ର କରିପାରନ୍ତି କରି ବିନୀତ ଭାବେ ଚପଳାକୁ କହିଲେ, ‘‘କ୍ଷମା କରିବେ, ବାସ୍ତବିକ୍ ମୁଁ ଆପଣଙ୍କଠାରେ ଅକ୍ଷମଣୀୟ ଅପରାଧ କରିଛି । ଦୟାକରି ଏବେ ମୋ ପ୍ରଶ୍ନର ଉତ୍ତର ଦେବେ କି ?’’

 

ଯୁବକଙ୍କର ସରଳତା ଓ ନମ୍ରତା ଦେଖି ଚପଳା ଏକ୍‌ବାର ମୁଗ୍ଧ ହୋଇ ପଡ଼ିଲା । ତା ଜୀବନରେ ଏ ବି ଏକ ନୂଆ ଘଟଣା । ଯୁବକଙ୍କ ସହ ଧକ୍‌କା ହୋଇସାରି ସେ ଗୋଟିପଣ ଥରି ଉଠିଥିଲା ନିଜର ଭୁଲ ପାଇଁ । ତା ଭୁଲ ଯୋଗୁଁ ଉଭୟଙ୍କର ଧକ୍‌କା ହୋଇଛି, କିନ୍ତୁ ଯୁବକଙ୍କର ଏପରି ବିନୟୋକ୍ତି ଜଣାଇ ଦେଇଛି......ସତେ ଯେମିତି ଚପଳାର କିଛି ଭୁଲ ନାହିଁ......ସବୁ ତାଙ୍କର ଭୁଲ । ସତେ କି ସୁନ୍ଦର ପ୍ରକୃତିର ଯୁବକ ସେ । ଇଚ୍ଛା ହେଉଥିଲା ତାଙ୍କର ହାତଧରି ନିଜର ଭୁଲ ପାଇଁ କ୍ଷମା ମାଗିବାକୁ ଏବଂ ତାଙ୍କୁ ତାଙ୍କର ନାଁ ଗାଁ ସବୁ ପଚାରି ପକାଇବାକୁ । କିନ୍ତୁ ପରମୁହୂର୍ତ୍ତରେ ନିଜର ଉପସ୍ଥିତିର ଚେତନା ତା’ ମନରେ ଉଦୟ ହେବା ପରେ, ସେ ଜାଣିପାରିଲା ତା ପକ୍ଷରେ ଏ ସବୁ ଆଦୌ ସମ୍ଭବ ନୁହେଁ । ସମାଜ ତାକୁ ଏ ଅଧିକାର ଦେଇନି । ତେଣୁ ସେ ଏସବୁ କିଛି ନ ପଚାରି ବରଂ କହିଲା, ‘‘ନା ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ......ବରଂ ମୋର ବି ଭୁଲ ଅଛି । ଛାଡ଼ନ୍ତୁ......ମୋର ବହୁତ ଡେରି ହେଲାଣି ସାର ବ୍ୟସ୍ତ ହେବେଣି, ଆସନ୍ତୁ ।’’

 

ଅଫିସ ଆଡ଼େ ଯିବାକୁ ମୁହଁ ଫେରାଇ ଚପଳା ଦେଖିଲା ଛନ୍ଦା ତାରି ଆଡ଼କୁ ଆସୁଛି । ଛନ୍ଦା ଯୁବକଙ୍କୁ ପ୍ରଥମେ ଦେଖି ନ ପାରି ଚପଳାକୁ ପ୍ରଗଲ୍‌ଭ କଣ୍ଠରେ ପଚାରିଲା, ‘‘କିଲୋ ଏତେବେଳଯାଏଁ କ’ଣ କରୁଥିଲୁ କି ? କ’ଣ କୋଉ କୃଷ୍ଣଙ୍କ ସଙ୍ଗେ ଭେଟ ହେଇଗଲା କି ?’’

 

ଛନ୍ଦାର ଏ ପ୍ରଗଳ୍‌ଭତା ଚପଳା ଏପରି ଆଶା କରି ନ ଥିଲା ତା’ପରେ ପ୍ରକୃତରେ ସେ ଜଣେ ଯୁବକଙ୍କ ପାଖରେ ଏତେ ସମୟ ଅଟକି ଯାଇଥିବାରୁ ଛନ୍ଦାର ଏ ପ୍ରଶ୍ନରେ ଏକବାର ଅସହାୟ ହୋଇ ଉଠିଲା । ଛନ୍ଦାକୁ କ’ଣ ଯେ କହିବ କିଛି ଭାବି ପାରିଲାନି । କିନ୍ତୁ ଛନ୍ଦା ଏହା ଭିତରେ ଚପଳାର ପଛରେ ପ୍ରକୃତରେ ଜଣେ ଅପରିଚିତ ଯୁବକଙ୍କୁ ଦେଖି ରୀତିମତ ଅପ୍ରସ୍ତୁତ ହୋଇ ପଡ଼ିଲା । ଯେତେ ବେଗରେ ଆସି ଚପଳାକୁ ସେ ପ୍ରଶ୍ନ କରିଥିଲା ତା’ର ଦୁଇ ଗୁଣ ବେଗରେ ସେ ଫେରିଗଲା ଅଫିସ ଭିତରକୁ । ଚପଳା ଆଉ କିଛି ନ ଭାବି ଆଗେଇଲା । ଯୁବକ କିଞ୍ଚିତ୍ ହସିଦେଇ ଚପଳାକୁ ଅନୁସରଣ କଲେ ।

 

ଅଫିସ ଘରେ ନ ପଶୁଣୁ ଯୁବକ ମଧୁବାବୁଙ୍କୁ ଦେଖିପାରିଲେ । ଯଦିଓ ଆଗରୁ ଭେଟ ହୋଇ ନ ଥିଲା, ତଥାପି ହିମାଂଶୁ ଓ ମଧୁବାବୁଙ୍କ ମଧ୍ୟରେ କିଏ ମଧୁବାବୁ ହୋଇଥିବେ ସେ ଅକ୍ଳେଶରେ ଅନୁମାନ କରିପାରିଲେ କାରଣ ହିମାଂଶୁଙ୍କର ବୟସ ମାତ୍ର ୩୫ ଖଣ୍ଡେ ହେବ । ତେଣୁ ସେ ମଧୁବାବୁଙ୍କୁ ବିନମ୍ର ନମସ୍କାର କରି ପାଦଧୂଳି ନେଲେ ଓ ଖଣ୍ଡିଏ ଚିଠି ବଢ଼ାଇ ଦେଲେ ।

 

ମଧୁବାବୁ ଚିଠିଟି ଧରି ହାତଲେଖାରୁ ଜାଣିପାରିଲେ ଯେ ସେଇଟି ରାଜେନ୍ଦ୍ରର ଲେଖା । ଆଗରୁ ସେ ରାଜେନ୍ଦ୍ରର ଖଣ୍ଡେ ଚିଠି ଡାକରେ ପାଇ ସମୟ ବିଷୟ ଜାଣିଥିଲେ । ତେଣୁ ଚିଠିଟି ନ ପଢ଼ି ବି ଯୁବକଜଣକ କିଏ ଜାଣିପାରି ଉଠିଆସି ତାଙ୍କୁ ଆନନ୍ଦରେ କୁଣ୍ଢାଇ ପକାଇ କହିଲେ, ‘‘ଓଃ । ତୁମେ ତେବେ ଗୋପାଳ । ଯାହାହେଉ ବିଶ୍ୱେଶ୍ୱରର ଦାୟାଦକୁ ମୁଁ ଦେଖିପାରିବି ଏ କଳ୍ପନା ମୋର ନ ଥିଲି । ହଉ ବାବା, ଭଲ କରିଛ । ତୁମର ନିଷ୍ପତ୍ତିରେ ମୁଁ ଖୁସି । ତୁମ ପରି ଯୁବକ ବାସ୍ତବିକ୍ ଉତ୍କଳରେ କାହିଁ କି ଭାରତରେ ବି ବିରଳ । ହଉ, ରାଜ କିପରି ଅଛି ? ଭଲ ତ ? ......ଆରେ ମା’ ଛନ୍ଦା ନମସ୍କାର କର ଗୋପାଳ ଭାଇଙ୍କୁ......ଏ ପରା ତୋ ରାଜଭାଇର ସାଙ୍ଗ । ଆଉ ମଧ୍ୟ ମୋରି ଘନିଷ୍ଠ ବଂଧୁ ବିଶ୍ୱେଶ୍ୱରର ପୁଅ । ଡାକ୍ତରୀ ପାଶ୍ କରି ଆସିଛି ଏଇଠି ମଫସଲରେ ଡାକ୍ତରୀ କରିବ-। ବାସ୍ତବିକ ଖୁବ୍ ଭଲ ହେଲା ଗୋପ ହଁ ମୁଁ ତୁମକୁ ଗୋପ ହିଁ ଡାକିବି ।’’ ଏତକ କହି ମଧୁବାବୁ ଗୋପାଳ ବାବୁ, ଛନ୍ଦା ଓ ଚପଳାକୁ ଚାହିଁଲେ ।

 

ଛନ୍ଦା ଓ ଚପଳା ପରିଚୟ ପାଇ ଗୋପାଳବାବୁଙ୍କୁ ନମସ୍କାର କଲେ । ଗୋପ ବାବୁ ମଧ୍ୟ ସାମାନ୍ୟ ହସି ପ୍ରତିନମସ୍କାର ଜଣାଇଲେ ।

 

ହିଂମାଶୁ ବାବୁ ଏମାନଙ୍କର ଆଳାପ ଶୁଣି କାମଉପରୁ ମୁଣ୍ଡ ଟେକି ଚାହିଁଲେ । ମଧୁବାବୁ ଜାଣିପାରି କହିଲେ, ‘‘ବୁଝିଲ ହିଂମାଶୁ ବାବୁ, ଏ ଯୁବକ ହେଉଛନ୍ତି ମୋର ଜଣେ ବଂଧୁଙ୍କ ପୁଅ । ବାପମା ତାଙ୍କୁ ବହୁ ଅପରିପକ୍ୱ ବୟସରୁ ଏକୁଟିଆ କରି ଚାଲିଗଲେ । ତାଙ୍କର ସେତେବେଳକୁ ନିଜର ହୋଇ ଆଉ କେହି ନାହାନ୍ତି କହିଲେ ଚଳେ । କେବଳ ଥିଲା ପେନଶନ ଓ ପ୍ରୋଭିଡ଼େଣ୍ଡ ଫଣ୍ଡରେ ବାପାଙ୍କ ସଞ୍ଚିତ କିଛି ଅର୍ଥ ଓ ସାଥୀରେ ଜଣେ ବୃଦ୍ଧ ଚାକର । ସେଇ ଚାକରର ସାହସରେ ଗୋପ କିଛିଦୂର ଆଗେଇଯାଇ ପାରିଲେ । ମାତ୍ର ଯେତେବେଳେ ଆଇ.ଏସ୍‌ସି ଛାଡ଼ି ମେଡ଼ିକାଲରେ ଭର୍ତ୍ତି ହୁଅନ୍ତି ସେତେବେଳକୁ ବୃଦ୍ଧ ଚାକର ବି ଚାଲିଗଲା । ସେଇଠୁ ଦୁନିଆରେ ଏକା ହୋଇ ବହୁ କଷ୍ଟ ଭୋଗି ବି ନିଜର ପଢ଼ା ଶେଷକଲେ କୃତିତ୍ୱର ସହିତ । ହେଲେ ଅନେକ ଲୋଭନୀୟ ଚାକିରି ତଥା ସହରର ଉତ୍କୃଷ୍ଟ ବ୍ୟବସାୟ ଛାଡ଼ି ସେ ଆସିଲେ ଏଇ ମଫସଲରେ ଜନତାର ସେବା କରିବାକୁ । ତାଙ୍କ ଆସିବା କଥା ରାଜେନ୍ଦ୍ର ମୋ ପାଖକୁ କାଲି ଚିଠିରେ ଲେଖିଥିଲା-। ସେତିକିବେଳକୁ ଏ ଖବର ପାଇ ମୁଁ ଖୁସି । କହିଲ,ଏପରି କେତେ ଜଣ ଯୁବକ ତୁମେ ପାଇବ-?’’

 

ହିଂମାଶୁ ବାବୁ ନିହାତି କୃତକୃତ୍ୟ ହୋଇ କହିଲେ, ‘‘ଏକଥା ଆଉ କହିବାକୁ ଅଛି ନା ! ଯାହାହେଉ ଭଗବାନ ଆମମାନଙ୍କର ଦୁଃଖ ଦୂର କଲେ । ଗୋପବାବୁ ନିଶ୍ଚୟ ଏ ଅଞ୍ଚଳରେ ଭଗବାନଙ୍କର ଜଣେ ଅବତାର ବୋଲି ଗଣାହେବେ.........ଦେଖିବନି ଆପଣ ।’’ ତା’ପରେ ସେ ଗୋପବାବୁଙ୍କ ଆଡ଼େ ଟିକିଏ ହସିଲା ଚାହାଣୀରେ ଚାହିଁଲେ । ଗୋପବାବୁ ଏଥର ତାଙ୍କୁ ନମସ୍କାର କଲେ ।

 

ମଧୁବାବୁ ଉଠି ଠିଆ ହେଲେ; କହିଲେ, ‘‘ହଉ ବହୁତ ଡେରି ହୋଇ ଗଲାଣି......ହିଂମାଶୁ ବାବୁ କବାଟ ଦେବାକୁ ରାଜୁଆକୁ ଡାକ, ଯିବା ।’’ ସମସ୍ତେ ବାହାରକୁ ଆସିଲେ-। ହିଂମାଶୁ ବାବୁ ରାଜୁଆକୁ ଡାକ ଛାଡ଼ିଲେ । ରାଜୁଆ ହଷ୍ଟେଲରେ ଚାକର ଏବଂ ସ୍କୁଲର ଦରୁଆନ କାମ କରେ ।

 

ବାଟରେ ଆଉ ବିଶେଷ କିଛି କଥାବାର୍ତ୍ତା ସେମିତି ପଡ଼ିନି । ଖାଲି ମଧୁବାବୁ ଗୋପବାବୁଙ୍କ ହାତରେ କେବଳ ଖଣ୍ଡେ ବ୍ୟାଗ ଦେଖି ପଚାରିଥିଲେ ଅନ୍ୟ କିଛି ବେଡ଼ିଂପତ୍ର ସେ ଆଣିଛନ୍ତି କି ନାହିଁ ବୋଲି । ଗୋପବାବୁ ଜଣାଇଲେ ଯେ ତାଙ୍କର ଜଣେ ପରିଚିତ ବ୍ୟକ୍ତି ଚନ୍ଦନପୁର ଫାଣ୍ଡିରେ ଏ: ଏସ୍‌: ଆଇ: ଅଛନ୍ତି । ତେଣୁ କଟକ ବସରୁ ଓହ୍ଲାଇ କୁଲି ନପାଇ ତାଙ୍କ ପାଖେ ରଖି ଆସିଛନ୍ତି । ପରେ କାହାକୁ ପଠାଇଲେ ସେ ନେଇ ଆସିବ ବୋଲି ତାଙ୍କୁ କହି ଆସଛନ୍ତି ।

 

ଏମାନେ ଯେଉଁଠାରେ ବନ୍ଧ ଉପରୁ ତଳକୁ ଗଡ଼ନ୍ତି, ସେଇଠୁ ମାତ୍ର ଫଲଙ୍ଗେ ଦୂର ହେବ ଚପଳାର ଗାଁ । ତେଣୁ ସେଇଠୁ ଚପଳା ସେମାନଙ୍କଠାରୁ ବିଦାୟ ନେଲା । ମଧୁବାବୁଙ୍କୁ ନମସ୍କାର କରିଯିବାଟା ତା’ର ଅଭ୍ୟାସ । କିନ୍ତୁ ଆଜି ଆଉ ଜଣଙ୍କୁ ନମସ୍କାର କରି ଯିବାକୁ ହେଲା । ସେ ହେଉଛନ୍ତି ନବାଗତ ଓ ନୂତନ ପରିଚିତ ଗୋପ ବାବୁ । ନମସ୍କାର କରିସାରି ସେ କେମିତି ଅଡ଼ୁଆ ବୋଧ କଲା, ଛନ୍ଦା ସାମାନ୍ୟ ହସି ଦେବାରୁ । ଘରେ ପହଞ୍ଚିବା ପର୍ଯ୍ୟନ୍ତ ସେ ଖାଲି ଭାବି ଲାଗିଛି ଗୋପବାବୁଙ୍କୁ ନମସ୍କାର କରି ସେ ଠିକ୍‌ କରିଛି କି ଭୁଲ କରିଛି । ହେଲେ ଘରେ ପହଞ୍ଚି ସେ ଭାବନା କୁଆଡ଼େ ଉଭେଇଗଲା ତା’ ମନରୁ.....

 

ଘରେ ପହଞ୍ଚି ପ୍ରଥମେ ସରସ୍ୱତୀ ଦେବୀଙ୍କୁ ଖବର ଦେଲା ଛନ୍ଦା । ସରସ୍ୱତୀ ଦେବୀ ଖୁବ୍ ଅତିଥିପରାୟଣା । ତେଣୁ ଗୋପବାବୁଙ୍କର ଆଗମନରେ ସେ ଅତ୍ୟନ୍ତ ଖୁସି ହେଲେ । ଗୋପବାବୁ ତାଙ୍କୁ ମାଉସୀ ବୋଲି ସମ୍ବୋଧନ କରି ନମସ୍କାର କଲେ । ଆପାତତଃ ଗୋପବାବୁ ଆଜିଠାରୁ ମଧୁବାବୁଙ୍କ ଘରର ଜଣେ ହୋଇ ଗଣା ହେଲେ ଏବଂ ସାଧାରଣ ଚଳଣି ଅନୁଯାୟୀ ମଧୁବାବୁ ଓ ତାଙ୍କ ସ୍ତ୍ରୀଙ୍କୁ ନିଜର ମଉସା ମାଉସୀ ଭାବେ ବିଚାର କଲେ । ଯଦିଓ ବିଭିନ୍ନ କର୍ମ କ୍ଷେତ୍ରରେ ରହି ମଧୁବାବୁ ଓ ବିଶ୍ୱେଶ୍ୱର ବାବୁଙ୍କର ଉଭୟଙ୍କ ପରିବାର ସହ ପରିଚୟ ଘଟିପାରି ନଥିଲା, ତଥାପି ତାଙ୍କର ଘନିଷ୍ଠତା ଏତେ ବେଶୀ ଥିଲା ଯେ ଗୋପବାବୁଙ୍କୁ ଆଦୌ ଦେଖି ନ ଥିଲେ ମଧ୍ୟ ମଧୁବାବୁ ଗୋଟିଏ ଦିନରେ ବି ଭାବି ବସିଲେ ଯେ ସତେ ଯେମିତି ସେ ତାଙ୍କର ବହୁଦିନର ଚିହ୍ନା ଓ ଅତି ଆତ୍ମୀୟ । ଅନ୍ୟ ସମସ୍ତେ ମଧ୍ୟ ତାଙ୍କୁ ସେଇ ଭାବେ ଗ୍ରହଣ କଲେ । ତେଣୁ ଗୋପବାବୁ ମଧୁବାବୁଙ୍କ ଘରେ ନିଜକୁ ପର ବୋଲି ଭାବି ପାରିଲେ ନାହିଁ ।

 

ଜୀବନର ଗତିପଥରେ ମଣିଷ କେତେ କାହାକୁ ଭେଟେ......କେତେ କାହା ସହ ପରିଚିତ ହୋଇ ଉଠେ......କିନ୍ତୁ ତାହା କ’ଣ ଚିରସ୍ଥାୟୀ ହୋଇ ପାରେ.... ? ପ୍ରଥମ ଦିନର ଭେଟ କ’ଣ ସବୁଦିନ ମନେ ରହେ ? ହୁଏତ କେଉଁଠି ଆଦୌ ମନେ ରହେନି......କିମ୍ବା ମନେ ରଖିବାକୁ ଇଚ୍ଛା ହୁଏନି । କିନ୍ତୁ କେଉଁଠି ସେଇ ଭେଟ......ସେଇ ପରିଚିତ ମଣିଷର ମନରେ ଅତିବଡ଼ ହୋଇ ଉଠେ......ଅଲିଭା ଗାର ପରି ଟାଣିହୋଇ ରହିଯାଏ ଚିରଦିନ ପାଇଁ ।

 

ସେଇପରି ଗୋପାଳ ପଟ୍ଟନାୟକଙ୍କର ଅଟଳ ମନ ଏବେ କେତେଦିନ ହେଲା ଖୁବ୍ ଚଞ୍ଚଳ ହୋଇ ଉଠିଛି । ତାଙ୍କର ପୂର୍ବର ପ୍ରକୃତି ଆଜି ଚହଲି ଉଠୁଛି । ଯେତେ ଚେଷ୍ଟା କଲେ ବି ମନର ସବୁ ଭାବ......ସବୁ କଳ୍ପନା......ସବୁ ଛବିକୁ ଠେଲିଦେଇ ନାଚି ଉଠୁଛି ସେଇ ଆରକ୍ତ ହସ ହସ ମୁଁହ ଖଣ୍ଡିକ......ଯେଉଁ ମୁଁହ କି ସେ ଏ ଅଞ୍ଚଳରେ ପାଦଦେବା ପରେ ପ୍ରଥମ ହିଁ ଦେଖିଥିଲେ.....କିନ୍ତୁ କାହିଁ ଆଉ ତ ସେ ମୁହଁକୁ ଦେଖି ହେଉନି......ଯଦିଓ ସେ ଜାଣନ୍ତି ଛନ୍ଦା ଦୁଇଥର ତାଙ୍କ ଘରକୁ ଆସି ବୁଲି ବି ଗଲାଣି !

 

ସେ ଆଶ୍ଚର୍ଯ୍ୟ ହୁଅନ୍ତି, ଯେଉଁ ଝିଅ ସେଦିନ ସ୍କୁଲରେ ତାକୁ ଏତେ ଅପଦସ୍ତ କରି ଦେଇଥିଲା......ଯିଏ ନିହାତି ଉଦ୍ଧତ କଣ୍ଠରେ ତାଙ୍କ ସହ କଥାଭାଷା କରିଥିଲା, ସେ ଫେର ତାଙ୍କୁ ଆଦୌ ଦେଖା ଦେଉନି......କାହିଁଙ୍କି ? ରୀତିମତ ଲୁଚି ରହୁଛି କାହିଁଙ୍କି ? କାରଣ କ’ଣ ? ଅଥଚ ସେ ସଦାସର୍ବଦା ବ୍ୟତିବ୍ୟସ୍ତ ହୋଇ ଉଠୁଛନ୍ତି ସେଇ ମୁଁହ ଖଣ୍ଡିକୁ ଅନ୍ତତଃ ଆଉଥରେ ଦେଖିବାକୁ.... ।

 

ବେଳେବେଳେ......ଯେତେବେଳେ ନିଜର ଆୟତ୍ତରେ ଥାଆନ୍ତି ଗୋପାଳବାବୁ, ତାଙ୍କର ଜୀବନର ଗାମ୍ଭୀର୍ଯ୍ୟ ଓ କଠୋରତା ତାଙ୍କ ମନ ଭିତରେ ଉଙ୍କିମାରେ । ସେ ଆଶ୍ଚର୍ଯ୍ୟ ହୁଅନ୍ତି ଯେଉଁ ଗୋପାଳ ପଟ୍ଟନାୟକ ନିଜର ଚରିତ୍ରବତ୍ତା ପାଇଁ ମେଡ଼ିକାଲ କଲେଜ ପରି ଆବହାଉଆ ଭିତରେ ବି ନାଁ ରଖିଥିଲା, ସେ ଆଜି ନିହାତି ଶାନ୍ତ ସରଳ ପଲ୍ଲୀ ଅଞ୍ଚଳରେ ନିଜର ଧୌର୍ଯ୍ୟ ଅତୁଟ ରଖି ପାରୁନି-। ନିଜକୁ ନିଜ ଆୟତ୍ତରେ ରଖି ପାରୁନି ସାମାନ୍ୟ ଗୋଟିଏ ପନ୍ଦର ଷୋଳ ବର୍ଷର ଝିଅର ମୁଁହଟିକୁ ଥରେ ଦେଖିବା ପାଇଁ ।

 

ମେଡ଼ିକାଲ କଲେଜରେ ସେ ନିଜର ଚରିତ୍ରକୁ ଶାଣିତ ଖଡ଼୍‌ଗଧାର ଉପରେ ଚଳାଇ ନେଇ ପାରିଥିଲେ ଟିକିଏ ବି ଏପାଖ ସେପାଖ ନ ହୋଇ । ଦୀର୍ଘ ଛଅବର୍ଷ ମଧ୍ୟରେ ଶତ ଶତ ଝଡ଼ଝଞ୍ଜାକୁ ସେ ଅଟଳ ଓ ଦୃଢ଼ ରହି ଅତିକ୍ରମ କରି ପାରିଥିଲେ । କିନ୍ତୁ ଆଜି ଏଠି ମାତ୍ର ଏଇ ଅଳ୍ପ କେତେଟା ଦିନ ମଧ୍ୟରେ ନିଜର ଜୀବନକୁ ନିର୍ବିଘରେ ଚଳାଇ ନେବା ତାଙ୍କ ପକ୍ଷେ ବେଳୁବେଳ ଅସହ୍ୟ ହୋଇ ଉଠୁଛି । ଏ କି ଆଶ୍ଚର୍ଯ୍ୟ କଥା, ଏ କି ନୈତିକ ଅଧଃପତନ ତାଙ୍କର ! ......ନା, ତାଙ୍କୁ ଦୃଢ଼ ହେବାକୁ ହେବ । ନିଜକୁ କଠୋର କରିବାକୁ ହେବ......ନିଜର ଅଶାନ୍ତ ମନକୁ ଲଗାମ ଦେଇ ବାନ୍ଧି ରଖିବାକୁ ହେବ.... । ନଚେତ୍ ଏଠାରୁ ତାଙ୍କୁ ବିଦାୟ ନେବାକୁ ପଡ଼ିବ । ଅନ୍ତତଃ ନିଜ ପାଇଁ ଯେତେ ନୁହେଁ......ସେତେ ମଧୁବାବୁଙ୍କର ସମ୍ମାନ ପାଇଁ......ହଁ, ନିଶ୍ଚୟ ତାକୁ ଦୃଢ଼ ହେବାକୁ ହେବ.... ।

 

ଏଇମାତ୍ର ଏକମାସ ଭିତରେ ସେ ଏ ଅଞ୍ଚଳରେ ତାଙ୍କର ଆସନ ଦୃଢ଼ କରି ସାରିଲେଣି ଯଥେଷ୍ଟ । ଚନ୍ଦନପୁର ଓ ବୀରନରସିଂହପୁର ଅଞ୍ଚଳରେ ଏଲୋପାଥିକ ଡାକ୍ତର ଆଦୌ ନ ଥିଲେ । ତେଣୁ ଗୋପାଳ ବାବୁଙ୍କର ଅଞ୍ଚଳକୁ ଆସିବାଟା ସମସ୍ତେ ସ୍ୱାଗତ କରିଛନ୍ତି ଏବଂ ଏଇମାତ୍ର ଏକମାସ ଭିତରେ କେତେକ କ୍ଷେତ୍ରରେ ସେ ଏପରି ସଫଳତା ଲାଭକରି ପାରିଛନ୍ତି ଯେ ସମସ୍ତେ ତାଙ୍କର ପ୍ରଂଶସା କରିବା ଦେଖାଗଲାଣି ।

 

ତେଣୁ ଚାରିତ୍ରିକ ଦିଗରୁ ତାଙ୍କୁ ଯଥେଷ୍ଟ ଦୃଢ଼ ହେବାକୁ ହେବ......ତାଙ୍କର ତଥା ମଧୁବାବୁଙ୍କର ସୁନାମ ତାଙ୍କୁ ରଖିବାକୁ ହେବ । ନଚେତ୍ ଯେଉଁ ଲୋକେ ଆଜି ତାଙ୍କୁ ତାଙ୍କର ଚିକିତ୍ସା ପାଇଁ ପ୍ରଂଶସା କରୁଛନ୍ତି, ସେଇ ଲୋକେ ଫେର ତାଙ୍କର ଚରିତ୍ର ବିଷୟରେ ନାନାକଥା ଗାଇ ବୁଲିବେ......ନିଶ୍ଚୟ କହିବେ, ‘‘ମଧୁବାବୁ କୁଆଡୁ ଗୋଟେ ଭାଡ଼ୁଆକୁ ଆଣି ଏଠି ଗୋଟେ ‘ଗୋପଲୀଳା’ ଆରମ୍ଭ କଲେଣି......ଆମ ଶାସନର ନାଁ ପକାଇବା......’’ ଇତ୍ୟାଦି ।

 

ଗୋପବାବୁ ଏହିପରି ଚିନ୍ତା କରୁ କରୁ ଦିନ ଚାରିଟାରୁ ଆସି ସନ୍ଧ୍ୟା ୭ଟା ହେଲାଣି ତାଙ୍କର ଖିଆଲ ନାହିଁ । ରୋଗୀ ସାକ୍ଷାତ ସମୟ ଆସି ପ୍ରାୟ ଗଡ଼ିଗଲାଣି, କିନ୍ତୁ ଅଦ୍ଭୁତ......ଆଜି କେଜାଣି କାହିଁକି କେହି ଦେଖା ନାହାନ୍ତି । ତେଣୁ ସମୟ ଯେ ଆସି ଏତେ ହେଲାଣି ତାଙ୍କୁ ମୋଟେ ମାଲୁମ୍ ନାହିଁ ।

 

ହଠାତ୍ ମଧୁବାବୁ ଆସି ତାଙ୍କର ଚିନ୍ତା ଭାଙ୍ଗିଲେ । ମଧୁବାବୁ ବିବ୍ରତ ହେଲାପରି ଆସି କହିଲେ, ‘‘ବୁଝିଲ ଗୋପ, ଆମ ଛନ୍ଦାର ସାଙ୍ଗ ଚପଳାର ଭାଇକୁ ଅସମ୍ଭବ ଜ୍ୱର ହୋଇଛି । ନିଧିରାଉତରାୟଙ୍କ ଚାକର ବାମା ଆସିଛି ତୁମକୁ ଡାକିବାକୁ । ଏଇ ଚଷାପଡ଼ା ମାତ୍ର ଅଧମାଇଲିଏରୁ କିଛି ବେଶୀ ଦୂର ହେବ । ଟିକିଏ ଯାଅ ବାବା......’’

 

ସ୍ୱର୍ଗରେ ଇନ୍ଦ୍ରପଦ ଗ୍ରହଣ ପାଇଁ ଯିବାକୁ କେହି ଡାକିଥିଲେ ଗୋପ ବାବୁ ଯେତେ ଖୁସି ନ ହୋଇଥାନ୍ତୁ, ତା’ଠାରୁ ଅଧିକ ଖୁସି ହେଲେ ମଧୁବାବୁଙ୍କର ଏ ଅନୁରୋଧରେ । ଅନୁରୋଧ ଏଠି ଆବଶ୍ୟକ କ’ଣ ? କଠୋର କଣ୍ଠରେ ଆଦେଶ ଦେଲେ ବି ସେ ତାକୁ ଆଗ୍ରହରେ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି । ଯେଉଁ କୋମଳ ପଦ୍ମଟିର କ୍ଷଣମାତ୍ର ଦର୍ଶନ ସନ୍ଧାନରେ ସେ ମାସେ ହେଲା ସୁଯୋଗ ଖୋଜି ବୁଲୁଛନ୍ତି, ସେଇ ପ୍ରସ୍ଫୁଟିତ ସରୋବରରେ ତାଙ୍କୁ ସ୍ନାନ କରିବାକୁ ଆହ୍ୱାନ କରାଯାଉଛି । ସେଠାକୁ ଯିବାରେ ଫେର ଆପତ୍ତି କିଛି ରହିପାରେ । ତେଣୁ ବିନା ବାକ୍ୟ ବ୍ୟୟରେ ସେ ବାମାର ସାଥୀ ହେଲେ । ବାମା ଗୋଟିଏ ବାଡ଼ି ଓ ଲଣ୍ଠନ ନେଇ ଆସିଥିଲା । ଲଣ୍ଠନଟିକୁ ଫେର ଥରେ କଳା ପୋଛି ଭଲକରି ସଜାଡ଼ି ନେଇ ଆଗେ ଆଗେ ଚାଲିଲା । ଗୋପବାବୁ ମଧ୍ୟ ହାତରେ ଗୋଟିଏ ଉଜ୍ଜ୍ୱଳ ଟର୍ଚ୍ଚ ଧରିଥିଲେ । ତେଣୁ ଅନ୍ଧାର ମଧ୍ୟରେ ଏଇ ଅଳ୍ପବାଟ ଯିବାରେ ତାଙ୍କର କିଛି ଅସୁବିଧା ହୋଇଛି ।

 

ବାଟ ମଧ୍ୟରେ ଯାଉ ଯାଉ ତାଙ୍କ ମନଭିତରେ ଚପଳା ନେଇ ନାନା ଚିନ୍ତା ଉଙ୍କି ମାରିଲାଣି । ଚପଳା-ମୁଖକାନ୍ତି ବାର ବାର ହୋଇ ତାଙ୍କ ଆଖି ଆଗରେ ନାଚି ଉଠୁଛି । ଚପଳାକୁ ତାଙ୍କ ଘରେ ଭେଟି ପାରିବେ କି ନାହିଁ, ସେ ତାଙ୍କୁ କଥା କହିବ କି ନାହିଁ ଏଇ ସବୁ ଚିନ୍ତା ତାଙ୍କ ମୁଣ୍ଡ ଭିତରେ ଖେଳି ଯାଉଛି । ଯେ କିଛି ସମୟ ଆଗରୁ ଚିନ୍ତା କରୁଥିଲେ......ଏ ସବୁ ଅଳୀକ ଭାବନା ମନରୁ ଦୂରକରି ନିଜକୁ ଦୃଢ଼ କରିବେ । ନିଜର ସମ୍ମାନ ରକ୍ଷାପାଇଁ.....ମଧୁବାବୁଙ୍କର ମଙ୍ଗଳ ପାଇଁ, ସେ ଫେର ନିଜର ସମ୍ମାନଜ୍ଞାନ ହରାଇ ସେଇ ଅଳୀକ.....ଅଥଚ ଅତୀବ ମଧୁର ଭାବନାଗୁଡିକୁ ମନ ଭିତରେ ଖେଳାଇ ବସିଲେଣି ।

 

ବାମାକୁ ଚପଳା ତଥା ତାଙ୍କ ଘରର ଅନେକ କିଛି କଥା ପଚାରି ଯିବାକୁ ଗୋପବାବୁଙ୍କର ଇଚ୍ଛା ହେଉଥିଲା । ହେଲେ ନିଜ ମନରେ ଦୁର୍ବଳତା ଥିବାରୁ ସେ ବାମାକୁ କିଛି ପଚାରି ପାରୁ ନ ଥିଲେ ।

 

କିନ୍ତୁ ବାମା ନୀରବତା ଭଙ୍ଗକରି ପଚାରିଲା, ‘‘ବାବୁ ଆପଣ ତ ଏତେ ବଡ଼ ଡାକ୍ତରୀ ପାଠ ପଢ଼ିଛନ୍ତି, ଛୋଟ ଦେଈ କହୁଥିଲେ, ଆପଣ କୁଆଡ଼େ ସବୁ ପିଲାଙ୍କ ଭିତରେ ଫାଷ୍ଟ ହେଇ ପାଶ କରିଥିଲେ, ଆଉ କଟକରେ ବଡ଼ ଚାକିରି ଆପଣଙ୍କୁ ମିଳୁଥିଲା, ଆପଣ ସେଠି ନ ରହି ଏ ମଫସଲକୁ କାହିଁକି ଆସିଲେ ହଇରାଣ ହରକତ ହେବାକୁ ? ଏଠି କ’ଣ ସେ ସୁବିଧା ପାଇବେ ନା ସେ ପଇସା ପାଇବେ ?’’

 

ବାମାର ତାଙ୍କ ପାଇଁ ଦରଦ ଦେଖି ସେ ଟିକିଏ ନମ୍ର ହସ ହସିଲେ । ଆଉ ମଧ୍ୟ ଆଶ୍ଚର୍ଯ୍ୟ ହେଲେ ଯେ ତାଙ୍କ ବିଷୟ ନିଧିବାବୁଙ୍କ ଘରେ ଆଲୋଚିତ ହୋଇଛି ଏବଂ ଚପଳା ତାଙ୍କର କୃତିତ୍ୱ ବିଷୟ କହି କିଛି ପ୍ରଶଂସା ନିଶ୍ଚୟ କରିଛି । ତା’ ନ ହେଲେ ବାମା ଏତେ କଥା ଜାଣିଲା କିପରି ଏବଂ ସେ ବା କାହିଁକ ତାଙ୍କ ପ୍ରତି ଏତେ ଦରଦୀ ହୁଅନ୍ତା ? ଯାହାହେଉ ସେ ଉତ୍ତର ଦେଲେ,‘‘ସବୁବେଳେ କ’ଣ ମଣିଷ ପାଖରେ ଧନ ଆଉ ଭୋଗବିଳାସ ବଡ଼ ବୋଲି ତୁମେ ଭାବ ବାମା ? ଦୁନିଆର ସବୁ ଲୋକଙ୍କ ପାଖରେ କ’ଣ ଏହି ଦୁଇଟା ଜିନିଷ ବଡ଼ ହୋଇପାରେ ?’’

 

‘‘ହଁ, ହଁ ସତକଥା ବାବୁ । ବୁଝିଲି । ଯେଉଁ ମଣିଷ ପରର ସେବାଟାକୁ ବଡ଼ କରି ଧରେ ତା’ର ଧନ ବା ଭୋଗବିଳାସ କ’ଣ ହେବ ? ଏକଥା ମୋ ମୁଣ୍ଡରେ ମୋଟେ ପଶି ନ ଥିଲା । ଠିକ୍‌ ଯେମିତି ଆମ ଦାଶେ ଆପଣେ କରିଥିଲେ । ତାଙ୍କ ନାଁ ତ କ’ଣ କହନ୍ତି ‘ଗୋପ’, ଆଉ ଆପଣ ବି ତ ସେଇପରି ଜଣେ ‘ଗୋପ’ ଆସିଛନ୍ତି ଆମ ଅଞ୍ଚଳକୁ । ଭଗବାନ ଆପଣଙ୍କୁ କୋଟି ପରମାୟୁ ଦେଇଥାନ୍ତୁ । ଆପଣ ଆମ ଏ ଦୁଃଖୀରଙ୍କିଙ୍କର ଜୀବନସଙ୍ଖାଳି ହୋଇ ରହନ୍ତୁ ।’’

 

ବାମାର ପ୍ରଂଶସାରେ ଗୋପାଳବାବୁଙ୍କର ମନ ପୂରି ଉଠିଲା । ହେଲେ ତାଙ୍କ ମନ ରହିଛି ଚପଳା ବିଷୟରେ ଦି’ପଦ ପଚାରିବାକୁ । ତେଣୁ ସେ ପଚାରିଲେ,‘‘ଆଚ୍ଛା ମୋ ବିଷୟରେ ତୁମ ଘରେ କାହିଁଙ୍କି ଆଲୋଚନା ହେଉଥିଲା କି ?’’

 

ବାମା ବାଧ୍ୟ ହୋଇ କଥାର ମୋଡ଼ ଘୂରାଇ କହିଲା,‘‘ସେ କଥାତ ବାବୁ ଗୋଟେ ପୁରାଣ-। ଆମ ଚନ୍ଦୁବାବୁଙ୍କୁ ଭାରି ଜର ହେଇଛି । ତିନି ଚାରି ଦିନ ହେଲା ଅଳ୍ପ ଅଳ୍ପ ହେଉଥିଲା । ଆଜି ସକାଳୁ ବେଶୀ ହେଇଛି । ଆସ୍ତେ ଆସ୍ତେ ଜର ବଢ଼ି ଯାଇଛି ଯେ ବେଳେ ବେଳେ ଚେତା ରହୁନି । ବାବୁ କହିଲେ ଆପଣଙ୍କୁ ଡାକିବାକୁ । ଛୋଟ ଦେଈ ବି ସେଇ କଥା କହିଲେ । ହେଲେ ବଡ଼ ଦେଇ କହନ୍ତି ହରିବାବୁଙ୍କଠାରୁ ପୁଡ଼ିଆ ଓଷୁଅ ଆଣିବାକୁ । ଆପଣଙ୍କ ଓଷୁଅ ଖୁଆଇଲେ କୁଆଡ଼େ ତା’ ମୁଣ୍ଡ ବିଗିଡ଼ି ଯିବ । ମୁଁ ବାବୁ ସତକଥା କହୁଛି, ଭଲ ମନ୍ଦ କିଛି ଜାଣିନି । ଦେଖେ ଯିଏ ସମସ୍ତଙ୍କୁ ସୁବିଧାରେ ରୋଗରୁ ଭଲକରି ଦେଉଛନ୍ତି ସିଏ ଭଲ । ପଇସା ନ ଥିଲେ ଦୋସରା କଥା-। ପଇସା ଥିଲେ ଓ ପଇସା ଖର୍ଚ୍ଚ କରିବାକୁ ମନ ଥିଲେ ଯିଏ ଭଲ, ତାକୁ କାହିଁକି ନ ଡାକିବା-? ଯାହାହେଉ ସେମାନଙ୍କ ଭିତରେ ବହୁ ତରକ ପରେ ଠିକ୍ ହେଲା ଆପଣଙ୍କୁ ଡାକିବାକୁ । ଛୋଟ ଦେଇ ତ କହିଲେ ଯଦି ବାପା ଆପଣଙ୍କୁ ନ ଡାକି ହରିବାବୁଙ୍କୁ ଆଣନ୍ତି ତା’ ହେଲେ ସେ ନିଜେ ଆସି ଆପଣଙ୍କୁ ଡାକି ନେଇ ବସାଇବେ । ସେଥିରୁ ଯାଇ ବାଧ୍ୟ ହୋଇ ବଡ଼ ଦେଈ ତୁନି ହେଲେ । ଆଉ ବାବୁ ମୋତେ ପଠାଇଲେ ।’’

 

ଘର ହୋଇ ଯାଇଥିଲା । ଦାଣ୍ଡ ପିଣ୍ଡାରେ ଠିଆ ହୋଇ ରାଉତରାୟ ଅପେକ୍ଷା କରିଥିଲେ, ସଙ୍ଗେ ସଙ୍ଗେ ତଳକୁ ଓହ୍ଲାଇ ଆସି ଗୋପବାବୁଙ୍କୁ ନମସ୍କାର କରି ପାଛୋଟି ନେଲେ । ସେମାନେ ସିଧା ଚନ୍ଦୁର ଶୋଇବା ଘରକୁ ଗଲେ । ଚପଳା ଚନ୍ଦୁର ମୁଣ୍ଡରେ କନାପଟି ଦେଉଥିଲା, ବିମଳା ଦେବୀ ଗୋଡ଼ ଆଉଁସି ଦେଉଥିଲେ । ଦୁହେଁ ଗୋପବାବୁଙ୍କୁ ଦେଖି ଖଟ ଉପରୁ ତଳକୁ ଓହ୍ଲାଇ ଆସିଲେ । ଚପଳା ସ୍ମିତ ହସି ତାଙ୍କୁ ନମସ୍କାର କରି ଆଖି ନୂଆଁଇ ଖଟର ମୁଣ୍ଡପଟ ବାଡ଼କୁ ଲାଗି ଠିଆ ହେଲା । ବାଟରେ ବାମାଠାରୁ ତାଙ୍କର ପ୍ରଶଂସା ଓ ତାଙ୍କୁ ଆଣିବାକୁ ଚପଳାର ଯିଦ୍ ଶୁଣି ଗୋପାଳବାବୁଙ୍କର ମନ ଆନନ୍ଦରେ ଉଲ୍ଲସିତ ହୋଇ ଉଠିଥିଲା । ତା’ପରେ ଚପଳାକୁ ଏପରି ସହଜରେ ଦେଖିପାରି ଏବଂ ତା’ଠାରୁ ନମସ୍କାର ସହ ହସର ଭାଷାରେ ମନର ଅକୁହା କଥା ଶୁଣି ଚନ୍ଦୁକୁ ଦେଖି ଆସିବା ତାଙ୍କର ଗୋଟିଏ ଭାଗ୍ୟ ବୋଲି ସେ ଭାବିନେଲେ ।

 

ମନର ଆନନ୍ଦରେ ହୃଦୟରେ ସ୍ଥିରତା ଆସେ । ହୃଦୟର ସ୍ଥିରତା ହିଁ ମନରେ ଦୃଢ଼ତା ସୃଷ୍ଟି କରେ । ତେଣୁ ଚେତନା ହରାଉଥିବା ପରି ଜ୍ୱରରେ ଆକ୍ରାନ୍ତ ଏକ ରୋଗୀକୁ ଦେଖିବାକୁ ଆସିଲା ବେଳେ ଯେଉଁ ଭୟ ଓ ଆଶଙ୍କା ତାଙ୍କର ନୂଆ ମନରେ ସୃଷ୍ଟି ହୋଇଥିଲା ତାହା ଦୂର ହୋଇଥିଲା । ଦୃଢ଼ତା ଓ ଉତ୍ସାହ ନେଇ ସେ ରୋଗୀକୁ ଦେଖିଲେ ।

 

ଥର୍ମୋମିଟାରରେ ଦେଖିଲେ ପାଟିରେ ଜ୍ୱର ଅଛି ୧୦୩.୨ । ଷ୍ଟେଥିଷ୍‌କୋପରେ ମଧ୍ୟ ଛାତି ଓ ପିଠି ଉଭୟ ପଟୁ ସ୍ପନ୍ଦନ ପରୀକ୍ଷା କଲେ । ତଳିପେଟ ଚିପି ପାଟର ଲକ୍ଷଣ ମଧ୍ୟ ପରୀକ୍ଷା କରି ନେଲେ । ପରେ ସେ ପ୍ରଶ୍ନ କଲେ ବିମଳା ଦେବୀଙ୍କୁ ଆରମ୍ଭ ଦିନଠାରୁ ଆଜିପର୍ଯ୍ୟନ୍ତ ବିଭିନ୍ନ ଲକ୍ଷଣ ବିଷୟରେ । କିନ୍ତୁ ଲଜ୍ଜାବଶତଃ ବିମଳା ଦେବୀ ଉତ୍ତର ନ ଦେଇ ଚପଳାକୁ ହିଁ କହିଲେ ଉତ୍ତର ଦେବାକୁ । ଫଳରେ କଳ୍ପନା ରାଜ୍ୟରେ ବିଚରଣ କରୁଥିବା ଦୁଇଟି ଉଲ୍ଲସି ଉଠିଲେ ।

 

ଚପଳା ହିଁ ସବୁ ଉତ୍ତର ଦେଲା । ସେ ମିଷ୍ଟ କଣ୍ଠର ଉତ୍ତର ବୁଝିବାକୁ ଯେତେ ଇଚ୍ଛା ନ ଥିଲା; ଥିଲା ତା’ର ଭାଷାର ଲାଳିତ୍ୟ ଉପଭୋଗ କରିବାକୁ । ହେଲେ କର୍ତ୍ତବ୍ୟରତ ଡାକ୍ତର ପାଖେ ଏପରି ରସାଳ କଳ୍ପନା ମହାପାପ–ଘୋର ଅନିଷ୍ଟକର–ଏ ଚେତନା ମନରେ ଜାଗ୍ରତ ହେବାରୁ ଗୋପବାବୁ ପୁଣି କର୍ତ୍ତବ୍ୟ ମୁଖର ହୋଇ ପଡ଼ିଲେ ।

 

ଚପଳାର କଥାରୁ ମୋଟାମୋଟି ସେ ଯାହା ଜାଣିଲେ ସେଥିରେ ସେ ଆଶଙ୍କାନ୍ୱିତ ହେଲେ । ଚାରିଦିନ ହେଲା ଜ୍ୱର ପ୍ରାୟ ଏକ ଅବସ୍ଥାରେ ରହିଥିଲା । କେବଳ ପଥ୍ୟ ଜଗିବା ବ୍ୟତୀତ ସେମାନେ ଅନ୍ୟକିଛି ଚିକିତ୍ସା କରି ନ ଥିଲେ......ସାମାନ୍ୟ ସର୍ଦ୍ଦିରୁ ଜ୍ୱର ହୋଇଥିବା ଯୋଗୁଁ ଛାଡଯିବ ବୋଲି । ଝାଡା ନିୟମିତ ହେଉନି । ଶୋଷ ପ୍ରାୟ ନାହିଁ । ଆଜି ସକାଳୁ ଜ୍ୱରର ପ୍ରକୋପ ବଢ଼ି ବର୍ତ୍ତମାନ ପ୍ରାୟ ୧୦୩ କୁ ଆସିଛି । ସନ୍ଧ୍ୟା ପୂର୍ବରୁ ମାତ୍ରା ଖୁବ୍ ଅଧିକ ହୋଇ ଥରେ ଦୁଇଥର ସେ ଚେତନା ହରାଇଲଣି । ଦୁର୍ବଳ ଶରୀର, ତେଣୁ ଏ ତାପ ତା’ପକ୍ଷରେ ଖୁବ୍ ବେଶୀ । ଟାଇଫଏଡ୍‌ର ଆଶଙ୍କା ହେଲେ ବି ସେ ନିଶ୍ଚିତ ହୋଇ ପାରିଲେ ନାହିଁ । ତେଣୁ କେବଳ ଜ୍ୱରର ମାତ୍ରା ଯେପରି ଆଉ ଅଧିକ ନ ବଢ଼େ ସେଥିପାଇଁ ଦୁଇଟି ବଟିକା ଖାଇବାକୁ ଦେଇ ଅନ୍ୟାନ୍ୟ ଉପଚାରର ବିଧି ବତାଇ ସେ ଘରୁ ବାହାରି ଆସିଲେ ।

 

ବାଟ ଘରେ ମଶିଣାରେ ବସି ନିଧିବାବୁଙ୍କୁ ଡାକିଲେ । ନିଧିବାବୁ ବ୍ୟସ୍ତହୋଇ ଆସି ବସି ରୋଗଟା କ’ଣ ବୋଲି ପଚାରିଲେ । ଟାଇଫଏଡ୍ ବୋଲି କହିବାକୁ ସାହସ ହେଲାନି । ତେଣୁ ଖାଲି ଜ୍ୱର ବୋଲି ହିଁ କହିଲେ । ଏତିକିବେଳେ ଚପଳା ପୁଣି ଆସିଲା । ତା’ର ପାଦର ଶବ୍ଦ ବି ଅଲକ୍ଷ୍ୟରେ କେମିତି ତାଙ୍କ ମନ ବାରି ନେଇଛି । ତେଣୁ ଆଖି ଆପେ ଆପେ ସେ ଆଡ଼େ ଘୂରିଗଲା-

 

ଚପଳାର ହାତରେ ପାନଥାଳିଆ । କିନ୍ତୁ ସେ ପାନ ଖଆନ୍ତି ନାହିଁ । ତେଣୁ କାଚଥାଳିଆରୁ ଦୁଇଟି ଗୁଜୁରାତି ହିଁ ଉଠାଇ ନେଲେ । ଚପଳାର ଇଚ୍ଛା ତାଙ୍କୁ ବାଧ୍ୟକରି ପାନ ଦେବାକୁ । କିନ୍ତୁ ଉପାୟହୀନ ଭାବେ ସେ କିଛି ସମୟ ଥଙ୍ଗ ଥଙ୍ଗ ହୋଇ ପରେ ଥାଳିଆଟି ମଶିଣା ଉପରେ ରଖିଦେଇ ଚାଲିଗଲା ।

 

ନିଧିବାବୁଙ୍କୁ ଆଶ୍ୱାସନା ଦେଇ ଜ୍ୱରର ମାତ୍ରା ଟିପି ରଖିବା ପାଇଁ କହି ସେ ଉଠିଲେ । କିନ୍ତୁ ନିଧିବାବୁ ଥର୍ମୋମିଟାର ନାହିଁ କହି ଅକ୍ଷମତା ପ୍ରକାଶ କରିବାରୁ ନିଜର ଥର୍ମୋମିଟରଟି କାଢ଼ି ଦେଲେ ଏବଂ କହିଲେ ‘‘ଏଇଟି ରଖନ୍ତୁ, ଦୁଇ ତିନି ଘଣ୍ଟାରେ କିମ୍ବା ଯେତେବେଳେ ସେ ଜ୍ୱର କମ୍ କିମ୍ବା ବେଶୀ ଅନୁଭବ କରିବ ସେତେବେଳେ ଜ୍ୱର ମାପିବେ । ମୋର ଆଉ ଗୋଟାଏ ଅଛି । ପରେ ଜ୍ୱର ଛାଡିଲେ ଫେରାଇ ଦେବେ ।’’

 

କିନ୍ତୁ ନିଧିବାବୁ ନଛୋଡବନ୍ଧା । ଥର୍ମୋମିଟାର ଓ ଔଷଧର ଦାମ ସହ ଫିସ୍ ନେବା ପାଇଁ ଦଶଟଙ୍କିଆ ନୋଟଟିଏ ଆଣି ଧରାଇଦେଲେ । ଗୋପାଳବାବୁ ପରେ ଚନ୍ଦୁର ଦେହ ଭଲ ହେଲେ ନେବେ ବୋଲି କହି ଫେରାଇ ଦେଇ ବାହାରି ଆସିଲେ ।

 

ଏତେବେଳେ ପୁଣି ଚପଳା ଦେଖାଦେଲା । କାନ୍ଦିଲା ସ୍ୱରରେ କହିଲା, ‘‘ଆପଣ କାଲି ସକାଳୁ ପ୍ରଥମେ ଯେପରି ଚନ୍ଦୁକୁ ଦେଖନ୍ତି । ତା’ପରେ ଅନ୍ୟ ଜାଗାକୁ ଯିବେ । କାଲି ପୁଣି ଥରେ ଆପଣ ତାକୁ ଭଲ କରି ଦେଖିସାରି କିଛି ସୁବ୍ୟବସ୍ଥା ନ କଲାଯାଏଁ ଆମ ଘରେ ଖାଇବା ପିଇବା ବନ୍ଦ ।’’

 

‘‘ନା-ନା, ଏତେଟା ବ୍ୟସ୍ତ ହେବାର କିଛି ନାହିଁ । ଯେଉଁ ବଟିକା ଦୁଇଟି ଦେଲି, ତାହା ଅନ୍ତତଃ ଜ୍ୱରକୁ ବଢ଼ିବାକୁ ଦେବ ନାହିଁ ଓ ଖୁବ୍ ବେଶୀ ୧୦୨ ଭିତରେ ରଖିବ । ତା’ପରେ ମୁଁ ତ ନିଶ୍ଚୟ କାଲି ସକାଳୁ ଆସୁଛି ।’’ ଆଉ ଅଧିକ କିଛି ନ ଥିଲା କହିବାକୁ, ତେଣୁ ସେ ଦାଣ୍ଡରେ ଗୋଡ଼ ଦେଲେ। ବାମା ପୁଣି ତାଙ୍କୁ ଅନୁସରଣ କଲା । ସେ ଏକା ଫେରିଯିବେ ବୋଲି ଯେତେ କହିଲେ ବି ନିର୍ଜ୍ଜନ ରାସ୍ତାରେ ରାତିରେ ତାଙ୍କୁ ଏକା ଛାଡ଼ି ଦେବାକୁ କେହି ରାଜି ହେଲେନି । ଅଗତ୍ୟା ସେ ବାମା ସହିତ ଘରକୁ ଫେରିଲେ ।

 

ବାଟ ଯାକ ପୁଣି ବାମା ଓ ଗୋପବାବୁଙ୍କର ଆଳାପ ଚାଲିଲା । ବାମାଠାରୁ ନିଧିବାବୁଙ୍କର ବଂଶ ଇତିହାସ ବିନା ପ୍ରଶ୍ନରେ ସେ ଅଳ୍ପେ ବହୁତେ ସବୁ ଶୁଣିଗଲେ । ବାମା ଗପି ବସିଲେ ଆଉ କିଛି ବାକି ରଖେନି, ପର ଆପଣା ଭେଦ ରଖେନି । ଏତକ ତାର ଭଲ କି ଖରାପ ଗୁଣ ସେ ନେଇ ଲୋକ ଭିନ୍ନରେ ମତ ଭିନ୍ନ ହୁଏ । ତେବେ ଏତିକି ଯେଉଁ ବିଷୟ କାହାକୁ କହିବାକୁ ତାକୁ ମନା କରାଯାଇଥିବ, ତାକୁ ମାରିଦେଲେ ବି ସେ ସେତକ କାହାରିକୁ କେବେହେଲେ କହିବ ନାହିଁ । ତେଣୁ ଅନେକ ତା’ର ଏଇ ମେଳାପୀ ଓ ଅକପଟ ଗପସପକୁ ଭଲ ବୋଲି କହିଥାନ୍ତି ।

 

ଗୋପବାବୁ ନ ପଚାରି ମଧ୍ୟ ଚପଳା ସମ୍ବନ୍ଧରେ ବାମାଠାରୁ ଅନେକ ଶୁଣିପାରିଲେ । ଚପଳାର ସୁଗୁଣ ବିଷୟରେ ବାମାର ଅକୁଣ୍ଠ ପ୍ରଂଶସା ଶୁଣି ସେ ନିଜେ ବି ମନେ ମନେ ଚପଳା ପ୍ରତି ପ୍ରଶଂସାମୁଖର ହୋଇ ଉଠିଲେ । ହେଲେ ବାହାରକୁ ପ୍ରକାଶ କରିପାରିଲେ ନାହିଁ ।

 

ଚପଳାର ବୟଃପ୍ରାପ୍ତି ପରେ ପାଠପଢ଼ା ନେଇ ବିବାଦ ଓ ମଧୁବାବୁଙ୍କ ଦ୍ୱାରା ତା’ର ସମାଧାନ ଶୁଣି ସେ ମନେ ମନେ ହସିଉଠିଲେ ।

 

ଏହା ଭିତରେ ସେମାନେ ଗାଁ ଭିତରକୁ ପଶି ସାରିଥିଲେ । ତେଣୁ ଆଲୋଚନା ବନ୍ଦ ହେଲା । ମଧୁବାବୁଙ୍କ ଦ୍ୱାର ମୁହଁରୁ ବାମା ବିଦାୟ ନେଲା ।

 

ପରଦିନ ସାରା ସକାଳୁ ଗୋପବାବୁଙ୍କର ନିଦ ଭାଙ୍ଗି ଯାଇଛି । ୫ଟା ବେଳକୁ ତାଙ୍କର ସମସ୍ତେ ନିତ୍ୟକର୍ମ ସରିଯାଇଛି । ଗୋପବାବୁଙ୍କର ଏପରି ତତ୍ପରତା ଦେଖି ଆଶ୍ଚର୍ଯ୍ୟ ହୋଇ ଆସି ପଚାରିଲା, ‘‘କି ଗୋପଭାଇ, ଏତେ ସକାଳୁ ଆଜି ତତ୍ପର କାହିଁଙ୍କି ?’’

 

‘‘ଚନ୍ଦୁର ରୋଗଟା ଠିକ୍ କରି ପାରିନି । ତେଣୁ ଆଜି ଆଗ ତାକୁ ଆଉ ଥରେ ପରୀକ୍ଷା କରି ଜ୍ୱରଟା କି ଧରଣର ଦେଖି ଠିକ୍ ଔଷଧର ବ୍ୟବସ୍ଥା କରିଦେବା ଉଚିତ । ସେଇଥିପାଇଁ ସକାଳୁ ସକାଳୁ ଯିବାକୁ ହେଉଛି ।’

 

‘‘ଜଳଖିଆ କରି ଯିବ କି ନାହିଁ ?’’ ହସି ପଚାରିଲା ଛନ୍ଦା ।

 

‘‘କାହିଁ ? ଜଳଖିଆ ନ କରି ଯିବାର ପ୍ରଶ୍ନ କାହିଁଙ୍କି ?’’ ଗୋପବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।

 

‘‘ଆରେ......ଚପଳା ଘରକୁ ଯାଉଛ ! କେତେ ଆଗ୍ରହରେ ସେ ବସିଥିବ ତୁମକୁ ଚର୍ଚ୍ଚା କରିବାକୁ......ଆଉ ତୁମେ ଏଣୁ ପେଟେ ଖାଇଯାଇ ସେଠି ତାକୁ ମନା କରିଦେବ । ଏଟା କ’ଣ ସୁନ୍ଦର ହେବ ?’’ ଛନ୍ଦାର ମୁହଁରେ ଉଦ୍ଧତ ହସ ।

 

ଛନ୍ଦା ଭାଷାର ପ୍ରକୃତ ଭାବଟା ଗୋପବାବୁ ବୁଝି ପାରିଲେ, ହେଲେ ସେ ସେହିପରି ଉପର ଠାଉରିଆ ଢଙ୍ଗରେ ହସି ଉତ୍ତର ଦେଲେ, ’’କିଏ କାହାକୁ କେମିତି ଆଦର କରିବାକୁ ବସିଥିବ, ସେ ସବୁକୁ ଲକ୍ଷ୍ୟ କରିବାକୁ ଡାକ୍ତରଙ୍କ ସମୟ କାହିଁ ? ସେ ସଦା କର୍ତ୍ତବ୍ୟରତ । ଠାଏ କାମ ସରିଲେ ଆଉଠାରୁ ଆଗେଇ ଯିବା ତା’ର କର୍ତ୍ତବ୍ୟ । ସେ ଚର୍ଚ୍ଚା ହେବାକୁ କେଉଁଠି ଅଟକି ପାରିଲେ ତ ?’’

 

‘‘ହସ, ଦେଖିବା......’’ କହି ଛନ୍ଦା ଭଣ୍ଡାର ଘରକୁ ଚାଲିଗଲା । କିଛି ସମୟ ପରେ ପୁଣି ଫେରି ଆସିଲା ମିଶିରି ପାଣି ଗ୍ଲାସେ ନେଇ ।

 

ଗୋପବାବୁ ବିରକ୍ତ ହୋଇ କହିଲେ, ‘‘ଆରେ ଏ କ’ଣ । ମୋତେ ଶାମ ଭାଇନା ଦୋକାନରେ କିଛି ସମୟ ଅଟକିବାକୁ ପଡ଼ିବ ଜଣା ପଡ଼ିଲାଣି ।’’

 

‘‘ନାଇ ମ, ଏତେ ସକାଳୁ ଜଳଖିଆ ପ୍ରସ୍ତୁତ ହୋଇନି । ମୋର କରିବାର କଥା ମୁଁ କରିପାରିନି–ସେଥିପାଇଁ ଅବସ୍ୟ ମୋତେ କ୍ଷମା କରିବ । ଆସିଲା ବେଳକୁ ନିଶ୍ଚୟ ଗରମାଗରମ ରଖିଥିବି । ମୋ ରାଣ, ଆସିଲେ ଖାଇବ-’’ ଛନ୍ଦା ମନେ ମନେ ଚପଳା ସହ ପ୍ରତିଯୋଗିତା କରି ବସିଛି ଉଦ୍ଦେଶ୍ୟ, ଚପଳା ନିଶ୍ଚୟ ଜଳଖିଆ ଦେବ । ଦେଖାଯାଉ ଗୋପଭାଇ କେଉଁଠି କାହା ହାତର ଜଳଖିଆ ଖାଇବେ । ତେଣୁ ସେ ରାଣ ବି ପକାଇଦେଲା ।

 

ବାଧ୍ୟହୋଇ ସର୍ବତ ପିଇ ଗୋପବାବୁ ବାହାରି ଗଲେ । ଖରାଦିନ ସକାଳେ ଅବସ୍ୟ ସର୍ବତ ତାଙ୍କୁ ମନ୍ଦ ଲାଗିଲାନି ।

 

X X X

 

ରାତି ସାରା ଚନ୍ଦୁର ଦେହ ପାଇଁ ସମସ୍ତେ ବ୍ୟସ୍ତ । ଚନ୍ଦୁର ମୁଣ୍ଡ ପାଖରେ ଚପଳାର ରାତିଟି ପାହିଗଲା । ଗୋପବାବୁଙ୍କର ପରାମର୍ଶ ଅନୁସାରେ ସେ ପ୍ରତି ମୁହୂର୍ତ୍ତରେ ପାଣିକନାର ପଟି ଚନ୍ଦୁ କପାଳରେ ପକାଉଥାଏ ଏବଂ ପ୍ରାୟ ପ୍ରତି ଘଣ୍ଟାରେ ଥରେ ଜ୍ୱର ମାପି ଲେଖି ରଖୁଥାଏ । ସୁଖର କଥା ରାତି ବାରଟା ପରେ ଚନ୍ଦୁର ଜ୍ୱର ୧୦୧ କୁ ଖସି ଆସିଲା । ଚପଳା ମନେ ମନେ ଗୋପବାବୁଙ୍କୁ ଅଜସ୍ର ପ୍ରଶଂସା କରିବାରେ ଲାଗିଲା । ରାତିସାରା ତାଙ୍କରି ବିଷୟ ବହୁ ପ୍ରକାର ଭାବି ଭାବି ତା’ର କଟିଗଲା । ରାତି ଅନିଦ୍ରା ହେବା ହୁଏତ ତା’ ଜୀବନରେ ଏହା ପ୍ରଥମ । କିନ୍ତୁ ଭାବନାରେ ବୁଡ଼ିରହି ସେ ତିଳେହେଲେ କ୍ଳାନ୍ତି ଅନୁଭବ କଲା ନାହିଁ ।

 

ସକାଳୁ ଖୁବ୍ ତରତର ହୋଇ ଗାଧୋଇ ଆସି ସେ ଜଳଖିଆ ପ୍ରସ୍ତୁତ କରିବାରେ ଲାଗିଗଲା । ଚପଳାକୁ ଏପରି କର୍ମ ତତ୍ପର ହେବା କେବେ ହେଲେ ବିମଳା ଦେବୀ ଦେଖି ନ ଥିଲେ-। ସାରା ରାତି ଅନିଦ୍ରାରେ କଟାଇ ମଧ୍ୟ ପୁଣି ସକାଳୁ ଜଳଖିଆ ତିଆରି କରିବାକୁ ଯେତେବେଳେ ଚପଳା ଗଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ । ଚପଳାକୁ ବିଶ୍ରାମ ନେବାକୁ କହିଲେ । କିନ୍ତୁ ଚପଳାର ଅନ୍ତଃରାଜ୍ୟରେ ଆଜି ଯେଉଁ ଦେବତା ପୂଜା ନୈବେଦ୍ୟ ପାଇବା ପାଇଁ ଆସିବେ ତାଙ୍କୁ କି ଉପେକ୍ଷା କରି ଚପଳା ବିଶ୍ରାମ ନାଇପାରେ ? ତେଣୁ ଚପଳା ପିଉସୀଙ୍କର କଥା ଶୁଣି ମଧ୍ୟ ନ ଶୁଣିଲା ପରି ତୁନି ରହିଲା । ସେ ଆଜି ଗୋପବାବୁଙ୍କୁ ନିଶ୍ଚୟ ଜଳଖିଆ ଖୁଆଇ ଛାଡ଼ିବ । ଯେ ତା’ର ଆଦରର ଭାଇକୁ ଦେଖିବା ପାଇଁ ଆସିବେ; ସେ କ’ଣ ତାଙ୍କୁ ଖାଲି ଖାଲି ଛାଡ଼ି ଦେଇପାରେ-?

 

ମହନଭୋଗ ଓ କାକରା ଇତ୍ୟାଦି ପ୍ରସ୍ତୁତ କରୁ କରୁ ଚପଳା ଭାବି ଚାଲିଛି ଅନ୍ୟ ଦିନ କଥା । ବାସ୍ତବିକ୍ ଖାଲି ଦିନ ହୋଇଥିଲେ ବା ଅନ୍ୟ କେହି ହୋଇଥିଲେ ସେ ଯେ ଏତେ ତତ୍ପର ହୋଇ ଜଳଖିଆ ପ୍ରସ୍ତୁତ କରିଥାନ୍ତା ତାହା ନିଜେ ବି ବିଶ୍ୱାସ କରି ପାରିଲା ନାହିଁ । ଗୋପବାବୁଙ୍କର ପ୍ରଶାନ୍ତ ମୁଖମଣ୍ଡଳରେ କି କୁହୁକ ଭରି ରହିଛି କେଜାଣି, ପ୍ରଥମ କରି ଦେଖିଲା ଦିନୁ ସେ ମୁଖମଣ୍ଡଳକୁ ସେ ଆଉ ପାଶୋରି ପାରୁନି । ସଦା ସର୍ବଦା ଗୋପବାବୁଙ୍କର ମୁଖଚ୍ଛବି ତା’ର ହୃଦୟ ଭିତରେ ସ୍ପନ୍ଦନ ଖେଳାଇ ଆଖି ଆଗରେ ନାଚି ଉଠୁଛି । ସେଇ ଗୋପବାବୁଙ୍କ ଆଜି ଜଳଖିଆ ଖାଇବାକୁ ଦେଇ ପାରିବ, ଏହି ଆନନ୍ଦଭାବ ହିଁ ତାକୁ ଅଭିଭୂତ କରି ଦେଇଛି ।

 

ଦାଣ୍ଡ ଆଡ଼ୁ କଥା ଭାଷା ଶୁଣି ଚପଳା ମୁଣ୍ଡ ଟେକି ଚାହିଁଲା-ହସି ହସି ଗୋପବାବୁ ପଶି ଆସୁଛନ୍ତି ଘର ଭିତରକୁ । ପଛରେ ବାପା । ଚପଳା ତ୍ରସ୍ତ ଭାବେ ନିଜର ଚାରିଆଡ଼େ ଥରେ ଆଖି ବୁଲାଇ ଆଣି ନିଜକୁ ସଜାଡ଼ି ନେଇ ନିଜ କାମରେ ଲାଗିପଡ଼ିଲା ଯେପରିକି ଗୋପବାବୁଙ୍କର ଆଗମନରେ ତା’ର କିଛି ଯାଏ ଆସେ ନାହିଁ । ଗୋପବାବୁ ଯେ ତାକୁ ନିବିଡ଼ଭାବେ କାମରେ ଲାଗିଥିବା ଦେଖି ମନେ ମନେ ହସୁଥିବେ, ଏହା ଅନୁମାନ କରି ସେ ମୁଣ୍ଡକୁ ଆଉରି ତଳକୁ ପୋତିଦେଲା ।

 

କିଛି ସମୟ ପରେ ଚନ୍ଦୁର ଶୋଇବାଘରୁ ନିଧି ରାଉତରାୟ ଚପଳାକୁ ଡାକ ଛାଡ଼ିଲେ । ସତେ ଯେପରି ଏହି ମୁହୂର୍ତ୍ତକୁ ଅପେକ୍ଷା କରି ସେ ରହିଥିଲା । ସାଙ୍ଗେ ସାଙ୍ଗେ ଜଳଖିଆ ସାମଗ୍ରୀ ଘୋଡ଼ାଇ ରଖିଦେଇ ସେ ନିଜର ଶାଢ଼ୀ ଭଲକରି ବାଗେଇ ବାଗେଇ ନେଇ ସେ ଘରକୁ ଗଲା

 

ନିଧିବାବୁ ଚପଳାକୁ ଦେଖି କହିଳେ, ‘‘ଏଇ ମା ଚପଳା । ତୁ ଗୋପବାବୁଙ୍କ ପ୍ରଶ୍ନସବୁ ଶୁଣି ତା’ର ଉତ୍ତର ଦେଲୁ । ମୁଁ ତ ମା କିଛି ଜାଣେନି । ଆହା ଚନ୍ଦୁ ତ ମୋ ଚପଳାର ଛାଇ । କାଲି ସାରା ରାତି ଅନିଦ୍ରା ରହି ଭାଇ ମୁଣ୍ଡ ପାଖରେ ବସିଛି । ବୁଝିଲ ଗୋପବାବୁ, ତା’ ପିଉସୀ ଯେତେ କହିଲା ଟିକିଏ ଶୋଇ ପଡ଼ିବାକୁ ସେ କ’ଣ ଶୁଣିଲା । ବରଂ ବିରକ୍ତ ହୋଇ କହିଲା, ‘ତୁ ଜାଣିନୁ ପିଉସୀ, ଗୋପବାବୁ ପରା କହିଛନ୍ତି, ଜ୍ୱର ମାପିବାକୁ । ମୁଁ ତ ଶୋଇ ପଡ଼ିବି ଜ୍ୱର ମାପିବ କିଏ ?’

 

ଗୋପବାବୁ ଚପଳାକୁ ଏଠି କିଛି କହି ପାରିବାର ସୁଯୋଗ ପାଇ କହିଲେ, ‘‘ଅବଶ୍ୟ କର୍ତ୍ତବ୍ୟ ଦୃଷ୍ଟିରୁ ସେଟା ଠିକ୍ । ତଥାପି ଅନ୍ୟର ସେବା କରିବାକୁ ଯାଇ ନିଜର କ୍ଷତି ଯେପରି ନକର ଚପଳା !’’ ଚପଳାର ମୁହଁରେ ସତେ ଯେପରି ମେଞ୍ଚାଏ ସରମର ଫଗୁ କିଏ ବୋଳିଦେଲା । ସେ ଲାଜକୁଳୀ ଲତାପରି ଲାଜରେ ଝାଉଁଳି ପଡ଼ିଲା ।’’

 

ନିଧିବାବୁ ତାଙ୍କ କାମରେ ଚାଲିଗଲେ । ଗଲାବେଳେ କହିଗଲେ, ‘ମୁଁ ଆସୁଛି ଗୋପବାବୁ । ସେଣେ ଜଣେ ଭଦ୍ରଲୋକ ମୋତେ ଅପେକ୍ଷା କରିଛନ୍ତି । ମୋ ମା’ଠାରୁ ତ ସବୁ ବୁଝିବେ ଏବଂ ଆଉ ଯାହା କହିବାର କଥା କହିବେ ।’

 

ଚନ୍ଦନ ନିଶ୍ଚିନ୍ତରେ ଶୋଇଛି । ପାହାନ୍ତି ପହରୁ ତାକୁ ଭଲ ନିଦ ଆସି ଯାଇଛି । ଚନ୍ଦୁର ମୁଣ୍ଡରେ ଅନ୍ୟମନସ୍କ ଭାବେ ହାତ ବୁଲାଇ ଚପଳା କିଛି ହେଲେ ଭାବିବାକୁ ଚେଷ୍ଟା କରୁଛି । କିନ୍ତୁ କିଛି ଗୋଟାଏ ଭାବନା ତା’ର ମୁଣ୍ଡକୁ ଢୁକୁ ନାହିଁ । ଗୋପବାବୁ ଚପଳାର ବିବ୍ରତ ଅବସ୍ଥା ଦେଖି ମନେ ମନେ ହସିଲେ । ତାଙ୍କୁ ରହସ୍ୟ କରି ପଚାରିଲେ, ‘‘ତୁମେ କାହିଁଙ୍କି ବଡ଼ ବ୍ୟସ୍ତ ଜଣା ପଡ଼ୁଛ ଚପଳା !’’

 

ଚପଳା ଆହୁରି ଲାଜରେ ସଢ଼ିଗଲା । କିଛି ଉପାୟ ନାହିଁ । ଦୁର୍ଯୋଗକୁ ଏତେବେଳେ ପିଉସୀ ବି ଚାଲିଯାଇଛନ୍ତି ଏକବାର ନଈକୁ ଗାଧୋଇବାକୁ । ଆସିବେ କାହିଁ କେଜାଣି କେତେ ଡେରୀରେ । ବାମା କି ଗଜି କେହି ବି ଦେଖା ନାହାନ୍ତି । ବାପାଙ୍କର କି ବୁଦ୍ଧି ଯେ ଭାବି ଚପଳା ବିରକ୍ତ ହୋଇ ଉଠିଲା । ବିରକ୍ତିରେ ତା’ର ଆଖିକୁ ଲୁହ ବି ଆସିଗଲା । କିନ୍ତୁ କାଳେ ଆଖିରେ ଲୁହ ଦେଖିଲେ ଗୋପବାବୁ କିଛି ଭାବିବେ ସେଥିପାଇଁ ଆପ୍ରାଣ ଚେଷ୍ଟା କଲା ନିଜକୁ ସଂଯତ ରଖିବା ପାଇଁ । ପଦେ ମାତ୍ର କଥା ତା’ ପାଟିକୁ ଆସିଲା ନାହିଁ ।

 

ଚପଳା କିଛି ଉତ୍ତର ନ ଦେବା ଦେଖି ଅଗତ୍ୟା ଗୋପବାବୁ ଚନ୍ଦୁର ଶଯ୍ୟା ଉପରେ ବସିଯାଇ ତା’ର ହାତଟି ଧରି ନାଡ଼ୀ ପରୀକ୍ଷା କରିବାରେ ଲାଗିଲେ । ଚନ୍ଦୁର କାଖ ତଳେ ଥର୍ମୋମିଟର ଧରି ରଖି ଚପଳା ଆଡ଼େ ଚାହିଁଲେ । ଚପଳା ଆହୁରି ତଳକୁ ମଥା ପୋତି ଠିଆ ହେବାକୁ ଚେଷ୍ଟା କଲା । ଗୋପବାବୁ ପଚାରିଲେ,‘‘କାଲି ରାତିରେ ଜ୍ୱର କେତେ ଥିଲା ? ଚନ୍ଦୁ କାଲି ପ୍ରଳାପ କରିଥିଲା କି ? ତା’ର ମୁଣ୍ଡବ୍ୟଥା କମିଥିଲା ତ ? ଆଚ୍ଛା ସେ ବାନ୍ତି କରିବାକୁ ଚାହିଁଥିଲା ବା କହିଥିଲା କି ?’’ ବୃଥା । ଏତେ ଗୁଡ଼ାଏ ପ୍ରଶ୍ନର ପଦେ ହେଲେ ଉତ୍ତର ନାହିଁ । ଗୋପବାବୁ ଥର୍ମୋମିଟର ଆଣି ଦେଖିଲେ ଜ୍ୱର ୧୦୧ ଅଛି । ଚପଳା ଆଡ଼େ କିଛିକ୍ଷଣ ଚାହିଁ ରହି ପୁଣି କହିଲେ,‘‘ ଦେଖ ଚପଳା, ତୁମେ ଶିକ୍ଷିତା ଝିଅ । ହାଇସ୍କୁଲରେ ପଢ଼ୁଛ । ମଧୁବାବୁ ପରି ଆଧୁନିକ ଚେତନାଶୀଳ ବ୍ୟକ୍ତିଙ୍କର ତୁମେ ଛାତ୍ରୀ । ଅଥଚ ତୁମେ ଏପରି ଏକ ଜରୁରୀ ଓ ଆବଶ୍ୟକ କ୍ଷେତ୍ରରେ ବି ନିଜର ଲଜ୍ଜା ତ୍ୟାଗ କରି ପାରୁନ । ବାସ୍ତବିକ ବଡ଼ ଦୁଃଖର କଥା । ତା’ପରେ ମୁଁ ଆଶ୍ଚର୍ଯ୍ୟ ହେଉଛି ପ୍ରଥମ ଦିନର ତୁମର ସେ ପ୍ରଗଳ୍‌ଭତା ଆଜି କୁଆଡ଼େ ଗଲା ? ନିଜ ସାନ ଭାଇକୁ ଚିକିତ୍ସା କରିବାକୁ ଆସିଥିବା ଜଣେ ଡାକ୍ତରଙ୍କ ପ୍ରଶ୍ନର ଯଦି କିଛି ଉତ୍ତର ନ ଦେଇ ତୁମେ ନୀରବ ରୁହ ତେବେ ମୋର ଏଠାକୁ ଆସିବା ବୃଥା । ତେବେ ମୁଁ ଯାଉଛି, ବାପାଙ୍କୁ ଏହା ଜଣାଇଦେବ ।’’ ଗୋପବାବୁ ଶେଯ ଉପରୁ ଉଠିଆସି ନିଜର ବ୍ୟାଗ୍ ଓ ଷ୍ଟେଥିଷକୋପ୍ ପ୍ରଭୃତି ଧରି ଯିବାକୁ ବାହାରିଲେ ।

 

ଚପଳାର ଅତ୍ୟନ୍ତ ଇଚ୍ଛା, ସେ ଗୋପବାବୁଙ୍କୁ ଏକାନ୍ତରେ ପାଇ କେତେ କ’ଣ କହି ଯାଆନ୍ତା । କିନ୍ତୁ କେଉଁ ଅଦ୍ଭୁତ କାରଣରୁ ଆଜି ତା’ ପାଟିରୁ କଥା ପଦେ ହେଲେ ବାହାରି ପାରୁନି । ଗୋପବାବୁ ପାଦେ ପାଦେ ହୋଇ ଦି’ଚାରି ପାହୁଣ୍ଡ ଆଗେଇ ଗଲେଣି । ଅଥବ ଶତ ଚେଷ୍ଟା କରି ସେ ତାଙ୍କୁ ନ ଯିବା ପାଇଁ ବାରଣ କରି ପାରୁନି । ଶେଷକୁ ବହୁ କଷ୍ଟରେ ସେ ଉଚ୍ଚାରଣ କଲା,‘‘ଗୋପବାବୁ......ରହନ୍ତୁ ।’’

 

ଗୋପବାବୁ ଫେରି ଚାହିଁଲେ । କହିଲେ,‘‘କି ଲାଭ ? ତୁମେ ଯଦି ରୋଗୀ ସମ୍ବନ୍ଧରେ କିଛି କହିବ ନାହିଁ, ଏଠି ବୃଥା ସମୟ ନଷ୍ଟ କରି ଅନ୍ୟ ଆଡ଼େ ଚାହିଁ ବସିଥିବା ରୋଗୀଙ୍କୁ ହଇରାଣ କରିବି କାହିଁକି ?’’

 

ଚପଳା ଅତି ଧୀର ଅଥଚ ସ୍ପଷ୍ଟ କଣ୍ଠରେ ଜବାବ ଦେଲା । ‘‘ନାଁ, ଆପଣ ଆସନ୍ତୁ, ମୁଁ କହିବି ।’’

 

ଗୋପବାବୁ ଫେରିଆସି ପୁଣି ଚନ୍ଦର ଶଯ୍ୟା ପାଖରେ ବସି ପଡ଼ିଲେ । ଏହା ଭିତରେ ଜନ୍ଦୁର ନିଦ ଭାଙ୍ଗି ଯାଇଛି । ସେ ଖୁବ୍ ଆସ୍ତେ ଦୁଇହାତ ଯୋଡ଼ି ଗୋପବାବୁଙ୍କୁ ନମସ୍କାର କରିବାକୁ ଚେଷ୍ଟା କଲା । ମୁହଁରେ ତା’ର କ୍ଷୀଣ ହସ । ଗୋପବାବୁ ଚନ୍ଦୁର ହାତ ଦୁଇଟି ଧରି ରଖି କହିଲେ, ‘‘କିହୋ ବାବୁ, କିପରି ଲାଗୁଛି ?’’

 

‘‘ଭଲ’’ ଚନ୍ଦୁ ଉତ୍ତର ଦେଲା ।

 

ଚପଳା କାଲି ରାତିରେ ଜ୍ୱରର ମାପ ଟିପି ରଖିଥିବା ଖାତାଟି ଆଣି ଗୋପବାବୁଙ୍କୁ ବଢ଼ାଇ ଦେଇ ଧୀର କଣ୍ଠରେ କହିଲା, ‘‘ଏହିଥିରୁ ଚନ୍ଦୁର କାଲି ରାତିରେ କିପରି ଜ୍ୱର ଥିଲା ଜାଣିପାରିବେ । କାଲି ସେ ବାନ୍ତି କରିବାକୁ ଚାହିଁନି । ଭୋର ବେଳକୁ ମୁଣ୍ଡବ୍ୟଥା କମିବାରୁ ଚନ୍ଦୁ ଶୋଇ ପଡ଼ିଥିଲା । ଏଇ ଯାହା ଉଠିଲା । ଆଉ କିଛି ପଚାରିବାର ଥିଲେ ପଚାରନ୍ତୁ ।’’ ଚନ୍ଦୁ ଉଠିପଡ଼ିଥିବାରୁ ଚପଳାର ମନରେ ଦମ୍ଭ ଆସିଗଲା । ଏଥର ତା’ର ଆଉ ଭୟ ବା ସଂକୋଚ ରହିଲା ନାହିଁ, ଯଦିଓ ସେ ଖୁବ୍ ଧୀର ଭାବେ କଥା କହୁଥିଲା ।

 

ଗୋପବାବୁ ଖାତାଟି ଓଲଟାଇ ଚନ୍ଦୁର ଜ୍ୱରର ମାପ କେଉଁଠି ଲେଖାଅଛି ଖୋଜି ଦେଖିଲେ । ଖୁବ୍ ସୁନ୍ଦର ଅକ୍ଷର ଦେଖି ସେ ବିସ୍ମିତ ହୋଇଗଲେ । ଇଚ୍ଛା ହେଲା ଏହିପରି ହାତଲେଖା ସେ ଯେପରି ସବୁବେଳେ ପଢ଼ିବାକୁ ପାଆନ୍ତେ କି । କିନ୍ତୁ ସେ ସୁନ୍ଦର ଅକ୍ଷରରେ କ’ଣ ବା ଲେଖାଯାଇଛି ? ଦି’ଚାରିଟା ଅକ୍ଷର ଓ ଗୁଡାଏ ସଂଖ୍ୟା ମାତ୍ର । ତଥାପି ଏହି ସୁଯୋଗରେ ଚପଳାକୁ କିଛି ପ୍ରଶଂସା କରିବାର ସୁବିଧା ପାଇଁ ସେ କହିଲେ, ‘‘ତୁମ ଅକ୍ଷର ତ ଖୁବ୍ ସୁନ୍ଦର ଚପଳା-।’’

 

ଚପଳା ଲଜ୍ଜାରେ ମୁଣ୍ଡ ତଳକୁ କଲା ।

 

ଚନ୍ଦୁ ଗୋପବାବୁଙ୍କୁ ହଲାଇ ଦେଇ କହିଲେ, ‘‘ମୋ ଜ୍ୱର କ’ଣ ଭଲ ହେବନି ଡାକ୍ତରବାବୁ ? ମୁଁ ଏତେ ଶୋଇ ପାରିବି ନାହିଁ । ମୋତେ ଟିକେ ଶୀଘ୍ର ଭଳ କରି ଦିଅନ୍ତୁ ।’’

 

ଗୋପବାବୁଙ୍କର କର୍ତ୍ତବ୍ୟ ଚେତନା ଜାଗ୍ରତ ହେଲା । ସେ ଉଠି ଠିଆ ହେଲେ । କହିଲେ, ‘‘ଦେଖ ଚପଳା । ଚନ୍ଦୁ ଯେପରି ଆଦୌ ଥଣ୍ଡା ପବନକୁ ନ ଯାଏ । ତା’ର ରକ୍ତ ମୁଁ ବର୍ତ୍ତମାନ ନେଉଛି । ପରେ ବାମା ହାତରେ ମଳ ଓ ମୂତ୍ର ପଠାଇଦେବ । ପରୀକ୍ଷା କରି ନେବା ପରେ ତା’ର ପ୍ରକୃତ ଚିକିତ୍ସା ଆରମ୍ଭ କରିବି । ବ୍ୟସ୍ତ ହେବାର କିଛି ନାହିଁ । ମୋ ପାଖରେ ଗୋଟାଏ ଟନିକ୍ ଓ କେତେଗୁଡିଏ ବଟିକା ଅଛି, ମୁଁ ଦେଇଯାଉଛି, ତାକୁ ଖୁଆଇଥିବ । ମୁଁ ଆଜି କଟକ ଯାଉଛି କେତେକ କାମରେ । କାଲି ଆବଶ୍ୟକୀୟ ଔଷଧ ନେଇ ମୁଁ ନିଶ୍ଚୟ କଟକରୁ ସିଧା ଏଠାକୁ ସକାଳ ବସ୍‌ରେ ଫେରିବି । ଆଚ୍ଛା, ମୁଁ ଆସୁଛି ।’’ ଗୋପବାବୁ ଉଠି ପଡ଼ିଲେ ଆଉ ଉତ୍ତରକୁ ଅପେକ୍ଷା ନ କରି । ଚପଳା ବ୍ୟସ୍ତ ହୋଇ ପଡ଼ିଲା କିପରି ତାଙ୍କୁ ଅଟକାଇବ । ସେ ଅନୁମାନ କଲା ସିଧା ଜଳଖିଆ ଖାଇବାକୁ କହିଲେ ଗୋପବାବୁ ମୋଟେ ଅଟକିବେ ନାହିଁ । ତେଣୁ ତାଙ୍କୁ ଡାକି କହିଲା, ‘‘ଗୋଟାଏ ଅନୁରୋଧ ରକ୍ଷା କରିବେ ?’’

 

‘‘କ’ଣ କୁହ ।’’ ଗୋପବାବୁ ପୁଣି ଚନ୍ଦୁ ପାଖରେ ବସିପଡ଼ିଲେ ।

 

‘‘ଆପଣ ଟିକିଏ ଚନ୍ଦୁ ପାଖରେ ଯଦି ବସନ୍ତେ, ମୁଁ ବାହାରୁ ଦଶ ମିନିଟ ଭିତରେ ଗୋଟିଏ କାମ ସାରି ଦେଇ ଆସନ୍ତି । କାରଣ ଆଉ କେହି ନାହାନ୍ତି ଯାହାକୁ କି ଚନ୍ଦୁ ପାଖରେ ବସାଇ ଦେଇ ଯିବି ।’’ ଚପଳା ବହୁ ଅନୁନୟ ହୋଇ କହିଲା ।

 

‘‘ଓଃ ! ଏଇ କଥା । କିଛି ଆପତ୍ତି ନାହିଁ । ଶୀଘ୍ର କାମ ସାରି ଆସ । ଠିକ୍ ଦଶ ମିନିଟ୍ । ମୁଁ ଚନ୍ଦୁ ସାଙ୍ଗେ ଗପ କରୁଛି ।’’

 

ଚପଳା ବାହାରିଗଲା । ଗୋପବାବୁ ଚନ୍ଦୁର ମୁଣ୍ଡ ଆଉଁସି ଦେଇ ପଚାରିଲେ, ‘‘କି ଚନ୍ଦୁ । ବଉ ହେଲେ କ’ଣ କରିବ ?’’

 

‘‘ବାଃରେ ମୁଁ ଆପଣଙ୍କୁ ସେମିତି କହିଦେବି ! ଆପଣ ଯଦି ମୋତେ ଗୋଟାଏ ଜିନିଷ କଟକରୁ ଆଣିଦେବେ ତେବେ ଯାଇ ମୁଁ କହିବି । ଆଣିଦେବେ ?’’

 

‘‘ନିଶ୍ଚୟ, କ’ଣ ଆଣିବି କୁହ ।’’

 

‘‘ମୋ ପାଇଁ ଗାନ୍ଧି, ନେହେରୁ, ସୁବାଷ ଆଉ ଗୋପବନ୍ଧୁ ଇତ୍ୟାଦିଙ୍କ ପିଲାଦିନ କଥା ଲେଖାଥିବା ବହି ଆଣି ଦେବେ ? ସେମାନେ କୁଆଡ଼େ ପିଲାଦିନେ ଖୁବ୍ ଭଲ କାମ କରୁଥିଲେ । ସେଥିପାଇଁ ପିଲାବେଳୁ ସେମାନେ ବଡ଼ ଲୋକ ହେବେ ବୋଲି ସମସ୍ତେ ଭାବୁଥିଲେ । ମୁଁ ସେମାନଙ୍କ କଥା ପଢ଼ିଲେ ସେମାନଙ୍କ ପରି କାମ କରିବାକୁ ଚେଷ୍ଟା କରିବି । ଆଣି ଦେବେ ?’’

 

ଚନ୍ଦୁର କଥାରେ ଗୋପବାବୁ ଆଶ୍ଚର୍ଯ୍ୟ ହୋଇଗଲେ । ବାସ୍ତବିକ୍ ତା’ପରି ଏ ଛୋଟ ପିଲାର ଏପରି ବୁଦ୍ଧି କାହୁଁ ଆସିଲା ? ସେ ଆନନ୍ଦରେ ଚନ୍ଦୁର ହାତକୁ ଚାପିଧରି କହିଲେ, ‘‘ସାବାସ ଚନ୍ଦୁ । ତୁମେ ନିଶ୍ଚୟ ବଡ଼ଦିନକୁ ଜଣେ ସୁବ୍ୟକ୍ତି ହୋଇ ପାରିବେ । ତେବେ ଗାନ୍ଧି, ନେହେରୁ, ଇତ୍ୟାଦିଙ୍କ ବିଷୟରେ ତୁମେ କିଛି ଜାଣିଛ ବୋଧହୁଏ ।’’

 

‘‘ବାଃରେ ଅପା ଯେ ମୋତେ ସବୁ କହେ ! ପ୍ରତିଦିନ ସଂଧ୍ୟାରେ ସେ ମୋତେ ବଡ଼ଲୋକଙ୍କ ପିଲାଦିନ କଥା ସବୁ ଶୁଣାଏ । ଗାନ୍ଧି କିପରି କଲମ ଚୋରି କରି ପରେ ସତ କଥା କହିଥିଲେ, ନେହେରୁ କେମିତି ଛୋଟଦିନରୁ ବିଲାତ ଯାଇ ଏକା ରହି ପାଠ ପଢ଼ିଥିଲେ, ସୁବାଷ କିପରି କଟକରେ ପଢ଼ିଲାବେଳେ ରୋଗୀମାନଙ୍କର ସେବା କରୁଥିଲେ, ଏସବୁ ତ ମୁଁ ତା’ରିଠାରୁ ଶୁଣୁଛି । ସେ ତାଙ୍କ ସ୍କୁଲରୁ କେତେ ବହିଆଣି ପଢ଼ି ସାରିଲେ ମୋତେ ସେଥିରୁ ସବୁ ବାଛି ଗପ କହେ । ଅପା ଆମର ଭାରି ଭଲ । ନୁହେଁ ଗୋପବାବୁ !’’ ଚନ୍ଦୁ ଏକା ନିଶ୍ୱାସରେ ତା ଅପାର ଗୁଣ ଗାଇଦେଇ ଏତକ ପ୍ରଶ୍ନ କଲା ।

 

ଗୋପବାବୁ କିଛି କହିବା ପୂର୍ବରୁ ଚପଳା ଜଳଖିଆ ଆଣି ପହଞ୍ଚିଲା । ମଫସଲ ଜାଗା । ପ୍ଲେଟ୍‍ କେଉଁଠୁ ଆସିବ । ତେଣୁ ଥାଳିଆରେ ଜଳଖିଆ ସଜାଡ଼ି ସେ ଆଣିଛି । ଛୋଟ ଟୁଲଟିଏ ଦୈବାତ ଥିଲା । ସେଇଟି ଟାଣି ଆଣି, ତା’ ଉପରେ ଜଳଖିଆ ରଖିଦେଇ, ସେ କାଚ ଗ୍ଳାସରେ ପାଣି ଆଣି ରଖିଲା । ତା’ପରେ ଗୋପବାବୁଙ୍କୁ ଅନୁରୋଧ କଲା ଖାଇବାକୁ । ଗୋପବାବୁଙ୍କର ଏତେବେଳେ ଯାଇ ମନେ ପଡ଼ିଲା ଛନ୍ଦାର କଥା । ସେ ହଠାତ୍ ବୁଝିପାରିଲେ ପ୍ରକୃତରେ କିଶୋରୀ ମନର ଭାବନା କିଶୋରୀ ହିଁ ବୁଝି ପାରିଛି । ତା’ ସେ’ବା କୁଆଡ଼ୁ ବୁଝି ପାରିଥାନ୍ତେ ? ଯୁକ୍ତି ତର୍କ ବା କୌଣସି ଆଳ କରିବା ବୃଥା ଜାଣି ସେ ବାଧ୍ୟ ପିଲାଟି ପରି ଜଳଖିଆ ଖାଇବାରେ ଲାଗିଲେ । ବିନା ପ୍ରତିବାଦରେ ସେ ଜଳଖିଆ ଖାଇବାର ଦେଖି ଚପଳାର ମନ ଖୁସି ।

 

ଚପଳା ଅଧିକ ଖୁସି ହେଲା ଯେତେବେଳେ ଗୋପବାବୁ ସମସ୍ତ ଜଳଖିଆ ଶେଷ କରିଦେଲେ । ଅବଶ୍ୟ ଅଧିକ ଯାଚିବାକୁ ଯାଇ ସେ ନିରାଶ ହେଲା । ଶେଷକୁ ଖଣ୍ଡେ ପାନ ସଜାଡି ସେ ତାଙ୍କୁ ଯାଚିଲା । ସେ ଜାଣେ ଗୋପବାବୁ ପାନ ଖାନ୍ତି ନାହିଁ । ତଥାପି ସେ ଯାଚିଲା । କିନ୍ତୁ ଗୋପବାବୁ କ୍ଷମା ମାଗି ଫେରାଇ ଦେଲେ ।

 

ଏହା ଭିତରେ ନିଧିବାବୁ ଓ ବିମଳା ଦେବୀ ଆସି ଯାଇଥାନ୍ତି । ଗୋପବାବୁ ସେମାନଙ୍କଠାରୁ ବିଦାୟ ନେଇ ଚାଲିଗଲେ । ବାଟଯାକ ତାଙ୍କର ମନରେ କେଜାଣି କାହିଁକି ଏକ ଅଜଣା ଭାବନା ମୁଣ୍ଡରେ ଢୁକିଲା ଯେ ତାଙ୍କୁ ନେଇ ବର୍ତ୍ତମାନ ରୀତିମତ୍ ଏକ ପ୍ରେମତ୍ରିଭୁଜ ସୃଷ୍ଟି ହୋଇ ସାରିଲାଣି । ତାଙ୍କୁ ନେଇ ଛନ୍ଦା ଓ ଚପଳା ମନେ ମନେ ଯେ ପ୍ରତିଯୋଗିତା ଆରମ୍ଭ କଲେଣି ଏହା ସେ ସ୍ପଷ୍ଟ ବୁଝିପାରିଲେ । କିନ୍ତୁ ସେ ମନେ ମନେ ଠିକ୍ କଲେ ଯେ ତାଙ୍କୁ ନେଇ ଯିଏ ଯାହା ଭାବୁ, ସେ ଡାକ୍ତର, ନିଜକୁ ଏଠାରୁ ତାଙ୍କୁ ଦୂରେଇ ନେବାକୁ ପଡ଼ିବ । ସେ ଦୁଇଟି କିଶୋରି ଝିଅଙ୍କର ଖେଳ ଭିତରେ ନିଜକୁ ଭସାଇ ଦେଇ ପାରିବେ ନାହିଁ...... ।

 

ସେଦିନ ଉପରବେଳା ଗୋପବାବୁ କଟକ ବାହାରିଗଲେ । ଯିବା ପୂର୍ବରୁ ଅବଶ୍ୟ ଛନ୍ଦାର ମନ ନେବାକୁ ହୋଇଥିଲା । କାରଣ ସକାଳ ଜଳଖିଆ ଖାଇବା ବିଷୟରେ ଛନ୍ଦା ଅଭିମାନ କରିଥିଲା । ତେଣୁ କଟକରୁ ବହୁ ଲୋଭନୀୟ ଜିନିଷ ଆଣିଦେବେ ବୋଲି କହିବା ସତ୍ୱେ ବି ତା’ର ଅଭିମାନ ଭାଙ୍ଗୁ ନ ଥିଲା । ଶେଷକୁ ତାର ମନଲାଗି ଦୁଇଟି ଆଧୁନିକ ଡିଜାଇନ୍‌ର ଛାପା ଶାଢ଼ୀ ଓ ଦୁଇ ଗଜ ଟେରେଲିନ୍ ବ୍ଲାଉଜ ପିସ୍ ଆଣିଦେବାକୁ ରାଜି ହେବାରୁ ଯାଇ ସେ କଥା କହିଲା ଏବଂ ଖୁସିରେ ବିଦାୟ ଦେଲା । ପ୍ରତ୍ୟେକ ଜିନିଷରୁ ଦୁଇଟି କରି ତା’ର ଦରକାର । କୌଣସି ଜିନିଷ ଗୋଟିଏ ଆଣିଥିଲେ ସେ ନେବ ନି । ଏ ସର୍ତ୍ତରେ ରାଜି ହୋଇଛନ୍ତି ଗୋପବାବୁ ।

 

କିଛିଦିନ ପରେ ପୁଣି କଟକରେ ପାଦ ଦେଲେ ଗୋପବାବୁ । ଏଥର ସେ ରାଜେନ୍ଦ୍ରର ଅତିଥି ହେଲେ । ରାଜେନ୍ଦ୍ର ଗୋପବାବୁଙ୍କ ପାଇ ଆନନ୍ଦରେ କୁଣ୍ଢାଇ ପକାଇଲେ । ଦୁଇସାଥୀ ଅନେକ ସମୟ ପର୍ଯ୍ୟନ୍ତ ଗାଁର ଓ ଘରର ହାଲଚାଲ ସମ୍ୱନ୍ଧରେ କଥାଭାଷା ହେଲେ । ଘରର ସମସ୍ତେ ଏକ ପ୍ରକାର ଭଲ ଶୁଣି ମନ ତାଙ୍କର ଆନନ୍ଦିତ ନିଧି ରାଉତରାୟଙ୍କୁ ସେ ଭଲଭାବେ ଚିହ୍ନନ୍ତି । ତେଣୁ ଚନ୍ଦୁର ଏପରି ଦେହ ଖରାପ ଶୁଣି ସେ ବି ବ୍ୟସ୍ତ ହେଲେ । ଦୁଇବଂଧୁ ଗୋପବାବୁଙ୍କର ଅଧ୍ୟାପକ ଡା: ତ୍ରିପାଠୀଙ୍କ ପାଖକୁ ଗଲେ ।

 

ଡା: ତ୍ରିପାଠୀ ଅତି ଅମାୟିକ ପ୍ରକୃତିର ଲୋକ । ପ୍ରତ୍ୟେକ ଛାତ୍ରକୁ ସେ ନିଜର ଓ ଅତି ଆପଣାର ପରି ମନେ କରନ୍ତି । ସମସ୍ତେ ତାଙ୍କର ପ୍ରିୟ ଛାତ୍ର । ଫେର ଗୋପବାବୁ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଜଣେ କୃତୀ ଛାତ୍ର । ତେଣୁ ତାଙ୍କ ପ୍ରତି ମମତା ଡା: ତ୍ରିପାଠୀଙ୍କର ଅସୀମ । ତା’ପରେ ଗୋପବାବୁଙ୍କର ମଫସଲରେ ରହି ଜନସେବା କରିବାର ମନୋବୃତ୍ତିକୁ ସେ ଅଧିକ ଉତ୍ସାହ ଦେଇଛନ୍ତି । ତେଣୁ ଗୋପବାବୁଙ୍କୁ ଦେଖି ସେ ସାଦର ଅଭ୍ୟର୍ଥନା କଲେ ।

 

ଡାଃ ତ୍ରିପାଠୀ ତାଙ୍କର ଛୋଟକାଟର ଏକ ରିସର୍ଚ୍ଚ ଲାବୋରେଟରୀ କରିଛନ୍ତି । ସେଠାରେ ସେ ମଳ,ମୂତ୍ର,ରକ୍ତ ଇତ୍ୟାଦିର ସାଧାରଣ ପରୀକ୍ଷା ସହ ଜଟିଳ ରୋଗ ସମ୍ୱନ୍ଧରେ ନାନା ଗବେଷଣା କରନ୍ତି ଏବଂ ଚିକିତ୍ସାପ୍ରଣାଳୀକୁ ଅଧିକ ସହଜ କରିବାକୁ ଚେଷ୍ଟା କରନ୍ତି । ଦେଶ ବିଦେଶର ଯେତେ ପ୍ରକାର ନୂତନ ଔଷଧ ଆବିଷ୍କୃତ ହୁଏ ସେ ସବୁ ପାଇ ତା’ର ପରୀକ୍ଷା କରିବାପାଇଁ ସେ ସର୍ବଦା ଚେଷ୍ଟିତ । ଯଦି ସେଗୁଡ଼ିକରେ ଅଧିକ କାର୍ଯ୍ୟକାରୀ ଶକ୍ତି ସେ କିଛି ପାଆନ୍ତି ତେବେ ତାଙ୍କର ପ୍ରତ୍ୟେକ ପରାମର୍ଶପ୍ରାର୍ଥୀ ଡାକ୍ତରଙ୍କୁ ସେ ପରାମର୍ଶ ଦିଅନ୍ତି ଉକ୍ତ ଔଷଧଗୁଡ଼ିକୁ ବ୍ୟବହାର କରିବାକୁ ।

 

ଡା: ତ୍ରିପାଠୀ ଏଥିପାଇଁ ଓଡିଶା ତଥା ଓଡିଶା ବାହାରେ ଡାକ୍ତରୀ ମହଲରେ ସୁପରିଚିତ-। ସେ ଅବିବାହିତ । ତାଙ୍କର ନିଜ ଜୀବନକୁ ସେ ପରର ସେବାପାଇଁ ଉତ୍ସର୍ଗ କରି ଦେଇଛନ୍ତି । ସେ କୌଣସି ପରାମର୍ଶପ୍ରାର୍ଥୀ ରୋଗୀଠାରୁ ଫିସ୍ ଗ୍ରହଣ କରନ୍ତି ନାହିଁ.....ଧନୀ ବା ଗରିବ ହେଉ । ତେବେ ଦାନ କରିବାପାଇଁ ସେ ଅନୁରୋଧ ଜଣାଇଥାନ୍ତି । ବହୁ ଉପକୃତ ଧନୀ ବ୍ୟକ୍ତି ଫିସ୍‌ଠାରୁ ଯଥେଷ୍ଟ ଅଧିକ ଦାନ କରିଥାନ୍ତି ଏ ମହତ୍ କାର୍ଯ୍ୟ ପାଇଁ ।

 

ଡା: ତ୍ରିପାଠୀ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରୁ ଅଳ୍ପଦିନ ହେଲା ଅବସର ଗ୍ରହଣ କରିସାରିଛନ୍ତି । ଏବେ ନିଜର ପୂରା ସମୟ ସେ ଢାଳି ଦେଇଛନ୍ତି ଅଧିକରୁ ଅଧିକ ଗବେଷଣାରେ । ଅନେକ ଛାତ୍ର, ଡାକ୍ତରୀ ଅଧ୍ୟାପକ ତଥା ଡାକ୍ତର ତାଙ୍କ ଗବେଷଣାଗାରକୁ ପ୍ରତ୍ୟହ ଆସିଥାନ୍ତି କିଛି ନା କିଛି ପରାମର୍ଶ କରିବା ପାଇଁ ବା ଶିକ୍ଷା କରିବା ପାଇଁ । ତାଙ୍କ ଗବେଷଣାଗାରରେ ପୂର୍ଣ୍ଣଭାବେ ଗବେଷଣାରତ ଡାକ୍ତର ଅଛନ୍ତି ଛଅ ଜଣ । ସମସ୍ତେ ଡା: ତ୍ରିପାଠୀଙ୍କର ଛାତ୍ର । ଗୋପବାବୁ ପାସ୍ କରିବା ପରେ ଆହ୍ୱାନ ପାଇଥିଲେ ଏଥିରେ ଯୋଗ ଦେବାକୁ କିନ୍ତୁ ସେ ମଫସଲକୁ ନିଜର କର୍ମକ୍ଷେତ୍ର କରିବା ଠିକ୍ କରିଛନ୍ତି ବୋଲି ଜଣାଇବାରେ ଡ: ତ୍ରିପାଠୀ ତାଙ୍କୁ ଖୁବ୍ ଉତ୍ସାହ ଦେଇ ବିଦାୟ ଦେଇଥିଲେ । ହେଲେ ଗୋପବାବୁ ଜଣାଇଥିଲେ ତାଙ୍କର ଯେ କୌଣସି ପରେମର୍ଶ ବା ସାହାଯ୍ୟ ସେ ଯେପରି ଏଠୁ ପାଇ ପାରନ୍ତି । ଡା: ତ୍ରିପାଠୀ ପୂର୍ଣ୍ଣ ସମ୍ମତି ଜ୍ଞାପନ କରିଥିଲେ । ତେଣୁ କଟକ ଆସି ପ୍ରଥମେ ଡା: ତ୍ରିପାଠୀଙ୍କ ଗବେଷଣା ଗାରକୁ ଆସିବା ହେଉଛି ଗୋପବାବୁଙ୍କର ପ୍ରଧାନ କାର୍ଯ୍ୟ । ତେବେ ମନେ ମନେ ଆପଣାର ହୋଇଯାଇଥିବା ଏକ ଟାଇଫଏଡ୍ ରୋଗୀର କେସ୍ ନେଇ ଆସିଛନ୍ତି କଟକ । ତେଣୁ ଡା: ତ୍ରିପାଠୀ ହିଁ ତାଙ୍କର ଏକମାତ୍ର ସମ୍ୱଳ, ଯାହାଙ୍କଠାରୁ ଅଧିକ ଉନ୍ନତ ଓ ତୁରନ୍ତ ଚିକିତ୍ସାର ବି ପରାମର୍ଶ ପାଇ ପାରିବେ । ଚନ୍ଦୁର ମଳ, ମୂତ୍ର ଓ ରକ୍ତ ଆଣିଥିବା ପରୀକ୍ଷା କରି ନିଜର ଟେଷ୍ଟ ରିପୋର୍ଟ ଡା: ତ୍ରିପାଠୀଙ୍କୁ ଦେଖାଇ ସେ ଠିକ୍ କରୁଥିବା ଔଷଧ ଓ ଇଂଜେକସନ୍‌ର ନାମ ଜଣାଇଲେ । କିନ୍ତୁ ଡା: ତ୍ରିପାଠୀ ସେ ସମସ୍ତ ଔଷଧ ଓ ଇଂଜେକସନ୍ ଯଦିଓ ଠିକ୍, ତଥାପି ସେ ସବୁ ବାରଣ କରି ଏକ ନୂତନ କମ୍ପାନୀର ଗୋଟିଏ ଅଧିକ ଫଳପ୍ରଦ କ୍ୟାପ୍‌ସୁଲ ଓ ପୋଷ୍ଟ ଟାଇଫଏଡ୍ ଟନିକ୍ ସୁପାରିଶ୍ କଲେ । ସେସବୁ ମଧ୍ୟ ନିଜେ ଦେବେ ବୋଲି କହିଲେ । କାରଣ ଡା: ତ୍ରିପାଠୀଙ୍କର ଗବେଷଣାଗାର ଭାରତର ପ୍ରାୟ ସବୁ ଡାକ୍ତରୀ ଔଷଧ ପ୍ରସ୍ତୁତକାରୀଙ୍କ ମଧ୍ୟରେ ପରିଚିତ ହୋଇ ସାରିଛି । ତେଣୁ ସେମାନେ ନିଜ ନିଜର ନୂତନ ଆବିଷ୍କୃତ ଔଷଧ ଏଠାକୁ ପଠାଇ ଡା: ତ୍ରିପାଠୀଙ୍କର ସୁପାରିଶ୍ ପାଇବାକୁ ଚେଷ୍ଟା କରନ୍ତି । ଡା: ତ୍ରିପାଠୀ ମଧ୍ୟ ବିନା ଦ୍ୱିଧାରେ ପ୍ରତ୍ୟେକ ଔଷଧର ସମସ୍ତ ଦିଗ ସୁକ୍ଷ୍ମଭାବେ ପରୀକ୍ଷା କରି କିଛି ନୂତନତ୍ୱ ଓ ଅଧିକ ଫଳ ଦେଖିଲେ ସେହି ଔଷଧକୁ ସୁପାରିଶ୍ କରିଥାନ୍ତି ।

 

ବହୁ ସମୟ କଥାଭାଷା ପରେ ମୂଲ୍ୟବାନ୍ ପରାମର୍ଶ ଓ କିଛି କ୍ୟାପସୁଲ ଓ ଟନିକ୍ ନେଇ ସେମାନେ ସେଠୁ ବିଦାୟ ନେଲେ । ଅନ୍ୟ ଏକ ଡାକ୍ତରୀ ଔଷଧ ଦୋକାନରୁ ଥର୍ମୋମିଟର, ଅନ୍ୟ କେତେକ ଔଷଧ, ତୁଳା ବ୍ୟାଣ୍ଡେଜ ଇତ୍ୟାଦି ବିଭିନ୍ନ ଦରକାରୀ ଜିନିଷ କିଣି ସେମାନେ ଗଲେ ଚୌଧୁରୀବଜାର । ସେଠି ଛନ୍ଦାର ଫରମାସ୍ ଶୁଣି ରାଜେରନ୍ଦ୍ର ସ୍ପଷ୍ଟ ମନା କଲେ ଏସବୁ କିଣିବା ପାଇଁ । କିନ୍ତୁ ଗୋପବାବୁ ନିଶ୍ଚିତଭାବେ କିଣିନେବା ପାଇଁ ଦୃଢ଼ସଙ୍କଳ୍ପ । କାରଣ ସେ ଜାଣନ୍ତି, ଯଦି ସେ ଛନ୍ଦାର ବରାଦୀ ଜିନିଷ ନେଉ ନାହାନ୍ତି, ତେବେ ଛନ୍ଦା ସାତଦିନପର୍ଯ୍ୟନ୍ତ ତାଙ୍କୁ ପାଟି ଫିଟାଇବ ନାହିଁ, ଯାହା କି ସେ ସହ୍ୟ କରିପାରିବେ ନାହିଁ । ତେଣୁ ବନ୍ଧୁ ରାଜେନ୍ଦ୍ରଙ୍କୁ ବହୁ କୌଶଳରେ ବୁଝାଇ ସେ ଶାଢ଼ୀ ଦୋକାନକୁ ପଶିଲେ ।

 

ଦୁଇଜଣ ଶିକ୍ଷିତ ଓ ଆଧୁନିକ ଗରାଖଙ୍କୁ ପାଇ ଦୋକାନୀ ସାରା ଦୋକାନ ବିଛାଡି ଦେଇଗଲା ତାଙ୍କ ଆଗରେ । କେତେ କେତେ ବର୍ଣ୍ଣର କେତେ ଅପୂର୍ବ ମନଲୋଭା ଶାଢ଼ୀ......ଇଚ୍ଛା ହେଉଛି ସବୁ କିଣି ନେବାକୁ। କିନ୍ତୁ ତାହା କି ସମ୍ଭବ । ଶେଷକୁ ଖଟାଉ ମିଲ୍‌ସର ଆଧୁନିକ ଡିଜାଇନ୍‌ର ଦୁଇଟି ଏକରକମର ଛାପା ଶାଢ଼ୀ ଦୁଇବନ୍ଧୁ ମନୋନୀତ କଲେ । ସେତେବେଳେ ଗୋପବାବୁଙ୍କର ମନ କ୍ଷଣିକ ପାଇଁ ଭାସି ଯାଇଥିଲା ଅନ୍ୟ ଆଡେ......ତାଙ୍କ ଆଖି ଆଗରେ ନାଚି ଉଠିଥିଲା ଆଉ ଏକ ପରୀ, ଯାହାକୁ କି ଜଗତର ଶ୍ରେଷ୍ଠ ବେଶ ପୋଷାକରେ ସଜାଇ ଦେବାକୁ ଇଚ୍ଛା ହେଲା ତାଙ୍କର । କିନ୍ତୁ ତା’କି ସମ୍ଭବ ? ତା’ପାଇଁ ସାମାନ୍ୟ ଖଣ୍ଡେ ରିବନ୍ ବି ଅଯାଚିତ ଭାବେ ନେଲେ ଅନ୍ୟ ଆଖିରେ ଅଶୋଭନୀୟ ହେବ । ତେଣୁ ନୀରବରେ ଦୋକାନୀକୁ ଟଙ୍କା ବଢ଼ାଇ ଦେଇ ସେ ବାହାର ଆସିଲେ ଶାଢ଼ୀ ପାକେଟଟି ଧରି ।

 

ଦୁଇବନ୍ଧୁ ଅନ୍ୟ ଏକ ଦୋକାନରୁ ଗାଢ ସବୁଜ ଓ କଳା ମିଶା ଅତି ଆଧୁନିକ ଡିଜାଇନ୍‌ର ଦୁଇଟି ଟେରେକଟ୍ ବ୍ଲାଉଜ ପିସ୍ ଗୋପବନ୍ଧୁଙ୍କର ମନେ ପଡ଼ିଲା ଚନ୍ଦୁର ବରାଦ କଥା । ସେ ଗୋଟିଏ ବହି ଦୋକାନରୁ ‘ବଡ଼ଲୋକଙ୍କ ପିଲାଦିନ’ ବୋଲି ଗୋଟିଏ ବହି କିଣି ଫେରି ଆସିଲେ ରାଜେନ୍ଦ୍ରଙ୍କର ବସାକୁ । ରାତ୍ରରେ ଦୁଇବନ୍ଧୁଙ୍କର ବହୁ କଥୋପକଥନ ହେଲା ଉଭୟଙ୍କର କର୍ମପନ୍ଥା ବିଷୟରେ । ଦୁହେଁ ଯୁବକ, ଅବିବାହିତ ବି । ଯେତେ ଉଚ୍ଚ ସ୍ତରରେ ଥିଲେ ମଧ୍ୟ କେତେକ ଯୁବକସୁଲଭ ଗଳ୍ପ ତାଙ୍କ ଆଲୋଚନାରେ ମିଶିଯାଇଥିଲା । ବହୁ ରାତ୍ରି ପରେ ଉଭୟେ ଶୋଇ ଯାଇଥିଲେ।

 

ସକାଳୁ କଟକ-ପୁରୀ ବସରେ ଗୋପବାବୁ ଫେରି ଆସିଥିଲେ । ରାଜେନ୍ଦ୍ର ତାଙ୍କୁ ବସ୍‌ଷ୍ଟାଣ୍ଡକୁ ବିଦାୟ ଦେବାପାଇଁ ଆସିଥିଲେ । ଚନ୍ଦନପୁରରେ ଓହ୍ଲାଇ ଗୋପବାବୁ ସିଧା ଯାଇ ପହଞ୍ଚିଲେ ନିଧି ରାଉତରାୟଙ୍କ ଘରେ । ସେ ସିଧା କଟକରୁ ଆସିଛନ୍ତି ଶୁଣି ଘରର ସମସ୍ତେ ଅଭିଭୂତ ହୋଇଗଲେ । ଗୋପବାବୁ ସେମାନଙ୍କ ପାଇଁ ଏଡେ ଦୟାର୍ଦ୍ର ହେବେ ଏହା ସେମାନେ କଳ୍ପନା କରିପାରି ନ ଥିଲେ । ଚନ୍ଦୁ, ଯେପରି ତାଙ୍କ ନିଜ ମା’ ପେଟର ଭାଇ ସେପରି ସେ ତା’ର ସେବା କରୁଥିବା ଦେଖି ସେମାନେ ଅତି ବିସ୍ମିତ ଓ ଆନନ୍ଦିତ ।

 

କିନ୍ତୁ ଗୋପବାବୁଙ୍କର ମନ ଭିତରେ ଯେ ଅଲକ୍ଷ୍ୟରେ ଚପଳାର ଏକ ଅଦୃଶ୍ୟ ମୋହ ଘୁରିବୁଲୁଛି ଯାହାକି ତାଙ୍କୁ ନିଧି ରାଉତରାୟଙ୍କର ଘର ପ୍ରତି ଏତେ ମମତାଶୀଳ କରି ଦେଇଛି, ତାହା ନିଧି ରାଉତରାୟ, ବିମଳା ବା ବାମା ବୁଝିବେ କାହୁଁ ? କିନ୍ତୁ ବୁଝୁଥିଲେ ବୁଝୁଥିବ ଏକା ଚପଳା । କାରଣ ବୟସର ଏପରି ଏକ ପ୍ରଭାବ ଅଛି ଯେ ଚୁମ୍ୱକ ଚୁମ୍ୱକକୁ ଟାଣିଲା ପରି ଯୁବକ ଯୁବତୀଙ୍କର ମନ ପରସ୍ପର ପ୍ରତି ଆପେ ଟାଣି ହୋଇଯାଏ । ତାହା ନିୟତିର ବିଧାନ, ସେ’ଟା କେହି କୌଣସି ଯୁଗରେ ଅଟକାଇ ପାରିନି ।

 

ଚପଳା ନିଶ୍ଚିତ ଭାବେ ଜାଣିଥିଲା ଯେ, ଗୋପବାବୁ ସିଧା କଟକରୁ ତାଙ୍କ ଘରକୁ ଆସି ତା’ପରେ ବସାକୁ ଯିବେ । ତେଣୁ ସେ ଆଜି ସାରା ସକାଳୁ ବିମଳାଙ୍କ ସହ ରୋଷେଇରେ ବ୍ୟସ୍ତ । ଯେତେ ମନା କଲେ ବି ମନ ଯେ ଧୈର୍ଯ୍ୟ ଧରୁନି । ସେ କଥା ବିମଳା ବୁଝିବେ କାହୁଁ । ତେଣୁ ଯେତେବେଳେ ଗୋପବାବୁ ଆସି ପହଞ୍ଚିଗଲେ, ଚପଳା ଏତେ ଆନନ୍ଦିତ ହୋଇଗଲା ଯେ ସେ ଗୋପବାବୁଙ୍କ ପାଖକୁ ଚାଲିଯାଇ ତାକୁ ନିଜର କୃତଜ୍ଞତା ଜଣାଇଦେଲା । ଅବଶ୍ୟ ତାହା ଚନ୍ଦୁର ଚିକିତ୍ସା ଆଳରେ ଯାହାକି ଅନ୍ୟର ମନରେ ସନ୍ଦେହ ଆଣି ପାରିନି ।

 

ନିଧି ରାଉତରାୟ ଗୋପବାବୁଙ୍କୁ ସାଙ୍ଗରେ ନେଇ ଚନ୍ଦୁର ଶେଯ ପାଖରେ ପହଞ୍ଚିଲେ । କାଲି ଚନ୍ଦୁର ଜ୍ୱର ପୁନଶ୍ଚ ୧୦୩ । ୧୦୪କୁ ଚାଲି ଯାଇଥିଲା । ତେଣୁ ସେମାନେ କାଲି ଖୁବ୍ ବ୍ୟସ୍ତ ହୋଇ ପଡ଼ିଥିଲେ । ଚପଳାର ସାରାରାତି କଟିଯାଇଛି ଜ୍ୱର ମାପି ରଖିବା ଓ ମୁଣ୍ଡରେ ପାଣି ପଟି ପକାଇବାରେ । ସବୁ ଟିକିନିଖି କହିସାରି ବ୍ୟସ୍ତଭାବେ ନିଧି ରାଉତରାୟ ଗୋପବନ୍ଧୁଙ୍କୁ ଚାହିଁଲେ ।

 

ଗୋପବାବୁ ଆଶ୍ୱାସନା ଦେଇ କହିଲେ, ‘‘ଦେଖନ୍ତୁ, ଆଉ ବ୍ୟସ୍ତ ହେବାର କିଛି ନାହିଁ । ମୁଁ ମୋର ଜଣେ ଅତି ପୂଜ୍ୟ ଶିକ୍ଷକଙ୍କଠାରୁ ଏ ବିଷୟରେ ପରାମର୍ଶ କରି ତାଙ୍କରିଠାରୁ ଏକ ନୂଆ ଔଷଧ ନେଇ ଆସିଛି । ସେ ଭାରତର ଜଣେ ଜଣାଶୁଣା ଡାକ୍ତର । ତାଙ୍କର ପରାମର୍ଶ ଅତି ଗୁରୁତ୍ୱପୂର୍ଣ୍ଣ । ତା’ପରେ ଟାଇଫଏଡ ଏମିତି କିଛି ବଡ଼ ରୋଗ ହୋଇ ଆଉ ନାହିଁ । ତେଣୁ ଭୟ କରିବାର ମୋଟେ କାରଣ ନାହିଁ । ଏଥର ଚନ୍ଦୁ ଖୁବ୍ ଶୀଘ୍ର ଭଲ ହୋଇଯିବ ।’’ ଅଳ୍ପ କଥାରେ ରୋଗଟା ଟାଇଫଏଡ ବୋଲି କହିଦେଇ ପରେ ନିଜର ଭୁଲ ବୁଝିପାରିଲେ ସେ । କିନ୍ତୁ ଯେତେବେଳେ କହିଦେଇ ସାରିଲେଣି ଆଉ ଭାବି ଲାଭ କ’ଣ । ତେଣୁ ସେ ଟାବଲେଟ, ଟନିକ୍ ପ୍ରଭୃତି ଦେଇ ସେ ସବୁର ବ୍ୟବହାର ପରାମର୍ଶ ଦେଇ ଯିବାକୁ ବାହାରିଲେ । ଚନ୍ଦୁ ଉଠି ସାରିଥିଲା । ତାକୁ ବହିଟିକୁ ଦେଲେ । ସେ ଖୁବ୍ ଆନଦନ୍ଦିତ ହେଲା । କିନ୍ତୁ କେହି ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି-। ସେ ସେଠି ଖାଇସାରି ଯିବେ । ତେଣୁ ବାଧ୍ୟ ହୋଇ ତାଙ୍କୁ ରହିବାକୁ ହେଲା ।

 

ଗୋପବାବୁ ଗାଧୋଇ ନାହାନ୍ତି । ନଈରେ ଗାଧୋଇବା ପାଇଁ ତାଙ୍କର ଖୁବ୍ ଇଚ୍ଛା ହେଲା । ଖରାଦିନ । ଖରା ଖୁବ୍ ବଢ଼ିଗଲାଣି । ନଈରେ ନ ଗାଧୋଇଲେ ଶାନ୍ତି ଆସିବ ନାହିଁ । ତେଣୁ ସେ ନିଧି ରାଉତରାୟଙ୍କଠାରୁ ଅନୁମତି ନେଇ ନଈକୁ ଗଲେ ଗାଧୋଇ ।

 

ଭାର୍ଗବୀ ନଈ ଯେଉଁଠି ମୋଡ଼ ବୁଲିଛି ସେଠି ତା’ର ଓସାର ଖୁବ୍ ସଂକୁଚିତ । ତେଣୁ ବର୍ଷସାରା ପାଣି ରହେ ଗୋଟିଏ ଛୋଟିଆ ଗଣ୍ଡ ଆକାରରେ । ନଈକୂଳରେ କେତେ ଆମ୍ୱ ପୁଲାଙ୍ଗ ଗଛ ଧାଡ଼ି ଧାଡ଼ି ହୋଇ ଲମ୍ୱିଯାଇଛନ୍ତି ପାଣି ଉପରେ ସୁଶୀତଳ ଛାୟା ଖେଳାଇ ଦେଇ । ଯେତେ ଖରା ହେଲେ ବି ସେଠି ଅତି ଆରାମ ଅନୁଭବ କରି ହୁଏ । ପାଣି ଖୁବ୍ ଥଣ୍ଡା । ଗୋପବାବୁ ବିଭୋର ହୋଇ ଭିତରକୁ ଡେଇଁ ପଡ଼ିଲେ ।

 

ସହରରେ ଥାଇ ନଈ ବା ପୋଖରୀରେ ପହଁରିବାରେ ଅଭ୍ୟାସ ସେତେ ନ ଥିଲା । କିନ୍ତୁ ଏଠି ଆସି ପହଁରିବାରେ ଗୋଟାଏ ସଉକ୍ ଆସିଯାଇଛି ତାଙ୍କର । ବୀରନରସିଂହପୁରର ବଡ଼ ପୋଖରୀରେ ପହଁରିବାକୁ ତାଙ୍କୁ ଖୁବ୍ ଭଲ ଲାଗେ । ଗୋଟାଏ ବିରାଟ ପୋଖରୀ ସେ ।

 

ଆଉ ଆଜି ନଈ ଭିତରେ ପହଁରିବାକୁ ଆଉରି ଆନନ୍ଦ ଆସିଲା ତାଙ୍କୁ । ପାଣି ଭିତରେ କେତେବେଳେ ଯାଏଁ ସେ ଯେ ପଡ଼ିଛନ୍ତି ତା’ର କିଛି ଠିକଣା ନାହିଁ । ତାଙ୍କର ପୂରା ପାଶୋର ହୋଇ ଯାଇଛି ଯେ ସେ ନିଧି ରାଉତରାୟଙ୍କ ଘରେ ଆଜି ଅତିଥି......ହୁଏତ ତାଙ୍କୁ କେହି ଚାହିଁ ବସିଥିବେ । ସେ ଗଲେ ଖାଇବେ । ଆମ୍ୱ ପୋଲାଙ୍ଗର ଛାୟିତଳେ ଶୀତଳ ଜଳରେ ପଡ଼ିରହି ସେ ଆନନ୍ଦମଗ୍ନ ।

 

ଏଣେ ନିଧି ରାଉତରାୟ କାର୍ଯ୍ୟୋପଲକ୍ଷେ ଅନ୍ୟଏକ ଗାଁକୁ ଚାଲିଗଲେ ବାମାକୁ ନେଇ-। ଗଜି ବି ଘରେ ନାହିଁ, ଯାଇଛି ବଜାରକୁ କେତେକ ସୌଦାପତ୍ର ଆଣିବାକୁ । ଘରେ କେବଳ ବିମଳା ଦେବୀ ଆଉ ଚପଳା । ବିମଳା ଦେବୀ ଅତି ବ୍ୟସ୍ତ ହୋଇ ଉଠିଲେଣି ଗୋପବାବୁଙ୍କୁର ଡେରୀରେ । କିନ୍ତୁ କ’ଣ କରାଯାଏ ? ନିଜେ ବୁଢ଼ୀ ହେଲେ ବି ପୁରୁଣାକାଳିଆ ସ୍ତ୍ରୀ ସେ । ଅନ୍ୟ ଏକ ପୁରୁଷ ପୁଅ, ତାଙ୍କର ପୁଅଠାରୁ ବୟସରେ ଛୋଟ ହେଲେ ବି, ତାଙ୍କ ପାଖରେ ନିଃସଂକୋଚରେ ଠିଆ ହୋଇ କଥାବାର୍ତ୍ତା କରିବା ତାଙ୍କ ପକ୍ଷେ ଅସମ୍ଭବ । ତେଣୁ ସେ ନିଜେ ଯାଇ ଦେଖି ଆସିବାକୁ ଇଚ୍ଛା ହେଉନି, କାହିଁକି ଗୋପବାବୁଙ୍କର ଡେରୀ ହେଲା ଆସିବାକୁ । ଅଗତ୍ୟା ସେ ଡାକପକାଇଲେ ଚପଳାକୁ ଯାଇ ଦେଖି ଆସିବାକୁ ।

ଚପଳା ଅତି ବ୍ୟସ୍ତ ହେଉଥାଏ ମନେ ମନେ, କାହିଁକି ଗୋପବାବୁଙ୍କର ଏତେ ଡେରୀ ହେଲା । ଇଚ୍ଛା ହେଉଥାଏ ଧାଇଁଯାଇ ତାଙ୍କୁ ଡାକି ଆଣିବାକୁ । କିନ୍ତୁ ତା’ କି ସମ୍ଭବ ! ଘରେ ଯେ ପିଉସୀ ଅଛନ୍ତି ! ତେଣୁ ମନ ବ୍ୟସ୍ତରେ ସେ ଚନ୍ଦୁର ଖଟ ଲାଗି ଝରକା ପାଖରେ ଠିଆ ହୋଇ ନଈ ବନ୍ଧକୁ ଚାହିଁ ରହିଥାଏ । ହଠାତ୍ ବିମଳା ଦେବୀଙ୍କର ଆଦେଶ ପାଇ ସେ ନିଜକୁ ବିଶ୍ୱାସ କରିପାରିଲା ନାହିଁ । ଯେ ଏତେ ଇଚ୍ଛା କରୁଥିଲା ଧାଇଁ ଯାଇ ଗୋପବାବୁଙ୍କୁ ଧରି ଆଣିବାକୁ; କିନ୍ତୁ ବର୍ତ୍ତମାନ ଅନୁମତି ପାଇ ବି ଯିବାକୁ ଭୟ କରୁଛି । କେଜାଣି କାହିଁକି ତା’ର ଗୋଡ଼ ଚଳୁନି । ଶେଷକୁ ବିମଳା ଦେବୀଙ୍କର ଧମକ ପାଇ ସେ ବାହାରି ଗଲା ନଈ କୂଳକୁ ।

ଗୋପବାବୁ ଧ୍ୟାନରତ ଭାବେ ପାଣିରେ ପଡ଼ି ରହିଛନ୍ତି । ଦୂରରୁ ଦେଖିଲେ ହଠାତ୍ ଯେ କେହି ଖରାପ ଆଶଙ୍କା କରି ବସିବେ । କିନ୍ତୁ ନିକଟରୁ ଦେଖିଲେ ଜଣାଯାଉଛି, ସତେ ଯେପରି ଭଗବାନ କ୍ଷୀର ସମୁଦ୍ରରେ ଭାସୁଛନ୍ତି । ମନରେ ତାଙ୍କର ଚିନ୍ତାହୀନ ପ୍ରଶାନ୍ତି ଅଥଚ ଆଖିରେ ସାରା ସୃଷ୍ଟିର ସ୍ୱପ୍ନ । ଗୋପବାବୁଙ୍କୁ ଏପରି ଅବସ୍ଥାରେ ଦେଖି ହଠାତ୍ ବିହ୍ୱଳ ହୋଇ ପଡ଼ିଲା ଚପଳା । ଯଦି ସାମାଜିକ ବନ୍ଧନ ନ ଥାନ୍ତା, ଯଦି ଏହା ଭର୍ଗବୀ ନଈ ନ ହୋଇ କାହିଁ କେଉଁ ଦୂରରାଇଜର ସାତସମୁଦ୍ର ତେର ନଈରୁ ଗୋଟାଏ କିଛି ହୋଇଥାନ୍ତା, ତେବେ ସେ ହୁଏତ, ନିଜେ ଲମ୍ପ ଦେଇଥାନ୍ତା ନଈ ଭିତରକୁ......ଆଉ ଗୋପବାବୁଙ୍କର ପ୍ରଶସ୍ତ ବକ୍ଷ ଉପରେ ମଥା ରଖି ଆଖି ବୁଜି ଦିଅନ୍ତା ଚିରଦିନ ପାଇଁ......

କିନ୍ତୁ ହାୟ ତା’ କି ସମ୍ଭବ ! ଚପଳାର ଚେତନା ଫେରି ଆସିଲା । ଏ ଯେ ଭାର୍ଗବୀ ନଈ, ୟା ବ୍ୟତୀତ ଆଉ କିଛି ହୋଇ ନ ପାରେ ! ଏଇ ଯେ ଚଷାପଡ଼ାର ଚାଳଗୁଡ଼ିକ ସ୍ପଷ୍ଟ ଦେଖାଯାଉଛି......ବନ୍ଧ ଉପରେ ଚିହ୍ନା ଅଚିହ୍ନା ଅନେକ ଲୋକ ଯିବା ଆସିବା କରୁଛନ୍ତି ! ପାଗଳ ହେଲେ ବି ସୁଦ୍ଧା ଏପରି ଅଦ୍ଭୁତ କଳ୍ପନା କରାଯାଇ ନପାରେ । ତେଣୁ ନିଜକୁ ଯଥେଷ୍ଟ ସଂଯତ କରି ଚପଳା ଡାକିଲା, ‘‘ଗୋପବାବୁ !’’

ଗୋପବାବୁ ହଠାତ୍ ଚେତନା ଫେରି ପାଇଲା ପରି ପାଣିରୁ ମୁଣ୍ଡ ଟେକି କୂଳକୁ ଚାହିଁଲେ । ଚପଳାକୁ ନଈକୂଳରେ ଦେଖି ବାସ୍ତବିକ୍ ସେ ଆଶ୍ଚର୍ଯ୍ୟ ଓ ଅଭିଭୂତ ହୋଇ ପଡ଼ିଲେ । ଚପଳାକୁ ଏପରି ତା’ର ପରିଜନଙ୍କ ବାହାରେ ଏକା ପାଇପାରିବେ ଏ କଳ୍ପନା ତାଙ୍କର ନଥିଲା । କିନ୍ତୁ ଅସମ୍ଭବ ସମ୍ଭବ ହୋଇଛି । ଚପଳା ହିଁ କୂଳରେ ଠିଆ ହୋଇ ତାଙ୍କୁ ଡାକୁଛି । ତଥାପି ଗୋପବାବୁ ଆଶ୍ଚର୍ଯ୍ୟ କଣ୍ଠରେ ପଚାରିଲେ, ‘‘ଚପଳା ତୁମେ ଏଠି !’’

 

‘‘ଆପଣ ଏତେ ଡେରି କଲେଣି ! ସେଣେ ପିଉସୀ ଖୁବ୍ ବ୍ୟସ୍ତ ହେଉଛନ୍ତି । ଘରେ ଆଉ କେହି ନାହାନ୍ତି । ବାଧ୍ୟ ହୋଇ ମୋତେ ପଠାଇଲେ । ଆପଣ ଶୀଘ୍ର ଆସନ୍ତୁ !’’ ଚପଳାର ବୀଣାଜିଣା କଣ୍ଠରେ ବିମୋହିତ ହୋଇଗଲେ ଗୋପବାବୁ ।

Unknown

 

ଗୋପବାବୁ ନିଜର ସମସ୍ତ କାମ ଯଥାଶୀଘ୍ର ଶେଷ କରି ଉପରକୁ ଉଠିଲେ । ତାଙ୍କୁ ଏକଲୟରେ ଚପଳା ଚାହିଁ ରହିଥାଏ......ଗୋପବାବୁଙ୍କର ନଗ୍ନ ବକ୍ଷର ସୌନ୍ଦର୍ଯ୍ୟ ତାକୁ ବିମୋହିତ କରି ଦେଉ ଥାଏ । ସେ ବକ୍ଷ ଉପରେ ଢଳିପଡ଼ି ନିଜର ସତ୍ତା ହରାଇ ଦେବାକୁ ଅସମ୍ଭବ କାମନା ତା’ର ମନରେ ଜାଗି ଉଠୁଥାଏ । କିନ୍ତୁ ଭୟ, ଶଙ୍କା ଓ ଲଜ୍ଜା ତାକୁ ନିଶ୍ଚଳ କରି ଦେଇଥାଏ......ଅଜଣା ମୋହରେ ତା’ର ଶରୀର ଭିତର କମ୍ପି ଉଠିଲା ଓ କେଜାଣି କାହିଁକି ତା’ର ଆଖିରେ ଆଖିଏ ଲୁହ ଭର୍ତ୍ତି ହୋଇଗଲା...... ।

 

ଗୋପବାବୁ ଉପରକୁ ଉଠି ଆସି ଅତି ପାଖରେ ପହଞ୍ଚି ମଧ୍ୟ ଯେତେବେଳେ ଦେଖିଲେ ଚପଳା ନିଶ୍ଚିଳ ସେତେବେଳେ ସେ ତାକୁ ମୁହଁ ଟେକି ଚାହିଁଲେ......ଆଶ୍ଚର୍ଯ୍ୟ ଚପଳା ନୀରବରେ ଠିଆ ହୋଇଛି ଅଶ୍ରୁ ଛଳ ଛଳ ଆଖିରେ ତାଙ୍କୁ ଚାହିଁରହି । କଣ ହେଲା ତା’ର । ସେ ଆଉ କିଛି କହିଲେ କି......ନା ତ ! ତେବେ.... ? ହଠାତ୍ ଚପଳାର ହାତ ଧରି ପ୍ରଶ୍ନ କଲେ, ‘‘ଏ କ’ଣ ଚପଳା.... ! ଏ କି ଆଶ୍ଚର୍ଯ୍ୟ ! ତୁମେ କାନ୍ଦୁଛ.... ! କାହିଁକି... .? କ’ଣ ହେଲା ?’’

 

ଚପଳାର ଚେତନା ଫେରି ଆସିଲା......ଗୋପବାବୁଙ୍କୁର ସ୍ପର୍ଶ ତା’ର ଦେହେ ଦେହେ ସଞ୍ଚରି ଗଲା......ତା’ର ବୁକୁରେ ଭରି ଉଠିଲା ଅଗଣିତ ସ୍ପନ୍ଦନ । ଅତି ଲଜ୍ଜିତଭାବେ ସେ ନିଜର ହାତ ଖସାଇ ନେଲା ଗୋପବାବୁଙ୍କର ହାତରୁ । କିଛି ଉିତ୍ତର ନ ଦେଇ ସେ ଆଗେଇ ଚାଲିଲା । ଅଗତ୍ୟା ଗୋପବାବୁ ଆଉ କିଛି ନ ପଚାରି ନୀରବରେ ତାକୁ ଅନୁସରଣ କଲେ ।

 

ନିଜର ମନକୁ ଭୁଲାଇ ଦେବାପାଇଁ ଚପଳା କିଛି ଗୋଟାଏ କଥା କହିବ ବୋଲି ଭାବିଲା-। କିନ୍ତୁ କ’ଣ ବା ସେ କହିବ ଗୋପବାବୁଙ୍କୁ ? ଯାହା କି ସେ ଭାବୁଛି, ତାହା କ’ଣ ସେ କହି ପାରିବ-? ତା’ ମନରେ ଯେତେ ଯେତେ କଳ୍ପନା ଢେଉ ଭାଙ୍ଗୁଛି, ସେ ସବୁ କ’ଣ ଗୋପବାବୁଙ୍କର ପାଖେ ପ୍ରକାଶ କରିହେବ ? ଛି, ସେ ଭାବିବେ କ’ଣ ? କେତେ ବଡ଼ ଡାକ୍ତର ସେ । ତାଙ୍କର କି ଯୋଗ୍ୟତା ନାହିଁ ! କି ରୂପ ବା ନ ପାଇଛନ୍ତି ସେ ! ସାମାନ୍ୟ ହଁ କଲେ କେତେ ଯେ ଧନୀ କନ୍ୟାପିତା ତାଙ୍କ ରୂପସୀ ଓ ଶିକ୍ଷିତା କନ୍ୟାମାନଙ୍କର ପାଦତଳେ ସମର୍ପି ଦେବାକୁ ଇଚ୍ଛା କରିବେ, ତା’ର ଠିକଣା ନାହିଁ-! ଆଉ ତା’ ପରି ଅର୍ଦ୍ଧଶିକ୍ଷିତା, ଗାଉଁଲି ଝୁଅ ପାଖେ କ’ଣ ଅଛି ଯେ ସେ ତାଙ୍କ ପରି ଏକ ଯୁବକଙ୍କୁ ନିଜ ଆଡ଼କୁ ଟାଣି ଆଣି ପାରିବ ?

 

ଗୋପବାବୁ ଭାବି ଚାଲିଛନ୍ତି କାହିଁକି ଓ କେଉଁଥିପାଇଁ ଚପଳାର ଆଖିରେ ଲୁହ ଭରିଗଲା ? ତା’ର ମନରେ କିଛି ଦୁଃଖ ଅଛି କି ? କିଛି କହିବ କହିବ ଭାବି ସେ କ’ଣ କହିପାରୁନି-? ସେ କିଛି ଭାବି ପାରିଲେ ନାହିଁ । ମନ ତାଙ୍କର ମାନିଲା ନାହିଁ । ସେ ଚପଳର ହାତ ପୁଣି ଥରେ ଧରି ରଖି ପଚାରିଲେ, ‘‘କହିଲ ନାହିଁ, ଚପଳା ତୁମ ଆଖି ଲୁହ ଛଳ ଛଳ କାହିଁକି ହୋଇଥିଲ ?’’

 

ଚପଳା ଧୀର କଣ୍ଠରେ ଜବାବ ଦେଲା, ‘‘ସବୁ କଥା କ’ଣ କହି ହୁଏ ଗୋପବାବୁ...... ’’

 

‘‘ତେବେ ଏତିକି କ’ଣ କହି ପାରିବ ନାହିଁ ଯେ ସେ ଅଶ୍ରୁ ବିଷାଦର କି ?’’

 

‘‘ଆନନ୍ଦର......’’ ଗୋପବାବୁଙ୍କୁ କଥାରେ ବାକି ଅଂଶ ପୂରଣ କଲା ଚପଳା ।

 

ଗୋପବାବୁଙ୍କର ଆଉ ପଚାରିବାର କିଛି ନ ଥିଲା । ମନ ତାଙ୍କର ଆନନ୍ଦରେ ଭରିଗଲା-। ସେମାନେ ବନ୍ଧ ଉପରକୁ ଉଠି ସାରିଥିଲେ । ଦୁଆର ମୁହଁରେ ବିମଳା ଦେବୀ ବ୍ୟସ୍ତ ଭାବେ ଅପେକ୍ଷା କରିଛନ୍ତି । ଆଉ କିଛି କଥାଭାଷା କରିହେବା ସମ୍ଭବ ନୁହେଁ । ତେବେ ଏତିକି ସେ କହିଲେ, ‘‘ସେ ଆନନ୍ଦଟା କ’ଣ ପାଟିରେ ନ କହିଲେ ବି ଲେଖିକରି ଜଣାଇ ପାରିବନି ଚପଳା ?’’

 

‘‘ଲାଭ ?’’ ଚପଳା ଅତି ନୀରବରେ ପ୍ରଶ୍ନ କଲା......

 

‘‘ଖୁବ୍ ଖୁସି ହୁଅନ୍ତି ......’’

 

‘‘ଚେଷ୍ଟା କରିବ ......’’

 

ଦୁହେଁ ଘରେ ପହଞ୍ଚି ସାରିଥିଲେ । ବିମଳା ଦେବୀ ଭିତରକୁ ଯାଇ ବଢ଼ାବଢ଼ିର ଆୟୋଜନରେ ଲାଗି ଗଲେଣି......ଚପଳା ରୋଷେଇ ଘରକୁ ପଶିଗଲା...... ।

 

ଛନ୍ଦା ଠିକ୍ ବୁଝିଛି, ଗୋପବାବୁ ବସ୍‌ରୁ ଓହ୍ଲାଇ ଚପଳା ଘରେ ପହଞ୍ଚିଛନ୍ତି । ସେଠି ଖାଇ ପିଇ ଏତେ ଡେରୀରେ ଘରକୁ ଫେରୁଛନ୍ତି । ତେଣୁ ବାପା ବା ବୋଉ ସେମାନେ ଅନ୍ୟ ଯେତେ କଥା ଭାବୁଥିଲେ ବି ସେ କହି ଚାଲିଛି, ‘‘ଗୋପ ଭାଇ ନିଶ୍ଚୟ ଆସିଛନ୍ତି । ସେ ନିଧି ମଉଷାଙ୍କ ଘରେ ଥିବେ । ଡେରୀରେ ଆସି ପହଞ୍ଚିବେ ।’’ ତେଣୁ ଗୋପବାବୁ ଯେତେବେଳେ ଦିନ ଗୋଟାଏରେ ଆସି ଘରେ ପହଞ୍ଚିଲେ ଛନ୍ଦା ଦଉଡ଼ିଯାଇ ବୋଉକୁ ଆଗ କହିବସିଲା, ‘ପଚାରି ଦେଖ୍, ମୋ କଥା ସତ କି ମିଛ ।’

 

ସରସ୍ୱତୀ ଦେବୀ ହସି ହସି ବାହାରି ଆସିଲେ, ପଚାରିଲେ, ‘‘କ’ଣ ଗୋପ ନିଧି ରାଉତରାୟଙ୍କ ଘରବାଟେ ଆସିଲେ କି ?’’

 

ଅପରାଧୀ ଭାବେ ଗୋପବାବୁ ମୁଣ୍ଡ ତଳକୁ କରି କହିଲେ, ‘‘ହଁ, ଡା: ତ୍ରିପାଠି କହିଥିଲେ ଆଗ ରୋଗୀକୁ ଦେଖି ଔଷଧ ଦେଇସାରି ତା’ପରେ ଅନ୍ୟକାମ କରିବାକୁ । ମାନେ, ଏଇ ମୋର ଶିକ୍ଷକ ଡା: ତ୍ରପାଠି । ତେଣୁ ବାଧ୍ୟହୋଇ ଆଗ ସେଠାକୁ ଚାଲିଗଲି । ଆଉ ନିଧିବାବୁ କି ଛାଡ଼ନ୍ତି ? ଖୁଆଇ ପିଆଇ ଯାଇ ଛାଡ଼ିଲେ । ତେଣୁ ଡେରୀ ହୋଇଗଲା ।’’

 

‘‘ହଁ ସେ ରୋଗୀ କିଏ ମୁଁ ଜାଣେ ଯେ ।’’ ଖୁବ୍ ନୀରବରେ ଗୋପ ବାବୁଙ୍କର କାନ ପାଖରେ ବୋଉ ନ ଶୁଣିଲା ପରି ଏତକ କହିଦେଇ ଛନ୍ଦା ରାଗରେ ଚାଲିଗଲା ଶୋଇବା ଘରକୁ । ସରସ୍ୱତୀ ଦେବୀ କିଛି ଶୁଣିବା ପାଇଁ ଇଚ୍ଛା ନ କରି ଚାଲିଗଲେ ନିଜ କାମରେ । ଗୋପବାବୁ ସ୍ପଷ୍ଟ ବୁଝି ପାରିଲେ ଛନ୍ଦା କାହାକୁ ଉପଲକ୍ଷ୍ୟ ଦେଇ ଏତକ କହିଲା । ଛନ୍ଦା ମନର ଅଭିମାନ ତୁଟାଇବାକୁ ହେବ । ନ ହେଲେ ହୁଏତ ଚପଳା ନେଇ ସେ କିଛି ଅଯଥା କଥା ଅନ୍ୟମାନଙ୍କ ଆଗରେ ଗାଇ ବସିବ । ଗୋପବାବୁ ଛନ୍ଦାର ଶୋଇବା ଘରକୁ ପଶିଗଲେ ।

 

ଛନ୍ଦାର ମନରେ ପୁଞ୍ଜୀଭୂତ ଅଭିମାନ । ସେ ଶତଚେଷ୍ଟା କରୁଛି ଗୋପଭାଇଙ୍କୁ ତା’ର ପରିସର ଭିତରକୁ ପାଣି ଆଣିବାକୁ । ଯେତିକି ଚେଷ୍ଟା କରୁଛି, ଗୋପଭାଇ ସେତିକି ତା’ଠାରୁ ଦୂରେଇ ଯାଇ ଚପଳାକୁ ଭଲପାଇ ବସୁଛନ୍ତି । ମନ ଠିକ୍ ଥିଲାବେଳେ ତା’ର ଇଚ୍ଛାହୁଏ ଗୋପଭାଇଙ୍କୁ ପ୍ରକୃତରେ ଗୋପଭାଇ ଭାବି ସେ ବରଂ ଚପଳା ଓ ତାଙ୍କର ମିଳନକୁ ଅଧିକ ଦୃଢ଼ କରି ଦିଅନ୍ତି । କିନ୍ତୁ ଯୌବନସୁଲଭ ଉତ୍ତେଜନା ଅନେକ ସମୟରେ ତାକୁ ଅସ୍ଥିର କରିପକାଏ । ସେ ଈର୍ଷାନ୍ୱିତ ହୋଇ ଉଠେ ଚପଳା ଉପରେ ଯେତେବେଳେ ଦେଖେ ଗୋପଭାଇ ତା’କଥା ନ ରଖି ବା ତା’କଥା ନ ଭାବି ଚପଳା ଆଡ଼କୁ ଟାଣିହୋଇ ଯାଆନ୍ତି । ସେହିପରି ଆଜି ସିଧା କଟକରୁ ଆସି ଚପଳା ଘରେ ଖାଇ ଆସିଥିବାରୁ ତା’ର ଖବ୍ ରାଗ ହେଲା ଗୋପଭାଇଙ୍କ ଉପରେ । ବିଶେଷତଃ କାଲି ସକାଳେ ମଧ୍ୟ ସେ ଅନୁରୋଧ କରିଥିବା ସତ୍ୱେ ଚପଳା ଘରେ ଜଳଖିଆ ଖାଇ ଆସିଲେ । ଛନ୍ଦାର ମନ ଖୁବ୍‍ ଚିଡ଼ି ଉଠିଲା । ସେ ରାଗ ଓ ଅଭିମାନରେ ସମ୍ଭାଳି ନ ପାରି କାନ୍ଦି ପକାଇଲା । ତେଣୁ ଲୁହ ଲୁଚାଇବା ପାଇଁ ସେ ତକିଆରେ ମୁହଁ ମାଡ଼ି ପଡ଼ିରହିଲା ।

 

ଗୋପବାବୁ ଦେଖିଲେ ଛନ୍ଦା ତକିଆ ଭିତରେ ମୁହଁ ଗୁଞ୍ଚି ଶୋଇ ରହିଛି । ସେ ଅନୁମାନ କରିପାରିଲେ ଯେ ଛନ୍ଦା ଆଖିରେ ଲୁହ ଆସି ଯାଇଛି । ସିଧା ତା’ର ମୁଣ୍ଡ ପାଖରେ ବସିଯାଇ ତାକୁ ବୁଝାଇବାରେ ଲାଗିଲେ । କ୍ଷମା ମାଗିଲେ । ଯେତେ ଚେଷ୍ଟା କଲେ ବି ଛନ୍ଦା ମୁଣ୍ଡ ନ ଉଠାଏ । ହଠାତ୍ ଗୋପବାବୁଙ୍କର ମୁଣ୍ଡରେ ଗୋଟାଏ ବୁଦ୍ଧି ଖେଳିଗଲା । ସେ ଧୀରେ ଉଠିଯାଇ ହାଣ୍ଡବ୍ୟାଗ୍‌ରୁ ଟେଲେରିନ୍ ବ୍ଲାଉଜ ପିସ୍ ଓ ଶାଢ଼ୀ ପାକେଟ ଦୁଇଟି କାଢ଼ି ଖୋଲି ଦେଲେ । ତା’ପରେ ଆସ୍ତେ ଆସ୍ତେ ଛନ୍ଦାର ମୁହଁ ପାଖରେ ସେ ଦୁଇଟି ଦେଖାଇବାରେ ଲାଗିଲେ ।

 

ଛନ୍ଦା ଆଖି ବୁଜିଥିଲେ ମଧ୍ୟ ଅନୁମାନ କଲା ନିଶ୍ଚୟ କିଛି ଗୋଟାଏ ଜିନିଷ ତା’ ଆଖି ପାଖରେ ଗୋପବାବୁ ଧରି ରଖିଛନ୍ତି । ସେ ଧୀରେ ଆଖି ଖୋଲି ଦେଖିବାକୁ ଚେଷ୍ଟାକଲା । ଓଃ ! କି ସୁନ୍ଦର ରଙ୍ଗୀନ ବ୍ଲାଉଜ ପିସ୍ । ଛନ୍ଦା ଆଉ ଲୋଭ ସମ୍ଭରଣ କରି ପାରିଲା ନାହିଁ । ତା’ର ସବୁ ଅଭିମାନକୁ ସେ ପଛକୁ ପକାଇ ହଠାତ୍ ଉଠି ବସିଲା । ତାକୁ ଉଠିବା ଦେଖି ଗୋପବାବୁ ସେଗୁଡ଼ିକ ନିଜର ପଛଆଡ଼େ ଲୁଚାଇ ଦେଲେ । ଛନ୍ଦା ଝାମ୍ପ ଦେଇ ଗୋପବାବୁଙ୍କ ଉପରେ ଢଳିପଡ଼ି ତାଙ୍କ ପଛପଟୁ ପାକେଟ ଦୁଇଟି ଟାଣି ଆଣିଲା । ସାଙ୍ଗେ ସାଙ୍ଗେ ତାକୁ ଖୋଲି ପକାଇ ଦେଖିନେଇ ସେ ଆତ୍ମବିଭୋର ହୋଇଗଲା । ସେ ଖଟ ଉପରୁ ଲମ୍ଫଦେଇ ଦଉଡ଼ି ଗଲା ବୋଉ ପାଖକୁ ଦେଖାଇବା ପାଇଁ । ଛନ୍ଦାର ଅଭିମାନ ତୁଟିଯାଇଛି..... ।

 

X X X

 

କିଛିଦିନ ପରେ ଦିନେ ଉପରବେଳା ଗୋପବାବୁ ବାହାର ପିଣ୍ଡାରେ ବସି ଗୋଟିଏ ନୂଆହୋଇ ପ୍ରକାଶ ପାଉଥିବା ଚିକିତ୍ସାବିଜ୍ଞାନ ସମ୍ୱନ୍ଧୀୟ ମାସିକ ଓଡ଼ିଆ ପତ୍ରିକା ପଢ଼ୁଛନ୍ତି । ମଧୁବାବୁ ଘରେ ନାହାନ୍ତି । ସରସ୍ୱତୀ ଦେବୀ ରୋଷେଇଘରେ ନିଜ କାମରେ ବ୍ୟସ୍ତ; କାରଣ ପରୀକ୍ଷା ଖୁବ୍ ପାଖରେ । ହଠାତ୍ ସେ ଶୁଣିପାରିଲେ ଛନ୍ଦା ଘରେ ଆଉ କାହାର ଧୀର କଥାଭାଷା । ଆଗ୍ରହାନ୍ୱିତ ହୋଇ ସେ ଘର ଭିତରକୁ ଉଠିଗଲେ । ଯାହା ଦେଖିଲେ ସେଥିରେ ତାଙ୍କ ମନ ଆନନ୍ଦିତ ହୋଇଗଲା । ଛନ୍ଦା ପ୍ରତି ତାଙ୍କର ମନ କୃତଜ୍ଞତାରେ ଭରିଗଲା । ଚୌଧୁରୀବଜାରର ସେହି ଶାଢ଼ୀଦୋକାନରେ ଯେଉଁ ଭାବନା ତାଙ୍କ ମନରେ ଉଙ୍କି ମାରିଥିଲା, ତାହା ଆଜି ପୂର୍ଣ୍ଣ କରି ଦେଇଛି ଛନ୍ଦା । ଏକାପରି ଦୁଇଟି ଶାଢ଼ୀ ଓ ଦୁଇଟି ବ୍ଲାଉଜ ପିନ୍ଧି ଛନ୍ଦା ଓ ଚପଳା ଘରଭିତରୁ ବାହାରି ଆସୁଛନ୍ତି । ହୁଏତ ସରସ୍ୱତୀ ଦେବୀଙ୍କ ପାଖକୁ ଯାଉଛନ୍ତି ପ୍ରଣତି ଜଣାଇବାକୁ । ଦୁହେଁ ବାସ୍ତବିକ୍ ଦୁଇଟି ପରୀ ପରି ଦେଖାଯାଉଛନ୍ତି ଏହି ଖଟାଉମିଲ୍‌ସର ଶାଢ଼ୀ ସହ ଟେରେକଟ୍ ବ୍ଲାଉଜ ପିନ୍ଧି ।

 

ଗୋପବାବୁ ଛନ୍ଦାର ପ୍ରତି ଜିନିଷରୁ ଦୁଇଟି କରି ମଗାଇବାର ଉବ୍ଦେଶ୍ୟ ବୁଝିପାରିଲେ । ଛନ୍ଦା ଓ ଚପଳାଙ୍କର ସ୍ନେହ କେତେ ଗାଢ଼ତର ତାହା ଆଜି ସେ ଜାଣିପାରିଲେ । ଛନ୍ଦାର ମହାନୁଭବତା ପାଇଁ ସେ ଖୁସିହେଲେ । ଦୁହିଁଙ୍କୁ ସେ ଏକଲୟରେ ଚାହିଁ ରହିଲେ ।

 

ଛନ୍ଦା ଓ ଚପଳା ଗୋପବାବୁଙ୍କର ସାମନାରେ ଏପରି ପଡ଼ିଯିବେ ବୋଲି ଆଶା କରରି ନଥିଲେ । ଦୁହେଁ ଲାଜରେ ସଢ଼ିଗଲେ । କିନ୍ତୁ ପରକ୍ଷଣରେ ଦୁହେଁ ଦୁଇଟି ନମସ୍କାର କରି ଚାଲିଗଲେ ରୋଷେଇଘରକୁ ସରସ୍ୱତୀ ଦେବୀଙ୍କର ଉଦ୍ଦେଶରେ । ଗୋପବାବୁ ତାଙ୍କ ବଖରାକୁ ଯାଇ ଖଟ ଉପରେ ଅଳସ ଭାଙ୍ଗିବା ପାଇଁ ପଡ଼ିଗଲେ । କେତେବେଳେ ତାଙ୍କ ଆଖିକୁ ନିଦ ଆସିଯାଇଛି ଜଣାନାହିଁ ।

 

ରୋଷେଇ ଘର ଭିତରକୁ ଯାଇ ଛନ୍ଦା ଓ ଚପଳା ଦୁହେଁ ସରସ୍ୱତୀ ଦେବୀଙ୍କୁ ଆଭୂମି ପ୍ରଣାମ ଜଣାଇଲେ । ଦୁହିଁଙ୍କୁ ଅପୂର୍ବ ବେଶରେ ଦେଖି ସରସ୍ୱତି ଦେବୀଙ୍କର ମନ ଆନନ୍ଦରେ ପୂରି ଉଠିଲା । ଆନନ୍ଦରେ ଆଖି ଦୁଇଟି ତାଙ୍କର ଛଳ ଛଳ ହୋଇଗଲା । ଲୁହ ଲୁଚାଇବା ପାଇଁ ସେ ମୁହଁ ଘୁରାଇନେଲେ ।

 

ସରସ୍ୱତୀ ଦେବୀ ଜଳଖିଆ ପ୍ରସ୍ତୁତ କରୁଥିଲେ । ଚପଳା ସରସ୍ୱତୀ ଦେବୀଙ୍କ ପାଖରେ ବସିପଡ଼ି ତାଙ୍କୁ ସାହାଯ୍ୟ କରିବାରେ ଲାଗିଲେ । ଛନ୍ଦା କ’ଣ କରିବ କିଛି ଠିକ୍‌କରି ନପାରି ପ୍ରସ୍ତୁତ ହୋଇଥିବା କାକରାରୁ ଗୋଟେ ନେଇ ଖଇବାରେ ଲାଗିଲା । ସରସ୍ୱତୀ ଦେବୀ ବିରକ୍ତ ହୋଇ କହିଲେ, ‘‘ଦେଖ୍ ବାହାରିଲା ଗୁଣ । ଟିକିଏ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିପାରୁନୁ ।

 

ଛନ୍ଦା ହସି ହସି କହିଲା, ‘‘ଆଉ କ’ଣ କରିବି ? ଚପଳା ସିନା ଗୋଟାଏ କାମରେ ଲାଗିଗଲା । ମୁଁ ଫେର କ’ଣ କରିବି ? ତେଣୁ ଖାଇବା ଆରମ୍ଭ କରିଦେଲି । ତୁ ମୋତେ ଗୋଟାଏ କିଛି କାମ ବତାଉନୁ ।’’

 

ସରସ୍ୱତୀ ଦେବୀ କହିଲେ, ‘‘ଚପଳାକୁ କ’ଣ ମୁଁ କାମ ବତାଇଥିଲି ? ସେ ତାର ମନକୁ ବସି କାମରେ ଲାଗିଗଲାଣି ।’’

 

‘‘ବାଃରେ; ସେ ଯେତେବେଳେ ତୋ ସାଙ୍ଗେ ଏଇ ସାମାନ୍ୟ ଜଳଖିଆ କରିବାକୁ ଲାଗିଗଲାଣି, ମୁଁ ଆଉ ଏଠି କ’ଣ କରିବି ? ତୁ ମୋତେ ଆଉ କେଉଁଠି କିଛି କାମ କରିବାକୁ କହ; ନ କଲେ କହିବୁ ।’’

 

‘‘ଆଚ୍ଛା, ତୁ ଯା, ବାପାଙ୍କୁ ଡାକି ସାଙ୍ଗରେ ନେଇ ଆସିବୁ ।’’

 

ଏତେ ବଡ଼ କାମଟାଏ ଦିଆ ହେବ ବୋଲି ଛନ୍ଦା ଭାବି ନଥିଲା । ବାହାରକୁ ଯିବାକୁ ହେବ......ଫେର ବାପାଙ୍କୁ ଡାକିବାକୁ ହେବ । ବାପା ତ ସହଜେ ଗପୁରା ମଣିଷ, ତାଙ୍କୁ ଡାକି, ଫେର ସାଙ୍ଗରେ ନେଇ ଆସିବାକୁ ହେବ । ଇଚ୍ଛା ନ ଥିଲେ ବି କଥା ଦେଇଛି ଯେତେବେଳେ ବାଧ୍ୟ ହୋଇ ଛନ୍ଦା ବାପାଙ୍କୁ ଡାକିବାକୁ ଗଲା ।

 

ଚପଳା ନୀରବରେ ପୁରୀ ବେଲିବାରେ ଲାଗିଛି । ବାହାରେ ସେ କାମରେ ଲାଗିଥିଲେ ମଧ୍ୟ, ଭିତରେ ତାର ମନ ମଧ୍ୟେରେ ବିରାଟ ଅସ୍ଥିରତା । ଆଜି ଯେତେବେଳେ ଛନ୍ଦା ଯାଇ ତାକୁ ଡାକିଲା ଆସିବାକୁ, ନୂଆ ଶାଢ଼ୀ ଓ ବ୍ଲାଉଜ ତାକୁ ଯେତେ ନ ଟାଣିଲା ବେଶୀ ଟାଣିଲା ଗୋପବାବୁଙ୍କର ମମତା ! ସେଦିନ ସେ ତାଙ୍କୁ କଥା ଦେଇଛି ଚିଠି ଲେଖି ଜଣାଇବ ବୋଲି ତା’ ଅଶ୍ରୁର ରହସ୍ୟ । ତେବେ କିପରି ଜଣାଇବ ଯେ ପର୍ଯ୍ୟନ୍ତ ଗୋପବାବୁଙ୍କୁ ଏକାନ୍ତରେ ନ ପାଇଛି । ଚନ୍ଦୁର ଦେହ ଭଲ ହୋଇ ଆସିଲାଣି । ଗୋପବାବୁ ବିଶେଷ ତାଙ୍କ ଘରକୁ ଯାଉ ନାହାନ୍ତି । ଗଲେ ବି ଅଳ୍ପ ସମୟ ରହି ଚାଲି ଆସୁଛନ୍ତି । ତା’ ଭିତରେ ଗୋପନୀୟ ଭାବେ ଚିଠିଖଣ୍ଡେ ତାଙ୍କ ହାତରେ ଦେବା ଆଦୌ ସମ୍ଭବ ନୁହେଁ । ହାତରେ ଦେବା ବ୍ୟତିତ ଅନ୍ୟ ଉପାୟରେ ଦେବାପାଇଁ ତା’ର ସାହସ ଆଦୌ ନାହିଁ । ବରଂ ଛନ୍ଦାଙ୍କଘରକୁ ଆସି କୌଣସିମତେ ଚେଷ୍ଟାକଲେ ଚିଠି ଖଣ୍ଡିକ ଦେଇହେବ । କାରଣ ନିଜ ଘର ଅପେକ୍ଷା ଛନ୍ଦାଙ୍କ ଘରେ ସେ ନିଜକୁ ଅଧିକ ମୁକ୍ତ ମନେକରେ ।

 

କେବେଠାରୁ ଚିଠି ଖଣ୍ଡିଏ ଲେଖି ସେ ରଖିଥିଲା । ତେଣୁ ଆଜି ଛନ୍ଦାର ନିମନ୍ତ୍ରଣରେ ସେ ବାହାରି ଆସିଲା ଚିଠିଟି ଧରି । ଆସିବାବେଳୁ ପ୍ରତି ମୁହୂର୍ତ୍ତରେ ସେ ସୁଯୋଗ ଖୋଜୁଛି ଗୋପବାବୁଙ୍କୁ ଏକା ପାଇଲେ ଚିଠିଟି ଧରାଇ ଦେବାପାଇଁ । କିନ୍ତୁ ଛନ୍ଦା ଯେ ସର୍ବଦା ପାଖରେ ।

 

ତେଣୁ ଛନ୍ଦା ଯେତେବେଳେ ବାହାରକୁ ଚାଲିଗଲା ତା’ ମନର ଉଦ୍‍ବିଗ୍ନତା କ୍ରମଶଃ ବଢ଼ିଉଠିଲା । ସେ ଘରେ ଗୋପବାବୁ ଶୋଇଥିବା ଦେଖାଯାଉଛି । ଛନ୍ଦା କି ମଧୁବାବୁ ନାହାନ୍ତି । ଯଦି କୌଣସି ମତେ ସରସ୍ୱତୀ ଦେବୀଙ୍କ ପାଖରୁ ଯାଇ ହୁଅନ୍ତା ବା ସରସ୍ୱତୀ ଦେବୀ ମୁହୂର୍ତ୍ତକ ପାଇଁ କେଉଁଆଡେ ଯାଆନ୍ତେ ତେବେ......କିନ୍ତୁ ତା’କି ସମ୍ଭବ... ?

 

ହଠାତ୍ ଚପଳାର ଭାବନାରେ ବାଧା ଦେଇ ସରସ୍ୱତୀ ଦେବୀ କହିଲେ, ‘‘ଯିବୁଟି ମା’ ଚପଳା । ଗୋପ ସେ ଘରେ ଶୋଇପଡ଼ିଛି ନା କ’ଣ । ରୋଗୀ ଜଣେ ଅଧେ ବୋଧହୁଏ ବାହାରେ ବସିଲେଣି । ଉଠାଇ ଦେଇ ଆସିବୁ । ଅବେଳାଟାରେ ଶୋଇପଡ଼ିଛି ।’’

 

ସରସ୍ୱତୀ ଦେବୀଙ୍କର କଥା ଶୁଣି ଚପଳା ଯେପରି ଅନୁଭବ କଲା ଜୀବନର ସର୍ବଶ୍ରଷ୍ଠ ସୁଯୋଗ ଏଇ ତା’ ହାତରେ ସରସ୍ୱତୀ ଦେବୀ ବାଢ଼ିଦେଲେ । ମୁହୂର୍ତ୍ତେ ବିଳମ୍ୱ ନକରି ସେ ଉଠିଗଲା ଗୋପବାବୁଙ୍କ ପାଖକୁ ।

 

ଗୋପବାବୁ ନିଶ୍ଚିତରେ ଚିତ୍ ହୋଇ ଶୋଇ ପଡ଼ିଛନ୍ତି । ତାଙ୍କର ନିଦ୍ରିତ ମୁଖମଣ୍ଡଳ ଚପଳାର ଆଖିରେ ଚମତ୍କାର ଦେଖାଗଲା । ଇଚ୍ଛାହେଲା ପ୍ରାଣଭରି ଏହି ସୌନ୍ଦର୍ଯ୍ୟଭରା ବଦନକୁ ସେ ଜୀବନସାରା ଦେଖୁଥାନ୍ତା କି । କିନ୍ତୁ ତା’କି ସମ୍ଭବ । ମୁହୂର୍ତ୍ତେ ଅପେକ୍ଷା ନ କରି ଗୋପବାବୁଙ୍କୁ ଉଠାଇବାକୁ ହେବ । ନଚେତ୍ ଏଠି ତା’ର ଅଧିକ ସମୟ ଉପସ୍ଥିତିଟା ଅଶୋଭନି୍ୟ ହୋଇପାରେ । ସେ ନମ୍ର କଣ୍ଠରେ ଡାକିଲା, ‘‘ଗୋପବାବୁ......’’

 

ସ୍ୱପ୍ନପୁରୀର ରାଜକୁମାରୀକୁ ଗୋପବାବୁଙ୍କର ମନ ହୁଏତ ଖୋଜିବୁଲୁଥିଲା ବହୁସମୟ ହେଲା । ହଠାତ୍ କେଉଁଠାରୁ ସେଇ ରାଜକୁମାରୀର ଡାକ ଶୁଣି ସେ ଉଠିପଡ଼ିଲେ । ଆଗରେ ଚପଳାକୁ ଦେଖି ସେ ବିମୋହିତ ହୋଇଗଲେ । କିଛି କହିବା ପୂର୍ବରୁ ଖଟ ଉପରେ କାଗଜ ଖଣ୍ଡିଏ ରଖିଦେଇ ଚାଲି ଯାଉ ଯାଉ କହିଲା, ‘‘ମାଉସୀ ଆପଣଙ୍କୁ ଉଠାଇ ଦେବାକୁ କହିଲେ, ବାହାରେ ରୋଗୀ ଅପେକ୍ଷା କରିଛନ୍ତି......’’

 

ଗୋପବାବୁଙ୍କର ହଠାତ୍ ମନେ ପଡ଼ିଗଲା ସେ ଦିନର ସେଇ ଭାର୍ଗବୀ ନଈକୂଳରେ ଚପଳାର ପ୍ରତିଶ୍ରୃତି । ତାଙ୍କର ମନ ଆନନ୍ଦରେ ଭରିଗଲା । ହୃଦୟର ସମସ୍ତ ଆବେଗକୁ ଏକାଠି କରି ସେ କାଗଜ ଖଣ୍ଡି ଖୋଲି ଦେଖିଲେ ଛାପା ଅକ୍ଷରଠାରୁ ବି ଆହୁରି ଗୋଲ ଗୋଲ ଅକ୍ଷରରେ ଚପଳା ଲେଖିଛି-

 

‘ଗୋପବାବୁ’,

 

ନମସ୍କାର ନେବେ । ଆପଣଙ୍କୁ ସେଦିନ ପାଟିରେ କହି ନ ପାରିବାରୁ ଲେଖିକରି ଜଣାଇବା ପାଇଁ ଚେଷ୍ଟା କରିବି ବୋଲି କହିଥିଲି । କିନ୍ତୁ ପାଟିରେ କହିବାଠାରୁ ଲେଖିକରି ଜଣାଇବା କି କଷ୍ଟ । କେତେ ଭୟ ଓ ଆଶଙ୍କା ଭିତରେ ଏଇଟି ଲେଖିଛି ଏବଂ ଭଗବାନଙ୍କୁ ପ୍ରାର୍ଥନା କରିବାରେ ଲାଗିଛି ଅନ୍ୟମାନଙ୍କର ସଂପୂର୍ଣ୍ଣ ଅଜାଣତରେ ଏଇଟି କିପରି ଆପଣ ପାଆନ୍ତୁ ।

ମୋ ମନର କଥା ଆପଣ ଶୁଣିବାକୁ ବହୁ ଆଗ୍ରହ କରିଛନ୍ତି । କିନ୍ତୁ କାହିଁକି ? କି ଲାଭ ହେବ ଆପଣଙ୍କର ? ମୋ ଆଖିର ଲୁହ ଦେଖି ଆପଣ ବିଚଳିତ ହୋଇଥିଲେ କାହିଁକି ? ଫେର ତାହା ଆନନ୍ଦର ଶୁଣି ଖୁସି ହେଲେ କାହିଁକି ? ଆପଣଙ୍କର ମୋ ପ୍ରତି ଏଇ ଆଗ୍ରହ ହିଁ ଆଜି ମୋତେ ଛଟପଟ କରୁଛି ।

ଆପଣଙ୍କ କଥାଭାଷା, ରୂପ, ଚାଲିଚଳଣ ପ୍ରତ୍ୟକ ମୋ ଆଖିରେ ସର୍ବଦା କେଜାଣି କାହିଁକି ଅନ୍ୟଠାରୁ ଅଧିକ ସୁନ୍ଦର ଜଣା ଯାଉଛି ।

ସେ ଦିନ ମୋ ମନରେ କି ଇଚ୍ଛା ଉଙ୍କି ମାରୁଥିଲା ଜାଣନ୍ତି ? ଭଗବାନ କ୍ଷୀରସମୁଦ୍ରରେ ପରି ଆପଣ ଯେତେବେଳେ ଭାର୍ଗବୀ ନଈର ପାଣି ଭିତରେ ଚିତ୍ ହୋଇ ଭାସୁଥିଲେ ସେଇ ପାଣି ଭିତରକୁ ଡେଇଁ ପଡ଼ି ଆପଣଙ୍କର ଚଉଡା ଛାତି ଉପରେ ମୁଣ୍ଡରଖି ଚିରଦିନ ପାଇଁ ଆଖି ମୁଦି ଦେବାକୁ ମୋର ଇଚ୍ଛା ହେଉଥିଲା । କିନ୍ତୁ ପରକ୍ଷଣକର ନିଜର ଭୁଲ୍ ବୁଝିପାରିଲି । ମନେ ମନେ ଭାବିଲି, କେତେ ବଡ଼ ଡାକ୍ତର ଆପଣ । ସାମାନ୍ୟ ହଁ କଲେ କେତେ ରୂପସୀ ଓ ଶିକ୍ଷିତା ଝିଅ ଆପଣଙ୍କ ପାଦତଳେ ଖଟିବା ପାଇଁ ବାହାରି ଆସିବେ । ମୋପରି ଅର୍ଦ୍ଧଶିକ୍ଷିତା, ଗାଉଁଲି ଝିଅ ପକ୍ଷେ ଆପଣଙ୍କ ଛାତି ଉପରେ ମୁଣ୍ଡ ରଖି ଆଖି ମୁଦିଦେବାର ଆଶା କରିବା ମରୀଚିକା ପଛରେ ଧାଇଁବା ସଙ୍ଗେ ସମାନ ନୁହେଁ କି ? ଏଇ କଥା ସବୁ ମନରେ ଆସି ମୋର ଆଖିର ଲୁହ ଆସି ଯାଇଥିଲା......ଏହା ଆନନ୍ଦର କି ଦୁଃଖର ମୁଁ ବିଚାର କରିନି । ଆଖିରେ ଆପେ ଆପେ ଲୁହ ଆସି ଯାଇଥିଲା. ମୋର ଅଜାଣତରେ......

କ୍ଷମା କରିବେ । ବାମନ ହୋଇ ମୁଁ ଚନ୍ଦ୍ରକୁ ହାତ ବଢ଼ାଇବାର ଆଶା କରିଥିଲି । ସେ ଭୁଲ ଆଉ କରିବି ନାହିଁ କି ଆପଣଙ୍କୁ ସେପରି ବିଚଳିତ କରିବି ନାହିଁ । ଅନୁରୋଧ, ଚିଠିର ଉତ୍ତର ଦେବାକୁ ଚେଷ୍ଟା କରିବେ ନାହିଁ କି ଆଉ ମନର କଥା ଲେଖିକରି ଜଣାଇବାକୁ କହିବେ ନାହିଁ । ଉଭୟ ମୋ ପକ୍ଷେ କଷ୍ଟକର । ଇତି ।

ଆପଣଙ୍କର

‘‘......ଚପଳା’’

 

ଗୋପବାବୁଙ୍କର ମନରେ ଆଉ ଅବୁଝା କିଛି ରହିଲା ନାହିଁ । ଯେଉଁ ଆଶା ଓ ଆଶଙ୍କା ମଧ୍ୟରେ ସେ ଆଜି ପର୍ଯ୍ୟନ୍ତ ଛଟପଟ ହେଉଥିଲେ, ତାହା ଏଇ ଚିଠି ଖଣ୍ଡିକ ସ୍ପଷ୍ଟ କରିଦେଲା । ତାଙ୍କ ମନରେ ଆଉ ଦ୍ୱିଧା କିଛି ରହିଲା ନାହିଁ । ସେ ମନେ ମନେ ସ୍ଥିର କରିନେଲେ ଆଜି ଏଇ ମୁହୂର୍ତ୍ତରୁ ଚପଳାହିଁ ତାଙ୍କ ହୃଦୟର ଶ୍ରେଷ୍ଠାସନ ଅଧିକାର କରିନେଲା । ତାକୁ ଆଉ କେହି ହଟାଇ ପାରିବେ ନାହିଁ । ଚପଳା ଏଣିକି ଯେଉଁଠି ରହୁ......ଯେଉଁ ଆଡ଼େ ଯାଉ......ସେ ତାଙ୍କର । ହୁଏତ ଚପଳାକୁ ସେ ସହଧର୍ମିଣୀ ରୂପେ ନପାଇ ପାରନ୍ତି, କିନ୍ତୁ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ତାଙ୍କ ହୃଦୟରାଜ୍ୟର ରାଣୀ ହୋଇ ରହିବ ହିଁ ରହିବ.... ।

 

ତୃପ୍ତିର ଆଲୋକରେ ମୁଖ ତାଙ୍କର ଉଜ୍ୱଳ ହୋଇଗଲା । ବାହାରେ ରୋଗୀ ଅପେକ୍ଷା କରିଛନ୍ତି......ପ୍ରଫୁଲ୍ଲ ମନରେ ସେ ବାହାରକୁ ଉଠିଗଲେ । ସେଦିନ ପ୍ରତି କାର୍ଯ୍ୟ ତାଙ୍କୁ ତୃପ୍ତିକର ବୋଧହେଲା......ପ୍ରତ୍ୟକ କାର୍ଯ୍ୟରେ ନିଜର ମନପ୍ରାଣ ଢାଳି ସେ ଲାଗିଲେ ଅତି ଆନନ୍ଦରେ......

ମଣିଷର ଜୀବନରେ ସମୟେ ସମୟେ ଏପରି ଅବସ୍ଥା ଆସେ, ଯଦ୍ଦ୍ୱାରା ସେ କ୍ଷଣିକ ଉତ୍ତେଜନାରେ ଅଦ୍ଭୁତ କଳ୍ପନା କରି ବସେ ଏବଂ ସେହି କଳ୍ପନାକୁ କାର୍ଯ୍ୟକାରୀ କରିବା ପାଇଁ ସେ ମନେ ମନେ ବା ପ୍ରକାଶ୍ୟରେ ପ୍ରତିଜ୍ଞା କରି ବସେ । ପରେ ଯେତେବେଳେ ତା’ର ମନର ଉତ୍ତେଜନା କମିଯାଏ, ସେ ବୁଝେ ତା’ର କଳ୍ପନା ଅସମ୍ଭବ ରକମର ଏବଂ ତାର ପ୍ରତିଜ୍ଞା କାର୍ଯ୍ୟକାରୀ କରିବା ହୁଏତ ଅସମ୍ଭବ । ତେଣୁ ତା’ ମନରେ ଆସେ ଅସ୍ଥିରତା, ଜାଗେ ଦ୍ୱନ୍ଦ । କୌଣସି ଗୋଟାଏ କାର୍ଯ୍ୟରେ ତା’ର ମନ ଲାଗେ ନାହିଁ । ଫଳରେ ତାର ମନର ଏହି ଅସ୍ଥିରତା ଅନ୍ୟର ଆଖିରେ ସହଜରେ ଧରା ପଡ଼ିଯାଏ । ସେହିପରି ଘଟଣା ଘଟିଲା ଗୋପବାବୁଙ୍କର ଜୀବନରେ । ସେ ସେଦିନ ମନେ ମନେ ଯେଉଁ କଳ୍ପନା କରି ବସିଲେ, ତାକୁ କାର୍ଯ୍ୟକାରୀ କରିବାକୁ ଆଗେଇ ସେ ଦେଖିଲେ, ତାଙ୍କର କଳ୍ପନା ଅସମ୍ଭବ । ଚପଳାକୁ ମନେ ମନେ ନିଜର କରି ବରି ନେଇଥିଲେ ବି ତାକୁ ପାଇବା ଏତେ ସହଜ ନୁହେଁ । ତା’ପରେ କିପରି ଓ କେଉଁ ଉପାୟରେ ବା ତାଙ୍କର ଏ କାମନାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି କାର୍ଯ୍ୟରେ ପରିଣତ କରି ହେବ ? କିଏ ବା ଏ କାର୍ଯ୍ୟ କରି କରିପାରିବ ?

ଗୋପବାବୁଙ୍କର ହଠାତ୍ ମନେ ହେଲା, ହଁ ଜଣେ ମାତ୍ର ଅଛି ଯେ କି ଏହା ସହଜରେ କରି ପାରନ୍ତା । ଛନ୍ଦା ହିଁ ଏ କାର୍ଯ୍ୟ କରିପାରିବ । ସେ ଠିକ୍ କଲେ ଛନ୍ଦାକୁ ହିଁ କହିବେ ସବୁ କଥା ମନ ଖୋଲି । ତା’ର ସହଯୋଗରେ ହିଁ ସେ ତାଙ୍କ ମନର ମୟୂରୀକୁ ପାଇ ପାରିବେ ।

ସେ ଦିନ ଥାଏ ରବିବାର । ଛନ୍ଦା ଚପଳା ଘରକୁ ଯିବାକୁ ପ୍ରସ୍ତୁତ ହେଉଛି । ସରସ୍ୱତୀ ଦେବୀ ନାହାନ୍ତି । ମଧୁବାବୁ ବି କୌଣସି ଜରୁରୀ କାମରେ ଯାଇଛନ୍ତି ସ୍କୁଲକୁ । ଗୋପବାବୁ ଦେଖିଲେ ଏହାହିଁ ପ୍ରକୃଷ୍ଟ ସମୟ ଛନ୍ଦା ପାଖରେ ତାଙ୍କର ମନର ଭାବନା ଖୋଲି ଦେବାପାଇଁ । ସେ ଛନ୍ଦା ପାକକୁ ଯାଇ ତାକୁ ଡାକିଳେ, ‘‘ଛନ୍ଦା ଟିକିଏ ମୋ ରୁମ୍‌କୁ ଆସିବୁ କି ?’’

ଛନ୍ଦା ଗୋପବାବୁଙ୍କର ବିରସ ଓ ଚିନ୍ତାକୁଳିତ ମୁହଁ ଓ ଡାକିବାର ଭଙ୍ଗୀ ଦେଖି ଆଶ୍ଚର୍ଯ୍ୟ ହେଲା, ପଚାରିଲା, ‘‘କାହିଁକି ?’’

 

‘‘ଗୋଟାଏ ଜରୁରୀ ପରାମର୍ଶ ଅଛି ।’’

 

‘‘ମୋ ସହ ଫେର ଜରୁରୀ ପରାମର୍ଶ । ମୁଁ ତ ଡାକ୍ତରୀ ପାଠ ପଢ଼ିନି ବାବୁ ତୁମକୁ ପରାମର୍ଶ ଦେବାକୁ ।’’

 

‘‘ଏପରି ଏକ ରୋଗ ସମ୍ଭଦ୍ଧରେ ମୁଁ ତୋର ପରାମର୍ଶ ଲୋଡ଼ୁଛି, ଯାହା କେବଳ ତୁ ହିଁ ସମାଧାନ କରିପାରିବୁ ।’’

 

‘‘ସତେ ?......ଆଚ୍ଛା, ଚାଲ ।’’ ଛନ୍ଦା ଗୋପବାବୁଙ୍କ ସହ ତାଙ୍କ ରୁମ୍‌କୁ ଆସିଲା ।

 

ଦୁହେଁ କିଛିକ୍ଷଣ ନୀରବରେ ବସି ରହିଲେ । ଗୋପବାବୁ ନୀରବ ରହିବା ଦେଖି ଛନ୍ଦା ପଚାରିଲା, ‘‘ବାଃ ରେ । ପରାମର୍ଶ କରିବା ପାଇଁ ଡାକିଆଣି ନିଜେ ଯେ ରୋଗୀ ପାଲଟି ଗଲ ।’’

 

ଗୋପବାବୁ ଛନ୍ଦାର ପରିହାସକୁ ଲକ୍ଷ୍ୟ ନ ରଖି କହିଲେ,‘‘ତୁ ମୋତେ ଆଗ କଥା ଦେ’ ଛନ୍ଦା, ମୁଁ ଯେଉଁ କାର୍ଯ୍ୟରେ ତୋର ସାହାଯ୍ୟ ଚାହୁଁଛି, ତୁ ପ୍ରାଣପଣେ ମୋତେ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ । ତୁ ନିର୍ଭର ଜବାବ ଦେଲେ ଯାଇ ମୁଁ ତୋତେ ସମସ୍ତ କଥା କହିବି ।’’

 

ଗୋପବାବୁଙ୍କର କଥା ଶୁଣି ଛନ୍ଦା ସାମାନ୍ୟ ବିସ୍ମିତ ହେଲା । ଏପରି କେଉଁ କାର୍ଯ୍ୟରେ ସେ ତା’ର ସାହାଯ୍ୟ ଲୋଡ଼ୁଛନ୍ତି ଯାହାକି ଏତେ ଗୁରୁତ୍ୱପୂର୍ଣ୍ଣ । ତଥାପି ସେ ତାଙ୍କ କଥାକୁ ହାଲ୍‍କା ଭାବେ ଗ୍ରହଣ କରି କହିଲା, ‘‘ତୁମର ଛନ୍ଦା ଉପରେ କ’ଣ ବିଶ୍ୱାସ ନାହିଁ ଗୋପଭାଇ ।’’

 

ଏହା ଉପରେ ଆଉ ଅଧିକ କ’ଣ କୁହା ଯାଇ ପାରେ । ଗୋପବାବୁ ଛନ୍ଦାର ହାତ ଦୁଇଟି ଧରିପକାଇ ମିନତି ଭରା କଣ୍ଠରେ କହିଲେ, ‘‘ଛନ୍ଦା, ମୁଁ ଏକ ବିପଦରେ ପଡ଼ି ଯାଇଛି । ତୁ ମୋତେ ରକ୍ଷା କର ।’’

 

ଛନ୍ଦା ଶଙ୍କିତ ଭାବରେ ଗୋପବାବୁଙ୍କର ମୁହଁକୁ ଚାହିଁଲା । ଗୋପବାବୁଙ୍କର ମୁହଁଟି ସତେ ଯେପରି ଶୁଖି ଯାଇଛି କେଉଁ ଅଜଣା ଦୁଃଖରେ । ତାଙ୍କର ସେହି ଅଜଣା ଦୁଃଖରେ ନିଜକୁ ଉଡ଼ାଇ ନେଇ ଛନ୍ଦା କହିଲା, ‘‘ଗୋପ ଭାଇ । ତୁମେ ମୋତେ ବିଶ୍ୱସ କର, ତୁମର ବିପଦ କ’ଣ ମୁଁ ଜାଣିଲେ ମୋର ପ୍ରାଣ ଦେଇ ତୁମକୁ ସାହାଯ୍ୟ କରିବାକୁ ଚେଷ୍ଟା କରିବି ।’’

 

ଗୋପବାବୁଙ୍କର ମୁହଁ ଉଜ୍ୱଳ ହୋଇ ଉଠିଲା । ସେ ବାପାକଣ୍ଠରେ କହିଲେ, ‘‘ଛନ୍ଦା, ମୁଁ ମୋର ଅଜାଣତରେ ଚପଳାକୁ ଭଲ ପାଇ ବସିଛି । ତା’ର ମନୋଭାବ ଜାଣିବାକୁ ଯାଇ ବୁଝି ପାରିଛି, ସେ ମଧ୍ୟ ଏକାନ୍ତ ଭାବେ ମୋତେ ଚାହେଁ । ବର୍ତ୍ତମାନ ସେଥିରୁ ନିଜକୁ ନିବର୍ତ୍ତାଇ ରଖିବା ସମ୍ଭବ ନୁହେଁ । କିନ୍ତୁ ମୁଁ ବା କିପରି ତାକୁ ପାଇ ପାରିବି । ଏହା କି ସମ୍ଭବ ହୋଇ ପାରିବ ? ଛନ୍ଦା ତୁ କ’ଣ ଏଥିରେ ଆମକୁ ସାହାଯ୍ୟ କରିପାରିବୁ ନାହିଁ ।’’

 

ଛନ୍ଦା ସତେ ଅବା କାଠ ପାଲଟି ଯିବ । କ’ଣ ଶୁଣୁଛି ସେ । ଏଇ ମାତ୍ର ତା’ର ସମସ୍ତ କଳ୍ପନା ଚୂର୍ଣ୍ଣୀଭୂତ ହୋଇଗଲାକି । ତା’ର ଆଶାର ସୌଧ ସତେ ଅବା କ୍ଷଣିକ ମଧ୍ୟରେ ଭୂଲୁଣ୍ଠିତ ହୋଇଗଲା । ସେ ଆଉ ଗୋପଭାଇଙ୍କୁ ନିଜର ବୋଲି କଳନା କରି ପାରିବ ନାହିଁ । ସେ କ’ଣ ଆଉ ତା’ର ନୁହନ୍ତି । ....ସେ ଯେ ଚପଳାର......ଏକାନ୍ତ ଆପଣାର । ସେମାନେ ଯେ ପ୍ରଣୟାବନ୍ଧ । ଚପଳା ସୁଖର ପ୍ରସାଦ ଗଢ଼ିବା ପାଇଁ ସେ ନିଜ ହାତରେ ନିଜର ଆଶାର ସୌଧକୁ ଭାଙ୍ଗି ଚୂରମାର କରିଦେବ । ...କିନ୍ତୁ ତା’ବ୍ୟତୀତ ଉପାୟ ବା କ’ଣ ? ସେ ଯେ ଗୋପଭାଇଙ୍କୁ କଥା ଦେଇଛି......ଦରକାର ହେଲେ ନିଜର ପ୍ରାଣ ଦେଇ... । ଓଃ । କି ନିଷ୍ଠୁର ପରିଣତି ।

 

ନା । ଭାବି ଲାଭ ନାହିଁ । ନିଜକୁ କଠୋର କରିବାକୁ ହେବ । ନିଜକୁ ଉତ୍ସର୍ଗ କରିବାକୁ ହେବ । ଯୁଗେ ଯୁଗେ ଜଣକର ସ୍ୱାର୍ଥ ତ୍ୟାଗ ଉପରେ ହିଁ ଅନ୍ୟର ସୁଖ ପ୍ରତିଷ୍ଠିତ ହୁଏ । ଗୋପଭାଇ ଓ ପ୍ରିୟସଙ୍ଗିନୀ ଚପଳାର ସୁଖ ପାଇଁ ତାକୁ ନିଜର ସ୍ୱାର୍ଥ ତ୍ୟାଗ କରିବାକୁ ହେବ । ଛନ୍ଦା ନିଜକୁ ଦୃଢ଼ କରିନେଲା । ଆତ୍ମ ସମ୍ଭରଣ କରି ଉତ୍ତର ଦେଲା, ‘‘ଗୋପଭାଇ । ଆଜି ମୋର ଆନନ୍ଦର ଦିନ । ମୁଁ କଥା ଦେଉଛି, ତୁମ ଦୁହିଁଙ୍କର ସୁଖର ସଂସାର ମୁଁ ଅବଶ୍ୟ ଗଢ଼ି ଠିଆ କରାଇବି । ମୋ ଉପରେ ଭରସା ରଖି ତୁମେ ନିଶ୍ଚିତ ହୁଅ.... ।’’ ନିଜ ଆଖି ଳୁହକୁ ଲୁଚାଇବା ପାଇଁ ଛନ୍ଦା ଗୋପଭାଇ ହାତରୁ ନିଜର ହାତ ଖସାଇ ଆଣି ଘର ବାହାରକୁ ଚାଲି ଆସିଲା । ଗୋପବାବୁ ବିହୁଳ ଭାବେ ତା’ର ଗତିପଥକୁ ଚାହିଁ ରହିଥିଲେ......

 

ବିବାହ ସରିଯାଇଛି । ଛନ୍ଦା ତା’ର ପ୍ରତିଶ୍ରୁତି ରକ୍ଷା କରିଛି । ବାପା ଓ ମଉଷା (ଚପଳାର ବାପା) ଉଭୟଙ୍କୁ ଅନୁନୟ କରି ରାଜି କରାଇ ଯଥାଶୀଘ୍ର ବିବାହ କାର୍ଯ୍ୟ ଶେଷ କରାଇ ଦେଇଛି । ଛନ୍ଦାର ଆଗ୍ରହ, ଉତ୍ସହ ଓ ବାଧ୍ୟ ବାଧକତା ଯୋଗୁଁ କାର୍ଯ୍ୟଟା ଏତେ ଚଞ୍ଚଳ ସାରିଦିଆଯାଇ ପାରିଲା, ଏହା ଚପଳା ଓ ଗୋପବାବୁ ଉଭୟ ବୁଝଛନ୍ତି । ଏହି ବିବାହରେ ଉଭୟ ପକ୍ଷର ମୁଖ୍ୟ କର୍ତ୍ତାହିଁ ସତେ ଯେପରି ଛନ୍ଦା । ମଧୁବାବୁହିଁ ଗୋପବାବୁଙ୍କର ପିତା ଭାବେ କାର୍ଯ୍ୟ ସମ୍ପନ୍ନ କରିଥିଲେ । ରାଜେନ୍ଦ୍ର ଓ ଜ୍ଞନେନ୍ଦ୍ର ଉଭୟେ ଖବର ପାଇ ଦଉଡ଼ି ଆସିଥିଲେ । ପିତା, ପୁତ୍ର ଓ କନ୍ୟା ଦମସ୍ତେ ମିଳି ବିବାହଟିକୁ ଏପରି ସମ୍ପନ୍ନ କରିଥିଲେ, ଯାହାକି ଅନ୍ୟ ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥଲା । ଗୋପବାବୁ ନିଜେହିଁ ବିମୋହିତ ହୋଇ ଯାଇଥିଲେ ।

 

ଗୋପବାବୁଙ୍କର ନିଜର ବୋଲି କେହି ତ ନାହିଁ । ଏଠାରେ ନିଜର ଘର ବି ନାହିଁ । କଟକସ୍ଥ ବାସଭବନ ଭଡ଼ା ଦିଆଯାଇଛି ଏଠୁ ଯାଇ କଟକରେ ରହିବାର ପ୍ରଶ୍ନ ଉଠୁନି । ତେଣୁ ଆପତତଃ ମଧୁବାବୁଙ୍କର ଘରକୁହିଁ ଚପଳା ବୋହୂ ହୋଇ ଆସିଛି । ମଧୁବାବୁଙ୍କ ଘରେ ତାକୁ ବୋହୂ ବୋଲି କେହି କଳ୍ପନା ନକଲେ ବି ତା’ ଦେହରେ ଅଲକ୍ଷ୍ୟରେ ନବବଧୂର ଛାପ ଲାଗିଯାଉଛି-। ବିଶେଷତଃ ତା’ର ମନ ମଧ୍ୟରେ ଏକ ସରମସ ସଂକୋଚ ଭରିଯାଇଛି । ତଥାପି ମନରେ ତା’ର ଚିର ପ୍ରଶାନ୍ତି । ଗୋପବାବୁଙ୍କର ଏତେ ବଡ଼ ମହାନୀୟତା ସେ ଜୀବନରେ କଳ୍ପନା କରିପାରି ନଥିଲା । ଗୋପବାବୁଙ୍କୁ ସ୍ୱାମୀରୂପେ ପାଇବା ତା’ ପକ୍ଷେ ସ୍ୱର୍ଗୀୟ ଆଶିଷ । ତା’ପରି ଅର୍ଦ୍ଧଶିଷିତା ଗାଉଁଲି ଝିଅକୁ ସ୍ତ୍ରୀ ରୂପେ ଗ୍ରହଣ କରି ସେ ଯେଉଁ ଉଦାରତା ଦେଖାଇଛନ୍ତି ତାହା ଚପଳା ଜୀବନର ଶ୍ରଷ୍ଠ ସମ୍ପଦ । ଏହି ଭାବନାହିଁ ତା’ ମନରେ ଆଣି ଦେଉଛି ଅପରିସୀମ ପରିତୃପ୍ତି-

 

ଚପଳାର ମନ କୃତଜ୍ଞତାରେ ଭରି ଯାଇଛି ତା’ର ସଙ୍ଗିନୀ ଛନ୍ଦା ପ୍ରତି । କେବଳ ଛନ୍ଦା ଯୋଗୁଁ ଯେ ସେ ଆଜି ଏତେ ବଡ଼ ପୁରସ୍କାର ଜୀବନରେ ଲାଭ କରିପାରିଛି । ଛନ୍ଦା ବିନା ଏହା ଯେ ଆଦୌ ସମ୍ଭବ ହୋଇ ପାରି ନଥାନ୍ତା । ତା’ ପ୍ରତି ଛନ୍ଦାର ଏ ଯେଉଁ ସ୍ନେହ ଯେ ତା’ର କି ପ୍ରତିଦାନ ସେ ଅବା ଦେଇ ପାରିବ ? ଏ ସ୍ନେହ ଯେ ଛନ୍ଦାର ଅଦ୍ଭୂତପୂର୍ବ ତ୍ୟାଗ ତାହା ଚପଳା ସ୍ପଷ୍ଟ ବୁଝିସାରିଛି । ଛନ୍ଦାର ମଧ୍ୟ ଗୋପବାବୁଙ୍କ ପାଇଁ ମନ ମଧ୍ୟରେ ଯେ କ୍ଷୀଣ କାମନା ରହିଥିଲା ତାହା ଚପଳା କିଞ୍ଚିତ ବୁଝିଲା । ତେଣୁ ଛନ୍ଦାର ତ୍ୟାଗ ଚପଳାକୁ ବିମୋହିତ କରିଛି । ମନ ତାର ଆପେ ଆପେ ନଇଁ ଯାଇଛି ଛନ୍ଦାର ମହାନୁଭବତା ନିକଟରେ ।

 

ଆଉ ଛନ୍ଦା.... !! ତା’ ଅନ୍ତର ଭାବନା ସହଜରେ ବୁଝିବ ବା’ କିଏ ? ଏହି କେତେଦିନ ତା ମନ ମଧ୍ୟରେ ଏକ ବିରାଟ ପରିବର୍ତ୍ତନ ଘଟି ଯାଇଛି । ଅଥଚ ତାହା ସମ୍ପୂର୍ଣ୍ଣ ନୀରବରେ । ଅନ୍ୟମାନଙ୍କର ଦୃଷ୍ଟିର ସମ୍ପୂର୍ଣ୍ଣ ଅନ୍ତରାଳରେ ।

 

ଛନ୍ଦା ଦୃଢ଼ପ୍ରତିଜ୍ଞା । ମନର ସମସ୍ତ ଆବିଳତା ସେ ଦୂରକୁ ଫିଙ୍ଗି ଦେଇଛି । ମନ ମଧ୍ୟରେ ଶତ ଦୃଢ଼ତା ଆଣି ସେ ନିଜକୁ ତାର ପାଠପଢ଼ାରେ ଭସାଇ ଦେଇଛି । ଅଳ୍ପ ଦିନପରେ ତା’ର ପରୀକ୍ଷା । ନୀରବବରେ ସେ ଯେଉଁ ରଙ୍ଗୀନ ପ୍ରମମୟ ସୌଧ ଗଢ଼ିଥିଥିଲା ତାହା ଭାଙ୍ଗିଯିବା ପରେ ମନ ମଧ୍ୟରେ ତା’ର ଦୃଢ଼ତା ଆସିଛି । ସେ ସ୍ଥିର କରି ନେଇଛି ଯଥାସାଧ୍ୟ ନିଜ ଜୀବନକୁ ସେ ଉତ୍ସଗ କରିଦେବ ପାଠପଢ଼ାରେ । ଅନ୍ୟ ବିଷୟ ସେ ଆଉ ଚିନ୍ତା କରିବ ନାହିଁ । ବଡ଼ଭାଇଙ୍କ ସହ ଯିଦ୍ ଧରି ନିଷ୍ପତ୍ତି କରାଇ ନେଇଛି ମାଟ୍ରିକ୍ ପରେ ସେ ତାକୁ କଟକ ନେଇଯିବେ । କଟକରେ ରହି ସେ ପଢ଼ିବ......ଯଥାସମ୍ଭବ ଦୂରେଇ ରଖିବ ଏହି ପରିସରରୁ ।

 

X X X

 

ଗୋପବାବୁ ଚନ୍ଦନପୁରରେ ଗୋଟିଏ ଭଡ଼ା ଘର ଠିକ୍ କରିଛନ୍ତି । ମଧୁବାବୁଙ୍କର ଅନୁମତି ନେଇ ସେ ସେଠାକୁ ଚାଲିଗଲେ । ଚନ୍ଦନପୁର ବଜାର ଉପରେ ନିଜର କ୍ଳିନିକ୍ ଖୋଲିଲେ-। ଚପଳା ନିଜର ନୂଆ ଘରଟିକୁ ମଧୁମୟ କରି ଗଢ଼ି ତୋଳିବାକୁ ଚେଷ୍ଟା କଲା । ତା’ର ଚପଳତା ତ୍ୟାଗ କରି ସେ ଏହା ଭିତରେ ପୂରା ଗୃହିଣୀ ପାଲଟି ଗଲାଣି । ନିଜର ଘରକୁ ସଜାଇ ରଖିବା ତଥା ସ୍ୱାମୀଙ୍କର ସେବାହିଁ ତା’ ଜୀବନର ପରମ ବ୍ରତ ହୋଇଛି ।

 

ସ୍ୱାମୀଙ୍କର ପ୍ରତିଷ୍ଠା, ସ୍ନେହ ଓ ସୋହାଗ ସବୁ କିଛି ସେ ପାଇଛି । ତା’ ପକ୍ଷେ ଏହା ଅଧିକ । ସ୍ୱାମୀହିଁ ତା’ର ଦେବତା । ତାଙ୍କର ସ୍ନେହ ପ୍ରୀତିହିଁ ଦେବତାର ଆଶିଷ । ଯାହା ତା’ ଜୀବନରେ ହୁଏତ ସେ କଳ୍ପନା କରିପାରି ନଥାନ୍ତା ତା’ ସେ ପାଇପାରିଛି । ସର୍ବୋପରି ସ୍ୱାମୀଙ୍କର ହୃଦୟଭରା ପ୍ରେମ ତା’ ଜୀବନରେ ସାର୍ଥକତା ଆଣି ଦେଇଛି । ସେ ଆଉ କିଛି ଚାହେଁନି, ଚାହେଁ ସ୍ୱାମୀଙ୍କର ସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଦେବାକୁ......

 

ଆଉ ଗୋପବାବୁ......ତାଙ୍କ ମନର ହରକ୍ଷତା ପ୍ରକାଶ କରି ହେବନି । ସେ କ’ଣ କଳ୍ପନା କରିପାରିଥିଲେ ଯେ ଏତେ ସହଜରେ ତାଙ୍କ ଜୀବନର ଶ୍ରେଷ୍ଠ ସମ୍ପଦ ସେ ଲାଭ କରିପାରିବେ । ସାରା ସ୍ୱର୍ଗର ଐଶ୍ୱର୍ଯ୍ୟ ତାଙ୍କ ପାଦ ତଳେ ଢାଳି ଦେଇଥିଲେ ସେ କେବେ ଏପରି ସୁଖୀ ହୋଇ ପାରିନଥାନ୍ତେ, ଯେପରି ହୋଇଛନ୍ତି ତାଙ୍କର ଏକାନ୍ତ କାମ୍ୟୁଚପଳାକୁ ସହଧର୍ମିଣୀ ରୂପେ ପାଇ । ଛନ୍ଦା ପ୍ରତି ତାଙ୍କର ମନ କୃତଜ୍ଞତାରେ ଭରିଯାଏ ଏବଂ ଭକ୍ତିରେ ମଥା ଲଇଁ ଯାଏ ମଧୁବାବୁ, ନିଧି ରାଉତରାୟ ଏବଂ ବିମଳା ଦେବୀଙ୍କ ପାଖରେ । ନିଧିରାଉତରାୟ ଏ ପ୍ରସ୍ତାବରେ ରାଜି ହେବେ ଏହା ଗୋପବାବୁ ମୋଟେ ଆଶା କରିନଥିଲେ । ବିମଳା ଦେବୀ ହୁଏତ ଯିଦ୍ ଧରି ଅଡ଼ି ବସିପାରନ୍ତି ଏ ଧାରଣା ବି ତାଙ୍କ ମନରେ ଆସିଥିଲା । ମଧୁବାବୁଙ୍କର ତାଙ୍କ ପ୍ରତି ଯେ ନୀଚ ଧାରଣା ସୃଷ୍ଟି ହୋଇପାରେ ଏ ଆଶଙ୍କା ବି ତାଙ୍କ ମନରେ ଥିଲା । କିନ୍ତୁ ଆଶ୍ଚର୍ଯ୍ୟ, ସମସ୍ତ ଏ ପ୍ରସ୍ତାବକୁ ସ୍ୱର୍ଗୀୟ ଆଶିଷପରି ମନେ କଲେ । ବିମଳା ଦେବୀ କୃତକୃତା ବୋଧ କରିଥିଲେ ଗୋପବାବୁଙ୍କ ପ୍ରତି ।

 

ନିଧି ରାଉତରାୟଙ୍କର ଆଖି ଆନନ୍ଦରେ ଲୁହ ଛଳ ଛଳ ହୋଇଯାଏ । ଦୁଇ ଭାଇ ଭଉଣୀ ପରି ତାଙ୍କ ଦେଖାଯାଆନ୍ତି ଗୋପ ଆଉ ଚପଳା । ମନେପଡ଼େ ପ୍ରାଣପ୍ରିୟା ସ୍ୱର୍ଗବାସିନୀ ସ୍ତ୍ରୀଙ୍କ କଥା......ଆହା, ସେ ଯଦି ଥାଆନ୍ତେ ଆଜି ଝିଅ ଜୋଇଁଙ୍କୁ ଦେଖି ତାଙ୍କ ମନ କି ଆନନ୍ଦ ଦିନରେ ନାଚୁ ନଥାନ୍ତା । କିନ୍ତୁ ନିଷ୍ଠୁର ବିଧାତା ଏହି ଆନନ୍ଦ ଦିନରେ ତାଙ୍କୁ ଏକାକୀ ଦେଇଛି ଏ ସଂସାର ଭିତରେ ।

 

ନିଧି ରାଉତରାୟ ନିତି ଝିଅ ଜୋଇଁଙ୍କ ଘରକୁ ଘଡ଼ିଏ କରି ଧାଇଁ ଯାଆନ୍ତି । ନୟନରମଣି ଚପଳାକୁ ନ ଦେଖି ତାଙ୍କ ମନ ମୁହୂର୍ତ୍ତେ ଥୟ ଧରି ପାରିବ ନାହିଁ । ଆଉ ନିତି ଝିଅ ଜୋଇଁଙ୍କୁ ଏକାଠି ଦେଖିଲାକ୍ଷଣି ତାଙ୍କ ଆଖିକୁ ଲୁହ ଆସିଯାଏ......ମନେ ପଡ଼ିଯାଏ ଗୋଟିଏ ଉଜ୍ଜ୍ୱଳ ଦେବୀ ପ୍ରତିମା......ତାଙ୍କର ସ୍ତ୍ରୀ ଦୁର୍ଗାବତୀଙ୍କର ସ୍ନେହମୟୀ ମୂର୍ତ୍ତି । ହାୟ......ଏ ଆନନ୍ଦ ଉପଭୋଗରୁ ସେ ଯେ ବଞ୍ଚିତା । ସେ ଚାଲିଯାଇଛନ୍ତି ବହୁଦିନରୁ ନିଧି ରାଉତରାୟଙ୍କୁ ଏକୁଟିଆ କରିଦେଇ.... । ନିଧିରାଉତରାୟ ମନେ ମନେ ଭାବନ୍ତି । ‘‘ଦୁର୍ଗା ତୁମ କଥା ମୁଁ ରକ୍ଷା କରିଛି......ମୃତ୍ୟୁ ପୂର୍ବରୁ ତୁମେ କହିଥିଲ, ତୁମ ଆଦରର ଝିଅଟିକୁ ମୁଁ ଯେପରି ରାଜରାଣୀ କରେ ......ତାହାହିଁ ହୋଇଛି ......ସେ ଆଜି ପରମ ଆନନ୍ଦ ଓ ସୁଖରେ ରହିଛି ......ଏହି ମଫସଲ ଅଞ୍ଚଳର ଶତ ଶତ ଗରିବ ଜନସାଧାରଣଙ୍କ ହୃଦୟ ଭିତରେ ଯେଉଁ ଉଚ୍ଚମନା ଶାନ୍ତ ସରଳ ଓ ମହାନୁଭବ ଯୁବକ ସିଂହାସନ ପାରି ବସିଛି, ତା’ରି ହୃଦୟର ରାଜରାଣୀ ହୋଇପାରିଛି ତୁମର ଆଦରର ଝିଅ ଚପଳା......ଉଭୟଙ୍କର ପରସ୍ପର ପ୍ରତି ସ୍ନେହ ଓ ସୋହାଗ ଆମ ଜୀବନର ଶ୍ରେଷ୍ଠ ପାଥେୟ......ଆଉ ଅଧିକ କ’ଣ ଦରକାର । ସେହି ଦୂର ରାଇଜରେ ରହି ଆଶୀର୍ବାଦ କର......ତୁମ ଝିଅ ଜୋଇଁ ଏହି ସ୍ନେହ ସୋହାଗ ମଧ୍ୟରେ ଦିନ କଟାଉଥାନ୍ତୁ ।’’ ନିଧି ରାଉତରାୟ ଆଉ ଭାବି ପାରନ୍ତି ନାହିଁ......ଆସ୍ତେ ଆଖି ବୁଜି ନିଅନ୍ତି......ସେଇ ବନ୍ଦ ଥିବା ଆଖି ଦୁଇଟିରୁ ଧାର ଧାର ହୋଇ ଗଡ଼ିପାରେ ଆନନ୍ଦାଶ୍ରୁ.... ।

 

ସୁଖର ପ୍ରବାହ ଗଡ଼ି ଚାଲିଛି । ନବଦମ୍ପତିଙ୍କର ସ୍ନେହର ତରଣୀ ଭାସି ଚାଲିଛି ପରିପୂର୍ଣ୍ଣ ପ୍ରୀତି-ପାରବାରରେ । ପରସ୍ପର ପ୍ରତି ପରସ୍ପରର ଆକର୍ଷଣ ଅପରିସୀମା । ପରସ୍ପରର ସ୍ନେହ ଅଫୁରନ୍ତ । ଉଭୟଙ୍କର ଆତ୍ମା ଏକ ଓ ଅଭିନ୍ନ । ଗୋପବାବୁ ଓ ଚପଳାଙ୍କର ଏହି ସୁଖମୟ ସଂସାର ଦେଖି ଅନ୍ୟମାନେ ଆଶ୍ଚର୍ଯ୍ୟାନ୍ୱିତ । ଉଭୟଙ୍କର ମିଳନ ଭଗବାନଙ୍କର ଆଶୀର୍ବାଦ ଓ ପୂର୍ବଜନ୍ମର ତପସ୍ୟାର ଫଳ ବୋଲି ଅନେକ ମନେ କଲେ । ଆଉ ସେ ଦୁହେଁ ମଧ୍ୟ ଜୀବନରେ ଦୁଃଖ ଓ ଅଶାନ୍ତି କ’ଣ ଥାଏ ପ୍ରାୟ ଭୁଲି ଗଲେ ।

 

ଚାହୁଁ ଚାହୁଁ ତିନୋଟି ବର୍ଷ ବିତିଗଲାଣି । ଗୋପବାବୁ ଚନ୍ଦନପୁର ଅଞ୍ଚଳରେ ବେଶ ସୁନାମ ଓ ପ୍ରତିଷ୍ଠା ଅର୍ଜନ କରି ସାରିଲେଣି । ବର୍ତ୍ତମାନ ସେ ଅଞ୍ଚଳର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଗୋପବାବୁଙ୍କର ଭୂମିକା ଯଥେଷ୍ଟ । ଖାଲି ରୋଗ ବୈରାଗରେ ନୁହେଁ, ପ୍ରତ୍ୟେକ ପ୍ରକାର ବିପଦ ଆପଦରେ ଜନସାଧାରଣଙ୍କର ଗୋପବାବୁ ସତେ ଯେମିତି ଏକମାତ୍ର ସାହା ଭରସା । ଯାହାର ଯାହା କିଛି ବିପଦ ଆପଦ ପଡ଼ୁ, ସେ ସଙ୍ଗେ ସଙ୍ଗେ ଦୌଡ଼ିବ ଗୋପବାବୁଙ୍କ ପାଖକୁ । ତାଙ୍କର ବିନା ପରାମର୍ଶରେ ସେ କିଛି କରିପାରେ ନାହିଁ । ଆଉ ଗୋପବାବୁ ମଧ୍ୟ ସବୁ କିଛି ଭୁଲି ଏହି ଗାଁ ଗହଳର ସରଳ ନିଷ୍କପଟ ଲୋକକୁ ନିଜର ଅତି ଆପଣାର ଆତ୍ମୀୟ ପରି ମନେ କରନ୍ତି । କେହି ତାଙ୍କର ପର ନୁହନ୍ତି । ସମସ୍ତେ ନିଜର, ସମସ୍ତେ ଆପଣାର । ଚପଳା ମଧ୍ୟ ଉପଯୁକ୍ତ ସହଧର୍ମିଣୀ ରୂପେ ସ୍ୱାମୀଙ୍କୁ ପ୍ରତି ଲୋକହିତକର କାର୍ଯ୍ୟରେ ଦେଇ ଆସିଛି ପ୍ରେରଣା, ସାହାଯ୍ୟ ଓ ଉତ୍ସାହ । ତାହାହିଁ ତା’ର ଆନନ୍ଦ, ତାହାହିଁ ତା’ର ସ୍ୱର୍ଗ ।

 

ଏଣେ ଛନ୍ଦା ପୂର୍ବୋକ୍ତ ମତେ ମାଟ୍ରିକ ପରେ ଭାଇଙ୍କ ପାଖେ କଟକରେ ରହି ଆଇ.ଏସ୍‌ସି. ପାଶ୍ କରି ଡାକ୍ତରୀ ପଢ଼ୁଛି । ରାଜେନ୍ଦ୍ର ଏହା ଭିତରେ କୃତିତ୍ୱର ସହ ଡକ୍‌ଟରେଟ ପାଇ ସାରିବା ପରେ ବିବାହ କରି ସ୍ତ୍ରୀ କଳ୍ପନା, ସାନ ଭାଇ ଜ୍ଞାନେନ୍ଦ୍ର ଓ ଭଉଣୀ ଛନ୍ଦାକୁ ନେଇ ନେଇ କଟକରେ ବସାଘର କରି ରହିଛନ୍ତି । ଗ୍ରାମରେ ମଧୁବାବୁ ଓ ସରସ୍ୱତୀ ଦେବୀ ଏକାକୀ ଥାଆନ୍ତି । ଛନ୍ଦା ନିଜ ଜୀବନରେ ସେବା ମନୋଭାବ ଗ୍ରହଣ କରି ଡାକ୍ତରୀ ପଢ଼ା ଆଦରି ନେଇଛି । ତା’ର ବାସନା ସେ ବି ଗୋପବାବୁଙ୍କପରି ଡାକ୍ତରି ଶେଷ କରିବା ପରେ ଚାକିରୀ ନକରି ଅନ୍ୟ କେଉଁ ମଫସଲ ଅଞ୍ଚଳରେ ନିଜକୁ ସେବା କାର୍ଯ୍ୟରେ ଉତ୍ସର୍ଗ କରିଦେବ......ସାରା ଜୀବନ ବିତାଇ ଦେବ ଅବିବାହିତା ରହି.... !

 

ଚନ୍ଦନ ବର୍ତ୍ତମାନ ପଢ଼ୁଛି ଭାର୍ଗବୀ ହାଇସ୍କୁଲରେ । ବୃଦ୍ଧ ନିଧି ରାଉତରାୟଙ୍କର ସେ ଏକମାତ୍ର ଆଶା ଓ ଭରସା । ଚପଳାର ସୁଖମୟ ସଂସାର ତାଙ୍କ ମନରେ ତୃପ୍ତି ଆଣିଦିଏ ସତ, କିନ୍ତୁ ଯେତେ ହେଲେ ସେ ତ ଆଉ ତାଙ୍କର ହୋଇ ନାହିଁ......ସେ ବର୍ତ୍ତମାନ ତା’ର ନିଜର କ୍ଷୁଦ୍ର ସଂସାର ଗଢ଼ି ତୋଳିଛି । ତେଣୁ ଚନ୍ଦନ ବ୍ୟତୀତ ଏବେ ତାଙ୍କର ଆଉ କିଏ ଅଛି ?

 

ବିମଳା ଦେବୀ ବେଳୁବେଳ ଘରର ନିତିଦିନିଆ କାମ କରିବାକୁ ଅକ୍ଷମ ହେଉଛନ୍ତି । ଚପଳା ଯେପରି ତାଙ୍କ ମନରେ ସାହସ ଯୋଗାଉ ଥିଲା । କିନ୍ତୁ ସେ ତ କେଉଁ ଦିନରୁ ତାର ନିଜର ଘର କରି ଚାଲିଗଲାଣି । ଚନ୍ଦନ ଯେ କେତେ ଛୋଟ । ସେ’ ବା କେବେ ପାଠ ପଢ଼ିସାରିବ, ମଣିଷ ହେବ, ବାହାସାହା ହେବ, ଘରକୁ ଗୋଟିଏ ମନଲାଖି ବୋହୂ ଆସିବ, ସେ (ବିମଳା ଦେବୀ) ନିଶ୍ଚିତ ହେବେ । କଳ୍ପନାର ଦିଗ୍‌ବଳୟରେ ବି ଆଶାର ଆଲୋକ ତାଙ୍କୁ ଦେଖାଯାଏନି । ମନେହୁଏ, ହୁଏତ ତା’ ଆଗରୁ......ବିମଳା ଦେବୀ ଆଉ ଭାବିପାରନ୍ତି ନାହିଁ ।

 

ଚପଳା ପିଉସୀ ଓ ବାପାଙ୍କୁ ସାହସ ଯୋଗାଏ । ମଝିରେ ମଝିରେ ଆସି ବୁଲିଯାଏ, ବହୁ ଆଶ୍ୱାସନାର ବାକ୍ୟ ଶୁଣାଇ ଦେଇଯାଏ । ଦିନ କାଲିପରି ଚାଲିଯିବ । ଚନ୍ଦନ ବାହା ହେବ, ଘରକୁ ବାଛି ବାଛି ସେ ନିଜେ ଭାଉଜଟିଏ ଆଣିବ । ପୁଣି ସେଇ ଘର ହସି ଉଠିବ । ଟିକି ବୋହୂଟି ଘରର ସମସ୍ତ ଭାର ମୁଣ୍ଡାଇ ନେବ । ସେମାନେ (ପିଉସୀ ଓ ବାପା ) ଆନ୍ଦରେ ନିଶ୍ଚିନ୍ତରେ ବସିପୁଅ ବୋହୂଙ୍କର ସୁଖର ସଂସାର ଦେଖିବେ । ଆଉ କେତଟା ବା ଦିନ ? ଖୁବ୍ ବେଶୀ ହେଲେ ଦଶ ବାର ବର୍ଷ ତ ।

 

ତଥାପି ବିମଳା ଦେବୀଙ୍କର ମନ ଖୁସି ହୋଇ ପାରେନି । ଦଶ ବାର ବର୍ଷ ତ କମ ନୁହେଁ । ଗୋଟାଏ ଯୁଗ । ଏତେ ଦିନ କ’ଣ ସେ ବଞ୍ଚି ରହିପାରିବେ ଚନ୍ଦନର ସ୍ତ୍ରୀଙ୍କୁ ନେଇ ଚଳିବାକୁ-। ନା......ମୋଟେ ନୁହେଁ । ବଡ଼ ନିଃଶ୍ୱ ଓ ଏକାକୀ ବୋଧ କରନ୍ତି ସେ ।

 

ଚପଳାକୁ ଚାହିଁ ରହନ୍ତି......ତାଙ୍କ ଆଖି ଝଲସି ଉଠେ......ଆନନ୍ଦରେ ମୁଖ ଉଜ୍ଜଳ ହୋଇଉଠେ । ତାଙ୍କ ଆଦରର ଝିଆରୀ ଚପଳା ମାଆ ହେବାକୁ ଯାଉଛି । ତା’ର ଗର୍ଭରେ ନୂତନ ବଂଶଧର ରୂପ ନେଉଛି । କାଲି ଗୁଲୁଗୁଲିଆ ସୁନ୍ଦର ଛୁଆଟିଏ କାନ୍ଦି ଉଠିବ...! କୁଆଁ !’’ ଏଇତ ତାଙ୍କର ସ୍ୱର୍ଗ ! ଏଇ ଛୁଆଟିହିଁ ତାଙ୍କର ମନର ଦୁଃଖ ହୁଏତ ଦୂର କରିଦେବ......ସେ ଆଗ୍ରହରେ କହନ୍ତି । ‘‘ଚପଳା, ମା’ ମୋର, ଚନ୍ଦୁର ବୋହୂ ଆସି ମୁଁ ଘର କରିବା ଆଶା ମୋର ମୋଟେ ନାହିଁ । ବହୁଦୂର......ଗୋଟାଏ ଯୁଗ । ଏତେ ଦିନ ନୂଆ ଗୋପଟିକୁ ମୋ ହାତରେ ଦେଇ ଦେବୁ । ଦବୁ ମା-?’’ ବିମଳା ଦେବୀ ଚପଳାର ମୁହଁକୁ ପରମ ଆଗ୍ରହରେ ଚାହିଁ ରହନ୍ତି ।

 

ଚପଳାର ମୁହଁରେ ସରମର ଫଗୁ ବୋଳି ହୋଇଯାଏ । କୃତ୍ରିମ କ୍ରୋଧରେ ସେ କହେ, ‘‘ତୁମର ଏଇ ଯୁ’ କଥା ସବୁବେଳେ ପିଉସୀ । ଆଉ କ’ଣ କିଛି ନଥାଏ କହିବାକୁ ।’’ ଏଣେ ତା’ର ମନ ମଧ୍ୟରେ ଗୋପ ବାବୁଙ୍କର ଦୀପ୍ତୋଜ୍ୱଳ ମୁହଁ ଭାସି ଉଠେ । ପ୍ରାଣର ଦେବତା ଗୋପ ବାବୁ । ଯାହାଙ୍କର ସ୍ୱର୍ଗୀୟ ଦାନରେ ସେ ଆଜି ହେବାକୁ ଯାଉଛି ଜନନୀ !! ଯାହାକି ନାରୀ ଜୀବନର ଚରମ ସାର୍ଥକତା । କୃତଜ୍ଞତାରେ ଭରି ଉଠେ ତା’ର ମନ ।

 

ବେଳେ ବେଳେ ଚପଳାର ମନରେ ଆସେ ଆଶଙ୍କା । ଆସେ ଭୟ । ଭାବେ,‘‘ସତେ କ’ଣ ସେ ସୁରୁଖୁରୁରେ ତ’ର ପ୍ରଥମ ସନ୍ତାନକୁ ଭୂମିଷ୍ଠ କରି ପାରିବ ? ନିର୍ବିଘ୍ନରେ ଗୋପବାବୁଙ୍କର ହାତରେ ବାଢ଼ି ଦେବ ତାଙ୍କ ରକ୍ତର ଦାନରେ ଗଢ଼ା ହୋଇଥିବା ନୂତନ ବଂଶଧରକୁ ? କିମ୍ବା......’’ ଆଉ ଭାବି ପାରେନି ଚପଳା......ଭଲ ଆଉ ମନ୍ଦ ଉଭୟ ପଟ ସମାନ ଭାବେ ଦେଖାଯାଏ ତାକୁ......କେତେବେଳେ ଆଶାର ଆଲୋକରେ ତା’ର ମୁହଁ ଉଜ୍ଜଳ ହୋଇ ଭରି ଉଠେ......ଆଉ ବା’ କେତେବେଳେ ଆଶଙ୍କାର କାଳିମାରେ ଭରି ଉଠେ ତା’ର ମନ ! ତୁମେ ହିଁ ନୀରବରେ ଭଗବାନଙ୍କୁ ପ୍ରଣତି ଜଣାଏ ସେ, ‘‘ଭଗବାନ ! ତୁମେ ହିଁ ଭରସା...... !’’

 

ବେଳୁ ବେଳ ଦିନ ପାଖେଇ ଆସେ । ଚପଳାର ମନ କ୍ରମଶଃ ଶଙ୍କାନ୍ୱିତ ହୁଏ । ଏକାକୀ ଥିଲାବେଳେ ତା’ର ମନରେ ନାନା ଭାବନା ଜାଗ୍ରତ ହୁଏ । ସାମାନ୍ୟ ଘଟଣାରେ ସେ ଚମକି ଉଠେ-। ଛାତି ଦୁଲୁକି ଉଠେ । ମନେହୁଏ ବଡ଼ ନିଃଶ୍ୱ, ବଡ଼ ଏକା ! ଗୋପବାବୁଙ୍କୁ କେଉଁଆଡ଼େ ଛାଡ଼ିବାକୁ ଇଚ୍ଛା ହୁଏନି । ଇଚ୍ଛା ହୁଏ ପ୍ରତି ମୂହୁର୍ତ୍ତରେ ତାଙ୍କ ପାଖରେ ସେ ବସିଥାଆନ୍ତା । ତାଙ୍କୁ କ୍ଷଣକପାଇଁ ହେଲେ ଛାଡ଼ନ୍ତା ନାହିଁ । କିନ୍ତୁ ତା’ ହୁଏ ନାହିଁ । ହୋଇ ପାରେନାହିଁ । ମୁଣ୍ଡରେ ଗୁରୁ ଦାୟିତ୍ୱ ନେଇ ଗୋପବାବୁ ନିଶ୍ଚିତ ରହିପାରନ୍ତି ନାହିଁ । ସ୍ତ୍ରୀର ଇଚ୍ଛା ପୂରଣ କରି ପାରନ୍ତି ନାହିଁ । ତାଙ୍କୁ କର୍ତ୍ତବ୍ୟ କରିବାକୁ ହେବ । କର୍ତ୍ତବ୍ୟର ଅନୁରୋଧରେ ତାଙ୍କୁ ବିଭିନ୍ନ ସ୍ଥାନକୁ ଯିବାକୁ ପଡ଼େ । ତେଣୁ ବାଧ୍ୟ ହୋଇ ସେ ନିଷ୍ପତ୍ତି କଲେ ଚପଳାକୁ ଘରକୁ ପଠାଇ ଦେବାକୁ । ବିମଳା ଦେବୀଙ୍କ ପାଖରେ ରହିଲେ ତା’ର ଡର ରହିବ ନାହିଁ । ଘରର ଗହଳି ମଧ୍ୟରେ ସେ ଅନ୍ୟ କଥା ଚିନ୍ତା କରିବ ନାହିଁ । ତେଣୁ ତାହାହିଁ ହେଲା । ଚପଳାକୁ ବାପଘରକୁ ପଠାଇ ଦେଇ ଗୋପବାବୁ ଜଣେ ପୂଜାରୀ ରଖି ନିଜର କାମ ଚଳାଇଲେ । ମଝିରେ ମଝିରେ ଭାଇ ଚପଳାକୁ ପ୍ରବୋଧନା ଦେବା ସଙ୍ଗେ ସଙ୍ଗେ ଔଷଧ ପତ୍ର ଦେଇ ଆସନ୍ତି ।

 

ବିମଳା ଦେବୀଙ୍କ ପାଖରେ ରହି ଚପଳାର ମନରେ ଆଶା ଓ ବିଶ୍ୱାସ ଜାଗ୍ରତ ହେଲା । ମନରେ ଆଉ ଭୟ ଆସିଲା ନାହିଁ । ଆନନ୍ଦ ଚିତ୍ତରେ ସେ ଅପେକ୍ଷା କଲା ଶୁଭ ମୁହୂର୍ତ୍ତକୁ ।

 

ଶେଷରେ ଆସିଲା ସେ ଦିନ । ଖୁବ୍ ଭୋରରୁ ହଠାତ୍ ଚପଳା ଅନୁଭବ କଲା ବେଦନା-। ମନ ମଧ୍ୟରେ ଭୟର ସ୍ପନ୍ଦନ ଓ ଆନନ୍ଦର ପୁଲକ । ଓଃ କି କଷ୍ଟ ! ....କିନ୍ତୁ କି ମଧୁର ।

 

ଖବର ଗଲା ଗୋପବାବୁଙ୍କ ପାଖରୁ । ଗୋପବାବୁ ଆନନ୍ଦରେ ଶିହରି ଉଠିଲେ । କ୍ଷଣମାତ୍ର ବିଳମ୍ବ ନ କରି ସେ ଧାଇଁଲେ । ସେତେବେଳକୁ ଗୋଟାଏ ଘରେ ଚପଳାକୁ ନେଇ ବିମଳା ଦେବୀ, ସରସ୍ୱତୀ ଦେବୀ ଓ ଆଉ ଜଣେ ଅଧେ ସ୍ତ୍ରୀଲୋକ ବ୍ୟସ୍ତ । ବାହାରେ ଉଦ୍‌ର୍ଗ୍ରୀବ ହୋଇ ବସି ରହିଛନ୍ତି ନିଧି ରାଉତରାୟ ଓ ମଧୁବାବୁ । ଗୋପବାବୁ ଆଗ୍ରହ ଓ ଉତ୍ତେଜନାରେ ଅଧୀର ହୋଇ କ୍ଷଣମାତ୍ର ସେମାନଙ୍କୁ ଚାହିଁ ଦେଇ ଘରଭିତରକୁ ପଶିଯାଇ ଚପଳାର ସେବାରେ ଲାଗିଗଲେ ।

 

ବହୁ ସମୟ ବେଦନା ଅନୁଭବ କରିବା ପରେ ପ୍ର।ୟ ଦଶଟା ସମୟରେ ଚପଳା ଗୋଟିଏ ଶିଶୁପୁତ୍ର ଜନ୍ମ ଦେଇ ମୁର୍ଚ୍ଛାଗଲା । ଆନନ୍ଦ ସଙ୍ଗେ ସଙ୍ଗେ ଦୁଃଖର ସମାଚାର । ଶିଶୁଟିର ଯଥା ଯତ୍ନ ନେବା ସଙ୍ଗେ ସଙ୍ଗେ ମାଇପିମାନେ ବ୍ୟସ୍ତ ହୋଇ ଉଠିଲେ ଚପଳା ପାଇଁ । ଚପଳାର ମୁର୍ଚ୍ଛା ଯିବାଟା ସ୍ତମ୍ଭିତ କରିଦେଲା ଗୋପବାବୁଙ୍କୁ । ସେ କାତର ହୋଇ ପଡ଼ିଲେ । ସଙ୍ଗେ ସଙ୍ଗେ ଇଞ୍ଜେକ୍‌ସନ ଓ ଅନ୍ୟାନ୍ୟ ପ୍ରାରମ୍ଭିକ ଚିକିତ୍ସା କରିବା ନିଜେ ପ୍ରସ୍ତୁତ ହୋଇଯିବା ସହ ଡା: ତ୍ରିପାଠୀଙ୍କୁ ଡାକି ଆଣିବା ପାଇଁ ରାଜେନ୍ଦ୍ର ପାଖକୁ ଟେଲିଗ୍ରାମ କରିବାକୁ କହିଲେ ମଧୁବାବୁଙ୍କୁ । ମଧୁବାବୁ କାଳ ବିଳମ୍ବ ନ କରି ବୀରନରସିଂହପୁର ପୋଷ୍ଟ ଅଫିସରୁ ରାଜେନ୍ଦ୍ରକୁ ସବୁ ଜଣାଇ ତୁରନ୍ତ ଆସିବା ପାଇଁ ଜରୁରୀ ଟେଲିଗ୍ରାମ କଲେ ।

 

ଉପରବେଳା ଗୋଟିଏ କାର ଓ ଗୋଟିଏ ଜିପ୍ ସଂଗ୍ରହ କରି ଡା: ତ୍ରିପାଠୀ, ଛନ୍ଦା, ରାଜେନ୍ଦ୍ର, ଜ୍ଞାନେନ୍ଦ୍ର, କଳ୍ପନା ଓ ଡା: ତ୍ରିପାଠୀର ପାଖେ ଗବେଷଣା କରୁଥିବା ଲେଡ଼ି ଡାକ୍ତର ମିସ୍ ସୋନାଲି ସେନ୍‌ଗୁପ୍ତ ଆସି ପହଞ୍ଚିଲେ । ସେ ସମସ୍ତଙ୍କୁ ଦେଖି ଗୋପବାବୁଙ୍କର ମନରେ ଆଶ୍ୱସ୍ତି ଆସିଲା । ଚପଳା ଏ ଯାଏଁ ଚେତନା ଫେରି ନ ପାଇ ଥିବାରୁ ମନରେ ତାଙ୍କର ଅଶେଷ ଉତ୍କଣ୍ଠା ଭରି ଯାଇଥିଲା ।

 

ଡା: ତ୍ରିପାଠୀ ଓ ମିସ୍ ସୋନାଲି ସଙ୍ଗେ ସଙ୍ଗେ ପରୀକ୍ଷା କରିବାରେ ଲାଗିଗଲେ । ପାଖରେ ଉତ୍କଣ୍ଠିତ ଭାବେ ଠିଆ ହୋଇଥାନ୍ତି ଛନ୍ଦା ଓ ଗୋପବାବୁ । ଅନ୍ୟମାନେ ବାହାରେ ଉଦ୍‌ଗ୍ରୀବ ହୋଇ ଅପେକ୍ଷା କରିଥାନ୍ତି । ନାନା ପରୀକ୍ଷା ପରେ ଡା: ତ୍ରିପାଠୀ ଚିନ୍ତାକୁଳିତ ହୋଇ ପଡ଼ିଲେ । ରୋଗିଣୀର ସଂଜ୍ଞାହୀନତା ତାଙ୍କୁ ବେଶୀ ଆଶଙ୍କା ଜାତ କରାଇଲା । ବିଶେଷତଃ ତା’ର nerve ମିଳୁନି । ବିଶେଷ ଅପେକ୍ଷା ନ କରି କଟକ ନେଇଯିବା ଉଚିତ ମନେ କଲେ ।

 

ତାହାହିଁ ହେଲା । କାର୍‌ରେ ଗୋପବାବୁ ଡା: ମିସ୍ ସୋନାଲି, ଛନ୍ଦା, ବିମଳା ଦେବୀ ଓ ସରସ୍ୱତୀ ଚପଳାକୁ ନେଇ ସାଙ୍ଗେ ସାଙ୍ଗେ ବାହାରି ଗଲେ । ଜିପ୍ ଭିତରେ ଡା: ତ୍ରିପାଠୀ ଓ ରାଜେନ୍ଦ୍ର ପ୍ରଭୃତିଙ୍କ ସହ ମଧୁବାବୁ, ନିଧି ରାଉତରାୟ, ବାମା ଓ ଚନ୍ଦନ ମଧ୍ୟ ଗଲେ । କେହି ଚପଳାର ପାଖ ଛାଡ଼ିବାକୁ ନାରାଜ । ଶିଶୁପୁତ୍ରକୁ ବି ସାଥିରେ ନିଆଗଲା ।

 

କଟକରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍‌ପିଟାଲର ଗାଇନୋକୋଲଜି ୱାଡ଼ରେ ବିଶେଷଜ୍ଞମାନଙ୍କର ପରୀକ୍ଷା ପରେ ଜଣାଗଲା ଯେ ଅନ୍ତସ୍ଥଳରେ କ୍ଷତ ହୋଇ ଅତିରିକ୍ତ ରକ୍ତକ୍ଷାରଣ ହେତୁ ଅବସ୍ଥା ଗୁରୁତର ହୋଇଛି । ତେଣୁ ଅପରେସନ୍ ନିହାତି ଆବଶ୍ୟକ ।

 

ସଙ୍ଗେ ସଙ୍ଗେ ଅପରେସନ୍‌ର ବ୍ୟବସ୍ଥା କରାଗଲା ଏବଂ ଠିକ୍ ସେହି ମୁହୂର୍ତ୍ତରୁ ସତେ ଯେପରି ଗୋପବାବୁ କାଠ ହୋଇଯାଇଛନ୍ତି । ଅନ୍ୟ ସମସ୍ତେ ମଧ୍ୟ ସମ୍ପୂର୍ଣ୍ଣ ନୀରବ । ଛନ୍ଦାର ସ୍ୱର ନଳୀ ସତେ ଯେପରି କେହି ଚିପି ଧରିଛି । ଅତି ନୀରବରେ ସେ ଡା: ତ୍ରିପାଠୀ ଓ ମିସ୍ ସୋନାଲିଙ୍କର ନିର୍ଦ୍ଦେଶମତେ କାର୍ଯ୍ୟ କରି ଯାଉଥାଏ ସିନା ହେଲେ ପ୍ରକୃତ ପକ୍ଷେ ତା’ର ପିଣ୍ଡରେ ପ୍ରାଣ ଥାଏ କି ନା ସନ୍ଦେହ ।

 

ଅପରେସନ୍ ଚାମ୍ବର ମଧ୍ୟରେ ଅନେକଗୁଡ଼ିଏ ବିଶେଷଜ୍ଞ ଡାକ୍ତର ଡାକ୍ତରାଣୀ ସତେ ଯେପରି ମେସିନ୍ ପରି କାମ କରି ଯାଉଛନ୍ତି । ବହୁ ଉତ୍କଣ୍ଠାର ସହ ନୀରବରେ ଠିଆ ହୋଇ ରହିଛନ୍ତି ଡା: ତ୍ରିପାଠୀ । ତାଙ୍କର ଯୁବକସୁଲଭ ଦୃପ୍ତ ଶରୀରରେ ବୋଧହୁଏ ଆଜି ପ୍ରଥମ ଥର ପାଇଁ ବୃଦ୍ଧର ଶୀଥିଳତା ଦେଖା ଦେଇଛି । ବାହାରକୁ ଦୃଢ଼ ଥିଲେ ମଧ୍ୟ ତାଙ୍କ ଏକାନ୍ତ ପ୍ରିୟଛାତ୍ର ଗୋପର ଏହି ଦୁଃସହ ଅବସ୍ଥା ତାଙ୍କୁ ବିଚଳିତ କରି ଦେଉଛି-ଆଣି ଦେଉଛି ତାଙ୍କ ମନରେ ଭୟ ଓ ଆଶଙ୍କା......

 

ଭଗବାନଙ୍କର ବରାଦ ସହ ମର୍ତ୍ତ୍ୟର ଭଗବାନରୂପୀ ଏହି ବିଶେଷଜ୍ଞ ଡାକ୍ତର ଦଳଙ୍କର ବହୁ ସମୟ ଧରି ସଂଗ୍ରାମ ନିଷ୍ଫଳ ହେଲା । ଗୋପ ବାବୁଙ୍କର ସମସ୍ତ ଆଶା ଓ ଆକାଙ୍‌କ୍ଷାକୁ ଚୂର୍ଣ୍ଣିଭୂତ କରିଦେଇ ଚପଳା ଚାଲିଗଲା ଚିରଦିନ ପାଇଁ ତାଙ୍କୁ ପଛରେ ପକାଇ ଦେଇ....

 

ଡାକ୍ତର ଶେଷ ଘୋଷଣା କରିଦେଲେ । ଗୋଟି ଗୋଟି ହୋଇ ସମସ୍ତ ଡାକ୍ତରାଣୀ ଚାଲିଗଲେ । ଆଖିକୁ ଲୁହ ଛଳ ଛଳ କରି ଡା: ମିସ୍ ସୋନାଲି ବାହାରକୁ ଚାଲି ଆସିଲେ । ସଫେଦ ଚାଦର ଢଙ୍ଗା ସେହି ମୂର୍ତ୍ତିକୁ ଚାହିଁ ଚାହିଁ ହଠାତ୍ କାନ୍ଦି ଉଠିଲା ଛନ୍ଦା–ତା’ର ପ୍ରାଣପ୍ରିୟା ସଙ୍ଗିନୀ ଆଜି ଆଉ ନାହିଁ......ଏ ଦାରୁଣ ଶୋକ ଆୟତ୍ତର ବାହାରେ......

 

ଡା: ତ୍ରିପାଠୀ ଛନ୍ଦାକୁ ଆସ୍ତେ ଧରି ନେଇ କୋଳକୁ ଟାଣି ଆଣିଲେ । ସସ୍ନେହ ହାତ ମୁଣ୍ଡ ଉପରେ ବୁଲାଉ ବୁଲାଉ କହିଲେ, ‘‘ମା, ତୁ ଯେ ଆଗାମୀ ଯୁଗର ଜଣେ ସେବିକା ! ତୋ ପକ୍ଷେ ଏହା ଶୋଭା ପାଏନି । ସୁନାଟା ପରା ।’’ ତା’ ପରେ ତାକୁ ନେଇ ବାହାରକୁ ଚାଲି ଆସିଲେ ।

 

ବାହାରେ କ୍ରନ୍ଦନରତ ଶିଶୁପୁତ୍ରକୁ ଧରି ବିମଳା ଦେବୀ ଉଚ୍ଚ ସ୍ୱରରେ ଚିତ୍କାର କରୁଛନ୍ତି । ତାକୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ମିସ୍ ସୋନାଲି । ବାକି ସମସ୍ତେ ନୀରବରେ କ୍ରନ୍ଦନରତ । ଏକା ଗୋପବାବୁ ଓ ନିଧି ରାଉତରାୟ ସ୍ୱନ୍ଦନହୀନ । ଗୋପବାବୁଙ୍କର ମସ୍ତିଷ୍କ ସତେ ଅବା ଶୂନ୍ୟ ।

 

ବାହାରକୁ ଆସି ଡା: ତ୍ରିପାଠୀ ସମସ୍ତଙ୍କ ଉପରେ କ୍ଷଣମାତ୍ର ଆଖି ବୁଲାଇ ଆଣିଲେ । ସମସ୍ତଙ୍କ ମଧ୍ୟରୁ କେବଳ ରାଜେନ୍ଦ୍ରଙ୍କଠାରେ ତାଙ୍କର ଭରସା ପାଇଲା । ନୀରବରେ ତାଙ୍କୁ ଇସାରା ଦେଇ ସେ କିଛି ଦୂରକୁ ଡାକିନେଲେ । ରାଜେନ୍ଦ୍ର ଯନ୍ତ୍ରଚାଳିତ ଭାବେ ଆସି ତାଙ୍କ ସାମନାରେ ଠିଆହେଲେ । ଡା: ତ୍ରିପାଠୀ ରାଜେନ୍ଦ୍ରର ଶୁଷ୍କ ମୁହଁକୁ କ୍ଷଣମାତ୍ର ଚାହିଁ କହିଲେ, ‘‘ଉପସ୍ଥିତ କ୍ଷେତ୍ରରେ ତୁମ ବ୍ୟତୀତ ଆଉ କିଏ ବ୍ୟବସ୍ଥା କରିବ ରାଜେନ୍ଦ୍ର ? ତୁମେ ଯଦି ଏପରି ଭାଙ୍ଗିପଡ଼......’’

 

ଅନ୍ତର ଭିତରୁ ଦୀର୍ଘ ନିଶ୍ୱାସଟିଏ ବାହାରି ଆସିଲା ରାଜେନ୍ଦ୍ରଙ୍କର । ନିଜ ମୁହଁ ଉପରୁ ବିଷାଦର କାଳିମାକୁ ପୋଛି ଦେବାପାଇଁ ରୁମାଲଟିକୁ ଟିକିଏ ବୁଲାଇ ଆଣିଲେ । ତା’ ପରେ କ୍ଷୀଣ କଣ୍ଠରେ ଜବାବ ଦେଲେ, ‘‘ସେ ଯେ ମୋର ସାନ ଭଉଣୀଠାରୁ ଅଧିକ ଆଦରର ଥିଲା ସାର ! ପୁନଶ୍ଚ ମୋର ପ୍ରିୟତମ ବଂଧୁ ଗୋପର ଜୀବନଟା ଆଜି ଯେ ହାହାକାରମୟ ହୋଇଗଲା ।’’

 

ଗୋପର ଭବିଷ୍ୟତ କଥା ଭାବି ଡା: ତ୍ରିପାଠୀଙ୍କର ମନ ଭିତରଟା କ୍ଷଣକ ପାଇଁ ଚହଲି ଗଲା । କିନ୍ତୁ ତାହା ବାହାରକୁ ପ୍ରକାଶ କରିବାକୁ ନଦେଇ ସେ କହିଲେ, ‘‘ଅବଶ୍ୟ ହତଭାଗିନୀ ଚପଳାର କଥା ଭାବିଲେ ମନରେ ଦୁଃଖ ଆସୁଛି ରାଜେନ୍ଦ୍ର । କିନ୍ତୁ ଗୋପର ଜୀବନ ହାହାକାରମୟ ହେବ କାହିଁକି ? ଏ ଯେ ଭଗବାନଙ୍କ ସୃଷ୍ଟିର ଅବଶ୍ୟମ୍ଭାବୀ କଥା । ଏହା ତ ଏକା ଗୋପ ଜୀବନର ଘଟଣା ନୁହେଁ । ଅନ୍ତତଃ ନିତି କେଉଁଠି ବା କେଉଁଠି ଏପରି ଘଟୁଛି । ଏଥିପାଇଁ ଏତେଟା ଅସହାୟ ବୋଧ କଲେ ଚଳିବ ନାହିଁ । ତେବେ ଛାଡ଼ । ବର୍ତ୍ତମାନ ବିଳମ୍ବ ନକରି ଶବ ସଂସ୍କାରର ବ୍ୟବସ୍ଥା କରିବା ଉଚିତ । ତା’ପରେ ଛନ୍ଦା ଓ କଳ୍ପନାଙ୍କ ସାହାଯ୍ୟରେ ଅନ୍ୟମାନଙ୍କୁ ପ୍ରବୋଧନା ଦେଇ ବସାକୁ ପଠାଇବାର ବ୍ୟବସ୍ଥା କରିବା ଉଚିତ ।’’

 

ରାଜେନ୍ଦ୍ର କହିଲେ, ‘‘ନା, ସାର୍ ! ମୋ ମତରେ ଶବଯାତ୍ରା ଏଠାରୁ ନନେଇ ଆମର ବସାକୁ ପ୍ରଥମେ ନେଇ ସେଠୁ ବିଧିବଦ୍ଧ ପ୍ରଥାନୁଯାୟୀ ଶବଯାତ୍ର ବାହାର କରିବା ଉଚିତ ହେବ ।’’

 

ଡା: ତ୍ରିପାଠୀ କହିଲେ, ‘‘ବାସ୍ତବିକ ଉତ୍ତମ ପ୍ରସ୍ତାବ । ତେବେ ପ୍ରଥମେ ତାହାହିଁ ବନ୍ଦୋବସ୍ତ କର ।’’

 

ତଦନୁସାରେ ସମସ୍ତେ ଚପଳାର ସ୍ପନ୍ଦନହୀନ ଶରୀରକୁ କାର ଯୋଗେ ନେଇ ରାଜେନ୍ଦ୍ରଙ୍କର ଘରକୁ ଗଲେ । ସେଠି ପହଞ୍ଚିବା ପରେ ରାଜେନ୍ଦ୍ର ଯଥାବିଧି ବ୍ୟବସ୍ଥା କରିବାରେ ଲାଗିପଡ଼ିଲେ । ପଛ କଥା ଭାବି ଲାଭ ନାହିଁ । ଶବ ସଂସ୍କାର ତୁରନ୍ତ କରିବାକୁହିଁ ହେବ । ସତୀର ସମ୍ମାନ ନେଇ ଚପଳା ଚାଲିଯାଇଛି......ଛାଡ଼ି ଯାଇଛି ତା’ର ତ୍ୟକ୍ତ ଶରୀରକୁ । ସତୀର ସଧବା ସ୍ତ୍ରୀର ସ୍ୱାମୀ ଭାବେ ଗୋପବାବୁଙ୍କୁ ଲଗାଇ ଦେବାକୁ ହୋଇଥିଲା ଚପଳାର ମଥାରେ ସିନ୍ଦୁର ବଜାଇବାକୁ ହୋଇଥିଲା ବାଦ୍ୟ......ଯନ୍ତ୍ରଚାଳିତ ଏକ ନିର୍ଜୀବ ପୁରୁଷ ମୂର୍ତ୍ତି ସତେ ଅବା ସେ ସବୁ କରିଯାଉଥିଲା । ଜ୍ୟୋତ୍ସ୍ନାୟିତ ରଜନୀର ଶେଷ ପ୍ରହରରେ ବାଜି ଉଠିଥିଲା କରୁଣ ସ୍ୱରର ବ୍ୟାଣ୍ଡ ବାଦ୍ୟ ଓ ହୁ ହୁ ହୋଇ ଜଳି ଉଠିଥିଲା ଶ୍ମଶାନ ଭୂମିରେ ଅଗ୍ନି ଶିଖା...!!

 

ସମୟର ଗତିପଥରେ ପୃଥିବୀର ରୂପ ପରିବର୍ତ୍ତିତ ହୋଇ ଚାଲିଛି । ଏହା ଭିତରେ ବର୍ଷ ବର୍ଷ ହୋଇ ଛଅଟି ବର୍ଷ କଟିଗଲାଣି । ସ୍ତ୍ରୀର ଶୁଦ୍ଧି କ୍ରିୟାକାର୍ଯ୍ୟ ଶେଷ ନ ହେଉଣୁ କଟକରେ ଥିବା ନିଜର ପୈତୃକ ନିବାସକୁ ବିକ୍ରି କରି ଅର୍ଜିତ ଟଙ୍କାକୁ ବ୍ୟାଙ୍କରେ ରଖି ଗୋପବାବୁ ସମସ୍ତ ବନ୍ଧୁବାନ୍ଧବ, ପ୍ରିୟଜନଙ୍କର ନାନା ଅନୁନୟ ବିନୟକୁ ପ୍ରତ୍ୟାଖ୍ୟାନ କରି ପୃଥିବୀର ପ୍ରଶସ୍ତ ରାଜପଥରେ ବାହାରି ଗଲେ ଜଣେ ଲକ୍ଷ୍ୟହୀନ ଯାତ୍ରୀ ରୂପେ । ସେଇଦିନୁ ସେ କେଉଁଆଡ଼େ କ’ଣ କରି ବୁଲୁଛନ୍ତି ବହୁଚେଷ୍ଟା କରି ମଧ୍ୟ ରାଜେନ୍ଦ୍ର, ଛନ୍ଦା ବା ଡା: ତ୍ରିପାଠୀ କିଛି ଖବର ପାଇ ପାରିନାହାନ୍ତି । ଏହି ତିନି ଶୁଭକାମୀଙ୍କ ବ୍ୟତୀତ ଆଉ କିଏ ବା ଗୋପ ବାବୁଙ୍କର ଖବର ଜାଣିବା ପାଇଁ ଚେଷ୍ଟା ବା ଇଚ୍ଛା କରିବ ?

 

ଚପଳାର ମୃତ୍ୟୁ ପରେ ନିଧି ରାଉତରାୟ ପଥର ପାଲଟି ଯାଇଥିଲେ । ସେଇଦିନୁ ତାଙ୍କର ପାଟିରୁ ପଦେ କଥା ପ୍ରାୟ କେହି ଶୁଣି ନାହାନ୍ତି । ବହୁ ତାଡ଼ନା ଦେଲେ ନିତାନ୍ତ ଆବଶ୍ୟକ କେତେ ପଦ କଥା ସେ କହିଥାନ୍ତି । ତାହା ବି ଅତ୍ୟନ୍ତ ପରିଚିତ ପ୍ରିୟଜନଙ୍କ ବ୍ୟତୀତ ଅନ୍ୟମାନଙ୍କ ସହ ନୁହେଁ । ତାଙ୍କର ମନମଧ୍ୟରେ ସତେ ଯେପରି ଗୋଟାଏ କିଛି ବିରାଟ ଭାବନାର ଢେଉ ଖେଳୁଛି ସଦା ସର୍ବଦା । ଅଥଚ ତାହା ବାହାରକୁ ପ୍ରକାଶିତ ହେଉ ନାହିଁ । ସର୍ବଦା ସେ ଏକାକୀ ବସି ରହି କିଛି ଗୋଟାଏ ଗଭୀର ଚିନ୍ତା କରୁଥାନ୍ତି । ତାଙ୍କର ଭାବନା ସେ ହିଁ କେବଳ ଜାଣନ୍ତି । ବୃଦ୍ଧ ଚାକର ବାମା ହିଁ ସେଇଦିନୁ ସମ୍ପତିର ଦେଖା ଶୁଣା ଭାର ଆପେ ଆପେ ମୁଣ୍ଡାଇ ନେଇଛି ବାଧ୍ୟ ହୋଇ......

 

ବିମଳା ଦେବୀ ସଦାସର୍ବଦା ନାତିଟି ସାଙ୍ଗେ ବ୍ୟସ୍ତ । ବାହାର ଜଗତ ସଙ୍ଗେ ସମ୍ପର୍କ ନାହିଁ କହିଲେ ଚଳେ । ପିଲାଟିକୁ ବଞ୍ଚାଇ ରଖିବାକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ହୋଇଛି ତାଙ୍କୁ । ଜୀବନର ସଞ୍ଚତ ସମସ୍ତ ସ୍ନେହ, ଶ୍ରଦ୍ଧା ଓ ମମତା ସେ ଢାଳି ଦେଇଛନ୍ତି ଏହି ହତଭାଗା ପୌତ୍ରଟି ପ୍ରତି । ରାଜେନ୍ଦ୍ର ତା’ର ନାମ ରଖିଛନ୍ତି ବିଭାଷକୁମାର । ବିଭାଷ ଜୀବନରେ ନିଜର ଏକାନ୍ତ ଆପଣାର ବୋଲି ଜାଣିଛି ବିମଳା ଦେବୀଙ୍କୁ ଓ ଛନ୍ଦାକୁ ।

 

ଛନ୍ଦା ସହ ବିଭାଷର ସମ୍ଫର୍କ ଓ ପରିଚୟ ଏକ କୌତୂହଳଜନକ ବ୍ୟାପାର । ଛନ୍ଦା ମେଡ଼ିକାଲ ଡିଗ୍ରୀ ହାସଲ କରିବା ପରେ କିଛି ଗୋଟାଏ କରିବାର ନିଷ୍ପତ୍ତି କରିବା ପୂର୍ବରୁ ଆସିଥିଲା ଗାଁକୁ କିଛି ଦିନ ବାପା ବୋଉଙ୍କ ପାଖରେ କଟାଇ ଯିବାକୁ । ଗାଁକୁ ଆସିବା ପରେ ତା’ର ପ୍ରିୟତମା ସଙ୍ଗିନୀ ଚପଳାର ପୁଅକୁ ଦେଖିବା ପାଇଁ ସ୍ପୃହା ଜାଗିବା ସ୍ୱାଭାବିକ୍ । ତା’ପରେ ଦୁଃଖରେ ସ୍ଥାଣୁ ପାଲଟି ଯାଇଥିବା ମଉସାଙ୍କୁ ଥରେ ଦେଖି ଆସିବା ତା’ର ଏକାନ୍ତ କର୍ତ୍ତବ୍ୟ । ତେଣୁ ପରଦିନ ସକାଳୁ ସେ ଯାଇଥିଲା ନିଧି ରାଉତରାୟଙ୍କ ଘରକୁ ।

 

ବିଭାଷର ଛୋଟ ମନରେ ସେତେବେଳେ ଥାଏ ଏକ ଦାରୁଣ ବେଦନା । ଜଗତର ପ୍ରକୃତ ଘଟଣା ବୁଝିବା ତା’ ଶକ୍ତିର ବାହାରେ । ବିମଳା ଦେବୀଙ୍କର ଅବର୍ଣ୍ଣନୀୟ ସ୍ନେହ ଓ ସୋହାଗ ସେ ପାଇଥିଲେ ବି ସେ ଦେଖେ ସାଇ ପଡ଼ିଶାର ଆଉ ଆଉ ପିଲାମାନଙ୍କୁ ଏବଂ ସେମାନଙ୍କର ବୋଉମାନଙ୍କୁ । ଆଈଙ୍କର ସ୍ନେହ ଓ ଶ୍ରଦ୍ଧା ଅନ୍ୟମାନଙ୍କର ବୋଉମାନଙ୍କର ସ୍ନେହ ଓ ସୋହାଗଠାରୁ ଯଥେଷ୍ଟ ଅଧିକ ନିଷ୍ଠାପର ହେଲେ ବି, ମାତୃ କୋଡ଼ର ଅମୃତ ସ୍ପର୍ଶରୁ ସେ ବଞ୍ଚିତ । ଜୀବନର ପ୍ରଥମ ମୁହୂର୍ତ୍ତରୁ ମାତାର କର ସ୍ପର୍ଶ ଲାଭ କରି ନ ଥିଲେ ବି, ଉପସ୍ଥିତ ବୟସରେ ସାଧାରଣଜ୍ଞାନ ତା’ର ଆସି ନ ଥିଲେ ବି ସେ ଅନେକ ସମୟରେ ଅନୁଭବ କରେ କିଛି ଗୋଟାଏ ଅଭାବ । କିନ୍ତୁ କ’ଣ ସେ ଅଭାବ ସେ ବୁଝିପାରେନା । ତାହା ବି ଚିରସ୍ଥାୟୀ ହୁଏନା । କିନ୍ତୁ ହୃଦୟର ନିଭୃତ କନ୍ଦରରେ ତା’ର ପୁଞ୍ଜିଭୂତ ବେଦନା ଲୁକ୍‌କାୟିତ ।

 

ବୟସରେ ଅତ୍ୟନ୍ତ ସାନ ହେଲେ ବି ବିଭାଷ ସ୍ପଷ୍ଟ ଅନୁଭବ କରେ ତା’ର ଅନ୍ୟ ବାଲ୍ୟବଂଧୁଙ୍କ ଘରର ଆନନ୍ଦ ଉଚ୍ଛ୍ୱାସ ତାଙ୍କ ଘରେ ନାହିଁ । ସମସ୍ତଙ୍କ ମନ ଭିତରେ କିଛି ଗୋଟାଏ ବେଦନା ଢାଙ୍କି ହୋଇ ରହିଛି । କାହାରି ମନରେ ପ୍ରଫୁଲ୍ଲତା ନାହିଁ । ଅଜାଙ୍କର ଗାମ୍ଭୀର୍ଯ୍ୟ ତା’ ପ୍ରତି ସର୍ବଦା ଡରର କାରଣ । ତେଣୁ ସେ କେତେବେଳେ ହେଲେ ଅଜାଙ୍କ ପାଖକୁ ଯାଏ ନାହିଁ । ଅଜାଙ୍କର ବି ଅଦ୍ଭୁତ ଖିଆଲ ଯେ ଏହି ଶିଶୁ ହିଁ ତାଙ୍କ ନୟନର ପିତୁଳୀକୁ ହଜାଇ ଦେଇଛି । ତେଣୁ ସେ କେତେବେଳେ ହେଲେ ବିଭାଷର ଭଲ ମନ୍ଦ ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ ।

 

ବିଭାଷର ସୁଖର ସାଥୀ ଏକମାତ୍ର ମାମୁଁ ଚନ୍ଦନ । ଚନ୍ଦନ ସର୍ବଦା ବିଭାଷକୁ ପ୍ରଫୁଲ୍ଲ ରଖିବାକୁ ଚେଷ୍ଟା କରେ କ୍ଷଣେ ମାତ୍ର ଯେପରି ତା’ର ମନରେ ବିଷାଦ ନ ଆସେ, ସେଥିପାଇଁ ଯତ୍ନ କରେ । ବିଭିନ୍ନ ଖେଳଣା ଦେବା, ନାନା ସ୍ଥାନକୁ ବୁଲାଇ ନେବା, କେତେ ଛୋଟ ଛୋଟ ଗପ କହିବା ବିଭାଷ ପ୍ରତି ତା’ର ଶ୍ରେଷ୍ଠ କର୍ତ୍ତବ୍ୟ ହୋଇଥାଏ । ବିଭାଷକୁ ଛବି ବହି ଦେଇ ନାନା ଛବି ଦେଖାଇବା ଓ ଅକ୍ଷର ଶିଖାଇବା ପାଇଁ ଚନ୍ଦନକୁ ଖୁବ୍ ଭଲ ଲାଗେ । ତଥାପି ତା’ର ମନରେ ବେଳେ ବେଳେ କାଳିମା ଘୋଟିଯାଏ......ହଠାତ୍ ଯେତେବେଳେ ବିଭାଷର ମୁହଁକୁ ଦେଖି ତା’ର ଅତି ଆଦରର ଅପାର ମୁହଁ ଆଖି ଆଗରେ ନାଚି ଉଠେ । ଆଖି ତା’ର ଛଳ ଛଳ ହୋଇଯାଏ । ଭଣଜା ବିଭାଷ ଓ ଅପାର ମୁହଁ ମଧ୍ୟରେ ଅଦ୍ଭୁତ ସାମଞ୍ଜସ୍ୟ ସେ ଲକ୍ଷ୍ୟ କରେ । ଅପାର ପ୍ରତ୍ୟେକ କାର୍ଯ୍ୟକଳାପ, କଥାଭାଷା ମନେ ପଡ଼ିଯାଏ ତା’ର । ଲୁହ ଛଳ ଛଳ ଆଖିକୁ ଘୂରାଇ ଦେଇ ବିଭାଷଠାରୁ ଲୁଚାଇବାକୁ ଚେଷ୍ଟା କରେ ସେ ।

 

କିନ୍ତୁ କ୍ଷୁଦ୍ର ବିଭାଷକୁ ଭଗବାନ ସତେ ଅବା ଅଦ୍ଭୁତ ଶକ୍ତି ଦେଇ ଗଢ଼ିଛନ୍ତି । ସେ ମାମୁଁର ସରଳ ମୁହଁରେ ହଠାତ୍ ଦୁଃଖର ଛାପ ଲକ୍ଷ୍ୟ କରେ । ତା’ର ହର୍ଷୋତ୍‌ଫୁଲୁ ଭାବଭଙ୍ଗୀ ହଠାତ୍‌ ବନ୍ଦ ହୋଇଯାଏ । ସେ କହେ, ‘‘ମାମୁଁ କ’ଣ ହେଲା ?’’ ଚନ୍ଦନ କିନ୍ତୁ ବିଭାଷକୁ ଅନ୍ୟ କଥା କହି ଭୁଲାଇ ଦିଏ ।

 

ଦିନେ ଦିନେ ହଠାତ୍ ବିଭାଷ ମାମୁଁକୁ ପଚାରି ବସେ, ‘‘ମାମୁଁ ମୋ ବୋଉ କାଇଁ ? ସମସ୍ତଙ୍କର ବୋଉ ଅଛି, ମୋର ବୋଉ କୁଆଡ଼େ ଯାଇଛି ?’’

 

ଚନ୍ଦନ ବିଚଳିତ ହୋଇଉଠେ । ଏହି ନିର୍ବୋଧ ଶିଶୁକୁ ସେ କି ଉତ୍ତର ଦେବ ? ତାକୁ ଭୁଲାଇବାକୁ କହେ, ‘‘ତୋ ବୋଉ ପରା ଘରେ ଅଛି !’’ ବିଭାଷ କହେ, ‘‘କାଇଁ, ମୁଁ ତ ଦେଖିନି !’’ ଚନ୍ଦନ ତାକୁ ନେଇଯାଇ ଶୋଇବାଘରେ ଟଙ୍ଗା ହୋଇଥିବା ଅପାର ଗୋଟାଏ ଫଟୋକୁ ଦେଖାଇ ଦିଏ । କିନ୍ତୁ ବିଭାଷର ମନ ସେଥିରେ ସନ୍ତୁଷ୍ଟ ହୁଏନି । ଭାବେ, ‘‘ଏ ତ ମୋ ବୋଉର ଫଟ ।’’ ମନେ ମନେ ସର୍ବଦା ଗୋଟାଏ ବ୍ୟଥାତୁର ଭାବରଖି ସେ ତା’ ବୋଉକୁ ଖୋଜୁଥାଏ ।

 

ଏହିପରି ସମୟରେ ସେ ଦିନ ହଠାତ୍‌ ଆସି ପହଞ୍ଚିଲା ଛନ୍ଦା । ମଉଷାଙ୍କର ଅବସ୍ଥା ଦେଖି ସେ କାନ୍ଦି ପକାଇଲା । ତାଙ୍କୁ ତ ପ୍ରବୋଧନା ଦେବାର ପ୍ରଶ୍ନ ନ ଥିଲା । ବିମଳା ଦେବୀ ତାଙ୍କୁ ଦେଖି କାନ୍ଦିଥିଲେ । ଛନ୍ଦାର ମୁହଁକୁ ଦେଖି ତାଙ୍କର ଆଖି ଆଗରେ ଝଲସି ଉଠିଥିଲା ଚପଳାର ମୁହଁ-। ଦୁହେଁ ଏକ ସାଥିରେ ପଢ଼ୁଥିଲେ, ଖେଳୁଥିଲେ, ବୁଲୁଥିଲେ । ଛନ୍ଦା ଆଜି ପାଠ ପଢ଼ି ଡାକ୍ତରାଣୀ ହୋଇଛି । କିନ୍ତୁ ଚପଳା ଆଜି କାହିଁ ? ସାରା ପରିବାରକୁ ବିପର୍ଯ୍ୟାସ୍ତ କରିଦେଇ ସେ ଚାଲିଯାଇଛି......

 

ବିମଳା ଦେବୀଙ୍କର ବିରସ ମୁହଁକୁ ଚାହିଁ ଛନ୍ଦା ବୁଝିପାରିଲା ତାଙ୍କ ଅନ୍ତରର ବେଦନା । ବହୁ ବୁଝାଇଲା ତାଙ୍କୁ । ବହୁ ଆଶା ଭରସା ଦେଲା– ‘‘କାଲି ଚନ୍ଦନ ମଣିଷ ହେବ, ବାହାସାହା ହେବ......ନୂଆ ବୋହୂ ଘରକୁ ଆସିବ । ଫେର ଏହି ଘର ହସି ଉଠିବ । ବିଭାଷ ବି ବର ହେବ । ବାପ ମା’ଙ୍କର ଉପଯୁକ୍ତ ସନ୍ତାନ ରୂପା ସେ ଦୁନିଆରେ ଠିଆ ହେବ । ତା’ର ଅନ୍ତର୍ହିତ ପିତାଙ୍କୁ ସେ ନିଶ୍ଚୟ ଖୋଜି ବାହାର କରି ଆଣିବ ।’’

 

ଯିବା ସମୟରେ ଛନ୍ଦା ଖୋଜିଲା ବିଭାଷକୁ । ବିଭାଷ ମାମୁଁ ସହ ବଗିଚାରେ ଖେଳୁଛି । ଛନ୍ଦାକୁ ଦେଖି ପାରିଛି ଆଈ ପାଖରେ । ମାମୁଁଙ୍କୁ ପଚାରିଛି ସେ କିଏ ବୋଲି । ମାମୁଁ କହିଛି ଯେ ସେ ଜଣେ ମାଉସୀ । ତା’ ବୋଉର ସାଙ୍ଗ । ବଗିଚା ଭିତରୁ ବାରମ୍ବାର ବିଭାଷ ଛନ୍ଦାକୁ ଚାହିଁ ଦେଖୁଛି......ବୋଉର ସାଙ୍ଗ......ନିଶ୍ଚୟ ବୋଉ କୁଆଡ଼େ ଯାଇଛି ସେ ଜାଣେ ।

 

ବିଭାଷ ଓ ଚନ୍ଦନକୁ ଖୋଜି ବିମଳା ଦେବୀ ଓ ଛନ୍ଦା ଆସି ବଗିଚାରେ ପହଞ୍ଚିଲେ । ବିଭାଷକୁ ଆନନ୍ଦରେ ଜାକି ପକାଇ ଛନ୍ଦା ତା’ ଗାଲରେ ଗୋଟିଏ ଚୁମା ଦେଲା । ବିଭାଷ ବିହ୍ୱଳ ହୋଇ ଛନ୍ଦାକୁ ଚାହିଁ ରହିଲା । ବାଃରେ ଏ ତ ସେଇ ଫଟରେ ଥିବା ବୋଉ ପରି ଦେଖାଯାଉଛି । ବିଭାଷର ଅନୁସନ୍ଧିତ୍ସୁ ମୁହଁକୁ ଦେଖି ଛନ୍ଦା ପଚାରିଲା ‘‘କିରେ । ମୋ ମୁହଁରେ କଣ ଦେଖୁଛୁଁ ? ମୋତେ ଚିହ୍ନି ପାରୁଛି ?’’

 

ବିଭାଷ କହିଲା, ‘‘ତୁମେ ପରା ମୋ ବୋଉର ସାଙ୍ଗ ? ମୋ ବୋଉ କାହିଁ । ମୋ ବୋଉକୁ ଆଣି ଦିଅ ।’’

 

ଛନ୍ଦାର ଆଖି ଲୁହ ଛଳଛଳ ହୋଇଗଲା ଏହି ନିର୍ବୋଧ ଶିଶୁକୁ କଣ ବୁଝାଇବ ଯେ ଭାବି ପାରିଲା ନାହିଁ । ବହୁ କଷ୍ଟରେ ସେ କହିଲା ‘‘ତୋ ବୋଉ ପରା ଏଇ ଆକାଶକୁ ଯାଇଛି । ସେଠିକି ମୁଁ ପରା ଯାଇ ପାରିବି ନାହିଁ । ତୁ ବଡ଼ ହୋଇ ପାଠ ପଢ଼ିଲେ ରକେଟ୍‌ ଧରି ଭଡ଼ିକରି ବୋଉକୁ ଖୋଜିବୁ । ବାପାଙ୍କୁ ବି ଖୋଜି ନେଇ ଆସିବୁ । ଆଣି ପାରିବୁ ନାହିଁ ?’’

 

‘‘ହଁ, ମାମୁଁ କହୁଥିଲେ ମୁଁ ବଡ଼ ହେଲେ ଉଡ଼ିକରି ଜହ୍ନମାମୁଁ ପାଖୁ ଯବି ।’’

 

‘‘ଆରେ ବାଃ ତୁ ତ କେତେ ସୁନା ପିଲାଟେ ।’’

 

‘‘ହଁ, ମୁଁ ସୁନା, ମାମୁଁ ସୁନା, ଆଇ ସୁନା, ଅଜା ସୁନା–ସମସ୍ତେ ସୁନା ।’’

 

‘‘ନାଇଁ ଅଜା ସୁନା ନୁହଁ । ସେ ତ ମୋତେ କଥା କହୁନାହାନ୍ତି । ସେ କାହିଁକି ସୁନା ହେବେ ।’’

 

ଭାବର ଆବେଗରେ ଛନ୍ଦା ବିଭାଷ କପାଳରେ ଆଉ ଗୋଟିଏ ସ୍ନେହର ଚୁମା ଆଙ୍କିଦେଲା । ଛନ୍ଦର ଆଶ୍ଳେଷରୁ ନିଜକୁ ଖସାଇ ନେଇ ବିଭାଷ ଦଉଡ଼ିଗଲା । ବଗିଚା ଭିତରେ ଉଡ଼ି ବୁଲୁଥିବା ଗୋଟିଏ ପ୍ରଜାତିକୁ ଧରିବା ପାଇଁ । ବିହ୍ୱଳ ହୋଇ ଛନ୍ଦା ଚାହିଁ ରହିଲା ତା’ଆଡ଼େ–ଏଇ ହେଲା ଦୁହିଁଙ୍କର ପ୍ରଥମ ପରିଚୟ.....

 

ତୀର୍ଥମୟ ଭାରତର ପ୍ରତି କୋଣେ କୋଣେ ଉଦ୍‌ଭ୍ରାନ୍ତ ଭାବେ ଘୂରି ବୁଲୁଛନ୍ତି ଜଣେ ଯୁବକ.....ମୁହଁସାରା ଘନକୃଷ୍ଣ ଶ୍ମଶ୍ରୁ......ଦେହରେ ଧୋତି ଓ ପଞ୍ଜାବୀ......କାନ୍ଧରେ ଗୋଟିଏ ଶାନ୍ତିନିକେତନ ବ୍ୟାଗ.....ରିକ୍ତପଦ । ଦେଖିଲେ ମନେହୁଏ ଯୁବକଙ୍କର ମନରେ ଅଜସ୍ର ଭାବନା.......କିନ୍ତୁ ଚକ୍ଷୁରେ ପରମ ବିସ୍ମୟ ଓ ଗଭୀର ଅନୁସନ୍ଧିତ୍ସା...... ଆଜି ଦକ୍ଷିଣ ଭାରତରେ ତ କାଲି ପଶ୍ଚିମ ଭାରତରେ......ଆଜି ମହାରାଷ୍ଟ୍ରର କେଉଁ ସହରରରେ ତ କାଲି ଆସାମର କେଉଁ ପଲ୍ଲୀରେ ଦେଖିବାକୁ ମିଳେ ଏହି ଉଦ୍‌ଭ୍ରାନ୍ତ ପଥିକଙ୍କୁ.....ଅଜ୍ଞାତ ଜନତା ପରମ ବିସ୍ମୟରେ ଲକ୍ଷ୍ୟକରେ ତାଙ୍କୁ......କି ଉଦ୍ଦେଶ୍ୟ ତାଙ୍କର......କାହିଁକି ସେ ଏପରି ଘୂରି ବୁଲୁଛନ୍ତି ଭାରତ ସାରା ଲକ୍ଷ୍ୟହୀନ ଭାବେ ?

 

ବର୍ଷ ବର୍ଷ ଧରି ଘୂରି ବୁଲୁଛନ୍ତି ଏହି ଭାବେ......କେବେ ଯେ ସେ ଏହି ପଥରେ ଗୋଡ଼ ଦେଇଛନ୍ତି ଏବଂ କେବେ ଯେ ଏହା ବନ୍ଦ ହେବ.....କେଉଁଠାରୁ ସେ ବାହାରିଛନ୍ତି ଏବଂ କେଉଁଠାରେ ଯେ ତାଙ୍କର ଯାତ୍ରା ଶେଷ ହେବ କେହି ଜାଣିପାରି ନାହାନ୍ତି । ଯୁବକଙ୍କୁ ପ୍ରଶ୍ନ ପଚାରି ଉତ୍ତର ପାଇବା ସମ୍ପର୍ଣ୍ଣ ଅସମ୍ଭବ । ନୀରବରେ ପଥ ଧରି ଚାଲିଥାନ୍ତି ସେ......କେବେ କାହା ସଙ୍ଗେ କଥାଭାଷା ହେବା କେବେ କାହାକୁ କିଛି ପଚାରିବା ବା କାହାରି କିଛି ପ୍ରଶ୍ନର ଉତ୍ତର ଦେବା ଦେଖାଯାଇନି......କିଏ ବା ଜାଣେ ଯେ ଏହି ଯୁବକ ଏହିପରି ସାରାଭାରତ ବର୍ଷ ବର୍ଷ ଧରି ଘୁରି ବୁଲୁଛନ୍ତି । ସେ ଯେ କେଉଁଠି ହେଲେ ଅଟକି ନାହାନ୍ତି । ଆସି ପହଞ୍ଚିଛନ୍ତି ନୂଆ ସ୍ଥାନରେ.....ଦର୍ଶନୀୟ ଯାହା କିଛି ଦେଖି ନେଇ ସାରିବା ପରେ ମୁହୂର୍ତ୍ତେ ଅପେକ୍ଷା ନ କରି ଚାଲିଯାଇଛନ୍ତି ଅନ୍ୟ କୌଣସି ଦର୍ଶନୀୟ ସ୍ଥାନକୁ । ବୁଲି ବୁଲି ସେ ପ୍ରତି ସ୍ଥଳର ମହତ୍ୱ ଓ ବିଶ୍ଳେଷତ୍ୱକୁ ନିଜ ଦୃଷ୍ଟି କୋଣରୁ ବିଶ୍ଳେଷିତ କରିଥାନ୍ତି.....କେଉଁଠାରେ ହେଲେ ତାଙ୍କ ମନ ତୃପ୍ତି ପାଏନା.....କେବେ କେହି ପରିଚିତ ବ୍ୟକ୍ତି ଯଦି ଏହି ଉଦ୍‌ଭ୍ରାନ୍ତ ଯୁବକଙ୍କୁ ଭେଟନ୍ତେ- ଚିହ୍ନନ୍ତେ ସ୍ତ୍ରୀ ଶୋକାତୁର ଗୋପ ବାବୁଙ୍କୁ–

 

ବିଶାଖାପାଟଣା.....ଭାରତର ଏକ ପ୍ରଖ୍ୟାତ କୃତ୍ରିମ ବନ୍ଦର ଓ ଜାହାଜ ନିର୍ମାଣ କେନ୍ଦ୍ର । ସମୁଦ୍ର ମଧ୍ୟକୁ ପଶିଯାଇଥିବା ପାହାଡ଼ କଡ଼ରେ ଆଧୁନିକ ବିଜ୍ଞାନ କୌଶଳରେ ରଚିତ କୃତ୍ରିମ ପୋତାଶ୍ରୟ ଓ ଜାହାଜ ନିର୍ମାଣ କାରଖାନା ବିଶାଖାପାଟଣାର ମହତ୍ୱ ବଢ଼ାଇ ଦେଇଛି । ବାସ୍ତବିକ୍‌ ପାହାଡ଼ ଉପରୁ ବନ୍ଦର ଓ ସମୁଦ୍ର ମଧ୍ୟର ଦୃଶ୍ୟ ଚମତ୍କାର । ଦିନ ଥିଲା ବିଶାଖାପାଟଣା ଉତ୍କଳର ଅଙ୍ଗୀଭୂତ ଥିଲା......ଇଂରାଜୀ ଶାସନ ଅମଳରୁ ତାହା ମାନ୍ଦ୍ରାଜ ଓ ପରେ ଆନ୍ଧ୍ରପ୍ରଦେଶର ଏକ ନଗର ତଥା ବନ୍ଦରରୂପେ ପରିଚିତ । ଏଠାକାର ଅନେକ ଅଧିବାସୀଙ୍କର ମିଶ୍ରିତ ସଭ୍ୟତା ଓ ସଂସ୍କୃତି ଏବେ ବି ସେମାନଙ୍କୁ ଅତୀତ ଉତ୍କଳର ସନ୍ତାନ ବୋଲି ପରିଚୟ ଦିଏ; କିନ୍ତୁ ସେମାନେ ଆଜି ଆନ୍ଧ୍ର ଅଧିବାସୀ । ଗୋପ ବାବୁଙ୍କର ମନ ଦୁଃଖରେ ଭରିଯାଏ.....ସେ ଆଗେଇ ଯାଆନ୍ତି ଅନ୍ୟତ୍ର.....

 

ମାନ୍ଦ୍ରାଜ.....ଭାରତର ତୃତୀୟ ବୃହତ୍ତମ ନଗରୀ...... ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ଏଠାରେ । ଟାଇଲ ଛାଉଣୀ ବଡ଼ ବଡ଼ ଘରଗୁଡ଼ିକ ସଙ୍ଗେ ଆଧୁନିକ ବହୁଚଳ ବିଶିଷ୍ଟ ପ୍ରାସାଦଗୁଡ଼ିକର ଶୋଭା ଦର୍ଶନୀୟ । ଲାଇଫ ଇନସ୍ୟୁରାନସ କମ୍ପାନୀର ଚତୁର୍ଦ୍ଦଶତଳ ବିଶିଷ୍ଟ ବିରାଟ ପ୍ରାସାଦ ପ୍ରତ୍ୟେକ ଦଶକର ମନ ଆକୃଷ୍ଟ କରେ । ଫୋଟଠାରୁ ଆରମ୍ଭ କରି ମାରିନା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ଘୁରି ଘୁରି ଗୋପବାବୁ ଶାନ୍ତିର ସନ୍ଧାନ କରି ବିଫଳ ହେଲେ......କାହିଁରେ ତାଙ୍କ ମନ ମାନେନା.....ପୁଣି ନୂତନ ସ୍ଥାନ ସନ୍ଧାନରେ ବାହାରି ପଡ଼ନ୍ତି......

 

ପଣ୍ତିଚେରୀ......ଶ୍ରୀ ଅବବିନ୍ଦ ଆଶ୍ରମ.....ଅଧୁନାତନ ପରିବେଶ ମଧ୍ୟରେ ମଧ୍ୟ ପରମେଶ୍ୱରଙ୍କର ଆଶୀର୍ବାଦ ଲାଭ କରିବାର ମହତ୍‌ ଅନୁଷ୍ଠାନ । ଯୋଗାଶ୍ରମଠାରୁ ଆରମ୍ଭ କରି Swimming Pool ପର୍ଯ୍ୟନ୍ତ ଘୁରି ଘୁରି ଦେଖିବା ସଙ୍ଗେ ସଙ୍ଗେ ଯୋଗରତ ପକ୍ୱକେଶ ସ୍ଥବିର ପଣ୍ତିତ ମଣ୍ତଳୀଠାରୁ ଆରମ୍ଭ କରି ଅଧ୍ୟୟନରତ ପ୍ରଗଳ୍‌ଭା ବାଳିକାମାନଙ୍କୁ ବୁଝିବାକୁ ଚେଷ୍ଟା କରିଛନ୍ତି ସେ । ଶ୍ରୀମାଙ୍କର ଆଶୀର୍ବାଦ ମଧ୍ୟ ଲାଭ କରିଛନ୍ତି । କିନ୍ତୁ ତଥାପି ମନ ମାନିନି ସେହି ପରିବେଶକୁ......ସମସ୍ତ ବୃଥା......କାହିଁ କିପରି କିଛି ଗୋଟାଏ ଅଭାବ ତଥାପି ରହିଯାଇଛୁ ସେଠି......ଏହିପରି ମନେ ହୋଇଛି ତାଙ୍କୁ ଏବଂ ଏହି ଧାରଣା ମନରେ ଜାଗ୍ରତ ହେବାପରେ ପରେ ସେ ସ୍ଥାନ ତ୍ୟାଗ କରିଛନ୍ତି ସେ ।

 

ରାମେଶ୍ୱର......ଭାରତ ମହାସାଗରର ଅନନ୍ତ ଜଳରାଶିକୁ ଚାହିଁ ରହି ଗୋପବାବୁ ବିହ୍ୱଳ...... ବିମୁଗ୍‌ଧ......ବଙ୍ଗୋପ ଓ ଆରବ ସାଗରର ମିଳନସ୍ଥଳ ଭଗବାନ ଶ୍ରୀରାମଙ୍କର ପବିତ୍ର ଚରଣ ଧୂଳି ମଣ୍ତିତ ମହନୀୟ ପୀଠ ଏହି ରାମେଶ୍ୱର......କି ମୁଗ୍‌ଧକର କି ସୁନ୍ଦର.....ଗୋପ ବାବୁଙ୍କର ମନ ବିସ୍ମୟ ଭିଭୂତ.....କିନ୍ତୁ ତଥାପି ତୃପ୍ତ ନୁହଁ......କାହିଁକି..... ? ମନରେ ଭାସି ଉଠେଁ......ଭାରତ ପୌରାଣିକ ଯୁଗର ସେଇ ସର୍ବଜନ ଖ୍ୟାତି ଘଟଣାବଳୀ..... ପତ୍ନୀହରା ରାମଚନ୍ଦ୍ରଙ୍କର ହୃତ ପତ୍ନୀକୁ ଫେରି ପାଇବା ପାଇଁ ଅଶେଷ ଉତ୍କଣ୍ଠା......ମନର ବ୍ୟାକୁଳତା ସୃଷ୍ଟି କରିଥିଲା ଭାରତ ଖ୍ୟାତ ସେତୁବନ୍ଧ......ଯେଉଁ ପ୍ରେମମୟୀ ପତ୍ନୀଙ୍କୁ ପାଇବା ପାଇଁ ରାମଚନ୍ଦ୍ର ଅଶେଷ କଷ୍ଟ ସ୍ୱୀକାର କରିଥିଲେ ସେହି ପତ୍ନୀଙ୍କୁ ନେଇ ଜୀବନରେ କେବେ ଦାମ୍ପତ୍ୟ ସୁଖ ଭୋଗ କରିପାରି ନାହାନ୍ତି । ଏହି ରାମେଶ୍ୱର ତାଙ୍କର ସେହି କରୁଣ ସ୍ମୃତିକୁ ଧରି ରଖିଛି–ଏହାହିଁ ମନେହୁଏ ଗୋପ ବାବୁଙ୍କର ଓ ମନ ଦୁଃଖାପ୍ଳୁତ ହୁଏ......ସେ ଆଗେଇ ଯାଆନ୍ତି ନୂଆ କୌଣସି ସ୍ଥାନକୁ......

 

ଅଜନ୍ତାର ନିବିଡ଼ ଅରଣ୍ୟ ମଧ୍ୟରେ ଗୁମ୍ଫା ଦେହରେ ଖୋଦିତ କୀର୍ତ୍ତିରାଜିକୁ ଦେଖି ବିସ୍ମୟାଭିଭୂତ ହୋଇଛନ୍ତି ଗୋପ ବାବୁ । ଅପୂର୍ବ ଶିଳ୍ପଶୈଳୀ ତାଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । କିନ୍ତୁ ପରକ୍ଷଣରେ ମନେ ହୋଇଛି......ଲାଭ କ’ଣ ଏ ସବୁ ଶିଳ୍ପ ସୃଷ୍ଟି କରି ? ଏ କୀର୍ତ୍ତିରାଜିର ପରିଣତି କ’ଣ ବା ହୋଇଛି ? ଏ ଶିଳ୍ପ ବା ଏ ସଭ୍ୟତା କେତେ ଦିନ ବା ତିଷ୍ଠି ରହିଛି ? ଶରୀର ଓ ମନର ଶକ୍ତିକୁ ଖର୍ଚ୍ଚ କରି ବର୍ଷ ବର୍ଷ ଧରି ସମୟ ଦେଇ ଗଢ଼ା ଯାଇଥିବା ଏହି ଶିଳ୍ପ ସମ୍ଭାର ଆଜି ଇତିହାସର ବସ୍ତୁ ହୋଇଛି ମାତ୍ର । ସେ ଶିଳ୍ପୀ ବା ସେ କୀର୍ତ୍ତିମାନଙ୍କର ସତ୍ତା ରହିନି......ସେ ସଭ୍ୟତା ବିଲୟ ଭଜିଛି କାଳର କରାଳ ସ୍ରୋତରେ......ଆମେ ଆଜି କେବଳ ତା’ର କଙ୍କାଳକୁ ଦେଖି ନମସ୍କାର କରୁଛୁ ମାତ୍ର ।

 

ବମ୍ବେ......ଭାରତର ଦ୍ୱିତୀୟ ବୃହତ୍ତମ ନଗରୀ ଓ ଶ୍ରେଷ୍ଠ ବିଳାସ ନଗରୀ । ଆଧୁନିକ ସଭ୍ୟତାର ସମସ୍ତ ବିଳାସ ବ୍ୟସନର ସମ୍ଭାର ନେଇ ବମ୍ବେ ସ୍ୱାଗତ ଜଣାଏ ସମଗ୍ର ଅତିଥିଙ୍କୁ । ଯୁଗପତ୍‌ ଆନନ୍ଦ ଓ ଉତ୍ସାହ ନେଇ ସେ ଘୁରି ବୁଲନ୍ତି ବୃହତ୍ତର ବମ୍ବେର କଣେ କଣେ......ପ୍ରତିଟି ଦର୍ଶନୀୟ ସ୍ଥାନର ସନ୍ଧାନରେ......ଆନ୍ଧେରୀର ଚଳଚିତ୍ର ଷ୍ଟୁଡ଼ିଓଠାରୁ ଆରମ୍ଭ କରି ସମୁଦ୍ର ମଧ୍ୟସ୍ଥିତ ଏଲିଫାଣ୍ଟା ପର୍ଯ୍ୟନ୍ତ ସମସ୍ତ ଘୁରି ଘୁରି ଦେଖିଛନ୍ତି ଗୋପୁବାବୁ......ମାଲବାର ହିଲ୍ ଉପରକୁ ଅଦମ୍ୟ ଉତ୍ସାହରେ ଉଠି କମଳା ନେହୁର ପାର୍କରେ ସନ୍ଧ୍ୟାରୁ ଗଭୀର ରାତ୍ରି ପର୍ଯ୍ୟନ୍ତ ବସି ଲକ୍ଷ୍ୟ କରିଛନ୍ତି ସାରା ବମ୍ବେ ନଗରୀକୁ । ଆଲୋକ ବିଭୂଷିତ ବମ୍ବେ ନଗରୀର ଉଦ୍‌ଭାସିତ ମାରାଇନ୍‌ ଡ୍ରାଇଭ୍‌ ବିମୁଗ୍‌ଧ କରି ତୋଳିଛି ତାଙ୍କର ମନ......ଗେଟ୍‌ ଓ୍ୱେ ଅଫ୍‌ ଇଣ୍ତିଆ......ତୋରଣର ପାଦ ଦେଶରେ ବସିରହି ନିକଟସ୍ଥ ଭାସମାନ୍‌ ଜାହାଜ ମେଳା ମଧ୍ୟରୁ ବାହାରି ଦୂର ଦିଗ୍‌ବଳୟରେ ଲୁଚିୁ ଯାଉଥିବା ଜାହାଜକୁ ଲକ୍ଷ୍ୟ କରିଛନ୍ତି ପରମ ଆଗ୍ରହରେ......କିନ୍ତୁ କ୍ଷଣ ମାତ୍ର......ପର ମୁହୂର୍ତ୍ତରେ ମନେ ହୋଇଛି ଘୃଣ୍ୟ ଇଂରେଜ ସଭ୍ୟତାର ଜ୍ୱଳନ୍ତ ପ୍ରତୀକ ଏହି ବମ୍ବେ......ଏହି ବମ୍ବେର ଦ୍ୱାର ଦେଶ ଦେଇ ଜଣ ଜଣ ହୋଇ ସାରା ଇଂରେଜ ଜାତି ମାଡ଼ି ଆସି ସମସ୍ତ ଭାରତରେ ଖେଦି ଯାଇଥିଲେ......ଆଉ ଏହି ତୋରଣ ତଳୁ ୟୁନିଅନ୍‌ ଢ୍ୟାକ୍‌ ଶୋଭିତ ଜାହାଜଗୁଡ଼ିକରେ ଭାରତ ବାସୀଙ୍କୁ ନିଷ୍ପେଷିତ କରି ସଂଗ୍ରହ କରିଥିବା ଧନ ବୋହିନେଇ ଯାଇଥିଲେ ଶହ ଶହ ବର୍ଷ ଧରି... । ଏହି ‘‘ଗେଟ୍‌ ଓ୍ୱେ ଅଫ୍‌ ଇଣ୍ତିଆ’’ ଦୁଇଟି ଶତାବ୍ଦୀର ଭାରତ- ଲୁଣ୍ଠନର ସ୍ମୃତିସ୍ତମ୍ଭ ମାତ୍......ନିପୀଉକ ଶାସକର ବିଜୟର ନିଶାଣ ।

 

‘‘ଶୁଭ୍ର-ସ୍ୱଚ୍ଛ-ପୟଃପ୍ରପାତ-ଶୁଭଗା’’ ନର୍ମଦା ନଦୀ ତଟରେ ପହଞ୍ଚି ଗୋପ ବାବୁ ବିସ୍ମୟାଭିଭୂତ ହୋଇ ଯାଇଥିଲେ ବିନ୍ଧ୍ୟ ପର୍ବତର ଗର୍ବୋନ୍ନତ ଶୀର୍ଷ ପ୍ରଦେଶକୁ ଚାହିଁ ରହି । ବିନ୍ଧ୍ୟାଦ୍ରି କାନ୍ତାରରେ ପ୍ରବାହିତ ପ୍ରପାତଶାଳିନୀ ନର୍ମଦାର ରମ୍ୟ ରୂପ, ଧୂଆଁ ଧାର ଜଳପ୍ରପାତର ଭୀମକାନ୍ତ ଦୃଶ୍ୟ, ପ୍ରପାତପତିତ ଜଳଧାରରୁ ଉଦ୍‌ବେଳିତ ଜଳ ବିନ୍ଦୁରେ ସ୍ପଷ୍ଟ ସୁଦୃଶ୍ୟ ଇନ୍ଦ୍ରଧନୁର ନୃତ୍ୟଭଙ୍ଗୀ ତାଙ୍କୁ ପୂର୍ଣ୍ଣ ପ୍ରାଣରେ ବିମୋହିତ କରିଥିଲା......କିନ୍ତୁ ତାଙ୍କର ମନକୁ ତାହା ବାନ୍ଧିରଖି ପାରିନଥିଲା ।

 

ରାଜସ୍ଥାନର ଶୁଷ୍କ ଭୂମିରେ ବିକ୍ଷିପ୍ତ ଇତିହାସ ପ୍ରସିଦ୍ଧ ସହରମାନ ଉଦୟପୁର, ଜୟପୁର, ଆଜମୀର ଇତ୍ୟାଦି ମାନସିକ କଳ୍ପନାକୁ ଆନ୍ଦୋଳିତ କରିଥିଲେ ମଧ୍ୟ କେହି ଧରି ରଖିପାରି ନାହାନ୍ତି-। ନିରସ......ରୁକ୍ଷ ବାଲୁକା ପ୍ରାନ୍ତରର ମରୀଚିକା ସ୍ରୋତ ତାଙ୍କ ଜୀବନର ଶୁଷ୍କତାକୁ ଜାଗ୍ରତ କରିଥିଲା ମାତ୍ର......

 

ଅମୃତ ସହରର ସ୍ୱର୍ଣ୍ଣଖଚିତ ମନ୍ଦିର ଆଜୀବନ ଶ୍ମଶ୍ରୁ ମଣ୍ତିତ ସୁସ୍ଥ କର୍ମପ୍ରବୀଣ ଶିଖ୍‌ ଜାତିର ପ୍ରାର୍ଥନା ପୀଠ ଗୁରୁଦ୍ୱାର ଦର୍ଶନ କରି ଗୋପ ବାବୁ ପହଞ୍ଚିଥିଲେ ଭାରତ ପ୍ରସିଦ୍ଧ ବଦ୍ରୀନାଥଠାରେ......ହଜାର ହଜାର ଧର୍ମପ୍ରାଣ ଜନତାର ପୂଜାପୀଠ ବଦ୍ରୀନାଥ ତାଙ୍କୁ ଆଶ୍ଚର୍ଯ୍ୟନ୍ୱିତ କରି ଦେଇଥିଲା । ଭଗବାନଙ୍କ ସୃଷ୍ଟିର ବିଚିତ୍ରତା ତାଙ୍କୁ ଅଦ୍ଭୂତ ମନେ ହୋଇଥିଲା । ଆଧୁନିକ ଯାନବାହାନ ଗମନାଗମନର ଉପାୟ ବର୍ଜିତ ଏହି ପର୍ବତ ଶିଖରସ୍ଥିତ ମନ୍ଦିରରୁ ଚତୁର୍ଦ୍ଦିଗକୁ ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ସେ......ଏକ ପଟେ ଶୁଭ୍ର ସ୍ୱଚ୍ଛ ମୁକୁଟ ପରିହିତ ଉନ୍ନତ ପର୍ବତ ଶିଖର...... ଅନ୍ୟପଟେ.....ନିମ୍ନଗାମୀ ଚିରହରିତ୍‌ ବନରାଜି......ଉଭୟେ ବିସ୍ମୟକର......ଉଭୟ ଅଗମ୍ୟ । ବୁଝି ହୁଏ ନାହିଁ ମନ୍ଦିର ସ୍ଥାପୟିତାଙ୍କର ଏପରି ଧର୍ମପ୍ରାଣ ଭକ୍ତଜନଙ୍କଠାରୁ କଷ୍ଟକ୍ଳିଷ୍ଟ ଭକ୍ତି ଆଦାୟର ଉଦ୍ଦେଶ୍ୟ......

 

ଭାରତର ରାଜଧାନୀ ଦିଲ୍ଲୀ- ଯୁଗେ ଯୁଗେ ପୌରାଣିକ ଐତିହାସିକ ଓ ଆଧୁନିକ ଭାରତରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି ଯେଉଁ ନଗରୀ...... । ଏହି ନଗରୀର ମାଟି ଉପରେ ଯୁଧିଷ୍ଠୀରଙ୍କର ଇନ୍ଦ୍ରପ୍ରସ୍ଥ ବିଲୟ ଭାଜିଛି......ଏହି ନଗରୀରେ ଭୂଲୁଣ୍ଠିତ ହୋଇଛି ପୃଥ୍ୱୀରାଜଙ୍କର ସ୍ୱାଧୀନ ହିନ୍ଦୁ ସମାଜ......ଏହି ଭୂମିରେ ଲୀନ ହୋଇଛି ଔରଙ୍ଗଜୀବ୍‌ଙ୍କର ଲାଲକିଲ୍ଲାର ମୋଗଲ ଆଧିପତ୍ୟ.....ଆଉ ଅବଶେଷରେ ଉଦ୍ଧତ ଇଂରେଜ ଜାତିର ଗର୍ବ ଓ ଗୌରବକୁ ଦୂଳିସାତ୍‌ କରି ଏହି ଭୂମିରେ ନୂତନ ରୂପରେ ଗଢ଼ି ଉଠିଛି ନୂଆ ଦିଲ୍ଲୀ.....ଆଧୁନିକ ଭାରତର ଉନ୍ନତି ଓ ଅଗ୍ରଗତିର ମୂଳପୀଠ ରୂପେ.... ।

 

କୁତବମୀନାରର ଶୀର୍ଷ ଦେଶରୁ ଦିଲ୍ଲୀ ନଗରୀର ଦୃଶ୍ୟକୁ ଚାହିଁ ମୁଗ୍‌ଧ ହୋଇଛନ୍ତି ଗୋପ ବାବୁ......ରାଜଘାଟର ଗାନ୍ଧି ସମାଧି ତଳେ ବସି ରହି ଯମୁନାର ଦୃଶ୍ୟ ଉପଭୋଗ କରିଛନ୍ତି......ଇଣ୍ତିଆ ଗେଟ୍‌ର ସବୁଜ ଗାଲିଚା ସଦୃଶ ପ୍ରାନ୍ତରରେ ଶୋଇ ରହି ସମାନ୍ତରାଳ ଦୁଇ ଧାଡ଼ିର ନୀଳ ପାରଦ ବତୀଗୁଡ଼ିକ ମଧ୍ୟ ଦେଇ ଲମ୍ବି ଯାଇଥିବା ପ୍ରଶସ୍ଥ ପଥର ସେ ପଟେ ଦୂରର ରାଷ୍ଟ୍ରପତି ଭବନକୁ ଚାହିଁ ରହିଛନ୍ତି ଘଣ୍ଟା ଘଣ୍ଟା ଧରି ସ୍ଥିର ଲୟରେ......କନହଟ ପାଲେସର ବା ଅଶୋକା ହୋଟେଲର ରାଜୋପମ ପରିବେଶ ସମସ୍ତ ମନ ଚୈତନ୍ୟକୁ ଅଭିଭୂତ କରିଦେଇଛି ତାଙ୍କର.....କିନ୍ତୁ ମନରେ ଅନ୍ୟଭାବ ଜାଗ୍ରତ ହୋଇଛି ଏ ସାଜସଜା । ନୂଆ ଦିଲ୍ଲୀର ଏ ଚମତ୍କାରିତା କାହିଁ ପାଇଁ ଏତେ ଅଧିକ । ଯେଉଁ ଦେଶର ଅସଂଖ୍ୟ ଜନତା ମୁଣ୍ତ ଗୁଞ୍ଜିବାକୁ ଚାଳିଆ ଖଣ୍ତେ ପାଇନାହାନ୍ତି ସେ ଦେଶର ରାଜଧାନୀରେ ଅଶୋକା ହୋଟେଲ କନହଟ ପାଲେସ ଅର୍ଥହୀନ......ଅତି ରଞ୍ଜିତ ଅବାଞ୍ଛିତ । ଯେଉଁ ଦେଶର ଅର୍ଦ୍ଧାଧିକ ଗ୍ରାମାଞ୍ଚଳକୁ ସରୁ ଚଲାପଥ ବି ସବୁଦିନ ପାଇଁ ହୋଇପାରିନି ସେଠି ନୂଆ ଦିଲ୍ଲୀର ଏହି ପ୍ରଶସ୍ତ ରାଜପଥ ହାସ୍ୟାସ୍ପଦ ବ୍ୟବସ୍ଥା ମାତ୍ର-। ପ୍ରକୃତ ଭାରତରରୂପ ଏଠାରେ ପ୍ରତିଫଳତ ନୁହେଁ......ଏହା କୃତ୍ରିମ......ସମ୍ପୂର୍ଣ୍ଣ ଛଦ୍ମରୂପ ମାତ୍ର......

 

ବିଶ୍ୱର ସପ୍ତମ ଆଶ୍ଚର୍ଯ୍ୟ ତାଜମହଲ......ଐତିହାସିକ ଆଗ୍ରାର ଶ୍ରେଷ୍ଠ ଆକର୍ଷଣୀୟ ସ୍ମୃତି ମନ୍ଦିର ତାଜମହଲ କଳ୍ପନାବିଳାସୀ ସମ୍ରାଟ ସାଜାହାନଙ୍କର ବିଶ୍ୱ ସୁନ୍ଦରୀ ପତ୍ନୀ.....ମମତାଜଙ୍କ ପ୍ରତି ଅନୁରାଗର ନିଦର୍ଶନରୂପେ ନିର୍ମିତ ଏହି ତାଜମହଲ ବିଶ୍ୱର ପ୍ରତି ପ୍ରାନ୍ତରୁ ଆକୃଷ୍ଟ କରି ଆଣେ ନାନା ଦର୍ଶକଙ୍କୁ । ସାରା ବିଶ୍ୱର ପ୍ରେମିକ ପ୍ରେମିକାଙ୍କ ପାଇଁ ଶିଳ୍ପନୁରାଗୀ ସମ୍ରାଟଙ୍କର ଏହା ଅବିସ୍ମରଣୀୟ ପ୍ରୀତ୍ୟୁପହାର......ପତିପତ୍ନୀର ଅନାବିଳ ପ୍ରେମର ଶ୍ରେଷ୍ଠ ନିଦର୍ଶନ । ତଥାପି କି ମୂଲ୍ୟ ଏହା ଥାଇ ? ଲକ୍ଷ ଲକ୍ଷ ନିଷ୍ପେଷିତ ଜନତାର କଷ୍ଟୋପାର୍ଜିତ ଅର୍ଥରୁ ଆଦାୟ ହୋଇଥିବା ରାଜସ୍ୱର ଏହି ଶୁଭ୍ର ମାର୍ବଲ ମହଲ ନିର୍ମିତ । ଏହାର ସମସ୍ତ ଅନ୍ତର୍ମହଲ ବିଭିନ୍ନ ବର୍ଣ୍ଣର ପ୍ରସ୍ତର ଖଣ୍ତଦ୍ୱାରା ରଚିତ ଶିଳ୍ପ-କାବ୍ୟରେ ମୂର୍ତ୍ତିମନ୍ତ । ଅମୂଲ୍ୟ ପ୍ରସ୍ତରମାନଙ୍କର ସମାହାରରେ ପ୍ରସ୍ଫୁଟିତ ଅପୂର୍ବ ପୁଷ୍ଟ ସମ୍ଭାର ନିତ୍ୟ ନୂତନ । କିନ୍ତୁ ତଥାପି ତାର ପ୍ରେମ କାବ୍ୟ ବ୍ୟର୍ଥତାରେ ପର୍ଯ୍ୟବେଶିତ । କଳ୍ପନା ବିଳାସୀ ସମ୍ରାଟ ସାଜାହାନ ଉତ୍ତର ଜୀବନରେ ବନ୍ଦୀରୂପେ ରହି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଯେଉଁ ସମ୍ରାଟ ହଜାର ହଜାର ଶିଳ୍ପୀଙ୍କର ଅକ୍ଳାନ୍ତ ପରିଶ୍ରମରେ ଗଠିତ ଏହି ତାଜ ମହଲକୁ ସାରା ବିଶ୍ୱର ପ୍ରେମିକ ପ୍ରେମିକାଙ୍କ ପାଇଁ ଉତ୍ସର୍ଗ କରିଥିଲେ ସେହି ନିଜେ ହିଁ ତାଙ୍କ ପୁତ୍ର ପାଖରେ ଭିକ୍ଷା କରିଥିଲେ ବନ୍ଦୀ ଜୀବନରେ ଆଗ୍ରା କିଲ୍ଲାରେ ଉପରମହଲାରେ ବସି ରହି ତାଜମହଲକୁ ଦର୍ଶନ କରିବା ପାଇଁ । ଯେଉଁ ସମ୍ରାଟ ନିଜର ସ୍ମୃତି କବର ପାଇଁ ତଥା ପ୍ରେମ କାବ୍ୟର ପରିପୂର୍ଣ୍ଣତା ପାଇଁ କୃଷ୍ଣ ପ୍ରସ୍ତରରେ ସାଜାହାନ ମହଲ ନିର୍ମାଣ କଳ୍ପନା କରି ମୂଳଭିତ୍ତି ଆରମ୍ଭ କରିଥିଲେ ସେଇ ସମ୍ରାଟ ଅନ୍ତିମ କାଳରେ ଆଉ ଏକ ପ୍ରାର୍ଥନା ପୁତ୍ରଠାରୁ ମଞ୍ଜୁର କରାଇ ପ୍ରିୟତମା ପତ୍ନିର ପାର୍ଶ୍ୱରେ ନିଜର କବର ରଚିତ କରାଇଥିଲେ । ଏହାହିଁ ନିୟତିର ନିଷ୍ଠୁର ପରିହାସ । ଏହି ବ୍ୟର୍ଥତାର କରୁଣ କବିତା ହିଁ ଏବେ ‘ତାଜ’ରୁ ଶୁଣାଯାଏ ମାତ୍ର ।

 

ଭାରତର ଆଉ ଏକ ପବିତ୍ର ପୀଠ ପ୍ରୟାଗ......ଦୁଇ ପବିତ୍ର ଧାରା ଗଙ୍ଗା ସହ ଯମୁନାର ମିଳନ ସ୍ଥଳ ଆଲାହାବାଦ.....ସାରା ଭାରତରୁ ପ୍ରୟାଗରେ ସ୍ନାନ କରି ସମସ୍ତ ପାପ କ୍ଷୟ କରିବାପାଇଁ ଧାଇଁ ଆସନ୍ତି ଅକଳନ ଜନତା.....କେତେ ଯୋଗୀ ଋଷିଙ୍କର ଚରଣ ଧୂଳିରେ ରଞ୍ଜିତ ଏହି ଧାମ.....ଯୁଗ ଯୁଗ ଧରି ନିଜର ଶ୍ରେଷ୍ଠତ୍ୱ ପ୍ରଚାର କରି ଆସିଛି......ଏହି ନଗରର ଅଧୁନାତନ ଯୁଗର ଶ୍ରେଷ୍ଠ ପୀଠ.....‘‘ଆନନ୍ଦ ଭବନ’’.....ଜାତିର ସେବା ପାଇଁ ଆବାଳ ବୃଦ୍ଧବନିତା ପ୍ରତ୍ୟେକ ବଂଶଧରକୁ ଉତ୍ସର୍ଗ କରିଥିବା ଯୁଗ ଖ୍ୟାତି ନେହରୁ ବଂଶର ନିଜ ଦେଶବାସୀଙ୍କ ପାଇଁ ଅର୍ପିତ ଏହି ଆନନ୍ଦ ଭବନ ପ୍ରତ୍ୟେକ ଦର୍ଶକର ମନରେ ଆନନ୍ଦ ଭରିଦିଏ.....ପ୍ରାଣରେ ଭରିଦିଏ ଜାତୀୟ ଭାବଧାରା....ଶିରେ ଶିରେ ଆଣେ ରୋମାଞ୍ଚ....ତଥାପି ତାଙ୍କର ମନରେ ସନ୍ଦେହ ଜାଗେ.....ଏହି ‘‘ଆନନ୍ଦ ଭବନ’’ର ତ୍ୟାଗ ବାର୍ତ୍ତା ସତେ କ’ଣ ଆଜିର ନେତ ମହଲରେ ପ୍ରତିଧ୍ୱନିତ ହେଉଛି ?

 

ପ୍ରତି ଭାରତୀୟର ସ୍ମରଣୀୟ ଚାରିଧାମରୁ ଅନ୍ୟତମ ବାରାଣସୀ.....କାଶୀ ବିଶ୍ୱନାଥର ମହିମା ଭାରତ ଖ୍ୟାତ....ବାରାଣସୀର ଜ୍ଞାନ ପ୍ରବୃଦ୍ଧ ପଣ୍ତିତ ମଣ୍ତଳୀଙ୍କର ଗୁଣଗାରିମା, ଏଠାର ପ୍ରାଚୀନ ପରିବେଶ, ପବିତ୍ର ଗଙ୍ଗା କୂଳରେ ନିର୍ମିତ ବିଭିନ୍ନ ଘାଟ (ବିଶେଷତଃ ଦଶାଶ୍ୱମେଧ ଘାଟ) ଗୁଡ଼ିକର ମହାନୀୟ ତଥା ମାଲବ୍ୟ ରଚିତ ଅଧୁନାତନ ବାରାଣାସୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତ୍ୟେକ ଦର୍ଶକର ମନ ନୟନ ସାର୍ଥକ କରାଏ । ବିଶେଷତଃ ପ୍ରତିଦିନ ପ୍ରାତଃ ସମସୟରୁ ଶତ ଶତ ପଣ୍ତିତ ମଣ୍ତଳୀଙ୍କର ନିତ୍ୟ-ନୈମିତିକ କ୍ରିୟାକଳାପର ଶ୍ଳୋକ ବାଣାରେ ଦଶାଶ୍ୱମେଧ ଘାଟଠାରୁ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇ ଉଠେ ଏବଂ ଦର୍ଶକକୁ ତାହା ବିମୋହିତ କରେ । ଦଶାଶ୍ୱମେଧ ଘାଟରୁ ଗଙ୍ଗାନଦୀରେ ନୌକା ବିହାର ଯେକୌଣସି ଯାତ୍ରୀକୁ ମୁଗ୍‌ଧ କରେ । ଆଧୁନିକ ବିଶ୍ୱବିଦ୍ୟାଳର ଜ୍ଞାନ ସମ୍ଭାର ପରିପୂର୍ଣ୍ଣ ପରିବେଶ.....ତନ୍ମଧ୍ୟରେ ଥିବା କଲେଜ, ହଷ୍ଟେଲ, ପାଠାଗାର, ଉପବନ ସଦୃଶ ଉଦ୍ୟାନ ପ୍ରତ୍ୟେକ ଅତ୍ୟନ୍ତ ମୁଗ୍‌ଧକର । ସର୍ବୋପରି ଭାରତର ଧର୍ମ ନିରପେକ୍ଷ ଭ୍ରାତୃଭାବ ବହୁ ଆଗରୁ ପ୍ରଚାର କରିଛି କାଶୀ ବିଶ୍ୱନାଥ ପୀଠର ଉଦାରତା । ସ୍ୱର୍ଣ୍ଣଚୂଳ ଖଚିତ ଓ ରୌପ୍ୟଦ୍ୱାରା ଶୋଭିତ ଏହି ମନ୍ଦିରର ଦେବତାଙ୍କର ମହିମା ସର୍ବଜନ ପୂଜିତ । କିନ୍ତୁ ଅଧିକ ପୂଜିତ ଏହି ଧର୍ମ ପୀଠର ଉଦାରତା-ନୈଷ୍ଠିକ ବ୍ରାହ୍ମଣ୍ୟ ଧର୍ମର ପୂଜିତ ଦେବତା ବିଶ୍ୱନାଥଙ୍କର ଏହି ମନ୍ଦିରର ବେଢ଼ା ଭିତରେ ଥିବା ମୋଗଲ ସମ୍ରାଟ ଔରଙ୍ଗଜୀବ ନିର୍ମିତ ପ୍ରଖ୍ୟାତ ମସ୍‌ଜିଦ୍‌ର ସ୍ଥିତିକୁ ସ୍ୱୀକାର କରିବା ଏକ ବିରାଟ ଆଶ୍ଚର୍ଯ୍ୟ । ଏକ ପ୍ରାଚୀର ମଧ୍ୟରେ ଦୁଇ ବିପରୀତ ଧର୍ମର ଏକତ୍ର ଆବାସ ଅନ୍ୟତ୍ର କଳ୍ପନାତୀତ ହେଲେ ବି ଏଠାରେ ବାସ୍ତବ ସତ୍ୟ । ଏଠାରେ ମୁସଲମାନର ‘‘ଆଲ୍ଲାହୋ ଆକବର’’ ଚିତ୍କାର କିମ୍ବା ହିନ୍ଦୁର ଘଣ୍ଟ-ତୂରୀ ବାଦ୍ୟର ନିନାଦ କାହାରି ପୂଜା ଆରାଧନାରେ ବ୍ୟାଘାତ ଜନ୍ମାଇ ନାହିଁ କି ବିଦ୍ୱେଷ ସୃଷ୍ଟି କରିନି । ଏହାଠାରୁ ବଳୀ ଅଧିକ ଭ୍ରାତୃ ଭାବର ନିଦର୍ଶନ ଅଧିକ କଣ ହୋଇପାରେ ? କିନ୍ତୁ.....ଦୁଇ ବିପରୀତ ଇର୍ଷାନ୍ୱିତ ଧର୍ମର ମିଳନ ସ୍ଥଳ ଏହି ପବିତ୍ର ଭୂମିରୁ ବହୁ ଯୁଗରୁ ପ୍ରଚାରିତ ଭ୍ରାତୃଭାବ ତଥାପି ତ ଦେଶବାସୀଙ୍କର ମନରେ ସଫଳ ପ୍ରଭାବ ପକାଇପାରିନି । ଯେଉଁ ଦେଶରେ ଏପରି ଏକତ୍ର ସହାବସ୍ଥାନ ଶହ ଶହ ବର୍ଷରୁ ଚଳି ଆସିଛି ତଥାପି ତ ସେ ଦେଶରେ ସାମ୍ପ୍ରଦାୟିକ ହୀନ ସଂଘର୍ଷ ସୃଷ୍ଟି ହୋଇଛି ବାରମ୍ବାର-। ବିଶେଷତଃ ନିକଟ ଅତୀତରେ ଘଟି ଯାଇଥିବା ରାଉରକେଲା, ଟାଟାନଗର, କଲିକତା ପ୍ରଭୃତିର ଜଘନ୍ୟ କାଣ୍ତ କଥା ଭାବିଲେ କେହି କେବେ ବିଶ୍ୱାସ କରିପାରିବ କି ବିଶ୍ୱନାଥ ପୀଠର ମହନୀୟ ସହାବସ୍ଥାନ କଥା ? ତେବେ କି ଲାଭ ଏହି ପବିତ୍ର ମିଳନର ମହିମା ପ୍ରଚାର କରି ?

 

ଗୟା......ରାମଚନ୍ଦ୍ର ସୀତାଙ୍କର ଏକ ପବିତ୍ର ସ୍ମୃତି ପୀଠ......ସତୀ ସୀତାଙ୍କର ସ୍ୱୀୟ ଶ୍ୱଶୁର ଦଶରଥଙ୍କ ଶ୍ରାଦ୍ଧୋପଲକ୍ଷେ ଭକ୍ତି ଓ ଶ୍ରଦ୍ଧାର ନିବେଦନରୂପେ ଦତ୍ତ ବାଲୁକା ପିଣ୍ତର ମହତ୍ୱ ଏବେ ବି ଆକୃଷ୍ଟ କରେ ଭାରତର ପ୍ରତ୍ୟେକ ହିନ୍ଦୁ ପୁତ୍ର-ପୁତ୍ରବଧୂଙ୍କୁ ପିତା-ପ୍ରପିତାମହମାନଙ୍କ ପାଇଁ ଶ୍ରାଦ୍ଧ-ପିଣ୍ତ ଦାନ କରିବା ଉଦ୍ଦେଶ୍ୟରେ । ଏହି ପବିତ୍ର ପୀଠରେ ଶ୍ରାଦ୍ଧପିଣ୍ତ ଦାନ କରି ପିତୃଲୋକରୁ ଆଶିଷ ଲାଭ କରିବା କ’ଣ ସଫଳ କାମ ହୁଅନ୍ତି ? ରାମଶୀଳା ପର୍ବତର ଶିଖରରୁ ନଦୀ ମଧ୍ୟସ୍ଥିତ ଶୁଷ୍କ ବାଲୁକା ଶଯ୍ୟାକୁ ଚାହିଁରହି ଭାବନ୍ତି ଗୋପବାବୁ......ଯଦି ଏହା ଘଟୁଥାଏ ତେବେ ସ୍ୱୟଂ ସୀତା ଦେବୀ ସ୍ୱୀୟ ଶ୍ୱଶୁର ଦଶରଥଙ୍କଠାରୁ କି ଆଶୀର୍ବାଦ କି ବରାଭୟ ଲାଭ କରିଥିଲେ ? ବଧୂର ଶ୍ରାଦ୍ଧଦାନରେ ସନ୍ତୁଷ୍ଟ ହୋଇ ଦଶରଥ ପିତୃଲୋକରୁ କି ଶୁଭାଶିଷ ଢାଳି ଦେଇଥିଲେ ଯାହା ଫଳରେ ସାରା ଜୀବନ ନିଃସ୍ୱ ନିସହାୟ ଭାବେ ଦେବୀଙ୍କର କଟିଯାଇଥିଲା ?

 

କଲିକତା......ଭାରତର ବୃହତ୍ତମ ନଗରୀ......ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ସଭ୍ୟତାର ସମାରୋହ ଯେଉଁଠାରେ......ରାମକୃଷ୍ଣ ବିବେକାନନ୍ଦ ଅଧ୍ୟୁଷିତ ଦକ୍ଷିଣେଶ୍ୱର ବେଲୁରଠାରୁ ଆରମ୍ଭ କରି ଚାର୍ଣ୍ଣକ, ୱଲିଙ୍ଗଟନ, ଡେଲହାଉସୀ ନିର୍ମିତ ଅଧୁନାତନ କଲିକତା ନଗରୀର ହୃଦୟ ସ୍ଥଳ ଚୌରଙ୍ଗୀ, ଏସପ୍ଲାନେଡ଼ ମ୍ୟୁଜିଅମ ଭିକ୍ଟୋରିଆମେମୋରିଆଲ ଏବଂ ଚିଡ଼ିଆଖାନା ପ୍ରଭୃତି ବୁଲି ବୁଲି ବହୁ କିଛି ଦେଖିଛନ୍ତି ଯୁବକ......ଦକ୍ଷିଣେଶ୍ୱରର ମହିମାମୟୀ କାଳୀଙ୍କଠାରୁ ଆରମ୍ଭ କରି କାଳୀଘାଟର ବରାଭୟଦାୟିନୀ କାଳୀଙ୍କ ପର୍ଯ୍ୟନ୍ତ ହାଓଡ଼ାବ୍ରିଜଠାରୁ ଆରମ୍ଭ କରି ବାଲି ବ୍ରିଜ ପର୍ଯ୍ୟନ୍ତ ଏବଂ ଇଡ଼େନ୍‌ ଗାର୍ଡ଼ନ୍‌ସ ଠାରୁ ଆରମ୍ଭ କରି ରବିନ୍ଦ୍ର ସରୋବର ପର୍ଯ୍ୟନ୍ତ କୌଣସି ଦର୍ଶନୀୟ ସ୍ଥାନ ବାଦ୍‌ ଯାଇନି......ତଥାପି ଗୋପ ବାବୁଙ୍କର ମନ ଶାନ୍ତି ପାଇନି ନଗରୀର ବିରାଟ ପରିବେଷ ମଧ୍ୟରେ......ମନେ ହୋଇଛି ସବୁକିଛି ବୃଥା.....ସବୁ କିଛି କୃତ୍ରିମ.....ବାହାରକୁ ବିରାଟ ଶାନ୍ତିମୟ ସ୍ଥାନ......କିନ୍ତୁ ଭିତରେ ନିତାନ୍ତ ଦୁଃଖ ଦୁର୍ବିପାକର ଗନ୍ତାଘର । କୌରାଙ୍ଗର ରାଜୋପମ ପ୍ରାସାଦଶ୍ରେଣୀ ଯେତିକି ଚିତ୍ତବିମୋହକ......ମାଟିଆ ବୁରୁଜର ମଳିନ ଆବର୍ଜନାମୟ କୁଟୀରଶ୍ରେଣୀ ସେତିକି ହୃଦୟ-ବିଦାରକ......ସଭ୍ୟତାର ଏହି ବିରାଟ ପାର୍ଥକ୍ୟ ଯୁବକଙ୍କୁ ବିଚଳିତ କରିଛି......

 

ବର୍ଷ ବର୍ଷ ଧରି ଦଶର୍ବଷ କାଳ ସାରା ଭାରତର ସହସ୍ରାଧିକ ସ୍ଥାନ ବୁଲି ବୁଲି ପ୍ରତ୍ୟେକ ସ୍ଥାନର ମହତ୍ୱ ଓ ଗୁରୁତ୍ୱକୁ ବିଶ୍ଳେଷଣ କରି ନିଜର ମନକୁ ଆନନ୍ଦ ଦେବାକୁ ଚେଷ୍ଟା କରିଛନ୍ତି ଗୋପ ବାବୁ......କିନ୍ତୁ ତାଙ୍କର ନିରାଶାବାଦୀ ମନ କୌଣସି ସୌନ୍ଦର୍ଯ୍ୟରେ ଉତ୍‌ଫୁଲ୍ଲ ହୋଇନାହିଁ.......କୌଣସି ଦୃଶ୍ୟ ବିଲୋକନରେ ତୃପ୍ତ ହୋଇନାହିଁ.....ପ୍ରତ୍ୟେକ ଠାରେ ନିଜର ନିରାଶବାଦୀ ଦୃଷ୍ଟି କୋଣରୁ ବ୍ୟର୍ଥତାର ଅବା କୃତ୍ରିମତାର ସତ୍ତା ଖୋଜି ବାହାର କରିଛନ୍ତି......ଫଳରେ ସେ ସ୍ଥାନ ତ୍ୟାଗ କରି ନୂତନର ସନ୍ଧାନରେ ସେ ବାହାରି ଯାଇଛନ୍ତି । ଜୀବନର ସମସ୍ତ ସୁଖ ସମ୍ଭୋଗ ଶାନ୍ତି ସୌନ୍ଦର୍ଯ୍ୟ ଏକ ସମୟରେ କୌଣସି ଦାରୁଣାଘାତରେ ହଠାତ୍‌ ନିର୍ବାପିତ ହେଲେ ସାଧାରଣ ମନୁଷ୍ୟର ଅବସ୍ଥା ସାଧାରଣ ଏହିପରି ହୋଇଥାଏ । ସୁନ୍ଦର ଏହି ପୃଥିବୀର ପ୍ରତ୍ୟେକ ସୃଷ୍ଟି ତାକୁ ବିଷ ପରି ବୋଧହୁଏ......କୌଣସିଥିରେ ତା’ର ମନ ମାନେନି......ସାରା ସଂସାର ତାକୁ ତୁଚ୍ଛ ମନେହୁଏ.....ତାହାହିଁ ଘଟିଥିଲା ଗୋପ ବାବୁଙ୍କର ଜୀବନରେ ଏବଂ ତାହାରି ଫଳରେ ସେ ଆଜି ଦଶ ବର୍ଷ ହେଲା ପଳାତକ.....

 

ଏହିପରି ପଳାତକ ଭାବେ ଘୁରି ଘୁରି ଗୋପ ବାବୁ ଆସାମର ସୀମାନ୍ତ ଅଞ୍ଚଳରେ ପହଞ୍ଚିଲେ । ଆସାମର ପାହାଡ଼ ପର୍ବତ ଘେରା ବଣଜଙ୍ଗଲ ତାହା ବଗିଚା ଅଞ୍ଚଳରେ ସେ କିଞ୍ଚିତ ଆଶ୍ୱାସ ପାଇଲେ । ଏଇଠି ତାଙ୍କର ବୋଧ ହେଲା ସତେ ଯେପରି ସମସ୍ତ କୃତ୍ରିମତାର ଦୂରରେ ଏହି ବନଭୂମି । ଏଠାରେ ସଭ୍ୟତାର କୋଳାହଳ ନାହିଁ....ଅଛି ନିର୍ଜନତାର ଶାନ୍ତି.... । ଏଠାରେ ସହରାଞ୍ଚଳର ଅବରୁଦ୍ଧତା ନାହିଁ......ଅଛି ଅରଣ୍ୟାନିର ମୁକ୍ତ ପରିବେଶ । ପ୍ରକୃତିର ପ୍ରାକୃତିକ ଶୋଭା ସମ୍ପଦ ତାଙ୍କୁ ଜଣାଇଲା ଆଦର ଅଭ୍ୟର୍ଥନା......ମନର ଆନନ୍ଦରେ ସେ ଘରିବୁଲିଲେ ପାହାଡ଼ରୁ ପାହାଡ଼.....ଅରଣ୍ୟରୁ ଅରଣ୍ୟ.....ପଲ୍ଲୀରୁ ପଲ୍ଲୀ । ଏହିପରି ବୁଲୁ ବୁଲୁ ଦିଗ୍‌ବୋଇ ସହର ନିକଟସ୍ଥ ଏକ ଚାହା ବଗିଚାର କେତେକ ଓଡ଼ିଆ ଶ୍ରମିକଙ୍କ ସହ ହଠାତ୍‌ ପରିଚୟ ଘଟେ ତାଙ୍କର ଏବଂ ଏହି ଦୂର ପ୍ରବାସରେ ଜଣେ ଓଡ଼ିଆ ଡାକ୍ତରଙ୍କୁ ପାଇ ଏହି ଶ୍ରମିକମାନେ ଆନନ୍ଦରେ ବିଭୋର ହୋଇ ପଡ଼ନ୍ତି । ବିଶେଷ ଆଦର ଯତ୍ନର ସହ ନିଜର କରି ନେବାକୁ ଚେଷ୍ଟା କରନ୍ତି ଏହି ଡାକ୍ତରଙ୍କୁ-। ଗୋପ ବାବୁ ବି ଏହି ସରଳ ଲୋକଗୁଡ଼ିକଙ୍କର ସ୍ନେହସୋହାଗରେ କିଣି ହୋଇଯାଆନ୍ତି ଏବଂ ସେମାନଙ୍କର ଅନୁରୋଧ ରକ୍ଷା କରି ସେଠାରେ ଗୋଟିଏ ସେବାସଦନ କରିବାର କଳ୍ପନା ନେଇ ନିଜର ଭାରତ ଭ୍ରମଣ ବନ୍ଦ କରି ଅଟକି ଯାଆନ୍ତି ସବୁଦିନ ପାଇଁ.... ।

 

ଶ୍ରମିକମାନଙ୍କର ବସ୍ତି ମଧ୍ୟରେ ରହି ପ୍ରଥମେ ନିଜକୁ ସ୍ୱଭାବିକ କରି ତୋଳନ୍ତି ଗୋପ ବାବୁ । ଜୀବନର ସମସ୍ତ ଦୁଃଖ ସମସ୍ତ ନିରାନନ୍ଦକୁ ଅତୀତରେ ଫିଙ୍ଗି ଦେଇ ନୂତନ ସଂକଳ୍ପ ନେଇ ସେ ବାହାରି ପଡ଼ନ୍ତି ଏହି ନିଷ୍ପେଷିତ ଶ୍ରମିକଙ୍କର ସେବାପାଇଁ ।

 

ଗୋପ ବାବୁଙ୍କର ଆର୍ଥିକ ଚିନ୍ତା ଏହି ଦଶର୍ବଷ ଧରି ଘଟିନାହିଁ । ବାରବାର କରି ଯେ ବ୍ୟାଙ୍କରେ ସଞ୍ଚିତ ଅର୍ଥରୁ ଆବଶ୍ୟକୀୟ ପରିମାଣ ଟଙ୍କା ଉଠାଇଛନ୍ତି ଭାରତର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ । କୌଣସି ସ୍ଥାନରେ ଥରକୁରୁ ଦୁଇଥର ଅର୍ଥ ଉଠାଇବାର ଆବଶ୍ୟକତା ସେ ଅନୁଭବ କରି ନାହାନ୍ତି । କିନ୍ତୁ ଏଇ ପ୍ରଥମ ସେ ସ୍ଥିର ଭାବେ ରହିବା ପରେ ନିଜର କଳ୍ପନା ମୁତାବକ ଏକ ସେବାସଦନ ଗଢ଼ିବା ଉଦ୍ଦେଶ୍ୟରେ ବିଭିନ୍ନ ବାର ବ୍ୟଙ୍କରୁ ଅର୍ଥ ଉଠାଇବାକୁ ବାଧ୍ୟ ହେଲେ ।

 

ଶ୍ରୀଗୁଣ୍ତିଚା ଦିନ ଚାହା ବଗିଚା ପରିସର ବାହାରେ ଅନତିଦୂରରେ ଶୁଭାରମ୍ଭ ହେଲା ଗୋପ ବାବୁଙ୍କର ‘‘ଜଗନ୍ନାଥ ଶ୍ରମିକ ସେବାସଦନ’’ ଏବଂ ତାହାକୁ ଉଦ୍‌ଘାଟନ କଲେ ଜଣେ ବୟୋଜ୍ୟେଷ୍ଠ ଓଡ଼ିଆ ଶ୍ରମିକ । କଲିକତା ଓ ଗୌହାଟାରୁ ବିଭିନ୍ନ ଆବଶ୍ୟକୀୟ ଯନ୍ତ୍ରପାତି, ସାଜସରଞ୍ଜାମ ଓ ଔଷଧପତ୍ର ବରାହ ହୋଇ ଆସିଲା ଏବଂ ମୋଟାମୋଟି ଗୋଟିଏ ଆଧୁନିକ ସେବାସଦନର ଭିତ୍ତି ସ୍ଥାପିତ ହେଲା । ଗୋପ ବାବୁଙ୍କର ସାହାଯ୍ୟ କରିବା ପାଇଁ ନିଯୁକ୍ତ ହେଲେ ସ୍ଥାନୀୟ ଜଣେ ବଙ୍ଗାଳୀ କମ୍ପାଉଣ୍ତର ।

 

ସେବା ସଦନର ଲକ୍ଷ୍ୟ ହେଲା ଚିକିତ୍ସା ସୁବିଧା ପାଇ ପାରୁନଥିବା ବା ଚିକିତ୍ସିତ ହୋଇ ପାରିବାର କ୍ଷମତା ନଥିବା ଯେ କୌଣସି ନିମ୍ନ ଆୟକାରୀ ବା ନିଃସ୍ୱ ବ୍ୟକ୍ତିଙ୍କର ଚିକିତ୍ସାର ସମସ୍ତ ଦାୟିତ୍ୱ ନେବା । ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପର୍ଯ୍ୟନ୍ତ ଏହି ସେବାସଦନରେ ହେଉ ବା ସେବାସଦନ ଉଦ୍ଦ୍ୟୋଗରେ ଗୌହାଟୀ ବା କଲିକତାରେ ରୋଗୀର ଚିକିତ୍ସା କରାଇବା । ରୋଗୀ ପରିବାରର ଏକମାତ୍ର ରୋଜଗାରୀ ବ୍ୟକ୍ତି ହୋଇଥିଲେ ତା’ର ଅକ୍ଷମ ସମୟତକ ତା’ ପରିବାରର ଭରଣପୋଷଣ ଦାୟିତ୍ୱ ନେବା ସେବାସଦନର ଆଉ ଏକ ଉଲ୍ଲେଖଯୋଗ୍ୟ ଲକ୍ଷ୍ୟ । ଆରୋଗ୍ୟ ଲାଭପରେ ରୋଗୀ ଇଚ୍ଛା କଲେ ତା’ର ଶକ୍ତି ଓ ସାମର୍ଥ୍ୟ ଅନୁଯାୟୀ ସେବାସଦନର ସ୍ଥାୟୀ ପାଣ୍ଠିକୁ ଅର୍ଥଦାନ କରିପାରେ ।

 

ଏହିପରି ମହତ୍‌ ଲକ୍ଷ୍ୟ ନେଇ ଅନୁଷ୍ଠାନଟି ଆରମ୍ଭ ହେବା ପରେ ସେ ଅଞ୍ଚଳରେ ଅତି ଅଳ୍ପ ସମୟ ମଧ୍ୟରେ ଗୋପ ବାବୁଙ୍କର ଖ୍ୟାତି ଫୁଟି ଉଠିଲା ଏବଂ ସେ ସାଧାରଣ ଜନତାଠାରୁ ଅଶେଷ ପ୍ରଶଂସା ଲାଭ କଲେ । ଅଳ୍ପ ଦିନ ଭିତରେ ଗୋପ ବାବୁଙ୍କର ଖ୍ୟାତି ସେ ଅଞ୍ଚଳରେ ସର୍ବଜନ ବିଦିତ ହୋଇଗଲା ଏବଂ ସେଠାକାର ସାମାଜିକ କ୍ଷେତ୍ରରେ ସେ ଗୁରୁତ୍ୱ ଲାଭ କଲେ । ଶତ ଶତ ହତାଶ ଶ୍ରମିକ, ଗରିବ, ନିଃସ୍ୱ ବ୍ୟକ୍ତି ଗୋପ ବାବୁଙ୍କର କରୁଣା ଆକୁଣ୍ଠ ସେବା ଯତ୍ନରେ ବିମୋହିତ ହୋଇଗଲେ । ପ୍ରତି ଘରେ ଘରେ ଗୋପ ବାବୁଙ୍କର ପ୍ରଶଂସା ଉଛୁଳି ଉଠିଲା......ବିଭିନ୍ନ ପ୍ରତିଷ୍ଠିତ ଲୋକଙ୍କଠାରୁ ବାହା ବଗିଚା ମାଲିକ ଓ ଅଏଲ କମ୍ପାନୀ ପ୍ରଭୃତିରୁ ପ୍ରଭୂତ ସାହାଯ୍ୟ ମଧ୍ୟ ମିଳିପାରିଲା ତାଙ୍କର ସେବାସଦନ ପାଇଁ ।

 

ଦିଗ୍‌ବୋଇ......ଆସାମ ପ୍ରଦେଶର ସୀମାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ତୈଳାଞ୍ଚଳ......ଆସାମ ଅଏଲ କମ୍ପାନୀର ଏକ ବିରାଟ ଶିଳ୍ପାଞ୍ଚଳ ହିଁ ଏହି ଦିଗ୍‌ବୋଇ ସହର......ଦୂର ଅରଣ୍ୟ ଭିତରେ ବିକ୍ଷିପ୍ତ ଭାବରେ ଅବସ୍ଥିତ ତୈଳକୂପମାନଙ୍କରୁ ବିରାଟ ପାଇପ୍‌ ସାହାଯ୍ୟରେ ତୈଳ ଆଣାଯାଇ ଏଠାରେ ରିଫାଇନାରୀ ସାହାଯ୍ୟରେ ବିଭିନ୍ନ ବ୍ୟବହାରୋପଯୋଗୀ ତୈଳ ଓ ତୈଳଜାତ ବସ୍ତୁ ପ୍ରସ୍ତୁତ କରାଯାଏ । ଏହି କାର୍ଯରେ ବିଭିନ୍ନ ଇଞ୍ଜିନିୟର କେମିଷ୍ଟ ଓ ଟେକ୍‌ନୋଲୋଜିଷ୍ଟ୍‌ସ ନିଯୁକ୍ତ । ଶହ ଶହ ଅଭିଜ୍ଞ ବ୍ୟକ୍ତି ଏଠାରେ ଖୁବ୍‌ ଆକୃଷ୍ଟ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇ କାମ କରନ୍ତି । କମ୍ପାନୀ ପରିସର ମଧ୍ୟରେ ୱାର୍କସପ, ରିଫାଇନାରୀ, ଅଏଲଟ୍ୟାଙ୍କ ଇତ୍ୟାଦି ଟେକିନିକାଲ ସେକ୍‌ସନସ୍‌ ବ୍ୟତୀତ ହସପିଟାଲ, ହଷ୍ଟେଲ, ଡାଏରିଫାର୍ମ, ପ୍ରିଣ୍ଟିଂ ପ୍ରେସ ଓ କାର୍ପେଣ୍ଟାରୀ ସେକ୍‌ସନ ପ୍ରଭୃତି ରହିଛି । କମ୍ପାନୀ ବାଉଣ୍ତରୀର ଚାରିପାଖେ ଛୋଟ ଛୋଟ ପାହାଡ଼ ଗୁଡ଼ିକରେ ସମଗ୍ର ଆଧୁନିକ ସୁବିଧା ସମ୍ପନ୍ନ କ୍ୱାଟରସ୍‌ ଉଚ୍ଚପାହ୍ୟା କର୍ମଚାରୀଙ୍କ ପାଇଁ ଏବଂ ଶ୍ରମିକଶ୍ରେଣୀର କର୍ମଚାରୀମାନଙ୍କ ପାଇଁ ଧାଡ଼ିବନ୍ଧା କଲୋନୀ ଗଢ଼ି ଉଠିଛି । ଆଧୁନିକ ଯୁଗର ସର୍ବାପେକ୍ଷା ଗୁରୁତ୍ୱୂର୍ଣ୍ଣ ଖଣିଜ ତୈଳ ଓ ଖଣିଜ ତୈଳଜାତ ପଦାର୍ଥ ଭାରତର ବିଭିନ୍ନାଞ୍ଚଳକୁ ଯୋଗାଏ ଏହି ତୈଳ କମ୍ପାନୀ । ଆଉ ଭାରତର ଏହି ଗୁରୁତ୍ୱପୂର୍ଣ୍ଣ ଉପାଦାନ କାର୍ଯ୍ୟରେ ପ୍ରାଇଭେଟ୍‌ କମ୍ପାନୀ ହେଲେ ବି ଏଥିରେ ନିୟୋଜିତ ଆଧୁନିକ ଭାରତରେ ଶତ ଶତ ଶିକ୍ଷିତ ଟେକ୍‌ନିକାଲ୍‌ ବ୍ୟକ୍ତି ।

 

ଏହି କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ପଦରେ ଅଧିଷ୍ଠିତ ମଧୁ ବାବୁଙ୍କର ଦ୍ୱିତୀୟ ପୁତ୍ର ଜ୍ଞାନେନ୍ଦ୍ରକୁମାର । କେମେଷ୍ଟ୍ରିରେ ବି: ଏସ୍‌: ସି ଅନର୍ସରେ କୃତିତ୍ୱ ସହ ଉତ୍ତୀର୍ଣ୍ଣ ହେବା ପରେ ବାଙ୍ଗାଲୋରଠାରେ ମଟୋର୍ଲଜି ଉପରେ ବିଶେଷ ବିଦ୍ୟା ହାସଲ କରି ଜ୍ଞାନେନ୍ଦ୍ର ବହୁ ଚେଷ୍ଟାକରି ଏହି ଅଏଲ କମ୍ପାନୀ ତରଫରୁ ଆମେରିକାରେ ମିନରାଲ ଅଏଲସ୍‌ ସମ୍ୱନ୍ଧରେ ଉଚ୍ଚଶିକ୍ଷା ଲାଭ କରିବାକୁ ସୁଯୋଗ ପାଇଥିଲେ ଆଠବର୍ଷ ତଳେ । ଆମେରିକାରେ ଯୋଗ୍ୟତା ହାସଲ ପରେ ଏହି ଆସାମ ଅଏଲ କମ୍ପାନୀର ବିଶେଷ ବ୍ୟବସ୍ଥା ଫଳରେ କେତୋଟି ପୃଥିବୀଖ୍ୟାତ ଅଏଲ କମ୍ପାନୀରେ ପ୍ରାକ୍‌ଟିକାଲ ଅଭିଜ୍ଞତା ଅର୍ଜନ କରି ପ୍ରାୟ ୪/୫ ବର୍ଷ ତଳେ ଭାରତକୁ ଫେରି ଆସିଥିଲେ । ସାମାନ୍ୟ କିଛିଦିନ ବାପା ବୋଉ ପ୍ରଭୃତି ଆତ୍ମୀୟଙ୍କୁ ସାକ୍ଷାତ କରି ସିଧା ଦିଗ୍‌ବୋଇରେ ଆସି କାର୍ଯ୍ୟସ୍ଥଳରେ ଯୋଗ ଦିଅନ୍ତି ଏବଂ ପେଟ୍ରୋଲିୟମ୍‌ ରିଫାଇନାରୀ ସେକ୍‌ସନର ଏକ ଗରୁତ୍ୱପୂର୍ଣ୍ଣ ଉଚ୍ଚ ପଦରେ ଅଧିଷ୍ଠିତ ହୁଅନ୍ତି ଜ୍ଞାନେନ୍ଦ୍ର । ସେହିଦିନୁ ସେ ଟିଲେ ପାହାଡ଼ରେ ଏକ କ୍ୱାଟରସ୍‌ରେ ଥାଆନ୍ତି । ଏବେ ବି ଅବିବାହିତ ବିବାହ ଦିଗକୁ ମନ ଝୁଙ୍କିନି ।

 

ଜ୍ଞାନେନ୍ଦ୍ର କମ୍ପାନୀର ଇଞ୍ଜିନିୟର ଓ ଟେକ୍‌ନୋଲଜିଷ୍ଟମାନଙ୍କ ନିକଟରେ ମେଳାପି ଓ ସ୍ପୋର୍ଟସ୍‌ମ୍ୟାନ୍‌ରୂପେ ପରିଚିତ । ଶ୍ରମିକମାନଙ୍କ ନିକଟରେ ଜଣେ ମିଷ୍ଠଭାଷୀ ଲୋକପ୍ରିୟ ସରଳ ଦୟାଳୁ ଅଫିସର ଭାବେ ସୁପରିଚିତ । ବାସ୍ତବିକ୍‌ ଜ୍ଞାନେନ୍ଦ୍ରଙ୍କର ପ୍ରକୃତି ଅତି ଅଦ୍ଭୁତ ରକମର । ସେ ଯେପରି ଉଚ୍ଚ ଣ୍ରେଣୀର କର୍ମଚାରୀଙ୍କ ସହ ତତ୍‌ସଙ୍ଗତ ସାମାଜିକ ନିଷ୍ଠା ରକ୍ଷାକରି ବଳି ପାରନ୍ତି ସେହିପରି ନିମ୍ନ କର୍ମଚାରୀଙ୍କ ସହ ଅକୁଣ୍ଠ ଭାବେ ମିଶିଯାଇ ପାରନ୍ତି ମଧ୍ୟ । ଏହାହିଁ ତାଙ୍କର ଲୋକପ୍ରିୟତାର ବିଶେଷ କାରଣ । କମ୍ପାନୀର ଜେନେରାଲ ମ୍ୟାନେଜର ପ୍ରଭୃତି ଅତି ଉଚ୍ଚ କର୍ତ୍ତାମାନେ ତାଙ୍କର କର୍ତ୍ତବ୍ୟନିଷ୍ଠାରେ ମଧ୍ୟ ମୁଗ୍‌ଧ ଓ ସନ୍ତୁଷ୍ଟ ।

 

ଶ୍ରମିକ ମହଲରେ ଜ୍ଞାନେନ୍ଦ୍ରଙ୍କର ବିଶେଷ ସମ୍ପର୍କ ଥିବାରୁ ପ୍ରାୟତଃ ସହରର ଆଖପାଖସ୍ଥ ତାହା ବଗିଚା ପ୍ରଭୃତି ଅନ୍ୟାନ୍ୟ ଶ୍ରମିକ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକର ବିଶେଷ ଖବର ତାଙ୍କ ପାଖରେ ଖୁବ୍‌ ଶିଘ୍ର ପହଞ୍ଚି ପାରେ । ବିଶେଷତଃ ତାହା ବଗିଚାମାନଙ୍କରେ ବଂଶାନୁକ୍ରମେ କାମ କରି ଆସୁଥିବା ଓଡ଼ିଆ ଶ୍ରମିକମାନଙ୍କ ସହ ପରିଚିତ ହେବା ଉଦ୍ଦେଶ୍ୟରେ ସେ ବହୁଥର ସେସବୁ ଅଞ୍ଚଳକୁ ବୁଲି ଯାଆନ୍ତି । ଶିକ୍ଷିତ ଓଡ଼ିଆର ଅଭାବ ଓ ଏକତାର ଅଭାବରେ ଏହି ଓଡ଼ିଆମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜର ସଂସ୍କୃତି ପ୍ରାୟତଃ ଭୁଲି ଯିବାକୁ ବସିଲେଣି । ଅନେକ ବି ଓଡ଼ିଆ ଭାଷା ବୁଝିପାରୁ ନାହାନ୍ତି । ସେମାନେ ଜାଣନ୍ତି ଯେ ସେମାନେ ଓଡ଼ିଆ ଦୂର ପ୍ରଦେଶରେ ସେମାନଙ୍କର ପିତୃପୁରୁଷର ଜନ୍ମଭୂମି......ନିଜେ କିନ୍ତୁ କେବେ ଦେଖିବା ସମ୍ଭବ ହୋଇନି । ତଥାପି ନିଜଠାରେ ଥିବା ସାମାନ୍ୟ ଓଡ଼ିଆ ରକ୍ତର ଉଦ୍ଦୀପନା ମନରେ ଓଡ଼ିଆ ଭାବ ଜାଗ୍ରତ କରାଏ କୌଣସି ସ୍ୱଦେଶାଗତ ଓଡ଼ିଆକୁ ଦେଖିଲେ ସେ ଉତ୍‌ଫୁଲିତ ହୋଇ ଉଠେ । ନବାଗତ ଓଡ଼ିଆକୁ ସେ ଖୁବ୍‌ ଭଲପାଏ । ତେଣୁ ସେଠାକାର ତଥାକଥିତ ଓଡ଼ିଆ ସମାଜରେ ମଧ୍ୟ ଜ୍ଞାନେନ୍ଦ୍ରଙ୍କର ପରିଚୟ ସୁସ୍ପଷ୍ଟ ।

 

ଏହିପରି କାରଣରୁ ଓ ଗୋପ ବାବୁଙ୍କର ସ୍ୱକୀୟ ପ୍ରଶଂସା କୀର୍ତ୍ତି ଯୋଗୁଁ ହଠାତ୍ ଦିନେ ଜ୍ଞାନେନ୍ଦ୍ର ଖବର ପାଇଲେ ଗୋପାଳ ପଟ୍ଟନାୟକ ନାମକ ଏହି ସେବାରତ ଓଡ଼ିଆ ଡାକ୍ତରଙ୍କ ସମ୍ୱନ୍ଧରେ । ମନ ତାଙ୍କର ଉଦ୍‌ବେଳିତ ହୋଇ ଉଠିଲା......ଉତ୍କଣ୍ଠିତ ହୋଇଗଲା......ସତେ କ’ଣ ଗୋପ ଭାଇ ଆସି ଏହି ଦୂର ପ୍ରବାସରେ ନିଜକୁ ହଜାଇ ଦେଇଛନ୍ତି ନିଜ ଜନ୍ମଭୂମି ନିଜ ଆତ୍ମୀୟ ଓ ସର୍ବୋପରି ତାଙ୍କ ପ୍ରାଣପ୍ରିୟ ଚପଳାର ଦାନ ବିଭାଷକୁ ପାଶୋରି ଦେଇ । ମୁହୂର୍ତ୍ତେ ମାତ୍ର ଜ୍ଞାନେନ୍ଦ୍ର ରହିପାରିଲେନି । ଏକ ପେଟ୍ରୋଲିୟମ ସାମ୍ପଲ ପରୀକ୍ଷା କରୁଥିବା ଅବସ୍ଥାରୁ ଖବର ଦେଇଥିବା ଶ୍ରମିକଙ୍କୁ ଧରି ସଙ୍ଗେ ସଙ୍ଗେ ଖଣ୍ତେ ଜିପ୍‌ ଧରି ସେ ବାହାରିଗଲେ ଚାହାବାଗାନ ଅଞ୍ଚଳର ସେଇ ସେବାଦନକୁ......

 

ଅପରାହ୍ନ......ଅଳସ ଭାବେ ଗୋପ ବାବୁ ନିଜର ଷ୍ଟଡ଼ିରୁମ୍‌ରେ ବସି ଗୋଟିଏ ସ୍ୱାସ୍ଥ୍ୟ ସଂପର୍କୀୟ ପତ୍ରିକାରେ ମନ ଦେଇଛନ୍ତି......ବାହାର ପଟ ଖୋଳା......ହଠାତ୍‌ ଆଗନ୍ତୁକର ଆଗମନା ଶବ୍ଦ ଶୁଣି ସେ ଚାହିଁଲେ......ଆଉ ଚାହିଁ ଚମକି ପଡ଼ି ଚିତ୍କାର କରି ଉଠିଲେ, ‘‘ଜ୍ଞାନେନ୍ଦ୍ର । ତୁ ଯେ ଏଠି !!’’

 

ଗୋପ ବାବୁଙ୍କର ଚରଣଧୂଳି ନେଇ ଜ୍ଞାନେନ୍ଦ୍ର କ୍ରନ୍ଦନ କଣ୍ଠରେ କହି ଉଠିଲେ, ‘‘ଗୋପ ଭାଇ କି ନିଷ୍ଠୁର ତୁମେ । ଆମେ ସବୁ ସିନା କେହି ନୁହଁ......ତୁମରି ରକ୍ତର ପ୍ରତିବିନ୍ଦୁରେ ଗଢ଼ା ବିଭାଷକୁ କ୍ଷଣେ ମାତ୍ର ସୁଦ୍ଧା ତୁମେ ଭାବିଲ ନାହିଁ......ଚାହିଁଲ ନାହିଁ......’’ ସଜଳ ନୟନରୁ ଦୁଇଧାର ଅଶ୍ରୁ ଜ୍ଞାନେନ୍ଦ୍ରଙ୍କର ଗଡ଼ି ଆସିଲା- ଗୋପ ବାବୁଙ୍କର ମୁହଁ ଅସ୍ପଷ୍ଟରୁ ଅସ୍ପଷ୍ଟତର ହୋଇ ଆଉ ତାଙ୍କୁ ଦେଖାଗଲା ନାହିଁ......ସେ ନୀରବରେ ରୁମାଲରେ ଆଖି ପୋଛିବାକୁ ଲାଗିଲେ ।

 

ଉପସ୍ଥିତ ମୁହୂର୍ତ୍ତରେ ଗୋପ ବାବୁଙ୍କୁ ଦେଖିଲେ ମନେହେବ ସତେ ଯେପରି ଏକ ସ୍ଥାଣୁ ପ୍ରସ୍ତର ମୂର୍ତ୍ତି......କ’ଣ ଯେ ସେତେବେଳେ ତାଙ୍କର ମନର ଭାବନା ତାହା କହି ହେବନି......ତା’ ସେହି ନିଜେ ଅବା ବୁଝିଥିବେ......କିନ୍ତୁ ବହୁକ୍ଷଣ ଉଭୟେ ନୀରବରେ ଛିଡ଼ାହୋଇ ରହିବା ପରେ ଜ୍ଞାନେନ୍ଦ୍ର ନିଜକୁ ପ୍ରକୃତିସ୍ଥ କରିନେଲେ । ତା’ପରେ କହିଲେ, ‘‘ଛାଡ଼, ଆଉ କୌଣସି କଥା ଶୁଣିବ ନାହିଁ । ତମକୁ ଏହି ମୁହୂର୍ତ୍ତରେ ମୋ ସାଙ୍ଗରେ ଯିବାକୁ ହେବ ଏବଂ ମୋ ବସାରେ ହିଁ ଆଜିଠାରୁ ତୁମକୁ ରହିବାକୁ ହେବ । ମୁଁ କ୍ଷଣେମାତ୍ର ତୁମକୁ ମୋ ନଜରରୁ ଛାଡ଼ି ପାରିବି ନାହିଁ......ଆମ ସମସ୍ତଙ୍କର ଦଶ ବର୍ଷର ଦୀର୍ଘ ପ୍ରତୀକ୍ଷା ଓ ଅନୁସନ୍ଧାନ ସଫଳ ହେବା ପରେ ମୁଁ ତାକୁ କୌଣସି ପ୍ରକାର ମାଟି କରି ପାରିବି ନାହିଁ ।’’

 

ଗୋପୁ ବାବୁ ଅତି ଧୀର ଭାବେ କହିଲେ, ‘‘ଜ୍ଞାନେନ୍ଦ୍ର, ମୁଁ ଯେତେବେଳେ ଦଶବର୍ଷ କାଳ ବୁଲି ବୁଲି ଏହି ସ୍ଥାନକୁ ମୋର କର୍ମପୀଠରୂପେ ବାଛି ନେଇଛି ସେତେବେଳେ ମୁଁ ଏଠା ଛାଡ଼ି କେଉଁଆଡ଼େ ଯାଉ ନାହିଁ; ଏ ସମ୍ୱନ୍ଧରେ ତୁ ନିଶ୍ଚିତ ରହିପାରୁ, କିନ୍ତୁ ମୁଁ ଏଇ ସେବାସଦନ ଛାଡ଼ି କେଉଁ ଆଡ଼େ ଯାଇ ପାରିବି ନାହିଁ ।‘‘

 

‘‘ବେଶ୍‌, ତାହାହିଁ ହେଉ । ତେବେ ମୁଁ ବି ଏଠି ରହିବି, ନା ତା’ ବି ତୁମେ ମନା କରିବ- ତୁମେ ମନା କଲେ ବି କିଏ ଶୁଣୁଛି.......ବେହେରା- ବେହେରା.....’’ ବେହେରାକୁ ଡାକ ଛାଡ଼ିଲେ ଜ୍ଞାନେନ୍ଦ୍ର । କୁର୍ଣ୍ଣିଶ କରି ବେହେରା ଛିଡ଼ାହେଲା । ଗୋପ ବାବୁଙ୍କର ଟେବୁଲ ଉପରୁ ଖଣ୍ତେ କାଗଜ ଆଣି ସପ୍ତାହେ ଛୁଟି ପାଇଁ ଦରଖାସ୍ତ ଲେଖି ବେବେରାକୁ ବଢ଼ାଇଦେଲେ । ଦରଖାସ୍ତଟି ଜେନେରାଲ ମ୍ୟାନେଜରଙ୍କ ପାଖରେ ଦାଖଲ କରିଦେଇ କ୍ୱାର୍ଟରର ହେପାଜତ କରିବା ପାଇଁ ନିର୍ଦ୍ଦେଶ ଦେଇ ତାଙ୍କୁ ବିଦାୟ ଦେଲେ । ବିଦାୟ ବେଳେ ତା’ ହାତରେ ଗୋଟାଏ ଜରୁରୀ ଟେଲିଗ୍ରାମ ବାପା ଓ ଭାଇଙ୍କ ପାଖକୁ ପଠାଇଲେ ‘‘ଗୋପ ଭାଇ ମିଳିଛନ୍ତି- କେଉଁ ଆଡ଼େ ଯିବାକୁ ନାରାଜ.....ମୁଁ ତାକୁ ଜଗି ରହିଛି......ତୁରନ୍ତ ବିଭାଷକୁ ଛନ୍ଦା ସହ ପଠାଅ......ଜ୍ଞାନ ।’’

 

ଛନ୍ଦାର ଜୀବନରେ ଆଉ ଚାରି ବର୍ଷର ଇତିହାସ । ଗାଁରେ ରହି ଘରୋଇ ଚିକିତ୍ସା ଆରମ୍ଭ କରିବା ଚାରି ବର୍ଷ ହୋଇଗଲା । ଏହି ଚାରି ବର୍ଷରେ ସେ ପ୍ରାୟ ଅନ୍ୟ କୌଣସି ସ୍ଥାନକୁ ଯାଇନି......ଖାଲି କାମ ଆଉ କାମ.....। ଜୀବନର ଏକ ବିଶେଷ କାର୍ଯ୍ୟରୂପେ ଦେଖା ଦେଇଛି ବିଭାଷ ହାୟ କି ନିଷ୍ଠୁର ବ୍ୟବସ୍ଥା ଭଗବାନଙ୍କର......ଜନ୍ମର ପ୍ରଥମ ମୁହୂର୍ତ୍ତରୁ ମାତୃକୋଡ଼ କ’ଣ ସେ ଜାଣିନି......ଯାହା ବା ବିମଳା ଦେବୀଙ୍କର ସ୍ନେହମୟୀ କୋଳରେ ସେ ବଢ଼ି ଆସୁଥିଲା ନିୟତି ସେତକ ବି କରାଇ ଦେଲାନି......ଅଳ୍ପ ଦିନର ବ୍ୟବଧାନରେ ନିଧି ରାଉତରାୟ ଓ ବିମଳା ଦେବୀ ସଂସାରରୁ ଚାଲିଗଲେ......ଅନାଥ କରି ଭସାଇ ଦେଇଗଲେ ଚନ୍ଦନ ଓ ବିଭାଷକୁ......ଓଃ ଦୁହିଁଙ୍କର ସେ କି କାନ୍ଦ । ବୃଦ୍ଧ ବାମାର ବି କି ଅସହ୍ୟ କାନ୍ଦଣା !! ଅନ୍ୟ କେହି ସେମାନଙ୍କୁ ସାନ୍ତ୍ୱନା ଦେଇପାରି ନ ଥିଲେ କିଞ୍ଚିତ ଯାହା ଦେଇ ପାରିଥିଲା ଛନ୍ଦା.... ।

 

ଚନ୍ଦନ ସେତେବେଳକୁ ମାଟ୍ରିକ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥାଏ ବିଭାଷର ଖଡ଼ିଛୁଆଁ ହୋଇଥାଏ...... ଚନ୍ଦନକୁ ବୋଉ ଭାଇ ରାଜେନ୍ଦ୍ର ବାବୁଙ୍କ ପାଖକୁ ପଠାଇ ଦେଇ ସାହସର ସହିତ ଛନ୍ଦା ବିଭାଷର ଦାୟିତ୍ୱ ନେଇଥିଲା......ଆପାତତଃ ସେ ସେଇଦିନୁ ନିଜ ଘରଛାଡ଼ି ଆସି ରାଉତରାୟଙ୍କର ଘରେ ରହିଛି ବାପା ବୋଉଙ୍କର ଶତ ବାରଣକୁ ନ ମାନି......ଚାରି ବର୍ଷ ପ୍ରାୟ ହୋଇଗଲା......ସେଠି ତାର କର୍ମସାଥୀ ହୋଇଛି ବୃଦ୍ଧ ବାମା......ବହୁ କଷ୍ଟରେ ବାମାକୁ ପ୍ରବୋଧ ଦେଇ ତାକୁ ପୁଣି ସଂସାରକୁ ଟାଣି ଆଣି ପାରିଛି......ବିଭାଷକୁ ବାମାର ଆଗରେ ଠିଆ କରାଇ ତାକୁ ବାଧ୍ୟ କରିଛି ସାଂସାରିକ କାର୍ଯ୍ୟରେ ମନ ଦେବା ପାଇଁ......କେବଳ ବିଭାଷ ପାଇଁ.....ଏବଂ ତାହାହିଁ ହୋଇଛି- ବାମା ରାଉତରାୟଙ୍କର ସମ୍ପତ୍ତିର ପରିଚାଳନା ଭାର ପୁନଶ୍ଚ ମୁଣ୍ତାଇ ନେଇଛି ।

 

ପ୍ରାଣପ୍ରିୟ ସଙ୍ଗିନୀ ଚପଳାର ଏହି ସମ୍ପୂର୍ଣ୍ଣ ଅରକ୍ଷିତ ସନ୍ତାନ ବିଭାଷ ପାଇଁ ବହୁ ଦୁଃଖ କଷ୍ଟକୁ ଆନନ୍ଦରେ ମଥାପାତି ସହି ନେଇଛି ଛନ୍ଦା......ଏଥିପାଇଁ ତାକୁ ବହୁ ନିନ୍ଦା ଓ ପରିହାସ ଶୁଣିବାକୁ ପଡ଼ିଛି......ସେଥିକୁ ଖାତିର କରି ନାହିଁ......ଅଧିକ ପରିଶ୍ରମ କରିବାକୁ ପଡ଼ିଛି.....ଚିନ୍ତା କରି ନାହିଁ......ନିଜ ଜୀବନର ସମସ୍ତ ସାଂସାରିକ ସୁଖ ସ୍ୱାଚ୍ଛନ୍ଦ୍ୟକୁ ତ୍ୟାଗ କରିବାକୁ ହୋଇଛି......ସେ କଥା ସେ ମନରୁ ପୋଛି ଦେଇଛି......କୌଣସି କଥାକୁ ଚିନ୍ତା ନାହିଁ......ଭ୍ରୂକ୍ଷେପ ନାହିଁ......ଏକମାତ୍ର ଚିନ୍ତା ବିଭାଷ ମଣିଷ ହେଉ ।

 

ଅବଶ୍ୟ ଛନ୍ଦାର ମନରେ ଆଉ ଏକ ଭାବନା ସମୟେ ସମୟେ ଜାଗ୍ରତ ହୁଏ......କିନ୍ତୁ ତାହା କ୍ଷଣିକ......ମୁହୂର୍ତ୍ତକ ପାଇଁ ମାତ୍ର.... । ମନେ ହୁଏ.....‘ସତେ କ’ଣ ଗୋପ ଭାଇ ଆଉ ଫେରିବେ ନାହିଁ......କ୍ଷଣେ ମାତ୍ର ସେ କ’ଣ ବିଭାଷ ବା ଆମ କଥା ଭାବିବେ ନାହିଁ......ତେବେ କାହିଁକି ତା’ର ଏ କଠୋର ତପସ୍ୟା......କି ଲାଭ ତା’ର ଏ ତ୍ୟାଗମୟ ସାଧନାର......କି ମୂଲ୍ୟ ତା’ର ଏ ଦୀର୍ଘ ପ୍ରତୀକ୍ଷାରେ’.....ଭାବି ପାରେନି ଛନ୍ଦା......ଚକ୍ଷୁ କୋଣରେ ଭରିଉଠେ ଲୁହ......ମନ ବିଷାଦରେ ଭରିଯାଏ......କିନ୍ତୁ ପର ମୁହୂର୍ତ୍ତରେ ସେ ସ୍ୱାଭାବିକ ହୋଇ ଉଠେ, ଅଧିକ ସଂକଳ୍ପ ଓ ଦୃଢ଼ତା ନେଇ ନିଜକୁ ସଜାଡ଼ି ନିଏ...... ।

 

ଏହିପରି ସମୟରେ ଆସି ପହଞ୍ଚିଲା ସେଇ ବିସ୍ମୟକର ସମ୍ବାଦ.....ଗୋପ ଭାଇ ମିଳିଛନ୍ତି......ସେ ଦିଗ୍‌ବୋଇରେ ଜ୍ଞାନେନ୍ଦ୍ର ଭାଇଙ୍କ ପାଖରେ.....ତାକୁ ଯିବାକୁ ହେବ । ଝଡ଼ ପ୍ରାୟ ନିଜକୁ ପ୍ରସ୍ତୁତ କରିନେଇ ବାମାକୁ ଘରର ସମସ୍ତ ଦାୟିତ୍ୱ ବଢ଼ାଇ ଦେଇ ବିଭାଷକୁ ନେଇ ଛନ୍ଦା ପ୍ରାଣର ଆବେଗରେ ବାହାରି ପଡ଼ିଲା ଦିଗ୍‌ବୋଇ । ମଧୁ ବାବୁ ନିଜେ କଟକ ପର୍ଯ୍ୟନ୍ତ ଆସି ଛାଡ଼ି ଦେଇ ଗଲେ । କଟକରୁ ରାଜେନ୍ଦ୍ରଙ୍କ ପରାମର୍ଶରେ ଚନ୍ଦନକୁ ମଧ୍ୟ ସାଥୀରେ ଧରି ଛନ୍ଦା ବିଭାଷକୁ ନେଇ ଛୁଟିଲା ଆସାମର ସୀମାନ୍ତକୁ.....

 

କଲିକତାରୁ ଉଡ଼ାଜାହାଜକୁ ଯୋଗେ ଯାଇ ସକାଳ ୯ଟାରେ ପହଞ୍ଚିଲେ ଦିଗ୍‌ବୋଇରେ-। ପ୍ରଥମେ ଅଏଲ କମ୍ପାନୀକୁ ଯାଇ ସେଠାରୁ ଜଣେ କର୍ମଚାରୀଙ୍କୁ ନେଇ ପ୍ରାୟ ମଧ୍ୟାହ୍ନରେ ସେବା ସଦନରେ ଗୋଡ଼ ଦେଲେ ସେମାନେ ।

 

ସତେ ଯେପରି ଆଗରୁ ପ୍ରସ୍ତୁତ ହୋଇ ରହିଥିଲେ ଜ୍ଞାନେନ୍ଦ୍ର । ବାହାରକୁ ଦଉଡ଼ି ଆସି ସେ ଭାବର ଆବେଗରେ ବିଭାଷକୁ କୁଣ୍ତାଇ ପକାଇ ତା’ର ମୁଣ୍ତରେ ସ୍ନେହର ଆଙ୍ଗୁଳି ଚଳାଇବାରେ ଲାଗିଲେ......ଚନ୍ଦନ ଓ ଛନ୍ଦା ଜ୍ଞାନେନ୍ଦ୍ରଙ୍କର ପାଦତଳେ ମଥା ଲଗାଇ ଉଠି ଠିଆ ହେଲେ । ଜ୍ଞାନେନ୍ଦ୍ର ସେମାନଙ୍କୁ ଭିଡ଼ି ନେଇ ଏକ ପ୍ରଶସ୍ତ କକ୍ଷରେ ବସାଇ ଦେଲେ । ଗୋପ ବାବୁ ସେତେବେଳେ ଭିତର ଚାମ୍ବରରେ ଗୋଟିଏ ରୋଗୀର ଚିକିତ୍ସରେ ବ୍ୟସ୍ତ । ସମସ୍ତେ ଉଦ୍‌ବେଗର ସହିତ ତାଙ୍କର ଆଗମନକୁ ଅପେକ୍ଷା କରି ରହିଲେ ।

 

ଦୀର୍ଘ ବଶ ବର୍ଷରେ ବିଚ୍ଛେଦ......ଛନ୍ଦାର ମନରେ କଳ୍ପନାହୀନ ଭାବନା......କିପରି ଦିଶୁଥିବେ ଗୋପ ଭାଇ.....କି ରକମ ପରିବର୍ତ୍ତନ ଘଟିଥିବ ତାଙ୍କର.....କି ଭାବେ ସେ ତାଙ୍କୁ କୈଫିୟତ ମାଗିବ......କ’ଣ ବା ପ୍ରଥମେ କହିବ....ଓଃ......ଦଶ ବର୍ଷ.....ସେ ବିଗତ ସମୟର ଆନନ୍ଦ ବିଷାଦମୟ ଘଟଣାବଳୀ ଆଉ ଆଲୋଚିତ କରିବାକୁ ଇଚ୍ଛା ହୁଏନା......ନାଃ......ଅତୀତ ଥାଉ........ବର୍ତ୍ତମାନ ଓ ଭବିଷ୍ୟତ......ଏହି କଥା ନେଇ ସେ ତାଙ୍କୁ ପ୍ରଶ୍ନ ପଚାରିବ......

 

ବିଭାଷ.....ଦଶ ବର୍ଷର ଅପରିପକ୍ୱ ମନ ତା’ର.....କେତେଦୂର ବା ସେ ଜାଣେ ବାପାଙ୍କର ଜୀବନର ଘଟଣାବଳୀ । କିଏ ବା ତା’ର ବାପା......କିଏ ବା ତା’ର ବୋଉ......କି ଲାଭ ସେମାନଙ୍କ କଥା ଭାବି । ତା’ର ସମସ୍ତ ସୁଖ ଦୁଃଖର ସାଥୀ–ଏହି ମାଉସୀ ଛନ୍ଦା.....ସେହି ହିଁ ତା’ର ବାପା ଆଉ ବୋଉ.....ଭିତରେ ଥିବା ସେଇ ଅଦ୍ଭୁତ ଲୋକଟି ଯିଏ ହେଉ ପଛେ......ନା.....ସେ ତା’ର ବାପା ନୁହନ୍ତି.....ହୋଇ ପାରିବେ ନାହିଁ.....କି ଦରକାର ତା’ର ଏପରି ଅପରିଚିତ ଜଣେ ଲୋକକୁ ବାପା ବୋଲି ଭାବି.......?

 

ଚନ୍ଦନ...ସ୍ଥିର ହୋଇ ଆସିଥିବା କଲେଜ ମନ ତା’ର ଗୋପ ବାବୁଙ୍କ ପ୍ରତି ଅନେକ ସମୟରେ ବିଦ୍ରୋହୀ ହୋଇ ଉଠିଥାଏ......ବିଶେଷତଃ ବିଭାଷକୁ ଦେଖି......କି ନିଷ୍ଠୁର ସେ । ଅପାର ବିୟୋଗ ପରେ ପରେ ସେଇ ପଳାତକ ଯେ ଦୀର୍ଘ ଦଶ ବର୍ଷରେ ବି କ୍ଷଣେ ମାତ୍ର ନିଜ ରକ୍ତର ସନ୍ତାନ କଥା ଭାବି ନାହାନ୍ତି... । ...ନା......ତାଙ୍କୁ ଗୋଟାଏ କିଛି ବିରାଟ ଶାସ୍ତି ଦେବାକୁ ହେବ.....କିନ୍ତୁ କି ରକମ ଯେ ଶାସ୍ତି..... ?

 

ହଠାତ୍‌ ଗୋପବନ୍ଧୁ ଚାମ୍ବର ଭିତରୁ ତଉଲିଆରେ ହାତ ପୋଛି ପୋଛି ପଦାକୁ ବାହାରି ଆସିଲେ.....ଆଉ ବାହାରି ଆସି ବିଭୋର ହୋଇ ଛିଡ଼ା ହୋଇଗଲେ.....ସ୍ୱପ୍ନ ନା ସତ୍ୟ.....ଛନ୍ଦା.....ଚନ୍ଦନ......ଆଉ.......ଆଉ ଏ ବାଳକଟି କିଏ......ନୂତନ ରୂପୀ ଚପଳା....ହଁ ଚପଳାର ଅବିକଳ ମୁହଁ ହାତ.....ରୂପ.....ଗଠନ ସବୁ ନେଇ ସେ ଯେ ମୂର୍ତ୍ତିମନ୍ତ.....ଏ କ’ଣ ତାଙ୍କ ପ୍ରାଣପ୍ରିୟ......ସନ୍ତାନ......ଓଃ ନାଁଟା.......ହଁ......ବିଭାଷ.....କି ଚମତ୍କାର ନା ତା’ର.....ବିଭାଷ......ଚପଳାର ସମସ୍ତ ରୂପ ଯାହାର ଅଙ୍ଗେ ଅଙ୍ଗେ ବିଭାଷିତ ହେଉଛି......ଏ ସେହି ବିଭାଷ......ଗୋପ ବାବୁ ଆଉ ନିଜକୁ ପ୍ରକୃତିସ୍ଥ କରି ପାରିଲେ ନାହିଁ–ପ୍ରାଣରେ ଆକୁଳ ଆବେଗରେ ଆଗେଇ ଯାଇ ସେହି ସରଳ ନିଷ୍କପଟ ବାଳକକୁ ତୋଳି ନେଇ ତାର କାପଳରେ ଢାଳି ଦେଲେ ଅଜସ୍ର ଚୁମ୍ୱନ.....କ୍ଷୀଣ ଗଦ୍‌ଗଦ୍‌ କଣ୍ଠରୁ ତାଙ୍କର ବାହାରି ଆସିଲା ‘‘ବିଭୂ......ବିଭାଷ ମୋର......’’ କ୍ଷଣକ ତଳର ଭାବନାକୁ ଭୁଲି ଯାଇ ରକ୍ତର ଡାକରେ ସେହି ଶିଶୁର ରକ୍ତ ଶୀହରି ଉଠିଲା ଉତ୍ତେଜନାରେ ଭାବବିହ୍ୱଳ ହୋଇ ସେ ବି କ୍ରନ୍ଦନ କଣ୍ଠରେ କହି ଉଠିଲା.....‘‘ବା......ପା.......’’

 

ଆନନ୍ଦାଶ୍ରୁଭରା ନୟନରେ ଛନ୍ଦା, ଚନ୍ଦନ ଓ ଜ୍ଞାନେନ୍ଦ୍ର ପିତା-ପୁତ୍ରଙ୍କର ଏହି ପବିତ୍ର ମିଳନକୁ ପ୍ରାଣଭରି ଉପଭୋଗ କରୁଥିଲେ.....

 

ଦୀର୍ଘ ବିଚ୍ଛେଦ ପରେ ମିଳନର ମଧୁର ପର୍ବ ସମାପ୍ତ ହୋଇଯିବାପରେ ସମସ୍ତେ ପ୍ରକୃତିସ୍ଥ ହେଲେ । ଆପାତତଃ ସେଇ ସେବା ସଦନରେ ହିଁ ସେଦିନ ସମସ୍ତେ ରହିଲେ । ଦୀର୍ଘ ଦଶ ବର୍ଷର ଇତିହାସ ଉଭୟ ପକ୍ଷ ଅତି ଆଗ୍ରହର ସହ ଶୁଣିନେଲେ । ଗୋପ ବାବୁଙ୍କର ସାରା ଭାରତ ଦର୍ଶନର ବ୍ୟାଖ୍ୟାନ ଦୂର ଦେଶ ଘୂରି ଆସିଥିବା ଜ୍ଞାନେନ୍ଦ୍ରଠାରୁ ଆରମ୍ଭ କରି ଭାର୍ଗବୀ ନଦୀ କୂଳକୁ ଅନ୍ୟତ୍ର ଜୀବନରେ ଏଇ ପ୍ରଥମ ଏତେ ଦୂରକୁ ଆସିଥିବା ବିଭାଷ ପର୍ଯ୍ୟନ୍ତ ସମସ୍ତେ ଶୁଣି ବିସ୍ମୟାଭିଭୂତ ହୋଇଗଲେ । ଚପଳା ବିଚ୍ଛେଦ ଗୋପବାବୁ ମନ ମଧ୍ୟରେ କେତେ ଦୂର ଆଘାତ ଦେଇଥିଲା ଯାହା ଫଳରେ କି ସମସ୍ତେ ସାଂସାରିକ ଜଞ୍ଜାଳକୁ ସମ୍ପୂର୍ଣ୍ଣ ଭୁଲି ଯାଇ ଗୋପ ବାବୁ କିପରି ନିଜ ରକ୍ତର ସୃଷ୍ଟି ସନ୍ତାନକୁ ଦୀର୍ଘ ଦଶ ବର୍ଷ ମଧ୍ୟରେ ମାତ୍ର ମନେ ନ ପକାଇ କିପରି ଜାଜାବର ଭାବେ ସ୍ଥାନରୁ ସ୍ଥାନକୁ ଘୂରି ବୁଲୁ ଥିଲେ ତାହା ଶୁଣି ଛନ୍ଦାର ହୃଦୟ ଆଲୋଡ଼ିତ ହୋଇଗଲା । ଚପଳାର କେତେ ଗଭୀର ପ୍ରେମ ଥିଲା ତାହା ସେ ହୁଏତ ଆଜି ପ୍ରଥମ କରି ଅନୁଭବ କରିପାରିଲା ।

 

ସେହିପରି ଚପଳାର ମୃତ୍ୟୁପରଠାରୁ ଏପର୍ଯ୍ୟନ୍ତ ଗୋପ ବାବୁଙ୍କ ଅଗଚୋରରେ ଛନ୍ଦା ଯେ ତାଙ୍କରି ରକ୍ତର ସନ୍ତାନ ବିଭାଷକୁ କିପରି ଗୋଟିଏ ଉଜ୍ଜ୍ୱଳ ଆଲୋକଶିଖା ରୂପ ସଂସାରର ପ୍ରଶସ୍ତ କ୍ଷେତ୍ରରେ ବିଭାଷିତ କରିବା ପାଇଁ ଏପର୍ଯ୍ୟନ୍ତ ନିଜକୁ ତିଳ ତିଳ କରି ଜାଳି ଆସିଛି ତାହା ଜାଣି ଗୋପ ବାବୁଙ୍କ ମନ କୃତଜ୍ଞତାରେ; ଭରିଯିବା ସଙ୍ଗେ ସଙ୍ଗେ ଛନ୍ଦା ପ୍ରତି ସମ୍ପୂର୍ଣ୍ଣ ଭାବେ ଟାଣି ହୋଇଗଲା ।

 

ଦୁଇଦିନ ପରେ ଜରୁରୀ ଚିଠି ଯୋଗେ ରାଜେନ୍ଦ୍ର ଖବର ପାଇଲେ ଜ୍ଞାନେନ୍ଦ୍ରଠାରୁ ପିତା ପୁତ୍ରଙ୍କର ଆନନ୍ଦମୟ ମିଳନର ସଂକ୍ଷିପ୍ତ ବିବରଣୀ ଦେଇ ସାରି ସିଏ ଲେଖିଥିଲେ, ‘‘ଭାଇ ! ପତ୍ର ପାଇବା ପରେ ବାପା, ବୋଉ, ଡା. ତ୍ରିପାଠୀ, ଭାଉଜ ଓ ପିଲାମାନଙ୍କୁ ନେଇ ତୁରନ୍ତ ଯେପରି ସମସ୍ତେ ଏଠାରେ ପହଞ୍ଚ । ତୁମାନଙ୍କର ପହଞ୍ଚିବାରେ କୌଣସି ଅସୁବିଧା ନହେବା ପାଇଁ ମୁଁ ଏଠାରୁ ଚନ୍ଦନ ସହ ଜଣେ କର୍ମଚାରୀଙ୍କୁ ପଠାଉଛି । ଦମ୍‌ ଦମ୍‌ ଠାରେ ପେନର ସିଟ୍‌ ରିଜର୍ଭ କରି ତୁମମାନଙ୍କୁ ହାଓଡ଼ାଠାରେ ସେ ଅପେକ୍ଷା କରିଥିବ । ବର୍ତ୍ତମାନ ଆପାତତଃ ସ୍ଥିର ହେଉଛି ଆସନ୍ତା ଗୁରୁବାର ଦିନ ବିଭାଷର ଏକାଦଶ ଜନ୍ମୋତ୍ସବ ତଥା ଚପଳାର ଏକାଦଶ ଶ୍ରାଦ୍ଧତ୍ସବ ସହ ଛନ୍ଦା ଓ ଗୋପ ଭାଇଙ୍କର ସ୍ଥାୟୀ ମିଳିତ କର୍ମ ଯୋଜନାର ଚୁକ୍ତି ସାକ୍ଷର ଗୋପ ଭାଇ ପ୍ରତିଷ୍ଠିତ ଏଠାର ‘‘ଜଗନ୍ନାଥ ଶ୍ରମିକ ସେବା ସଦନ’’ରେ ଅନୁଷ୍ଠିତ ହେବ ।’’

Image